ଗାରୁଡି ମନ୍ତ୍ର

                ବୃଦ୍ଧ – ହେଉ ହେଉ ସବୁ ହେବ, ତୁ ଏଡେ ବ୍ୟସ୍ତ ହୋଇପଡନା ।

                ନବାଗତ ଏହି ବୁଢାଟିକୁ ଚିହ୍ନାଇଦେବା ଦରକାର, ନୋହିଲେ ପାଠକ କିଛି ଛନ୍ଦି ହେବେ, ବୃଦ୍ଧ ନବଘନ ଦାସେ ସାଆନ୍ତାଣୀଙ୍କ ମାଁମୁ, ତେଣୁ ସେ ମଦନର ଅଜା । ଦାସେ ସାଆନ୍ତଙ୍କ ଘର ଛାମୁକରଣ । ହେଲେ କଣ ହେଲା, ମଦନ କିନ୍ତୁ ତାଙ୍କୁ ଠିକ୍ ତା’ଅଜା ପରି ଭକ୍ତି କରେ । ଅଜା ବି ମୁନିବ ପୁଅ ବୋଲି, ମଦନକୁ ତୁମେ – ଆପଣ ନ କହି ତୁ – ଆରେ ବୋଲି ଡାକନ୍ତି, ତା’ସଙ୍ଗେ ସଙ୍ଗେ ଠିକ୍ ସେହିପରି ସ୍ନେହ ବି କରନ୍ତି । ଦାସେ ଗୋଡହାତ ଧୋଇ ଟିକିଏ ଅଳ୍ପ ଗଡାଗଡି କରି ଖଣ୍ଡେ ଆସନରେ ବସିଛନ୍ତି । ଏଣେ ଏ ମଦନ ଭାବୁଛି ଯେ, ଏ ତ କାହିଁ ଦିନେ କାଳେ ବି ଆସନ୍ତି ନାହିଁ, ପୁଣି ଆଜି କିଆଁ ଅଇଲେ । ମଦନର ତ ମନ ଲାଗିଛି । ତେଣୁ ସେ ଯାଇ ତା ଅଜାଙ୍କ ପାଖରେ ବସିପଡି ତାଙ୍କୁ ପଚାରିଲା, “ଆଜି କିଆଁ ଆସିଛନ୍ତି, କଣ ଲୋଡା ବୋଲନ୍ତୁ, ଉଆସରେ ସବୁ ମଙ୍ଗଳ ତ?”

                ବୃଦ୍ଧ – ଉଆସରେ ସବୁ ମଙ୍ଗଳ, ସମସ୍ତଙ୍କ ଦେହପା’ ଭଲ, ଖୁବ୍ ଭଲ ମଙ୍ଗଳ କଥାଟାଏ କହିବାକୁ ଦଶକୋଶ ବାଟ ମୁଁ ଧାଇଁଆସିଛି! ବୋଲିବି, ହେଲେ ତୁ କିଆଁ ଏପରି ଛାନିଆ ହେଉଛୁ?

                ଏପରି କଥା ଶୁଣି ସେ ମଦନ ଟିକେ ଲାଜ ପାଇଲାପରି ହେଲା, ମାତ୍ର କିପରି ଝାଁ କରି କଥା ତା’ମନକୁ ବାଜିଗଲା, ‘ଖୁବ୍ ଭଲ ମଙ୍ଗଳ କଥା’ । ଏଣେ ଚଂଚଳ ତ କହୁ ନାହାଁନ୍ତି, କଥା କ’ଣ? ସଫା ବୁଝି ନ ପାରିଲେ କ’ଣ ହେଲା; ମାତ୍ର ମନଟା ତାଙ୍କର କେମିତିକା ଗୁଡେଇ ପୁଡେଇ ହେଉଛି, ଭାରି ଉଦାସ ଉଦାସ ପରି ବି ଜଣାଯାଉଛି । ତା’ପରେ ସେ ସେଠାରୁ ଉଠିଯାଇ ପଢିବାକୁ ବସିଲା । ହେଲେ ପଢାରେ ତା’ର ମନ ମୋଟେ ଲାଗୁ ନାହିଁ । ଏ ବହି ଖଣ୍ଡ ସେ ବହି ଖଣ୍ଡ ମଦନ ଖାଲି ଯାହା ତୁଚ୍ଛାକୁ ଓଲଟପାଲଟ କରୁଛି ।

ଅଜା ନାତି ଦୁହେଁ ଖାଇ ବସିଛନ୍ତି । ଠିକ୍ ଏହି ସମୟରେ ଅଜା ଟିକିଏ ଗଳାଖଙ୍କାରି ଦେଇ କଥା ଆରମ୍ଭ କଲେ, “ବୁଝିଲୁ ମଦନ, ବାପାସାଆନ୍ତ ମୋତେ ପଠାଇଛନ୍ତି, ତୋତେ ଘେନି ମୁଁ ଗାଁକୁ ଯିବି । ତୋର ବିଭାଘର ।” ସେତେବେଳେ ତ ଏ ମଦନ ତା’ ଅଜା ମୁହଁକୁ ଏକଧ୍ୟାନରେ ଚାହିଁ ଏହିସବୁ କଥା ଶୁଣୁଥିଲେ, ‘ବିଭାଘର’ ଏହି କଥାଟି ଶୁଣି ତାଙ୍କ ମୁଣ୍ଡ ହଠାତ୍ ବୁଲାଇ ଦେଲାଣି । ହାତରୁ ଭାତ ଗଣ୍ଡାଏ ଯେ ତାଙ୍କର କେତେବେଳେ ଖସି ପଡିଲା, ତାହା ତାଙ୍କୁ ଆଦୌ ଜଣା ନାହିଁ । ଅଜାସାମନ୍ତ ଭାତ ଥାଳିଆରେ ହାତ ନେଇ ତଳକୁ ଅନାଇ କଥା ହାଙ୍କି ଯାଉଛନ୍ତି – ମଦନ କାନରେ କଥାଗୁଡାକ ପଶୁଛି କି ନାହିଁ ତାହା ତ କେବଳ ତାକୁ ହିଁ ଜଣା । ମଙ୍ଗଳପୁର ଜମିଦାର ରାମ ଦାସଙ୍କ କନ୍ୟାଟିର ଏହି ପନ୍ଦର ବରଷ ପଶିଛି । ଖୁବ୍ ଡୌଲ, ଗୋଟିଏ କାଠିରେ ଗଢା ସେ, ଚମ୍ପାଫୁଲ ପରି ତା’ର ରଙ୍ଗ, ଖୁବ୍ ପାଠୋଈ, ଛାନ୍ଦକୁ ଛାନ୍ଦ ଗୀତ ମୁହେଁ ମୁହେଁ ସେ ହାଙ୍କିଯାଏ । ଦେଖ ମଦନ, ମୁଁ ଢେର୍ ଆଡେ ଲାଗି ଲାଗି ତୋ ପାଇଁ ଏହି କନ୍ୟାଟି ଠିକ୍ କରିଛି । ସେ କନ୍ୟାକୁ ଯେତେବେଳେ ତୁ ଦେଖିବୁ ନା, ଅଜା ସତୁଆ କି ମିଛୁଆ, ସେତେବେଳେ ହିଁ ଠିକ୍ ଜାଣିବୁ । ମୋ ପାଇଁ ବକ୍ସିସ୍ ଦରକାର । ତାଛଡା ତୋ ଆଡୁ ବି ଅଲଗା ଗୋଟିଏ ବରମପୁରୀ ପାଟଯଥା ମୁଁ ପାଇବି । ତୁ ଏଥର କଣ କହୁଛୁ ମଦନ? ମଦନର ଆଉ ଜ୍ଞାନ ଅଛି ଯେ, ସେ ଏ କଥାର ଉତ୍ତର ଦେବ? ବୋଧକରୁ, ସେ ତା’ମନ ମଧ୍ୟରେ କହୁଛି, “ଯଥା! ନା ତୋ ମୁଣ୍ଡ ବକ୍ସିସ୍ ପାଇବୁ ।” ମଦନ ରାତିସାରା ବିଛଣାରେ ପଡି ଏହିକଥା ଭାବୁଛି, ତେଣୁ ତା’ ଆଖିରେ ମୋଟେ ନିଦ ନାହିଁ । ଆଜିକାଲିକା ଇଂରାଜୀ ପାଠୁଆ ଭେଣ୍ଡିଆଙ୍କ ମଧ୍ୟରୁ ଗୋଟାଏ ଗୋଟାଏ ଅଦିନିଆ କଖାରୁ ବାହାରି ପଡନ୍ତି – ତାଙ୍କ ଜାଣିବାରେ ବାପଟା ମୂର୍ଖ, କିଛି ବି ସେ ଜାଣେ ନାହିଁ । ସେମାନେ ଆପେ ଔପନ୍ୟାସିକ, କନ୍ୟା ବାଛି ବିଭା ହେବେ । କନ୍ୟାର ରୂପ ଗୁଣ ଘେନି ବାପ ସଙ୍ଗରେ ବୋଲାବୋଲି କରି ବସନ୍ତି । ମଦନ କିନ୍ତୁ ସେପରି ଶ୍ରେଣୀରୁ ବାହାର । ଆଜିଯାଏ ସେ ତ ତା ବାପର କୌଣସି କଥାରେ ବି ଜବାବ୍ ଦେଇ ନାହିଁ । ସେ କେବଳ ଗୋଟିଏ କଥା ଧରିଛି ତା ବାପ ପରି ମଙ୍ଗଳକାମୀ ତାହାର ଆଉ ଏ ଜଗତରେ କେହି ବି ନାହିଁ । ଅନ୍ୟ ସ୍ୱାର୍ଥପର ଲୋକଗୁଡାଙ୍କ ପାଖରୁ କିଛି ଦୂରରେ ସେ ଥାଏ; ମାତ୍ର ମଦନ ବିଭାଘର କଥା ଶୁଣି ଟିକିଏ ଲାଜ ପାଇଲାଣି, ତେଣୁ ସେ ଆଉ ତା’ ଅଜା ମୁହଁକୁ ଅନାଇ ପାରୁ ନାହିଁ, ବାପକୁ ଏବେ ସେ ଜବାବ ଦେବ କ’ଣ? ଢେର୍ ଭାବି ଭାବି ଗୋଟାଏ କଥା ତାହା ମନରେ ପଡିଗଲା – ମୋତେ ଭଲ କରି ଇଂରାଜୀ ପଢାଇବା ପାଇଁ ବାପା ଢେର୍ ଥର କହିଛନ୍ତି । ମଦନ ଟିକିଏ ଖୁସି ହେଲା; ତା’ପରେ ସେ ଏହି କଥାଟିକୁ ସଙ୍ଖାଳି କରି ଶୋଇପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ