ବହୁତ ବର୍ଷ ତଳର କଥା । ସୁମେରୀୟ ରାଜା ମାଡୁସା ଏକ ଅଜବ ପ୍ରକାର ରାଜା ଥିଲେ । ତାଙ୍କର ବିଚିତ୍ର କାର୍ଯ୍ୟ ପାଇଁ ପ୍ରଜାମାନେ ସର୍ବଦା ହଇରାଣ ଓ ଦୁଃଖ କଷ୍ଟ ବି ପାଉଥିଲେ । ପ୍ରଜାମାନେ ଯେତିକି ଦୁଃଖ ପାଉଥିଲେ ରାଜା ମାଡୁସା ସେତିକି ଆନନ୍ଦ ପ୍ରାପ୍ତି କରୁଥିଲେ । ପ୍ରଜାମାନଙ୍କ ଉପରେ ଏହି ଅତ୍ୟାଚାର କେବଳ ସେନାପତି, ମହାମନ୍ତ୍ରୀ, ରାଜବୈଦ୍ୟ ଓ ରାଜଜ୍ୟୋତିଷ ହିଁ କରୁଥିଲେ ।
ଦିନକର କଥା । ରାଜା ଏକ ବିଚିତ୍ର ସ୍ୱପ୍ନ ଦେଖିଲେ । ସ୍ୱପ୍ନରେ ସେ ଦେଖିଲେ ତାଙ୍କ ଦେଶର ଚାରିଜଣ ପ୍ରଜା ରାଜାଙ୍କ ଭବିଷ୍ୟତର ସ୍ୱପ୍ନ ଦେଖୁଛନ୍ତି । ତାପରେ ରାଜା ତାଙ୍କ ପୁରୋହିତଙ୍କୁ ଏହି କଥା ତୁରନ୍ତ କହିଲେ । ରାଜା ଘୋଷଣା କଲେ ଯେଉଁ ପ୍ରଜାମାନେ ରାଜାଙ୍କ ପାଇଁ ସ୍ୱପ୍ନ ଦେଖିବେ ଆଉ ଯଦି ସେ ସ୍ୱପ୍ନ ସତ୍ୟ ହୁଏ ତେବେ ରାଜା ତାଙ୍କୁ ନିଶ୍ଚିତ ରୂପେ ପୁରସ୍କାର ଦେବେ । ପୁରସ୍କାର କଥା ଶୁଣି ଚାରି ଜଣ ଲୋକ ରାଜ ଦରବାରରେ ଆସି ପହଁଚିଲେ । ରାଜା ସେମାନଙ୍କର ରାଜମହଲରେ ରହିବା ପାଇଁ ସୁବ୍ୟବସ୍ଥା କଲେ । କିଏ କେଉଁଦିନ ସ୍ୱପ୍ନ ଦେଖିବ ଓ ରାଜାଙ୍କୁ କହିବ ତାହା ମଧ୍ୟ ସ୍ଥିର କରାଗଲା । ତାପରେ ସେ ଚାରି ଜଣ ଲୋକ ନିଜ ନିଜ ଶୟନ କକ୍ଷକୁ ଚାଲିଗଲେ । ଏସବୁ କଥା ତ ସେ ରାଜ ପୁରୋହିତଙ୍କ ଜାଣତରେ ହିଁ ହେଉଥାଏ । ତେଣୁ ସେ ରାଜାଙ୍କୁ ସେନାପତି, ଜ୍ୟୋତିଷ, ବୈଦ୍ୟ ଓ ମନ୍ତ୍ରୀଙ୍କ କୁମନ୍ତ୍ରଣାରୁ ରକ୍ଷା କରିବା ପାଇଁ ଚାହୁଁଥିଲେ ।
ସକାଳ ହେଲା । ତାପରେ ପ୍ରଥମ ଶୟନ କକ୍ଷରେ ଥିବା ଲୋକକୁ ଡକା ହେଲା ରାଜଦରବାରକୁ । ନାଁ ତା’ର ଟମଲା । ରାଜା ତାକୁ ପଚାରିଲେ – ‘ତୁମେ କି ସ୍ୱପ୍ନ ଦେଖିଛ ଟମଲା ।’ ତହୁଁ ସେ ଟମଲା କହିଲା – ‘ମହାରାଜ, କାଲି ରାତିରେ ମୁଁ ଦେଖିଲି ଆପଣଙ୍କ ଶରୀରରୁ ପ୍ରଚୁର ଝାଳ ବାହାରୁଛି । ଏମିତିକି ଆପଣ ଆଉ ନିଜ ଖଣ୍ଡା ବି ଠିକ୍ ସେ ଧରି ପାରୁନାହାଁନ୍ତି ।