ଗୁରୁତ୍ୱପୂର୍ଣ୍ଣ କଥା

ତାଙ୍କ ଘର ସାମ୍ନା ରାସ୍ତା ଆରପଟେ ଗୋଟେ ବସ୍ତି ଅଂଚଳ । ନାଁ ତା’ର ଶାନ୍ତି ପଲ୍ଲୀ । ଏ ପାଖର ସବୁ ଗରିବ ଲୋକେ ପ୍ରାୟ ରୁହନ୍ତି ସେଇଠି । ପ୍ରାୟ ରିକ୍ସାବାଲା । କେହି କେହି ରଡ୍ ବେଣ୍ଡିଂ କରନ୍ତି, ଟ୍ରଲି ଟାଣନ୍ତି ନ ହେଲେ ମୂଲିଆ ଶ୍ରେଣୀର ଲୋକ । ସେଠାରେ ଅଧିକାଂଶଙ୍କ ପିଲାଏ ମୂର୍ଖ । ବିଜୟ କିନ୍ତୁ ସମୀର ସାଙ୍ଗରେ ସାଥି ହୋଇ ଏପର୍ଯ୍ୟନ୍ତ ସ୍କୁଲ୍ ଗଲାଣି । ପାଠ ବି ପଢିଲାଣି । ପରିସ୍ଥିତି ଏମିତି ଗମ୍ଭୀର ହୋଇଗଲା ଯେ ବିଜୟ ଧୀରେ ଧୀରେ କେତେବେଳେ ସେଠୁ ବାହାରି ଚାଲିଯାଇଛି କେହି ବି ତାହା ଜାଣିପାରି ନାହାଁନ୍ତି । ସମୀର ଚୁପ୍ଚାପ୍ ଯାଇ ତା ଖଟ ଉପରେ ଶୋଇ ପଡିଲା । କିଛି ବେଳ ଗଲାପରେ। ଏଣେ ଖାଇବାକୁ ଡାକିଲେ ବୋଉ ।

ତା ବୋଉ କଥା ଶୁଣି ସମୀର ଧୀରସ୍ଥିର ଭାବରେ ଉତ୍ତର ଦେଲା ‘ମୁଁ ଖାଇବିନି, ମତେ ଭୋକ ନାହିଁ ।’ ମାତ୍ର ତା ବୋଉ ଏଥିରୁ ଠିକ୍ ଜାଣି ପାରିଲେ ଯେ, ସେ ବହୁତ କାନ୍ଦିଚି । ଉଠାଇ ବସାଇଲେ ତାକୁ । କହିଲେ – ‘ଜେଜେମା କିଛି ବି ଜାଣି ନାହାଁନ୍ତି । କହିଦେଲେ ତ କଣ କରିବା? ବୁଢୀ ମଣିଷ ।’ ‘ହଁ, ହଁ, ବୁଢୀ ମଣିଷ । ତାଙ୍କ ଘରେ ବି ତ ବୁଢୀ ମଣିଷ ଅଛନ୍ତି । କାହିଁ କେବେ ସେମାନେ ମତେ ଏମିତି ବ୍ୟବହାର କରିଛନ୍ତି?’ ସମୀର ପୁଣି ସେଇ କଥା ମନେ ପକାଇ କାନ୍ଦି ପକାଇଲା । କାହିଁକିନା ସମୀର ମଧ୍ୟ ବେଳେବେଳେ ବିଜୟର ଘରକୁ ଖେଳିବାକୁ ଯାଏ ।

ସମୀର କହିଲା, “ଜାଣିଚୁ ବୋଉ! ମ୍ୟୁନ୍ସିପାଲ୍ଟିବାଲା ରାସ୍ତା ଉପରୁ ‘କ୍ୟାବିନ୍ ସବୁ ଉଠେଇ ଦେଇଚି ଯେ ତେଣୁ ତା ବାପାଙ୍କର ଦୋକାନଟି ବି ଉଠି ଯାଇଛି । ଧାର କରଜ କରି ସେମାନେ କେତେ ଦିନ ହେଲାଣି ଚଳିଲେ । କାଲିଠୁ ତାଙ୍କ ଘରେ ରନ୍ଧା ହୋଇନି । ମୋ ଟିଫିନରୁ ତାକୁ ଅଧା ଦେଇଥିଲି, ସେ କାନ୍ଦି ପକେଇଲା । ଆଜି ତାକୁ ମୁଁ ଡାକି ଆଣିଥିଲି ସେ ଆମ ଘରେ ଖାଇବ । ତାକୁ ଖାଇବାକୁ ନ ଦେଇ ଘରୁ ବାହାର କରିଦେଲ? କଣ ନା ସେ ବ୍ରାହ୍ମଣ ନୁହଁ । ସେ ବ୍ରାହ୍ମଣ ନୁହେଁ ବୋଲି ତାକୁ କଣ ଭୋକ ହୁଏନି? ଖାଲି ମତେ ଭୋକ ହୁଏ? ତାର ଆହୁରି ଦିଟା କୁନି କୁନି ଭଉଣୀ ବି ଅଛନ୍ତି । ତାଙ୍କୁ ଭୋକ ହଉନି ଖାଲି ମତେ ଭୋକ ହଉଛି? ମୁଁ ଖାଇବିନି ତୁ ଯା-’

ତା ମୁଣ୍ଡକୁ ଆଉଁଷୁ ଥିବା ବୋଉଙ୍କ ହାତ ହଠାତ୍ ସ୍ଥିର ହୋଇଗଲା । ସମୀର ଦେଖିଲା ବାପା ଠିଆ ହୋଇଛନ୍ତି କବାଟ ପାଖରେ । କଥାଟାକୁ ଘୋଡାଇ ପକାଇବା ପାଇଁ ବୋଉ ବାପାଙ୍କୁ ଚାହିଁ କହିଲେ –

‘ପୁରୋହିତେ ତ ଖାଇ ସାରି ଗଲେଣି । ତୁମ ପାଇଁ ପରା ସେଣେ ଭାତ ବଢା ହୋଇଛି ।’

ଏହା ଶୁଣି ସମୀରର ବାପା କହିଲେ, ‘ହଁ, ସବୁ ଶୁଣିଲିଣି । ସବୁ ରଖିଦେଇଥାଅ । ମୁଁ ଆସିଲେ ଖାଇବି । ବିଜୟ ଘରର ସମସ୍ତିଙ୍କ ପାଇଁ ଆମର ଯାହା ଯାହା ବି ରନ୍ଧା ହୋଇଛି ଟିଫିନ୍ କ୍ୟାରିୟରରେ ପୂରାଅ । ସେମାନଙ୍କୁ ସମସ୍ତିଙ୍କୁ ଡାକି ଆଣିଥାନ୍ତି ଏଇଲେ ଆମ ଶ୍ରାଦ୍ଧରେ ନିମନ୍ତ୍ରିତ ଅତିଥି କରି । କିନ୍ତୁ ସେମାନେ ଆସିବେନି ତୁମ ଘରକୁ । ତା ଛଡା ଏ ଘରର ବୁଢୀ ମଣିଷଙ୍କୁ ଅସନ୍ତୁଷ୍ଟ କରିବା ମୋର ଆଦୌ ଇଚ୍ଛା ନୁହେଁ । ଯାଅ ବାଢ । ଆଆରେ ସମୀର ଆମେ ଆସିଲେ ଖାଇବା ।”

ତା’ପରେ ଆଲମାରୀ ଖୋଲି କିଛି ଟଙ୍କା କାଢିଲେ ବାପା । ଏସବୁ ଦେଖି ସେ ସମୀରର ମନ ଭାରି ଖୁସି ହୋଇଗଲା । ମହା ସମାରୋହରେ ବାପ ପୁଅ ଟିଫିନ୍ କ୍ୟାରିୟରମାନ ବ୍ୟାଗ୍ରେ ପୂରାଇ ଚାଲିଲେ ବିଜୟଙ୍କ ଘର ଆଡକୁ ।

ବାପା ବୁଝାଉଥାନ୍ତି । “ଆମେ କାହାକୁ କଣ ଦଉଚେ ସେ ବଡ କଥା ନୁହେଁ । ଆମେ ଅନ୍ୟର ସୁଖ ଦୁଃଖରେ କେତେ ଭାଗିଦାର ହୋଇ ପାରୁଚେ ତାହାହିଁ ହେଉଚି ଗୁରୁତ୍ୱପୂର୍ଣ୍ଣ କଥା – ଚାଲ ଯିବା ତୋ ସାଙ୍ଗ ଘରକୁ ଦେଖି ଆସିବି ତା ଜେଜେମାଙ୍କୁ ।”

ଏହା ଶୁଣି ସମୀର ବାଟ କଢାଇଲା ଆଗକୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ