ଇର୍ସା ଅନର୍ଥର ମୂଳ କାରଣ

ଏକଥା ଶୁଣି ସେ ଅସୁର ବିକଟାଳ ହସ ହସି କହିଲା – “ଏ ଦୁର୍ଗର ରାଜା ପ୍ରଜା ସମସ୍ତେ ମୋର ଆହାର ହୋଇଛନ୍ତି । ଏହି ଦୁଇ ରାଜା ଝିଅଙ୍କର ରୂପ ମୋତେ ପାଗଳ କରିଛି । ତେଣୁ କେବଳ ସେମାନେ ବଂଚିଗଲେ । ତୁମକୁ ଏ ପୁରକୁ କିଏ ପଠାଇଲା? ତୁମ ଦୁହିଁଙ୍କୁ ଖାଇଲେ ହିଁ ମୋର ବହୁଦିନର କ୍ଷୁଧା ମେଂଟିବ ।”

ଏତିକି କହି ସେ ଅସୁର ଯେମିତି ରାଜକୁମାର ଆଡକୁ ନିଜ ହାତ ବଢାଇଛି, ବଡ ରାଜକୁମାର ସେହିକ୍ଷଣି ତାକୁ ଦୈବୀ ଖଣ୍ଡାଟିକୁ ଦେଖାଇଦେଲେ । ଚାହୁଁ ଚାହୁଁ ସେ ରାକ୍ଷସଟି ଜଳିପୋଡି ପାଉଁଶ ହୋଇଗଲା ।

ଏଥର ବଡ ରାଜକୁମାର ସେ ଦୁଇ ରାଜାଝିଅଙ୍କର ପରିଚୟ ପଚାରିଲେ । ତେଣୁ ସେ ଦୁଇ ରାଜଝିଅଙ୍କ ମଧ୍ୟରୁ ଜଣେ କହିଲା – “ଆମେ ଦୁଇ ଭଉଣୀ । ମୋର ନାମ ମଦନମଞ୍ଜରୀ । ମୋର ସାନ ଭଉଣୀର ନାମ ରତ୍ନମଞ୍ଜରୀ । ଆମର କପାଳ ବଡ ଅଭାଗ୍ୟ । ଆମର ଆଖି ଆଗରେ ଏ ଅସୁର ଗୋଟି ଗୋଟି କରି ଆମ ରାଜ୍ୟର ସମସ୍ତ ପ୍ରଜାମାନଙ୍କୁ ଖାଇଲା । ଶେଷରେ ରାଜା ରାଣୀ ସମେତ ଆମ ବଂଶରେ ଆଉ କାହାକୁ ସେ ରଖିଲା ନାହିଁ । କେବଳ ତାର ସେବା କରିବା ପାଇଁ ସେ ଆମ ଦୁଇ ଭଉଣୀଙ୍କ ଜୀବନ ରକ୍ଷା କରିଛି । ଆମ ଦୁଇ ଭଉଣୀଙ୍କ ଉପରେ ଏଣିକି ଅଧିକାର ଆପଣଙ୍କର । ତେଣୁ ଆପଣମାନେ ଆମକୁ ବିବାହ କରି କୃତାର୍ଥ କରନ୍ତୁ ।”

ସେହି ଦୁର୍ଗ ନଗରୀରେ ବାହାହୋଇ ସେ ଦୁଇଭାଇ କିଛିଦିନ ଆନନ୍ଦରେ ରହିଲେ । ପାଖ ରାଜ୍ୟରୁ ଲୋକ ମଧ୍ୟ ଆସି ସେଠାରେ ରହିଲେ । ତାପରେ ସେ ରାଜ୍ୟରେ ପୁଣି ହସ ଖେଳି ବୁଲିଲା ।

କିଛିକାଳ ପରେ ସେମାନଙ୍କର ଘରକଥା ମନେପଡିଲା । ବାପା ବୋଉ ମଧ୍ୟ ମନେ ପଡିଲେ ସେ ଦୁଇ ରାଜକୁମାରଙ୍କର । ତହୁଁ ସେ ସାନ ରାଜକୁମାର ଅନିଚ୍ଛାସେନଙ୍କୁ ତାଙ୍କ ବଡଭାଉଜ ମଦନମଞ୍ଜରୀ କହିଲା – “ହଠାତ୍ ଏପରି ଭାବରେ ରାଜ୍ୟକୁ ଯିବା ଆଦୌ ଠିକ୍ ହେବ ନାହିଁ । କାଳେ ସେମାନଙ୍କୁ ହତ୍ୟା କରିବା ପାଇଁ ଚକ୍ରାନ୍ତ ଚାଲିଥିବ ।”

ଏକଥା ଶୁଣି ସେ ଦୁଇ ଭାଇ ଏବେ କ’ଣ କରିବେ କିଛିବି ଭାବିପାରିଲେ ନାହିଁ । ଏପରି ପରିସ୍ଥିତିରେ ମଦନମଞ୍ଜରୀ କହିଲା – ଆମ ପ୍ରାସାଦରେ ଏକ ମନ୍ତ୍ରପୂତ ଯାନ ରହିଛି । ସେଥିରେ ବସି ଯାତ୍ରା କଲେ କେହିବି ଆଦୌ ଜାଣିପାରିବେ ନାହିଁ । ସାନରାଜକୁମାର ସେହି ଯାନରେ ଅତି ଗୋପନରେ ଯାଇ ରାଜ୍ୟର ହାଲଚାଲ ବୁଝିଆସି ପାରିବେ ।

ତାପରେ ଅନିଚ୍ଛାସେନ ସେ ମନ୍ତ୍ରଯାନରେ ଯାଇ ଇରାବତୀ ନଗରରେ ଓହ୍ଲାଇଲେ ଏକ ଉପବନ ମଧ୍ୟରେ । ସେହିଠାରେ ରାଜପୁରୋହିତ ଫୁଲ ତୋଳୁଥିଲେ । ସେ ସାନରାଜକୁମାରଙ୍କୁ ଦେଖି ରାଜପୁରୋହିତ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ । ସେ କହିଲେ – “ସାନରାଜକୁମାର ! ତୁମେ ଜୀବନରେ ଅଛ । ତୁମ ପାଇଁ ଆମ ରାଜାରାଣୀ ଖାଲି ପାଗଳ ପରି ହେଉଛନ୍ତି । ରାଜ୍ୟବାସୀଙ୍କ ମନରେ ବି ଆଦୌ ସରାଗ ନାହିଁ ।”

ତାପରେ ସେ ସାନରାଜକୁମାର କହିଲା – “ବଡ ରାଜକୁମାର ମଧ୍ୟ ବଂଚିଛନ୍ତି । ଏବେ କୁହ ଆମ ରାଜ୍ୟର ଖବର କଅଣ?”

ଏକଥା ଶୁଣି ରାଜପୁରୋହିତ କହିଲେ – “ସାନରାଣୀଙ୍କ ଚକ୍ରାନ୍ତରେ ତୁମ ଦୁଇଭାଇଙ୍କୁ ହତ୍ୟା କରିବା ପାଇଁ ଚକ୍ରାନ୍ତ ହୋଇଥିଲା । ରାଜା ଏକଥା ଜାଣିଲାପରେ ତାଙ୍କ ମନ୍ତ୍ରୀଙ୍କୁ ସେ ନିର୍ବାସିତ କରିଛନ୍ତି । ଏବଂ ତାଙ୍କ ସାନରାଣୀଙ୍କୁ ପାତାଳି କାରାଗାରରେ ବନ୍ଦୀ କରାଯାଇଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ