ଦଳପତି ଏଭଳି ଜଣେ ଅଚିହ୍ନା, ଅଜଣା ବ୍ୟକ୍ତିଙ୍କ ସହାୟତାରେ ଯେତିକି ଖୁସି ହେଲେ, ତା’ଠାରୁ ବି ସେ ଅଧିକ ଆଶ୍ଚର୍ଯ୍ୟ ହୋଇଥିଲେ ତାଙ୍କର ସ୍ୱଇଚ୍ଛାରେ ସହାୟତା ପ୍ରଦାନ ପାଇଁ । ପରବର୍ତ୍ତୀ ସମୟରେ ତାଙ୍କର ବେଶଭୂଷାରୁ ସେ ଜଣେ ବଡବଡିଆ ଲୋକ ହୋଇଥିବେ ଭାବି ଦଳପତିଙ୍କ ମନରେ ହଠାତ୍ ଭୟ ସଂଚାର ହେଲା । ତଥାପି ବି ଅତି ସଂକୋଚରେ ସେ ଦଳପତି ପଚାରିଲେ, “ମହାଶୟ! ଆପଣଙ୍କ ପରିଚୟ?”
ତହୁଁ ସେ ଭଦ୍ରବ୍ୟକ୍ତିଜଣକ ଅତି ନମ୍ରତା ସହକାରେ କହିଲେ, “ମୁଁ ଏହି ଦେଶର ରାଷ୍ଟ୍ରପତି ଜର୍ଜୱାଶିଂଟନ୍ । ପୁନଶ୍ଚ ଯେବେ ଦରକାର ପଡିବ ମୋତେ ଡାକିଲେ ଆଜି ଭଳି ଆସି ମୁଁ ପୁନଃ ସାହାଯ୍ୟ କରିବି ।” ଏତିକି କହି ସେଦିନ ଆମେରିକାର ରାଷ୍ଟ୍ରପତି ତାଙ୍କ ବାଟରେ ସେ ଚାଲିଗଲେ ।
ସୁତରାଂ ଯଥାର୍ଥରେ କୁହାଯାଇପାରେ –
“ଉଚ୍ଚ ପଦବୀରେ ଅଧିଷ୍ଠିତ ହେଲେ ଆପେ ଆପେ ଗର୍ବ ଆସଇ ମନେ
ମାତ୍ର ଯେ’ଏଥିରୁ ବ୍ୟତିକ୍ରମ ଗଣା ମହାନ୍ ବ୍ୟକ୍ତିତ୍ୱ ଭିତରୁ ଜଣେ ।
ସେଭଳି ବ୍ୟକ୍ତିର ମନରେ ସର୍ବଦା ଥାଏ ସେ କରିବ ଅନେକ କାର୍ଯ୍ୟ
ଛୋଟ ଅବା ବଡ କାମ କରିବାକୁ ନ ଥାଏ ତା’ମନେ ଜମା ପ୍ରଭେଦ ।”