ତା’କଥାରେ ଧନଞ୍ଜୟ ବିରକ୍ତ ହୋଇ କହିଲା “ସେଥିରେ ଯାଏ ଆସେ କେତେ । ମୋତେ ତ ଦହିଭାତ ବନାଇବାକୁ ପଡୁଛି । କେବେ କେଜାଣି ମଣିଷ ଏସବୁଥିରୁ ତ୍ରାହି ପାଇବ ତାହା ବି ମୋତେ ଜଣାନାହିଁ ।”
ଏହାପରେ ସେ ଭିକାରୀ ସେଠାରୁ ଚୁପ୍ଚାପ୍ ଚାଲିଗଲା । ଅଧରାତି ବେଳକୁ ପୁଣି କିଏ ଆସି ଦରଜା ଖଟଖଟ କଲା । ଧନଞ୍ଜୟ କବାଟ ଖୋଲି ଦେଖିଲା ବାହାରେ ଜଣେ ପିଶାଚ ଠିଆ ହୋଇଛି । ସେ କହୁଛି “ଭୟ କରନା, ମୁଁ ଖାଲି ତୁମ ହାତରେ ବନାହୋଇଥିବା ଦହିଭାତ ଟିକେ ଖାଇବାକୁ ଆସିଛି ।”
ତା’ର ଏପରି କଥା ଶୁଣି ଧନଞ୍ଜୟ କିଛି ବି ନକହି ଡରିଡରି ଘର ଭିତରୁ ଗୋଟିଏ ପାତ୍ରରେ କିଛି ଦହିଭାତ ଆଣି ତାକୁ ଦେଲା । ପିଶାଚ ସେତକ ଖାଇ ଧନଞ୍ଜୟକୁ ବହୁତ ପ୍ରଶଂସା କରି ସେଠାରୁ ଚାଲିଗଲା ।
ଧନଞ୍ଜୟ ପୁଣି ଶୋଇବା ପାଇଁ ଚେଷ୍ଟା କଲା । କିଛି ସମୟ ପରେ ପୁଣି କେହି ଜଣେ ଆସି କବାଟ ଖଡଖଡ କଲା । ଫଳରେ ପୁଣି ତା’ନିଦ ଭାଙ୍ଗିଗଲା । ଦେଖିଲା ତା’ ମୁହଁ ଉପରେ ଆଲୋକ ପଡିଛି । ସେ କିଛି ଭାବିବା ପୂର୍ବରୁ ଅତ୍ୟନ୍ତ ମଧୁର କଣ୍ଠରେ ତାକୁ କିଏ କହିଲା, “ଧନଞ୍ଜୟ, ଉଠ ।”
ଧନଞ୍ଜୟ ଏକଥା ଶୁଣି ତରବର ହୋଇ ଉଠି ପଡି ଦେଖିଲା, ତା’ର ସମ୍ମୁଖରେ ଗ୍ରାମ ଦେବୀ ଦଣ୍ଡାୟମାନ ହୋଇ ହସୁଛନ୍ତି । ହଠାତ୍ ତାଙ୍କୁ ଦେଖି ଧନଞ୍ଜୟ ହାତ ଯୋଡି କହିଲା, “ମା, ମୋ ଉପରେ ଆଜି ଏ କୃପା କିପରି?”
ତହୁଁ ଗ୍ରାମଦେବୀ କହିଲେ, “ମୁଁ ତୋ ଉପରେ କୃପା କରିବାକୁ ଆସି ନାହିଁ, ବରଂ ତୋର ଟିକେ ଦୟା ମୁଁ ଲୋଡୁଛି । ତୁ ମୋତେ ନିଜ ହାତରେ ବନାଇ ଥିବା ଦହିଭାତ ଖୁଆଇବୁ । ମୋର ଭକ୍ତମାନଙ୍କ ମୁହଁରୁ ତୋ ଦହିଭାତ ବିଷୟରେ ମୁଁ ଏତେ ଖ୍ୟାତି ଶୁଣିଛି ଯେ ଭାବିଲି ମୁଁ ମଧ୍ୟ ଯାଇ ଟିକେ ଖାଇ ଆସେ ।”
ଏକଥା ଶୁଣି ଧନଞ୍ଜୟ ଭାବିଲା ଏବେ ପୁଣି ପ୍ରତ୍ୟେକ ଦିନ ଗ୍ରାମଦେବୀଙ୍କୁ ଦହିଭାତ ଖୁଆଇବାକୁ ହେବ । ଏହି ମହା ଭାବନାରେ ସେ ପଡିଲା । ମାତ୍ର ଗ୍ରାମଦେବୀ ତା’ମନକଥା ବୁଝିପାରି କହିଲେ, “ଧନଞ୍ଜୟ, ବ୍ୟସ୍ତ ହୁଅ ନାହିଁ ଏହା କେବଳ ଦିନକର କଥା । ଥରେ ମୋତେ ତାହା ଦିଅ । ତୁମକୁ ପ୍ରତିଦିନ ଆଉ ଦେବାକୁ ପଡିବ ନାହିଁ ।”
ତା’ପରେ ଧନଞ୍ଜୟ ଯାଇ ଦହିଭାତର ପାତ୍ରଟି ନେଇ ଆସି ଦେବୀଙ୍କୁ ତାହା ଦେଇ ଦେଲା । ଗ୍ରାମଦେବୀ ସେତିକ ଖାଇ ସନ୍ତୁଷ୍ଟ ହୋଇ କହିଲେ, “ଧନଞ୍ଜୟ, ତୁମର ଦହିଭାତ ଖାଇ ମୁଁ ଖୁବ୍ ସନ୍ତୁଷ୍ଟ । କିନ୍ତୁ ଏହାର ବଦଳରେ ମୋଠାରୁ କିଛି ନେବାକୁ କେବେବି ଚେଷ୍ଟା କରିବ ନାହିଁ ।” ତା’ପରେ ସେ ସେଠାରୁ ଅଦୃଶ୍ୟ ହୋଇଗଲେ ।
ପରଦିନ ଧନଞ୍ଜୟ କଚେରୀରେ ଅଛନ୍ତି, ଏତିକିବେଳେ କେହି ଜଣେ ଯୁବକ ଯାଇ ତାଙ୍କୁ ଖବର ଦେଲା କି ତାଙ୍କ ସ୍ତ୍ରୀ ଓ ଶାଶୁ ଆସିଯାଇଛନ୍ତି । ତେଣୁ ସେ ସଙ୍ଗେସଙ୍ଗେ ଘରକୁ ଆସିଲା । ଘରେ ପ୍ରବେଶ କରିବା ବେଳେ ଧନଞ୍ଜୟ ଭଲ ଖାଦ୍ୟ ବାସନା ସବୁ ଶୁଙ୍ଗିବାକୁ ପାଇଲା । ଘରେ ପହଁଚି ଧନଞ୍ଜୟ ଦେଖିଲା, ତା’ସ୍ତ୍ରୀ ରୋଷେଇ ଘରେ ବସି କ’ଣ ସବୁ ତିଆରି କରୁଛି । ସେ ତା’ ସ୍ତ୍ରୀକୁ କହିଲା, “ତମେ ଏତେ କଷ୍ଟ କାହିଁକି କଲ? ମୁଁ କ’ଣ ଦହିଭାତ ଟିକିଏ କରି ଦେଇ ନ ଥା’ନ୍ତି?”
ତା’ସ୍ୱାମୀର ଏଭଳି କଥା ଶୁଣି ପାର୍ବତୀ ଖୁବ୍ ବ୍ୟସ୍ତ ହୋଇ କହିଲା, “ତୁମେ ଆଜିଠୁଁ ଆଉ କେବେବି ରାନ୍ଧିବ ନାହିଁ । ତୁମେ ଯାଇ ମା’ସହିତ କଥାବାର୍ତ୍ତା କରୁଥାଅ । ମୁଁ ଖାଦ୍ୟ ନେଇ ଆସୁଛି ।” ପାର୍ବତୀର ଏପ୍ରକାର କଥାକୁ ଧନଞ୍ଜୟ ଆଦୌ ବିଶ୍ୱାସ କରିପାରିଲା ନାହିଁ । ତା’ସ୍ତ୍ରୀର ମନ କିପରି ପରିବର୍ତ୍ତନ ହେଲା । ସେ ପୁଣି ଭାବିଲା ଏସବୁ ବୋଧହୁଏ କେବଳ ପିଶାଚ ବା ଗ୍ରାମଦେବୀଙ୍କ ଯୋଗୁଁ ହିଁ ସମ୍ଭବ ହୋଇଛି । କିନ୍ତୁ କହିବାକୁଗଲେ ପ୍ରକୃତରେ ଏସବୁ ସେହି ଭିକାରୀର କାରସାଦି ।
ପୂର୍ବଦିନ ସେହି ଭିକାରୀ ଯାଇ ପାର୍ବତୀ ଘରେ ପହଁଚିଥିଲା । ଦିନରେ ସେ ମିଛ ଦାଢୀ ଲଗାଇ ବାବାଜୀ ହୋଇ ଭିକ ମାଗେ । ସେଠାରେ ପାର୍ବତୀ ତାକୁ କଦଳୀ ଓ ଦହି ଖାଇବାକୁ ଦେଇ ନିଜର ଭବିଷ୍ୟତ ଜାଣିବାକୁ ହାତ ଦେଖାଇଲା । ତା’ପରେ ସେ ଭିକାରୀ କହିଲା, “ତୋର ତ ସବୁ ଭଲ; କେବଳ ଯାହା ଖାଲି ତୋ ସ୍ୱାମୀ ବିଷୟରେ ଟିକିଏ ଅସୁବିଧା ଅଛି । ସେ ରୋଷେଇ କରିବା ବେଳେ ଯେକୌଣସି ମୁହୂର୍ତ୍ତରେ ତା’ଉପରେ କୌଣସି ଆଘାତ ଲାଗି ତା’ ପ୍ରାଣ ଚାଲିଯାଇପାରେ । ତେଣୁ ତାକୁ ଭଲରେ ରଖିବାକୁ ହେଲେ ରୋଷେଇ ଘରଠୁ ତୁ ତାକୁ ସର୍ବଦା ଦୂରରେ ରଖିବୁ ।”
ସେହିକଥା ଶୁଣିବା ପରଠାରୁ ପାର୍ବତୀ ତା’ମନେମନେ ଠିକ୍ କଲା ଯେ, ଧନଞ୍ଜୟକୁ ସେ ଆଉ କେବେବି ମଧ୍ୟ ରୋଷେଇ ଘର ମାଡିବାକୁ ଦେବ ନାହିଁ । ଏହା ଧନଞ୍ଜୟ ପାଇଁ ବରଦାନ ସ୍ୱରୂପ କାମକଲା । ଏହିପରି ଭାବରେ ଧନଞ୍ଜୟକୁ ଚିରଦିନ ପାଇଁ ଦହିଭାତ ବନାଇବାରୁ ମୁକ୍ତି ମିଳିଲା । କିନ୍ତୁ ନିଜର ଲୋକପ୍ରିୟ ନାମରୁ ତାକୁ କଦାପି ବି ମୁକ୍ତି ମିଳିଲା ନାହିଁ । ଏବେବି ମଧ୍ୟ ଲୋକେ ତାକୁ “ଦହିଭାତ ଧନଞ୍ଜୟ” ବୋଲି ଡାକନ୍ତି ।