ରାଜକୁମାରୀ ବିଚିତ୍ରା

ଏଣେ ସେ ମଧୁପୂର ରାଜା ବି ତାଙ୍କ ଝିଅକୁ ଦଣ୍ଡ ମଣ୍ଡ ଦେଇ ଶାସନ କରୁଥାନ୍ତି । ବେଳେବେଳେ ଝିଅ ବିଚିତ୍ରାକୁ ବି ତାଙ୍କ ବାପା ବୁଝାଉଥାନ୍ତି ଯେ ଏଭଳି ଏକ ଜିଦ୍ ଛାଡିଦେବା ପାଇଁ । ଅନ୍ୟ ରାଜ୍ୟରେ ଭଲ ପାତ୍ର ଦେଖି ନିଶ୍ଚୟ ତୋର ବିବାହ କରି ଦିଆଯିବ । ଶତ୍ରୁ ପୁତ୍ର ଆଶା ଛାଡିଦେଲେ ଏ ସବୁକଥା ସୁଧୁରି ଯିବ । ତାପରେ ସେ ବି ତାଳଚେର ରାଜ କୁମାରକୁ ତାଙ୍କ କାରଗାରରୁ ମୁକୁଳି ଦେବେ । ଏମିତି କଲେ ଆଉ କିଛି ବି ଅଡୁଆ ରହିବନି । ମାତ୍ର ତାଙ୍କ ଝିଅ ବିଚିତ୍ରା ଏସବୁ କଥା ମୋଟେ ଶୁଣେନି । ରାଣୀ ବି ତାଙ୍କ ଝିଅର ପଟ ନେଇ ଏକାଜିଦ୍ ଧରିଥାନ୍ତି । କହନ୍ତି ମୋ ଝିଅ ମନରେ ଆଘାତ ଦେଲେ ମୁଁ ମୋ ଝିଅକୁ ନେଇ ଏ ରାଜବାଟୀରୁ ବାହାରି ଯିବି । ଭିକ ମାଗିବି, ନୋହିଲେ ନାହିଁ ଶେଷରେ ବେକରେ ରସିଲଗାଇ ଆତ୍ମହତ୍ୟା କରିବି ।

ରାଜା ରାଣୀଙ୍କ ଭିତରେ ଅମେଳ । ଝିଅ ମନରେ ଅଶାନ୍ତି । ଅମାତ୍ୟ ମାନଙ୍କ ମୁହଁରେ ତ ତାଲା ପଡିଛି । ଏଭଳି ଏକ ଜଟିଳ ପରିସ୍ଥିତିର ସମାଧାନ ଯେ କିପରି ହେବ, ଏ କଥା ରାଜା ସ୍ଥିର କରି ନ ପାରୁଥିଲେ ବି ଶତ୍ରୁ ସନ୍ତାନକୁ ଅପମାନ ଦେଇ ବିଦାୟ କରି ଦେବାକୁ ପ୍ରସ୍ତୁତ ହୋଇ ବସିଥାନ୍ତି ।

ଠିକ୍ ଏହି ସମୟରେ ତାଳଚେର ସୈନ୍ୟ ମାନେ ଆସି ମଧୁପୂର ଗଡ ଘେରାଉ କଲେ । ପୁତ୍ର ତାଙ୍କର ଶତ୍ରୁ ହାତରେ ପଡିଛି ବୋଲି ତାଳଚେର ରାଜା ଓ ରାଣୀ ଉଭୟେ ଆସିଥାନ୍ତି । ଯୁଦ୍ଧ ଲାଗିଲା, ଘମାଘୋଟ ଯୁଦ୍ଧ । କେତେ ମଲେ, କେତେ ହଜିଲେ, କେତେ ବି ଖଣ୍ଡିଆ ଖାବରା ହେଲେ ତା’ର କିଛି ସୀମା ରହିଲାନି । ଏମାନଙ୍କ ମଧ୍ୟରେ ବେଶି ଥିଲେ ନାକ କଟା ଓ କାନ କଟା ।

ଗଡା ପଡା ହେଉଥିବା ଲୋକମାନଙ୍କର ଦାନ୍ତ ଝଡି ଯାଇ ସେମାନେ ସବୁ ପାକୁଆ ବନିଲେ । ଗୋଡ ହାତ ଭାଙ୍ଗି କେତେ ବି ପଙ୍ଗୁ ହୋଇଗଲେ । ତଥାପି ବି ସେ ଯୁଦ୍ଧ ସରିଲାନି । ଅଗ୍ନି ଅସ୍ତ୍ର ମାରିବାକୁ ତାଳଚେର ରାଜା ତ ତାଙ୍କ ସୈନ୍ୟ ମାନଙ୍କୁ ଆଗରୁ ମନା କରିଥାନ୍ତି । କାରଣ, ତାଙ୍କ ପୁଅ କେଉଁଠି ଅଛି ସେ ଅନଭିଜ୍ଞ କାଳେ ସେ ଜଳି ପୋଡିଯିବ ଏଥିପାଇଁ ତାଳଚେର ରାଜାଙ୍କ ମନରେ ଟିକେ ଆଶଙ୍କା ଥାଏ ।

ଦିନକର କାଳ ରାତି । ଉଭୟ ପକ୍ଷର ସୈନ୍ୟ ତଥା ସେନାମାନେ ଯାଇ ନିଜ ନିଜ ଶିବିରରେ ପଡି ଯୁଦ୍ଧ ଶାନ୍ତି ହରଣ କରୁଥାନ୍ତି; ମାତ୍ର କେତେ ଘଂଟା ପାଇଁ ଯୁଦ୍ଧ ବନ୍ଦ ରହିଥାଏ । ତଥାପି ଉଭୟ ପକ୍ଷ ଖୁବ୍ ସାବଧାନରେ ଥାନ୍ତି । ଠିକ୍ ଏତିକିବେଳେ ସେ ବିଚିତ୍ରା ଅତି ସତର୍କତାର ସହିତ ଯାଇ କାରଗାରରୁ ତାଳଚେର ଯୁବରାଜଙ୍କୁ ମୁକ୍ତ କରି ଦେଲା । ବିଚିତ୍ରା ତାଳଚେର ଯୁବରାଜଙ୍କୁ କହିଲା – “ତୁମେ ଯାଇ ନିଜ ବାପାଙ୍କ ଦଳରେ ଯୋଗ ଦିଅ ।”

ଯୁବରାଜ କହିଲା – “ତୁମେ ବି ମୋ ସଙ୍ଗରେ ଆସ ।”

ବିଚିତ୍ରା କହିଲା – “ମୋର ତ ମନ ଜୀବନ ସବୁ କିଛି ତୁମ ସଙ୍ଗରେ ଯାଉଛି । କେବଳ ପିତୃଦ୍ରୋହୀ ହେବିନି ବୋଲି ମୋର ଏହି ମାଟି ପିଣ୍ଡଟା ରହୁଛି ବାପ ଘରେ । ତୁମେ ଯାଇ ଯୁଦ୍ଧ କର । ବିଜୟ ହାସଲ କରି ମୋତେ ବିଭାହୁଅ । ନାହିଁ ଯଦି ମୁଁ ଦେଖିବି ଯେ ତୁମେ ପରାସ୍ତ ହୋଇ ଏଠାରୁ ଛତ୍ରଭଙ୍ଗ ଦେଲ ତେବେ ମୁଁ ନିୟମ କରି କହୁଛି ମୁଁ ଏ ମର ଜଗତରେ ଆଉ କାହାରି ହୋଇ ପାରିବିନି । ଏକମାତ୍ର ଆଲିଙ୍ଗନ କରିବି ଶୀତଳ ମୃତ୍ୟୁର ମଧୁର ଆଲିଙ୍ଗନକୁ ।

ଯୁବରାଜ କିଛି ସମୟ ଭାବିଲା, ତା ପରେ ସେ କହିଲା – “ଆଦୌ ଚିନ୍ତା କରନା କୁମାରୀ! ପ୍ରକୃତରେ ଯଦି ଧର୍ମ ସତ୍ୟ ଓ ଆମେ ତିନିଜଣ ଯାହା ପଣ କରିଛୁ, ତାହାର ଯଦି କିଛିଟା ମାହାତ୍ମ୍ୟ ଥାଏ, ତେବେ ନିଶ୍ଚୟ ଯୁଦ୍ଧ ଜୟ କରି ମୁଁ ତୁମକୁ ହିଁ ବିବାହ କରିବି, ଏମିତି କହି କହି ରଜନୀର ଗାଢ ଅନ୍ଧକାର ମଧ୍ୟରେ ହଠାତ୍ ଅଦୃଶ୍ୟ ହୋଇଗଲା ସେହି ତାଳଚେର ରାଜ କୁମାର ।

ପ୍ରଭାତରୁ ପୁଣି ଯୁଦ୍ଧଭେରୀ ବାଜି ଉଠିଲା । ଉଭୟ ପକ୍ଷରେ ଉନ୍ମାଦ ସୈନ୍ୟମାନେ ହାତ ହତିଆର ଘେନି ଯୁଦ୍ଧ ଉନ୍ମାଦନାରେ ମାତି ଉଠିଲେ । ତା ପରେ ଚାଲିଲା ନର ରକ୍ତରେ ଖେଳ କସରତ । ଠିକ୍ ଏତିକିବେଳେ ଉଗ୍ରଭୈରବୀ ଗିରି ସୁନ୍ଦରୀ ତରୁଣୀଟିଏ ଅକସ୍ମାତ୍ ପଶି ଆସିଲା ମଧୁପୂର ରାଜ ଭବନକୁ ।

ସେହି ତରୁଣୀଟିର ହାତରେ ଅଛି ଗୋଟିଏ ଶାଣିତ ଛୁରା । ତାର ମୁଣ୍ଡରେ ବେଣୀ ମୁକୁଳା ହେତୁ କେଶରାଜି ଗୁଡିକ ସବୁ ଅଲଗା ଅଲଗା ହୋଇ ପଡିଛି । ଯେପରିକି ତାହାର କେଶବାସ ପରିପାଟୀ ଅତି ଅଯତ୍ନ । ତାର ମନରେ ଏକ ଫିକାଳିଆ ଭାବାନ୍ତର । ଆଖିରେ ପୁଣି ଅଛି ତାର ନିରାଶାର ଅଶ୍ରୁ । ତରୁଣୀଟି ପଚାରିଲା – “କାହାନ୍ତି ପୀଉସା, କାହିଁ ମୋ ଦେଈ?

ଏତକ କଥା ଶୁଣି ସଙ୍ଗେ ସଙ୍ଗେ ଦଉଡି ଆସିଲା ବିଚିତ୍ରା । ବିଚିତ୍ରା କହିଲା ସିପ୍ରା ତୁ ଆସିଛୁ? ଏତିକି କହି ବିଚିତ୍ରା ଭିଡି ନେଲା ସିପ୍ରାକୁ ନିଜ ଛାତି ଉପରକୁ । ଦିହେଁ ହଠାତ୍ କାନ୍ଦି ଉଠିଲେ ନିଶିଥିନୀର ଚକ୍ରବାକୀ ପରି । ଆଖିରୁ ସେମାନଙ୍କର ଖାଲି ଅଶ୍ରୁଧାରା ବଢିଲା ନଦୀ ପରି ଗଣ୍ଡଦେଶ ଉଛୁଳାଇ ଗଡି ଚାଲିଲା ବୁକୁ ଉପରକୁ । କାହାର ମୁହଁରୁ ଆଉ ପଦେ ହେଲେ ବି ଭାଷା ଶୁଣାଯାଉ ନଥିଲା । କେବଳ ନାଶା ପଥ ଦେଇ ଛୁଟୁଥିଲା ହା’ ହତାଶର ପ୍ରଖର ଉଚ୍ଛ୍ୱାସ । ବୁକୁରେ ନିରାଶାର ବେଦନା ହୋଇ ଉଠିଥିଲା ମୂର୍ତ୍ତିମାନ୍ । କିଛି ସମୟ ପରେ ରାଣୀ ଆସି ସେମାନଙ୍କ ସଙ୍ଗେ ଯୋଗ ଦେଲେ । ଦୁଇ ଝିଅଙ୍କ ପିଠି ମୁଣ୍ଡ ଆଉଁସି ସେ ବି କାନ୍ଦିଲେ । ସେମାନଙ୍କ ଏପରି କାନ୍ଦଣା ଶୁଣି କିଛି କାଳ ପରେ ନିଜେ ମଧୁପୂର ମହାରାଜ ବି ସେଠାରେ ଆସି ପହଁଚିଲେ । ଏମାନଙ୍କ ଦୁଃଖ ଶୋକର ବନ୍ୟା ମଧୁପୂର ରାଜାଙ୍କ ପ୍ରାଣରେ ଗଭୀର ଆଲୋଡନ ସୃଷ୍ଟି କଲା । ସେ ଯେତେ କଠିନ ହେଲେ ମଧ୍ୟ ଧୈର୍ଯ୍ୟ ଧରି ନିଜକୁ ଆଉ ସେହି ସମୟରେ ମୋଟେ ସମ୍ଭାଳି ପାରିଲେନି । ହଠାତ୍ ତାଙ୍କ ପଥର ଛାତି କ୍ଷଣକ ପାଇଁ ଥରି ଉଠିଲା । ସେ ଅର୍ଦ୍ଦସ୍ଫୁଟ ଭାଷାରେ ପଚାରିଲେ – “କାହା ସଙ୍ଗରେ ଆସିଛୁ ସିପ୍ରା?”

ସିପ୍ରା କହିଲା – “ମୋ ସଙ୍ଗେ ମୋ ବାପା ବି ଏଠାକୁ ଆସିଛନ୍ତି ।”

ମଧୁପୂର ରାଜା କହିଲେ – ମୋର ଏ ଦୁର୍ଦ୍ଦିନରେ……

ସିପ୍ରା ତା ପୀଉସାଙ୍କୁ ଆଉ କିଛି କହିବାକୁ ନଦେଇ କହିପକାଇଲା – ଏ ଦୁର୍ଦ୍ଦିନକୁ ତ ତୁମେ ନିଜେ ହିଁ ବରଣ କଲ ପୀଉସା! ଆମେ ଦୁହେଁ ହେଲୁ ତୁମରି ଅଲ୍ୟଳି କନ୍ୟା । ତୁମେ ତ ଆମ ମନ କଥା ବୁଝିଲନି କି ଆମ ମଙ୍ଗଳ କଥା ଟିକିଏ ହେଲେ ବି ଚିନ୍ତା କଲନି । କି ଦୋଷ କରିଥିଲୁ ଆମେ ତୁମର? ତୁମେ ଆମକୁ ଏପରି ଜଳନ୍ତା ନିଆଁକୁ ପେଲିଦେଲ କାହିଁକି? କ୍ଷତ୍ରୀୟ କୁମାରୀ ଆମେ । ଜୀବନରେ ଥରକ ପାଇଁ ସ୍ୱାମୀ ବାଛି ନେଇଛୁ । ନିଜର ସତୀବ୍ରତ ଅକ୍ଷୁର୍ଣ୍ଣ ରଖିବା ପାଇଁ ଶେଷ ପର୍ଯ୍ୟନ୍ତ ଅଟଳ ରହିବାର କଥା । ଆଉ ଆମେ ରହିବୁ ମଧ୍ୟ । ଯଦି ଆମେ ଏହା କରି ନ ପାରିବୁ ତେବେ ଶେଷରେ ଆତ୍ମହତ୍ୟା କରିବାକୁ ହିଁ ବାଧ୍ୟ ହେବୁ । ତୁମେ ତ ଆମର ଗୁରୁଜନ । ଦେବତା ପରି । ପିତା ଭାବରେ ତୁମେ ଆମକୁ ଜନ୍ମ ଦେଇଛ । ନିଜର ରକ୍ତ ଦେଇ ମଣିଷ ଗଢିଛ । ସବୁରି ମଙ୍ଗଳ କାମନା ଛଡା ଦିନେ ହେଲେ ବି କେବେ କାହାର ଅମଙ୍ଗଳ ଚିନ୍ତା କରିନାହଁ । ଆଜି ପୁଣି ତୁମେ ଏପରି ପାଷାଣ ହେଉଛ କାହିଁକି? ନିଜର କନ୍ୟା କଣ ବାରବନିତା ସାଜିବ? ତାହା ଦେଖି କଣ କେବେ ସହି ପାରିବ ତୁମେ? ରାଜ୍ୟର ରାଜା ହୋଇ ସହସ୍ର ସହସ୍ର ପ୍ରଜାଙ୍କର ବିଚାରକ ହୋଇ ଶେଷରେ ନିଜ କନ୍ୟାର ଆତ୍ମକଥା ଟିକିଏ ବି ବିଚାର କଲନି । ଶେଷକୁ ରାଜ୍ୟରେ ଯୁଦ୍ଧର ନିଆଁ ଜଳାଇ ଦେଲ । ଏବେ ପୁଣି କ୍ଷତି କାହାର ହେଲା ପୀଉସା?

ନିଜ କଥା, ନିଜ ପକ୍ଷ ରକ୍ଷା କରିବାକୁ ଗଲେ ଝିଅଟି ତୁମର ଆଉ କେବେବି ତା ଜୀବନରେ ସୁଖିନୀ ହୋଇ ପାରିବନି । ଶେଷରେ ସେ ଆତ୍ମହତ୍ୟା କରିବାକୁ ହିଁ ବାଧ୍ୟ ହେବ । ନ ହେଲେ ସେ ସନ୍ନ୍ୟାସିନୀ ସାଜିବ । ମୁଁ କିନ୍ତୁ ଭଲ ଭାବେ ବିଚିତ୍ରାର ଅନ୍ତର କଥା ଜାଣିଛି । କଦାପି ସେ ବାରବନିତା ସାଜିବନି । କାୟମନୋବାକ୍ୟରେ ଯାହାକୁ ସେ ସ୍ୱାମୀ ବୋଲି ଗ୍ରହଣ କରିଛି, ଧର୍ମ ନାମରେ ଶପଥ ନେଇଛି, ତାକୁ ସେ କଦାପି ତ୍ୟାଗ କରିବନି । ଲୋକେ ତାକୁ ଅପବାଦ ଦେବେ, ଓ ସେହି କାରଣରୁ ପରିଶେଷରେ ତୁମ କୁଳରେ କଳଙ୍କ ଲାଗିବ । ଦେଶ ଦୁନିଆଁ କହିବ – “ବିଚିତ୍ରା ଅସତୀ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ