ଅଦୃଶ୍ୟ ସଂଚୟ

                ଏହା ମଧ୍ୟରେ ଜଣେ ନୂଆ ଅଳଙ୍କାର ବ୍ୟବସାୟୀ ଖାସ୍ ଶ୍ରୀପୁର ସହରରେ ଆସି ଦୋକାନ ଖୋଲିଥାନ୍ତି । ଶ୍ରୀଧର ଯାଇ ତାଙ୍କ ପାଖରେ ଚାକିରୀ ଖୋଜିଲା । ସେ ବି ଆସି ଧନଗୁପ୍ତଙ୍କୁ ଶ୍ରୀଧର ବିଷୟରେ ପଚାରିଲେ ।

                ଧନଗୁପ୍ତ କହିଲେ, “ନା, ନା, ତମେ ଶ୍ରୀଧରକୁ ନେଇ ଚଳାଇ ପାରିବ ନାହିଁ ।”

                ନୂଆ ବ୍ୟବସାୟୀ କହିଲେ, “ଯାହାହେଉ, ଆପଣଙ୍କୁ ପଚାରି ମୁଁ ବହୁତ ଭଲ କଲି । ନହେଲେ ଏଭଳି ଅଯୋଗ୍ୟ ଲୋକକୁ ନେଇ ମୁଁ ଅନେକ ହଇରାଣ ହରକତ ହୋଇଥାନ୍ତି । ମୁଁ ତ ତାକୁ ଆପଣ ଦେଉଥିବା ଦରମାଠୁଁ ବେଶି ଦରମା ଦେବାକୁ ପ୍ରସ୍ତୁତ ହେଉଥିଲି!”

                ସେ ନୂଆ ବେପାରୀ ଓ ଧନଗୁପ୍ତଙ୍କ ଭିତରେ ଯେଉଁସବୁ କଥାବାର୍ତ୍ତା ହେଉଥିଲା; ତାହା ଶ୍ରୀଧର ଶୁଣିଦେଲା । ସେ ବାହାରି ଆସି କ୍ଷୁବ୍ଧ କଣ୍ଠରେ ଧନଗୁପ୍ତଙ୍କୁ ପଚାରିଲେ, “ମାଲିକ! ଆପଣ କାହିଁକି ମୋତେ ଅଯୋଗ୍ୟ ବୋଲି କହି ଗୋଟିଏ ଭଲ ଚାକିରୀରୁ ବଂଚିତ କଲେ?”

                ଧନଗୁପ୍ତ କହିଲେ, “ମୁଁ ତ ତୁମକୁ ଅଯୋଗ୍ୟ ବୋଲି କହିନାହିଁ । ସେ ନିଜେ ସେ ମନ୍ତବ୍ୟ ଦେଲେ । ତେବେ ତମେ ପଚାରିପାର, ପୂର୍ବ ଦୁଇଜଣ ଲୋକଙ୍କ ଆଗରେ ମୁଁ ତମର ପ୍ରଶଂସା କରିଥିବା ବେଳେ ଏହାଙ୍କ ଆଗରେ କାହିଁକି ଏଭଳି ଚତୁରତା ପୂର୍ଣ୍ଣ କଥା କହିଲି? ପୂର୍ବ ଦୁଇଜଣ ଦୁରାନ୍ତରର ଲୋକ । ମାତ୍ର ଏ ଲୋକଟି ଏହି ସହରରେ ମୋର ପ୍ରତିଦ୍ୱନ୍ଦୀ । ତେଣୁ ମୋ କଥା କହିବାରେ ତଫାତ୍ ନିଶ୍ଚୟ ହେବ ।”

                ଶ୍ରୀଧର କହିଲା “କିନ୍ତୁ ମୁଁ ଟିକିଏ ଅଧିକା ଦରମା ପାଇଥାନ୍ତି!”

                ଧନଗୁପ୍ତ ହସି ହସି କହିଲେ “ଶ୍ରୀଧର! ମୁଁ ତମ ଦରମା ପ୍ରତିବର୍ଷ ବଢାଇ ଚାଲିଛି । ଏ ନୂଆ ଲୋକ ଯାହା ଦେଇଥାନ୍ତା, ତମେ ବର୍ତ୍ତମାନ ମୋଠୁଁ ତା’ର ଦୁଇଗୁଣ ପାଉଛ!”

                ଶ୍ରୀଧର କିଛି ନବୁଝି ତାଙ୍କୁ ଚାହିଁ ରହିଲା । ଧନଗୁପ୍ତ ବୁଝାଇ କହିଲେ, “ପ୍ରତିବର୍ଷ ତମର ଦରମା ଯାହାବି ବଢୁଛି, ତାହା ଗୋଟାଏ ଖାତାରେ ଲେଖା ହୋଇ ହିସାବ ରହୁଛି । ସେଥିରେ ସୁଧ ମଧ୍ୟ ଯୋଗ ହେଉଛି । ମୁଁ ଜାଣେ; ତମ ପିଲାମାନେ ବଡ ହେଲେଣି । ଝିଅଟିର ବାହାଘର ହେବ । ତମେ ଖଣ୍ଡିଏ ନୂଆ ଘର ବି ତୋଳିବା ଦରକାର । ମୁଁ ଯଦି ବଢନ୍ତା ଦରମା ତମକୁ ଦେଇ ଚାଲିଥାନ୍ତି, ତମେ ସେସବୁ ଖର୍ଚ୍ଚ କରି ସାରିଥାନ୍ତ । ପ୍ରୟୋଜନ ଅପ୍ରୟୋଜନ ଭିତରେ ସୀମା ଟାଣିବା ସହଜ ନୁହେଁ ।” ଏହା କହି ସେ ହିସାବ ଖାତା ଆଣି ଦେଖାଇ ଦେଲେ । ତାକୁ ଦେଖି ଶ୍ରୀଧର ଆଖିରେ ଅଚାନକ ଲୁହ ଜକେଇ ଆସିଲା । ତା’ପରେ ସେ ଧନଗୁପ୍ତଙ୍କୁ କୃତଜ୍ଞତାରେ ଜୁହାର ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ