ତା’ପରେ ସେ ପଥିକ ଅଳ୍ପ ସମୟ ଗମ୍ଭୀର ଭାବରେ ବସି ରହି କହିଲା, “ବାବୁମାନେ, ଆପଣମାନେ ସଭିଏଁ କହୁଥିଲେ କି ଅମୁକ ଲୋକ ସୁଖୀ, ଅମୁକ ଲୋକ ଭାଗ୍ୟବାନ୍ । ଆଜ୍ଞା, ମୋ ଜୀବନର ଅଭିଜ୍ଞତା ହେଲା, ଯାହାକୁ ଆମେ ସୁଖ ଓ ସୌଭାଗ୍ୟ ବୋଲି ମନେକରୁ, ତାହା ପଛରେ ସର୍ବଦା କିଛି ନା କିଛି ଦୁଃଖ ବା ହତାଶା ଲୁଚି ରହିଥାଏ ।”
ସମସ୍ତେ କୌତୁହଳୀ ହୋଇ ପଚାରିଲେ “ତମର ସେ ଅଭିଜ୍ଞତା କ’ଣ?”
ଏହାପରେ ସେ ପଥିକ ଗପିଲା: ମୁଁ କେତେବର୍ଷ ତଳେ ବାଗଦାଦ୍ ନଗରୀର ପ୍ରଧାନ ପ୍ରହରୀ ଥିଲି । ତେଣୁ ସେ ନଗରୀର ମୁଖ୍ୟ ଫାଟକ ପାଖରେ ମୋତେ ସାରା ରାତି ପ୍ରହରା ଦେବାକୁ ପଡୁଥାଏ । ଦିନେ ରାତିରେ ହଠାତ୍ ପ୍ରାଚୀର ସେପଟେ ଖିଲି ଖିଲି ହସ ଶୁଣି ଦ୍ୱାର ଭିତର ଦେଇ ମୁଁ ଅନାଇ ଦେଖିଲି, ଜଣେ ଯୁବତୀ ଠିଆ ହୋଇଛି । ଜହ୍ନ ରାତି । ସେ ଯେ ଅତ୍ୟନ୍ତ ସୁନ୍ଦରୀ, ସେକଥା ମୁଁ ବୁଝି ପାରିଲି ।
ମୁଁ କହିଲି “କ’ଣ ଦରକାର? ରାତିରେ ନଗରୀ ଭିତରକୁ ଆସିବା ମନା, ଏକଥା କ’ଣ ତମେ ଜାଣନା?”
ମୋ କଥାରେ ସେ ପୁଣି ହସିଦେଇ କହିଲା, “ଟିକିଏ ହାତ ବଢାଇଲ ବାବୁ!”
ତା’ପରେ ମୁଁ କୌତୁହଳୀ ହୋଇ ହାତ ବଢାଇଲି । ମୋ ପାପୁଲିରେ ସେ ତିନୋଟି ସ୍ୱର୍ଣ୍ଣମୁଦ୍ରା ରଖିଦେଲା । ସେତେବେଳେ ମୋ ଆଖି ଅବଶ୍ୟ ବଡ ବଡ ହୋଇଗଲା । କିନ୍ତୁ ମୁଁ କହିଲି, “ଦେଖ, ଅର୍ଥ ଲୋଭରେ ଅନ୍ୟାୟ କାମ କରିବା ଲୋକ ମୁଁ ନୁହେଁ । ମୁଁ ଯେ ଏ ଦ୍ୱାର ଖୋଲି ତୁମକୁ ଭିତରକୁ ଆସିବାକୁ ଦେବି, ସେକଥା ତମେ କଳ୍ପନା ସୁଦ୍ଧା ବି କରନାହିଁ ।”
ସେ କହିଲେ “ତୁମକୁ ଅନ୍ୟାୟ କରିବାକୁ କିଏ କହୁଛି? ଶୁଣ, ମୋ ଅନୁରୋଧ ଯଦି ରକ୍ଷା କରିବ, ତେବେ ତୁମେ ଦୁଇ ବିରହୀ ବାନ୍ଧବୀଙ୍କ ମିଳନରେ ସାହାଯ୍ୟ କରିବ; ତୁମ ନିଜ ଭାଗ୍ୟ ମଧ୍ୟ ଖୋଲିଯିବ ।”
ମୁଁ ଆଶ୍ଚର୍ଯ୍ୟ ହୋଇ ତାକୁ ପଚାରିଲି “କିପରି?”
“ଏ ନଗରୀର କାଜୀଙ୍କ ଝିଅ ମୋର ପ୍ରାଣର ମିତ । କିନ୍ତୁ କାହିଁକି କେଜାଣି, କାଜୀ ତା’ସହ ମୋ ଦେଖାସାକ୍ଷାତ୍କୁ ପସନ୍ଦ କରନ୍ତି ନାହିଁ । ମୋତେ ନ ଦେଖି ସେ ଛଟପଟ ହେଉଛି । ତମେ ସାହାଯ୍ୟ କଲେ ଆମର ଭେଟ ହେବ ।”
ମୁଁ କହିଲି “ସେଥିରେ ମୁଁ ବା କ’ଣ କରି ପାରିବି? କାଜୀ ଜଣେ ଅତ୍ୟନ୍ତ କଡା ପ୍ରକୃତିର ମଣିଷ । ତାଙ୍କ ଝିଅ ସହ ସେ କାହାକୁ ମିଶିବାକୁ ଦେବେ ନ ଦେବେ, ସେ ବିଷୟରେ ସେ ମୋ ପରାମର୍ଶ କାହିଁକି ଗ୍ରହଣ କରିବେ? ବରଂ ତମ ଟଙ୍କାତକ ଫେରାଇ ନିଅ । ମୁଁ ଏଥିରେ ତମକୁ କୌଣସି ପ୍ରକାର ସାହାଯ୍ୟ କରିପାରିବି ନାହିଁ ।” ମୁଁ କହିଲି ଯଦିଓ ଟଙ୍କା ଫେରାଇବା ନିମନ୍ତେ ମୁଁ ମୋଟେ ପ୍ରସ୍ତୁତ ନଥିଲି । ତିନୋଟି ସ୍ୱର୍ଣ୍ଣମୁଦ୍ରା ତ ଆଉ କିଛି କମ୍ କଥା ନୁହେଁ ।
ତହୁଁ ଯୁବତୀ ହସିଦେଇ ପୁଣି କହିଲା “ତମେ ବହୁତ ବିବେକୀ ଓ ବୁଦ୍ଧିମାନ । ତମେ ଇଚ୍ଛା କଲେହିଁ ମୋତେ ସାହାଯ୍ୟ କରିପାରିବ ।”
ଯୁବତୀର ପ୍ରସ୍ତାବ ଶୁଣି ମୁଁ ପଚାରିଲି, “କିପରି?” ସେ ସେଉଠୁ ମୋତେ ଗୋଟାଏ ଉପାୟ ବତାଇ ଦେଲା । ସ୍ୱର୍ଣ୍ଣମୁଦ୍ରା, ସୁନ୍ଦରୀର ମଧୁରୀ କଥା ଓ ଆହୁରି ସୌଭାଗ୍ୟର ପ୍ରତିଶୃତିରେ ପ୍ରଭାବିତ ହୋଇ ମୁଁ ଫାଟକ ଖୋଲିଦେଲି ଓ ଯୁବତୀକୁ ନେଇ କାଜୀଙ୍କ ଘର ଆଡେ ଚାଲିଲି । କବାଟରେ ଶବ୍ଦ ଦେଇ ମୁଁ ମୋ ନିଜ ପରିଚୟ ଦେବା ମାତ୍ରେ କାଜୀ କବାଟ ଖୋଲିଦେଲେ । ମୁଁ କହିଲି, “ଏ ଯୁବତୀ ଆପଣଙ୍କ ଘର ସାମ୍ନାରେ ବସିଥିଲେ । ଇଏ ବସୋରା ନଗରୀର ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ କନ୍ୟା । ଘଟଣା ଚକ୍ରରେ ଯାହାଙ୍କ ସହ ସେ ଆସିଥିଲେ, ସେ କୁଆଡେ ହଜି ଯାଇଛନ୍ତି । ଏହାଙ୍କ ଦେହରେ ଅଳଙ୍କାର ଅଛି । ରାତିକ ପାଇଁ ଏହାଙ୍କୁ ଘରେ ଆଶ୍ରୟ ଦିଅନ୍ତୁ ।”
ମୋକଥା ଶୁଣି କାଜୀ ଥତମତ ହେଲେ । ମୁଁ କହିଲି, “ଏ ଯୁବତୀ ଯଦି ରାତିରେ ଦୁର୍ବୁତମାନଙ୍କ କବଳରେ ପଡେ ତେବେ ଆମର କଳଙ୍କ ହେବ । ଆପଣ ଏହାକୁ ରାତିକ ରଖି ନିଅନ୍ତୁ ।”
ସେଠିକାର ବିଚାରକ ହେଲେ ଖୋଦ୍ ନିଜେ କାଜୀ । ଏବେ ସେ ପୁଣି ମନା କରିବେବା କିପରି? ତେଣୁ ଉକ୍ତ ଯୁବତୀକୁ ସେ ତାଙ୍କ ଘର ଭିତରକୁ ଡାକି ନେଲେ । ମୁଁ ବି ମୋ ଘରକୁ ଫେରି ଶୋଇ ପଡିଲି ।