କନକ ଉପତ୍ୟକାର କାହାଣୀ

“ଏହି ଗମ୍ବୁଜ ଭିତରୁ ରାଜ୍ୟର ଯେଉଁଠି ଯାହା ହେଉଛି ସବୁ ସ୍ପଷ୍ଟ ଦେଖି ହେବ ।” ରାଜା ଏହା କହିଲେ ଓ ଗମ୍ବୁଜର ଏକ ସ୍ୱଚ୍ଛ ଅଂଶ ଦେଇ ଏକ ନିର୍ଦ୍ଦିଷ୍ଟ ଅଂଚଳ ପ୍ରତି ରାଜୁର ଦୃଷ୍ଟି ଆକର୍ଷଣ କଲେ । ରାଜୁ ଦେଖିଲା ଶତ ଶତ ଉଜ୍ଜ୍ୱଳ ଆଲୋକ ତଳେ ଅସଂଖ୍ୟ ନରନାରୀ କର୍ମରତ ।

ରାଜୁ ପଚାରିଲା “ସେମାନେ କ’ଣ କରୁଛନ୍ତି?”

ତହୁଁ ସେ ରାଜା କହିଲେ “ସେମାନେ ତ ଅନେକ ଧରଣର କାମ କରୁଛନ୍ତି । ବାମକୁ ଅନାଅ । ସେଠାରେ ବିଶିଷ୍ଟ ଗଣିତଜ୍ଞମାନେ ଏମିତି ଏକ ପଦ୍ଧତି ପ୍ରସ୍ତୁତ କରୁଛନ୍ତି, ଯାହା ଦ୍ୱାରା ଆମ ଦେଶରେ କେତେ ସଂଖ୍ୟକ ବାଲିକଣା ରହିଛି, ତା’ର ସଠିକ୍ ହିସାବ ସମ୍ଭବ ହେବ । ତା’ପରେ…”

ରାଜୁ ପଚାରିଲା “ମହାରାଜ, ଏ ଜ୍ଞାନର ପ୍ରୟୋଜନ?”

ରାଜା କହିଲେ “ଜ୍ଞାନ ହେଲା ବଳ । ଆମର ଜ୍ଞାନ-ଗନ୍ତାଘରେ ସୁରକ୍ଷୀତ ଅସଂଖ୍ୟ ଜ୍ଞାନରୁ କିଏ କେତେବେଳେ ହେଲେ କାମରେ ଲାଗିଯିବ । ତମକୁ ମୁଁ ଏହାର ଗୋଟାଏ ଦୃଷ୍ଟାନ୍ତ ଦେଉଛି । ହେଇ ସେପାଖରେ ସେ କୋଠା ଆଡେ ଅନାଅ । ସେଠି ବୈଜ୍ଞାନିକମାନେ ଗୋଟାଏ ଅପୂର୍ବ ମହତ୍ କାମ କରୁଛନ୍ତି ।”

“ସତେ? ଯେଉଁ ଧରଣର ଶୃଙ୍ଖଳା ଓ ଶକ୍ତି ଆପଣମାନେ ହାସଲ୍ କରିଛନ୍ତି, ସେଥିରେ ମହତ୍ କିଛି ହେବା ଉଚିତ୍ । କାମଟି କ’ଣ ମୁଁ ଜାଣିପାରେ କି?” ରାଜୁ କୌତୁହଳ ପ୍ରକାଶ କରି ଏହା କହିଲା ।

“ଭବିଷ୍ୟତରେ ଆମେ ଆକାଶର ଯେ କୌଣସି ନକ୍ଷତ୍ରକୁ ଚୁର୍ମାର୍ କରିଦେଇ ପାରିବୁ!”

ରାଜୁ ଉତ୍ତେଜିତ ଭାବରେ କହିଲା “ଓଃ, ଏଇଟା ମହତ୍ କାମ? କେଡେ ଭୟଙ୍କର ମୂର୍ଖତା!”

ରାଜା ବିରକ୍ତ ହୋଇ କହିଲେ “ତୁନି ପଡ!”

“ତୁନି ପଡିବି କାହିଁକି? ସୁଦୁର ଆକାଶରେ ମିଞ୍ଜି ମିଞ୍ଜି କରୁଥିବା ସେ କୁନି କୁନି ନକ୍ଷତ୍ରମାନେ ଆପଣଙ୍କର କ’ଣ ହାନି କରିଛନ୍ତି ଯେ ଆପଣ ସେଥିରୁ କେତୋଟିକୁ ଧ୍ୱଂସ କରିଦେବାକୁ ଏଡେ ବ୍ୟଗ୍ର?”

ରାଜା ଓଲଟା ପ୍ରଶ୍ନ କଲେ “ସେମାନେ ମିଞ୍ଜି ମିଞ୍ଜି କରୁଛନ୍ତି ବୋଲି ଯେ ନିରୀହ, ତାହା ନୁହେଁ, ଆଉ ସେମାନଙ୍କୁ ଯେତେ କୁନି ଭାବୁଛ, ସେମାନେ ତାହା ବି ନୁହଁନ୍ତି । ସେମାନେ ବିରାଟ ଗ୍ରହମାଳା । ସେଥିରେ ଆମଠୁଁ ବହୁତ ଅଧିକ ବଳବାନ ଲୋକ ଥିବା ସମ୍ଭବ । ହଠାତ୍ ଯଦି ସେମାନେ ଦିନେ ଆମ ଆଡକୁ ଖେପି ଆସିବେ?”

ରାଜୁ ପଚାରିଲା “ମହାରାଜ, ସେମାନେ ଯଦି ଆସିବେ, ତେବେ ସେମାନେ ପ୍ରଚୁର ସହାନୁଭୁତି ଓ ନିରୀହ ଅନୁସନ୍ଧିତ୍ସା ଦ୍ୱାରା ଅନୁପ୍ରାଣିତ ହୋଇ ନ ଆସିବେ ବୋଲି ଭାବିଲେ କାହିଁକି? ଆପଣମାନେ କାହିଁକି ସବୁ କାମ ଭୟ ଦ୍ୱାରା ପ୍ରେରିତ ହୋଇ କରୁଛନ୍ତି?”

ଟିକିଏ ଦୋଦୋପାଂଚ କରି ରାଜା ଉତ୍ତର ଦେଲେ “ସେଥିରେ ଉପକାର ମିଳେ । ଲୋକେ ଏକତାବଦ୍ଧ ହୋଇ ରହନ୍ତି, ତଥା ଚୁପ୍ ରହନ୍ତି ।”

ରାଜୁ ପ୍ରଶ୍ନକଲା “ସେଭଳି ଏକତା ଓ ନୀରବତାର ମୂଲ୍ୟ କ’ଣ? ଲୋକେ ଚୋର ଡାକୁ ଭୟରେ ବି ପରସ୍ପର ଜାବୁଡି ଧରି ରହନ୍ତି! ସେଇଟା ଏକତା? ଆଚ୍ଛା, ଆଉ ଗୋଟାଏ ପ୍ରଶ୍ନ । ବର୍ତ୍ତମାନ ତ ରାତି । ଏବେ ଆପଣଙ୍କ ଲୋକେ ଶୋଇବା ଉଚିତ ନୁହେଁ କି?”

ରାଜା ଉତ୍ତର ଦେଲେ “ଚିନ୍ତା କରନାହିଁ । ଆମର ବିଜ୍ଞାନ ଲୋକଙ୍କୁ ନିଦ ଭୁଲାଇ ଦେବାର ଉପାୟ ଆବିଷ୍କାର କରିପାରିଛି । ଯିଏ ବିନା ନିଦରେ ଦଶବର୍ଷ ବିତାଇପାରେ, ତାକୁ ‘ସର୍ପ-ଦାନବ ପଦକ’ ଦେଇ ଅଭିନନ୍ଦିତ କରାଯାଏ ।”

ରାଜୁ ପୁଣି ପ୍ରଶ୍ନ କଲା “ନିଦ ଭୁଲାଇ ଦେବାର ଉପାୟ? ସେଥିରେ ସେମାନଙ୍କ ସ୍ୱାସ୍ଥ୍ୟହାନି ହୁଏ ନାହିଁ?” ଏପରି କଥା କହିବାବେଳେ ସେ ଉତ୍ତେଜିତ ନହେଲେ ବି ତା’ କଣ୍ଠସ୍ୱରରେ ବେଦନା ଥିଲା ।

“ନିଦ୍ରାହୀନତାର କୁପ୍ରଭାବକୁ ପ୍ରତିହତ କରିବା ନିମନ୍ତେ ଆମ୍ଭେମାନେ ଗୋଟାଏ ସୁନ୍ଦର ଉପାୟ ବାହାର କରିଛୁ । ହେଇଟି, ସେଆଡେ ଅନାଅ ।” ରାଜା ଗମ୍ବୁଜ କାନ୍ଥର ଅନ୍ୟ ଏକ ସ୍ୱଚ୍ଛ ଅଂଶ ଭିତର ଦେଇ ନଗରୀର ଆଉ ଏକ ଅଂଚଳ ଆଡେ ରାଜୁର ଦୃଷ୍ଟି ଆକର୍ଷଣ କଲେ ଓ କହିଲେ, “ବର୍ତ୍ତମାନ ଏକ କାନ୍ଦ ବୋବାଳି ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ଆଜି ବୋଧହୁଏ ଅସଲ ଅଧିବେଶନ ପୂର୍ବରୁ ଆମ ପୁରୋହିତ କିଛି କହିବେ ।”

“କାନ୍ଦ ବୋବାଳି ଅଧିବେଶନ?”

ରାଜା ସଗର୍ବ ହସ ହସି କହିଲେ, “ନିଦ ଛାଡିଦେବା ଦ୍ୱାରା ଶରୀରରେ ଓ ମନରେ ଯେଉଁ ଖରାପ ପ୍ରତିକ୍ରିୟା ହୁଏ, ଏକତ୍ର ହୋଇ ବହେ କନ୍ଦାକଟା କରିଦେଲେ ସେ ପ୍ରତିକ୍ରିୟାର ଅବସାନ ହୋଇଯାଏ ।”

ରାଜୁ ଗୋଟାଏ ପ୍ରଶସ୍ତ ପ୍ରେକ୍ଷାଳୟ ଦେଖୁଥାଏ । ମଂଚର ପଟ୍ଟଭୂମିରେ ସର୍ପ-ଦାନବର ପ୍ରତିକୃତି – ସତସତିଆ ସର୍ପ-ଦାନବ ଅପେକ୍ଷା ବହୁ ଅଧିକ ଗୁଣ ସେ ଭୟଙ୍କର । ପ୍ରେକ୍ଷାଳୟ ଭର୍ତ୍ତି ଲୋକ; କିନ୍ତୁ ସମସ୍ତେ ନୀରବରେ ମୁଣ୍ଡ ପୋତି ବସିଥାନ୍ତି ।

ମଂଚ ଉପରକୁ ଉଠିଯାଇ ବକ୍ରଦାଢୀ ନିଜ ଭାଷଣ ଆରମ୍ଭ କଲା : “ନାଗରିକଗଣ! ଆମ ପ୍ରିୟ ସର୍ପ-ଦାନବର ଆକସ୍ମିକ ନିଧନ ବିଷୟରେ ତ ଆପଣମାନେ ଅବଗତ ଅଛନ୍ତି । ତାଙ୍କ ଘାତକ ଯେ ମାନବରୂପୀ ସୈତାନ୍, ଏହା କହିବା ଏକ ପ୍ରକାର ବାହୁଲ୍ୟ ମାତ୍ର । ଆମର କୌଣସି ଏକ ଭୀଷଣ ଶତ୍ରୁ ନିଶ୍ଚୟ ତାକୁ ଏଠାକୁ ପ୍ରେରଣ କରିଛି । ଯେତେବେଳେ ସର୍ପ-ଦାନବ ରାଜପୁତ୍ରଙ୍କୁ ଆହାର କରିବ, ଠିକ୍ ସେତିକିବେଳେ ସେ ମହାଧୂର୍ତ୍ତ ଘାତକ ତାକୁ ହତ୍ୟା କଲା । ଏପରି କରି ସେ ରାଜାଙ୍କ ସହାନୁଭୁତି ପାଇବାର କଳ୍ପନା କରିଥିଲା । ତେବେ ସେ ବର୍ତ୍ତମାନ ବନ୍ଦୀ ।”

ରାଜୁ କ୍ରୋଧରେ ଥରି ଉଠି ରାଜାଙ୍କ ଆଡେ ଅନାଇ ପ୍ରଶ୍ନ କଲା, “ମହାରାଜ, ଏ ପ୍ରଚଣ୍ଡ ମିଥ୍ୟାବାଦୀକୁ ଆପଣ ସହ୍ୟ କରନ୍ତି?”

ରାଜା ନିଷ୍ପ୍ରଭ ଦେଖାଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ