ଦସ୍ୟୁ ରାଜକୁମାର

ଶିଶୁ ଆଖି ଖୋଲି ଚାରିଆଡେ ଅନାଇଲା । ପ୍ରଭାତ ହୋଇଆସୁଥିଲା । ଶହ ଶହ ପକ୍ଷୀଙ୍କ କାକଳିରେ ସାରା ବଣ ମୁଖରିତ ହେଉଥାଏ । ଶିଶୁ ରାଜପୁତ୍ର ଧୀରେ ଧୀରେ ଘାସ ଉପରେ ଚାଲିବାକୁ ଲାଗିଲା । ସେ ପରିବେଶଟି ତାକୁ ନିଶ୍ଚୟ ବଡ ନୂଆ ଲାଗୁଥାଏ ।

ରାଣୀ କହିଲେ “କୁଆଡେ ଯାଆନା, ପୁଅ!” ଏକଥା ଶୁଣି ପୁଅ ପଛକୁ ବୁଲିପଡି ହସିଦେଲା, କିନ୍ତୁ ସେ ଆଉ ଫେରିଲା ନାହିଁ । ରାଣୀ ତାଙ୍କ ପୁଅ ପାଖକୁ ଯିବାପାଇଁ ଉଠି ପଡିଲେ । କିନ୍ତୁ ସେ ଆଉ ପାଦେ ମଧ୍ୟ ଅଗ୍ରସର ହୋଇପାରିଲେ ନାହିଁ । ଶେଷରେ ଢଳି ଢଳି ସେଇଠି ହିଁ ସେ ତଳେ ପଡିଗଲେ ।

“ପୁଅ! କୁଆଡେ ଯାଆନା!” ଏତକ ସେ ଆଉ ଥରେ ମାତ୍ର କହିପାରିଲେ । ତା’ପରେ ସେ ରାଣୀ ତାଙ୍କ ଚେତା ହରାଇଲେ ।

ବନବାସୀ ସନ୍ନ୍ୟାସୀ ଜୟାନନ୍ଦ ପ୍ରତ୍ୟୁଷରେ ସେ ଝରଣାରେ ସ୍ନାନ କରୁଥାନ୍ତି । ଆଜି ବି ସେ ସେହି ଉଦ୍ଧେଶ୍ୟରେ ଝରଣା ଆଡେ ଚାଲିଥାନ୍ତି । ହଠାତ୍ ଗୋଟିଏ ମଧୁର ହସ ତାଙ୍କୁ ଚମକାଇ ଦେଲା । ପରୀଶିଶୁ ଭଳି କେହି ଜଣେ ତାଙ୍କ ଆଡେ ଅନାଇ ହସୁଥିଲା । ସନ୍ନ୍ୟାସୀ ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଲେ । ବାସ୍ତବିକ, ପରୀଶିଶୁ ନହେଲେ ଏଭଳି ସମୟରେ ବଣ ଭିତରେ ଏଡେ ସୁନ୍ଦର ଶିଶୁଟିଏ କାହୁଁ ଆସିବ?

ଶିଶୁ ତା’ କୁନି କୁନି ବାହୁ ଦୁଇଟି ତୋଳିଧରିଲା । ସନ୍ନ୍ୟାସୀ ତାକୁ ଉଠାଇ ନେଲେ । ଶିଶୁର ବେକରେ ଗୋଟିଏ ସୁନା ହାର ଝୁଲୁଥିଲା । ସେଥିରେ ଲାଗିଥିବା ପଦକକୁ ସେ ଲକ୍ଷ୍ୟ କରି ଦେଖିଲେ । ତା’ ଉପରେ ହାତୀଟିଏ ଶୁଣ୍ଢରେ ପଦ୍ମଫୁଲ ଧରିବାର ଚିତ୍ର ଖୋଦିତ ଥିଲା । ସେ ଚିତ୍ର ରାଜପରିବାରର ପ୍ରତୀକ ।

ଶିଶୁ ଗୋଟାଏ ନିର୍ଦ୍ଦିଷ୍ଟ ଦିଗକୁ ଝୁଙ୍କି ହେବାକୁ ଲାଗିଲା । ସନ୍ନ୍ୟାସୀ ତା’ ଇଙ୍ଗିତ ବୁଝିଲେ ଓ ସେହି ଦିଗକୁ ଚାଲିଲେ । ଅଧିକ ଦୂର ଯିବାକୁ ହେଲା ନାହିଁ । ପ୍ରପାତ-ସଂଲଗ୍ନ କ୍ଷୁଦ୍ର ଜଳାଶୟ କୂଳରେ, ଘାସ ଉପରେ ରାଣୀ ଶୋଇଥିଲେ । ଏଥିରୁ ସେ ସନ୍ନ୍ୟାସୀ ବୁଝିଲେ ଯେ, ତାଙ୍କର ଆଉ ଚେତା ନାହିଁ । ସେ ଜଳାଶୟରୁ ପାଣି ଆଣି ତାଙ୍କ ମୁହଁରେ ସିଞ୍ଚିଲେ । ରାଣୀ ଆଖି ଖୋଲିଲେ ଓ ଉଠି ବସିବାକୁ ଚେଷ୍ଟା କଲେ, କିନ୍ତୁ ପାରିଲେ ନାହିଁ ।

ସନ୍ନ୍ୟାସୀ ସ୍ନେହପୂର୍ଣ୍ଣ କଣ୍ଠରେ ତାଙ୍କୁ ପ୍ରଶ୍ନ କଲେ “ତମେ କିଏ, ଝିଅ?”

ରାଣୀ କହିଲେ “ଆପଣ ମୋତେ ଝିଅ ବୋଲି ସମ୍ବୋଧନ କରିଛନ୍ତି । ତେବେ ଆପଣଙ୍କ ପାଇଁ ତାହାହିଁ ମୋର ପ୍ରକୃତ ପରିଚୟ ହେଉ । ଏହି ମୁହୂର୍ତ୍ତରେ ମୋର ସବୁଠାରୁ ଆବଶ୍ୟକ ପିତାଙ୍କ ଅଭୟାଶ୍ରୟ । ଆପଣ ମୋ ପାଇଁ ଈଶ୍ୱର-ପ୍ରେରିତ । ଶୁଣନ୍ତୁ । ମୁଁ ଏ ରାଜ୍ୟର ହତଭାଗିନୀ ରାଣୀ । ରାତିରେ କୌଣସି ଶତ୍ରୁ ଅଚାନକ ଭାବେ ଆମ ପ୍ରାସାଦ ଭିତରେ ପ୍ରବେଶ କରି ଆମକୁ ମାରିଦେବାର ଚେଷ୍ଟା କରୁଥିଲା । ରାଜା ମୋତେ ଗୋପନ ମାର୍ଗରେ ଏଠାକୁ ପଠାଇ ଦେଲେ । କିନ୍ତୁ ତାଙ୍କର କ’ଣ ହେଲା ତା’ ତ ମୁଁ ଜାଣେନା ।”

ସନ୍ନ୍ୟାସୀ ପଚାରିଲେ “କିନ୍ତୁ ଗତକାଲି ରାଜପୁତ୍ରଙ୍କ ସ୍ୱନକ୍ଷତ୍ର ଥିଲାଟି?”


ଗପ ସାରଣୀ

ତାଲିକାଭୁକ୍ତ ଗପ