ତୁଷାର ଶୁଭ୍ରା ଓ ସପ୍ତବାମନ

ସାତବାମନ ଆସି ଘରେ ପହଁଚି ଦେଖିଲେ ତୁଷାର ଶୁଭ୍ରା ମରି ପଡିଛି । ସେମାନେ ତାରଦେହ ଓ ମୁଣ୍ଡବାଳ ପ୍ରଭୃତି ପରୀକ୍ଷାକରି ଦେଖିଲେ ତା ଦେହରେ ଆଉ ଜୀବନ ନାହିଁ । ସେମାନେ ଦୁଃଖ ପ୍ରକାଶ କଲେ ଏବଂ ଗୋଟିଏ କାଚବାକ୍ସ ମଧ୍ୟରେ ତାର ଶବକୁ ରଖିଲେ ଓ ସେ କାଚବାକ୍ସ ଉପରେ ‘ସୁନ୍ଦରୀ ରାଜକୁମାରୀ’ ବୋଲି ଲେଖି ତାଙ୍କ ଘର ନିକଟରେ ଥିବା ପର୍ବତ ଉପରେ ରଖିଦେଲେ । ତୁଷାରଶୁଭ୍ରାର ମୃତଦେହ ଦେଖି ପକ୍ଷୀମାନେ ଆସି କାନ୍ଦିବାକୁ ଲାଗିଲେ ।

                କାଚବାକ୍ସ ମଧ୍ୟରେ ତୁଷାରଶୁଭ୍ରା ଯେମିତି ଶୋଇବା ଭଳି ଦେଖାଯାଉଥାଏ । ତାର ଦେହର ରଙ୍ଗ ସେମିତି ଧଳା, ଓଠର ରଙ୍ଗ ଲାଲ୍ ଓ ମୁଣ୍ଡବାଳର ଗଙ୍ଗ ଶିଶୁକାଠ ଭଳି କଳା ଦେଖାଯାଉଥାଏ ।

                ଦିନେ ସେ ଦେଶର ରାଜକୁମାର ଏଇ ସାତବାମନଙ୍କ ଘର ନିକଟରେ ଥିବା ପର୍ବତ ବାଟେ ଯାଉଥିବାବେଳେ କାଚବାକ୍ସ ମଧ୍ୟରେ ଥିବା ତୁଷାରଶୁଭ୍ରାକୁ ଦେଖିଲେ । ସେ କାଚବାକ୍ସ ଉପରେ ଲେଖା ଅକ୍ଷରକୁ ଦେଖି ସେ କାଚବାକ୍ସଟିକୁ ନେବାକୁ ଇଚ୍ଛା କରି ସାତବାମନଙ୍କୁ ତାହା ମାଗିଲେ ।

                ରାଜକୁମାର ସେ ବାମନମାନଙ୍କୁ କହିଲେ ‘ତୁମେ ଏ କାଚବାକ୍ସରେ ଥିବା ରାଜକୁମାରୀ ବଦଳରେ ଯାହା ମାଗିବ ତାହା ମୁଁ ଦେବି ।’

                ବାମନମାନେ କହିଲେ ‘ତୁମେ ଏହି କାଚ ବାକ୍ସ ମଧ୍ୟରେ ଥିବା ତୁଷାର ଶଭ୍ରା ବଦଳରେ ସାରା ପୃଥିବୀର ଥିବା ସୁନାତକ ଦେଲେ ମଧ୍ୟ ଆମେ ଏହାକୁ ଦେବୁ ନାହିଁ ।’

                ରାଜକୁମାର କହିଲେ ‘ଏ କାଚବାକ୍ସ ମଧ୍ୟରେ ଥିବା ତୁଷାରଶୁଭ୍ରାକୁ ଦେଖି ତାର ରୂପରେ ମୁଁ ମୁଗ୍ଧ ହୋଇଛି । ତା ବିନା ମୁଁ ବଂଚି ପାରବି ନାହିଁ ।’

                ରାଜକୁମାରର କଥା ଶୁଣି ବାମନ ମାନଙ୍କ ମନରେ ଦୟା ହେଲା ଓ ସେମାନେ ରାଜକୁମାରକୁ କାଚବାକ୍ସଟି ଦେଇ ଦେଲେ ।

                ରାଜକୁମାର ଓ ତାଙ୍କ ଅନୁଚରମାନେ ସେ କାଚ ବାକସ୍ଟିକୁ କାନ୍ଧରେ ଥୋଇ ବଣର ଆବଡା ଖାବଡା ବାଟରେ ଯାଉ ଯାଉ ତାଙ୍କର ପାଦ ଖସିଗଲା ଏବଂ କାଚ ବାକ୍ସଟି ତଳେ ପଡି ଭାଙ୍ଗିଗଲା ଓ ତୁଷାରଶୁଭ୍ରା ସେଥିରୁ ଛିଟିକି ମାଟି ଉପରେ ପଡିଗଲା । ତୁଷାରଶୁଭ୍ରା ପଡିଗଲା ବେଳେ ତା ପାଟିରୁ ବିଷଫଳ ଫାଳଟି ବାହରିଗଲା । ପାଟିରୁ ବିଷଫଳ ଫାଳଟି ବାହାରି ଯିବାମାତ୍ରେ ତୁଷାରଶୁଭ୍ରା ଜୀବନ ଫେରି ପାଇବା ସଙ୍ଗେ ସଙ୍ଗେ ସେ ସୁସ୍ଥ ହୋଇ ଉଠିଲା ।

                ତୁଷାରଶୁଭ୍ରା ଏତେ ଅଜଣା ଲୋକଙ୍କୁ ଦେଖି ପଚାରିଲା ‘ମୁଁ ବର୍ତ୍ତମାନ କେଉଁଠାରେ?’

                ଏହା ଶୁଣି ରାଜକୁମାର ଆନନ୍ଦରେ କହିଲେ ‘ତୁମେ ମୋ ପାଖରେ ଅଛ ।’ ଏହା ମଧ୍ୟରେ ଘଟିଯାଇଥିବା ସବୁ କଥା ରାଜକୁମାର ଗୋଟିଗୋଟି କରି ତୁଷାର ଶୁଭ୍ରାକୁ କହିଲା ଓ ପୁଣି କହିଲା ‘ମୁଁ ତୁମକୁ ସଂସାରରେ ସବୁଠାରୁ ବେଶୀ ଭଲପାଏ । ଏପରିକି ମୁଁ ତୁମକୁ ବିବାହ ମଧ୍ୟ କରିବାକୁ ଚାହେଁ । ତୁମେ ମୋ ସହିତ ଯାଇ ଆମ ରାଜ ପ୍ରାସାଦରେ ଯୁବରାଣୀ ହୋଇ ରହିବ ତ?’

                ଏକଥା ଶୁଣି ତୁଷାରଶୁଭ୍ରା ଅତି ଆନନ୍ଦରେ ରାଜି ହେଲା ଏବଂ ସେମାନଙ୍କ ବିବାହ ଉତ୍ସବ ଖୁବ୍ ଆନନ୍ଦରେ ସମାପନ ହେଲା ।

                ରାଜକୁମାର ଓ ତୁଷାରଶୁଭ୍ରାର ବିବାହ ଉତ୍ସବକୁ ତୁଷାର ଶୁଭ୍ରାର ସାବତମା’ ଦୁଷ୍ଟରାଣୀକୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ଦୁଷ୍ଟରାଣୀ ଉତ୍ସବକୁ ଯିବାପୂର୍ବରୁ ଖୁବ୍ ଭଲ ପୋଷାକ ପିନ୍ଧି ସେ ଦର୍ପଣ ଆଗରେ ଠିଆହୋଇ ପଚାରିଲା ‘ହେ ଦର୍ପଣ! ଏ ସଂସାରରେ ସବୁଠାରୁ ସୁନ୍ଦରୀ କିଏ?’ ଦର୍ପଣ କହିଲା ‘ହେ ରାଣୀ! ତୁମେ ତ ଖୁବ୍ ସୁନ୍ଦରୀ ମାତ୍ର ଏକ ରାଜକୁମାର ଯାହାକୁ ବିବାହ କରୁଛନ୍ତି ସେ ତୁମଠାରୁ ବି ଆହୁରି ସୁନ୍ଦରୀ ।’

                ଏକଥା ଶୁଣି ରାଣୀ ଖୁବ୍ ରାଗିଯାଇ ସେ ଉତ୍ସବକୁ ନଯିବା ପାଇଁ ସ୍ଥିର କଲା ମାତ୍ର ତାର ନୂଆ ଯୁବାରାଣୀକୁ ଦେଖିବାକୁ ଭାରି ଇଚ୍ଛା ହେଲା । ତେଣୁ ସେ ଉତ୍ସବକୁ ଯାଇ ସେଠାରେ ପହଁଚିଲା ।

                ଉତ୍ସବରେ ତୁଷାରଶୁଭ୍ରା ଏ ଦୁଷ୍ଟାରାଣୀକୁ ଦେଖି ଅତ୍ୟନ୍ତ ଭୟରେ ମୂର୍ଚ୍ଛା ହୋଇଗଲା । ତୁଷାରଶୁଭ୍ରାଠାରୁ ସବୁ ପୂର୍ବ କଥା ଶୁଣି ରାଜକୁମାର ସେ ଦୁଷ୍ଟାରାଣୀକୁ ନେଇ ଗୋଟିଏ ତତଲା ଲୁହାକଡେଇରେ ପକାଇ ମାରିଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ