ମୋର ‘ଗଣ୍ଠିଲି ଭୂତ’ କାହାଣୀ ପଢିବା ପରେ ଭୂତଙ୍କ ବିଷୟରେ ଅନେକ ଆଲୋଚନା ହେଲା । ସତରେ କ’ଣ ଭୂତ ଅଛନ୍ତି? କେତେ ଜଣ ମାନିବାକୁ ନାରାଜ କିନ୍ତୁ କେତେଟା ଯୁକ୍ତିରେ ଧୀରେ ଧୀରେ କରି କେହି କେହି ହଁ କହି ଦେଉ ଥିଲେ । ଆଉ କେତେ ଜଣ ଭୂତ ଅଛି ବୋଲି ପ୍ରତ୍ୟକ୍ଷ ବର୍ଣ୍ଣନା କରି ନିଜର ଅନୁଭୂତିକୁ ଉପସ୍ଥାପିତ କଲେ । ସେମାନଙ୍କର ଯୁକ୍ତି ଥିଲା ଅକାଟ୍ୟ । ସମସ୍ତେ ଥିଲେ ଗୁଣି ଜ୍ଞାନୀ ବିଶିଷ୍ଟ ସାହିତ୍ୟିକ ବନ୍ଧୁ ମାନେ । ସେମାନଙ୍କ ମଧ୍ୟରେ ଥିଲେ ଜଣେ ଆଡଭୋକେଟ୍, ଜଣେ ଅଧ୍ୟାପକ, ଜଣେ ଲୀଳା ସମ୍ରାଟ, ଜଣେ ଖବରକାଗଜର ସବ୍ ଏଡିଟର, ଏବଂ ଜଣେ ଅବସର ପ୍ରାପ୍ତ ଶିକ୍ଷକ । କିନ୍ତୁ ଆଡଭୋକେଟ୍ ତାଙ୍କର ଯେଉଁ ବିଚିତ୍ର ଅନୁଭୂତି ପ୍ରଦାନ କଲେ ତା ମୋ ହୃଦୟରେ ବିଶେଷ ରେଖାପାତ କଲା । ତେଣୁ ସେ କାହାଣୀଟିକୁ ଏଥିରେ ବିଶେଷ ଭାବରେ ବର୍ଣ୍ଣନା କରୁଛି ।
ସେଦିନ ଥିଲା ଗାଁମେଲଣ । ସମସ୍ତେ ମେଲଣ ଦେଖିବାରେ ବ୍ୟସ୍ତ । ଗାଁରେ ଜଣେ ଗୁଣିଆଁ ସାଥିରେ ମଧୁ ବାବୁଙ୍କର ସବୁ ବେଳେ ଯୁକ୍ତି ହୁଏ । ସେଦିନ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇ ଥାଏ । ତାଙ୍କ ଘର ଲୋକେ ସେହି ବୃଦ୍ଧଙ୍କର ଶବକୁ ନେଇ ଗାଁ ମଶାଣୀରେ ପୋତି ଆସିଥାନ୍ତି ତାଙ୍କର ଆତ୍ମିୟ ମାନେ ।
ସେତେ ବେଳକୁ ରାତି ଆଠଟା କିମ୍ବା ନଅଟା ହେବ । ସେହି ମେଲଣରେ ଗୁଣିଆଁ ସହିତ ଯୁକ୍ତି ପୁଣି ହେଲା ମଧୁ ବାବୁଙ୍କର । ଗୁଣିଆଁ କହିଲା ଆଜି ଯଦି ତୁମେ ମଶାଣୀକୁ ଯାଇ, ପୋତା ଯାଇ ଥିବା ଶବ ପାଖରେ ପହଁଚି ଯିବ ତେବେ ତୁମକୁ ମୁଁ ଠିକ୍ ମାନିବି । ମଧୁ ବାବୁ ସାଙ୍ଗେ ସାଙ୍ଗେ କହିଲେ ଇଏ ଗୋଟାଏ କଥା, ଚାଲ ବର୍ତ୍ତମାନ ଯିବା । ପରସ୍ପର ଜିଦ୍ କରି ମଶାଣୀକୁ ଦୁହେଁ ଚାଲିଲେ । ସେତେବେଳେ ମଧୁବାବୁଙ୍କର ଯୁବକ ଅବସ୍ଥା । ସୁନ୍ଦର ଚେହେରା । ବାହୁରେ ପୁଣି ଥିଲା ତାଙ୍କର ଅନେକ ତାକତ । ପାଦରେ ମଧ୍ୟ ଥିଲା ତାଙ୍କର ଅସୁମାରୀ ବଳ । ହୃଦୟରେ ତାଙ୍କର ଥିଲା ସାହାସର ଗନ୍ତାଘର । ତାଙ୍କ ଚାଲିରୁ ଜଣା ପଡୁ ଥାଏ ତାଙ୍କର ସାହାସ । ଆଗେ ଆଗେ ବିନା ଭୟରେ ମାଡି ଚାଲି ଥାଆନ୍ତି ମଧୁ ବାବୁ ଏବଂ ଗୁଣିଆଁ ତାଙ୍କ ପଛେ ପଛେ ଚାଲିଥାଏ । କାହା ପାଟିରେ କିଛି କଥା ନାହିଁ ।