ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପୁଣ୍ଡରିକଙ୍କ ପିତୃମାତୃ ସେବା

                ପୁଣ୍ଡରିକ କହିଲା, ‘ଦେଖୁଛନ୍ତି ଆପଣ ହିଁ ସବୁକିଛି, ସମଗ୍ର ବ୍ରହ୍ମାଣ୍ଡ ବି ଆପଣଙ୍କର । ସବୁକିଛିର ସ୍ରଷ୍ଟା ମଧ୍ୟ ଆପଣ । ତେଣୁ ପ୍ରଭୁ ! ମୁଁ କ୍ଷମା ମାଗୁଛି ପୁଣି ସହସ୍ରବାର । ବିନମ୍ର ନିବେଦନ କରୁଛି ମଧ୍ୟ ସହସ୍ରବାର । ତା’ପରେ ଆପଣଙ୍କର ଇଚ୍ଛା । ଯଦି ଆପଣଙ୍କର ଏ ଅଧମ ପ୍ରତି ବୀତସ୍ପୃହ, ତେବେ ଆପଣ ଚାଲି ଯାଆନ୍ତୁ । କିନ୍ତୁ, ପୁଣ୍ଡରିକ ତା’ ପିତାମାତାଙ୍କ ସେବାରେ ଟିକିଏ ବି ତ୍ରୁଟି କରି ପାରିବ ନାହିଁ । ତେବେ ପ୍ରଭୁ ! ଏ କଥା ବି ଆପଣ ମନେ ରଖନ୍ତୁ, ମୁଁ ଯଦି ଆପଣଙ୍କୁ ହୃଦୟରୁ ଆହ୍ୱାନ କରୁଥିବି, ଆଉ ମୋର ପିତାମାତାଙ୍କୁ କାୟ ମନୋବାକ୍ୟରେ ସେବା କରୁଥିବି, ତେବେ ଆପଣଙ୍କୁ ପୁଣି ଥରେ ମୋ ଘରକୁ ଆସିବାକୁ ହେବ ହିଁ ହେବ । ତଥାପି ମୁଁ ପୁଣିଥରେ ବିନମ୍ର ବିବେଚନାର ସହ ଆପଣଙ୍କୁ ଆସନଟିଏ ଦେଉଛି, ଆପଣ ଦୟାକରି ତାହା ଗ୍ରହଣ କରନ୍ତୁ ଆଉ ଟିକିଏ ଅପେକ୍ଷା କରନ୍ତୁ’ ।

                ଏହା କହି ପୁଣ୍ଡରିକ ଭଗବାନ ଶ୍ରୀକୃଷ୍ଣଙ୍କୁ ଖଣ୍ଡିଏ ଆସନ ଦେଲା । ଭଗବାନ ଶ୍ରୀକୃଷ୍ଣ ତାହା ଗ୍ରହଣ କରି ସେଇଥିରେ ଛିଡା ହୋଇ ପୁଣ୍ଡରିକର ପିତାମାତାଙ୍କ ସେବାରେ ମନ ଦେଲେ । କିଛି କ୍ଷଣ ପରେ ଭଗବାନ ଶ୍ରୀକୃଷ୍ଣ କହିଲେ, ‘ପୁଣ୍ଡରିକ, ବାସ୍ତବିକ୍ ତୁମେ ଧନ୍ୟ । ତୁମେ ମହାନ । ତୁମର ଏଇ ଭକ୍ତି ପାଇଁ ମୁଁ ଆଜି ତୁମ ଦୁଆରକୁ ଆସିଛି । କିନ୍ତୁ, ଫେରିଯିବା ପାଇଁ ଆସି ନାହିଁ ।’

                ଏହା ଶୁଣି ପୁଣ୍ଡରିକ ପୁଣି ଥରେ କହିଲା, ‘ଏ କଅଣ କହୁଛନ୍ତି ପ୍ରଭୁ?’

                ଭଗବାନ ଶ୍ରୀକୃଷ୍ଣ କହିଲେ, ‘ମୁଁ ଠିକ୍ କହୁଛି । ତ୍ରେତେୟାରେ ମୁଁ ରାମ ଅବତାର ଗ୍ରହଣ କରି ମାତା କୈକେୟୀଙ୍କ ଆଜ୍ଞାକୁ ଶିରୋଧାର୍ଯ୍ୟ କରି ବିନମ୍ରତାର ସହ ସମ୍ମାନ ଦେଇଛି । ପିତୃସତ୍ୟ ପାଳନ କରିବା ପାଇଁ ଚଉଦ ବର୍ଷ ବନବାସ କରିଛି । ସେହି ପିତାମାତାଙ୍କ ଆଖିର ଅଶ୍ରୁକୁ ପୋଛି ଦେବା ନିମନ୍ତେ ସମସ୍ତ ବିରୋଧର ମୁଁ ସମ୍ମୁଖୀନ ହୋଇଛି । ଆଉ ସେମାନଙ୍କୁ ସୁଖୀ ବି କରିଛି । ଆଜି ମୁଁ ବୈକୁଣ୍ଠରେ ଥିବା ବେଳେ ମୋର ସେହିସବୁ ପୁରୁଣା କଥା ମନେ ପଡିଗଲା । ଆଉ ମୁଁ ଏବେ ସେ ସୁଖ ପାଇବାରୁ ବଂଚିତ । ଏଥିପାଇଁ ପ୍ରାଣଟା ମୋର ଅତ୍ୟନ୍ତ ଡହଳ ବିକଳ ହୋଇ ଉଠିଲା ବେଳେ ତୁମେ ମୋ ସମ୍ମୁଖକୁ ଆସିଗଲ । ତାପରେ ମୁଁ ଆଉ ସ୍ଥିର ହୋଇ ରହି ପାରିଲି ନାହିଁ । ତୁମ ସହ ମୁଁ କଥାବାର୍ତ୍ତା କରୁଥିବା        ବେଳେ ମଧ୍ୟ ତୁମର ଅନ୍ତରାତ୍ମାରେ ଥାଇ ସେହି ଦିବ୍ୟ ସ୍ୱାଦୁ ଟିକିଏ ଚାଖିବା ପାଇଁ ଏକାତ୍ମ ହୋଇ ଯାଇଥିଲି । ସେଥିରେ ମଧ୍ୟ ମୁଁ ଆତ୍ମତୃପ୍ତି ପାଉଥିଲି ।

                ପୁଣ୍ଡରିକ କହିଲେ, ‘ପ୍ରଭୁ ! ଯଦି ଏତେ କଥା, ତେବେ ମୋ ସହ ଛଳନା କରୁଥିଲ କାହିଁକି?’ ଶ୍ରୀକୃଷ୍ଣ କହିଲେ, ‘ଏହା ଛଳନା ନୁହେଁ ପୁଣ୍ଡରିକ । ତୁମର ଭକ୍ତି ମୋତେ ତୁମଠାରୁ ଆଦୌ ଅଲଗା କରି ପାରିଲା ନାହିଁ । ସେହି ଭକ୍ତିରଜ୍ଜୁରେ ବାନ୍ଧି ହୋଇ ତୁମରି ଦୁଆରୁ ମୁଁ ପାଦଟିଏ ବି ଘୁଂଚି ପାରିଲି ନାହିଁ । ତୁମେ ଧନ୍ୟ । ଆଉ ତୁମ ପାଇଁ ମୁଁ ମଧ୍ୟ ଧନ୍ୟ ହୋଇଗଲି । ତେବେ ତୁମେ ମନେରଖ, ଆଜି ଠାରୁ ମୁଁ ତୁମ ସହ ରହିବି । ଆସ ପୁଣି ପିତାମାତାଙ୍କ ସେବା କରିବା ।’ ଏ କାହାଣୀ ଶୁଣୁ ଶୁଣୁ ସେ ଯୁବକ ଜଣକ ତାଙ୍କ ଆଖିର ଲୁହରେ ସବୁ କିଛି ଭିଜାଇ ଦେଇ ସାରିଥିଲେ । ଶେଷରେ ସେ ସାଧୁଙ୍କ ପାଦତଳେ ପଡି କାନ୍ଦିବାକୁ ଲାଗିଲେ । ସାଧୁ ତାଙ୍କୁ ତଳୁ ଉଠାଇ ସାନ୍ତ୍ୱନା ଦେଇ ଆଶୀର୍ବାଦ କଲେ । ସେତିକି ବେଳେ ସୂର୍ଯ୍ୟ ମୁଣ୍ଡ ଉପରେ । ଖଣ୍ଡିଆ ଭସା ବାଦଲରୁ ଅସରାଏ ବର୍ଷା ବର୍ଷି ଦେଇଗଲା । ଆଉ ସେହି ସମୟରେ ସାଧୁଙ୍କ ଓଠରେ ହସର ଲହରୀ । ଯୁବକଟି ପ୍ରତି ସାଧୁଙ୍କ ଅଭୟ ବରଦ ମୁଦ୍ରାର ଡାହାଣ ହାତଟି ଉପରକୁ ଉଠିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ