ବଳ ପରୀକ୍ଷା

ଏକଥା ଶୁଣି କଣ୍ଠୀରବ କହିଲେ, “ନା ଏ ଉପହାର ମୁଁ କଦାପି ମଧ୍ୟ ଗ୍ରହଣ କରିପାରିବି ନାହିଁ । କାହିଁକିନା ମୁଁ ଜଣେ ଯୋଦ୍ଧାଙ୍କ ସହିତ ବଚନବଦ୍ଧ । ସେ ମୋ ଗଳା ଉପରେ ଏକ ଧାରୁଆ କୁରାଢୀ ଦେଇ ଚୋଟ ମାରିବେ । କାରଣ ଗତବର୍ଷ ବିଜୟାଦଶମୀ ଦିନ ମୁଁ ତାଙ୍କ ଗଳାରେ କୁରାଢୀରେ ଚୋଟ ମାରିଥିଲି । ମୁଁ ଏହି ମୁଦି ପିନ୍ଧିଲେ ତାଙ୍କ କଥା ପ୍ରତି ବିଶ୍ୱାସଘାତକତା ହେବ । ବୀରୋଚିତ କାମ ହେବନାହିଁ । ପୁଣି ମୁଁ ଧର୍ମ ବିରୁଦ୍ଧରେ ଯିବି ।” ଏତିକି କହି ସେ ଗଛ ଆଡକୁ ଚାଲିଲେ ।

କିଛି ସମୟ ପରେ ସ୍ନାନ କରିବାକୁ ସେ ନଦୀକୁ ଗଲେ । ଏଣେ ସେ ରାଜକୁମାରୀ ମଧ୍ୟ ଚାଲି ଚାଲି ସେହି ଗଛ ପାଖରେ ଯାଇ ପହଁଚିଲେ । କଣ୍ଠୀରବ ସ୍ନାନ କରି ଆସି ଦେଖିଲେ ରାଜକୁମାରୀ ସେଠାରେ ଆଉ ନାହାଁନ୍ତି ।

ଅବଶେଷରେ କଣ୍ଠୀରବ ଯାଇ ଗିରିଦୁର୍ଗରେ ପହଁଚିଲେ । ସେଠାରେ ପୂର୍ବୋକ୍ତ ଯୋଦ୍ଧା କୁରାଢୀ ଧରି ଅପେକ୍ଷା କରିଥିଲେ । କଣ୍ଠୀରବଙ୍କୁ ଦେଖି ସେ ବହୁତ ଖୁସି ହେଲେ ଓ କଥାରକ୍ଷା କରିଥିବାରୁ ତାଙ୍କୁ ଖୁବ୍ ପ୍ରଶଂସା ବି କଲେ । କଣ୍ଠୀରବ ନିଜ ବେକ ତାଙ୍କୁ ଦେଖାଇ କହିଲେ, “ଏବେ ଆଉ ଡେରି କାହିଁକି? କିନ୍ତୁ ଥରେ ମାତ୍ର ଚୋଟ ପକାଇବ ।”

କଣ୍ଠୀରବଙ୍କ ଏଭଳି ଚେତାବନୀ ଶୁଣି ସେ ଯୋଦ୍ଧା ହସିଲା ଓ କହିଲା, “ହଁ ଥରେ ମାତ୍ର ଚୋଟ ପକାଇବି । କିନ୍ତୁ ତା’ପରେ କ’ଣ ତମେ ବଂଚିବ ବୋଲି ଆଶା କରୁଛ?” ତା’ପରେ ସେ କଷିକରି ଏକ ଚୋଟ ତାଙ୍କ ବେକରେ ଦେଲା ।

କିନ୍ତୁ ଏ କ’ଣ? କୁରାଢୀ ଚୋଟରେ ତାଙ୍କର କିଛି ବି ହୋଇନାହିଁ । ବେକରୁ ତାଙ୍କର ରକ୍ତ ଟୋପାଏ ମଧ୍ୟ  ବାହାରିଲା ନାହିଁ । କଣ୍ଠୀରବ ସେମିତି ଠିଆ ହୋଇ ରହିଥା’ନ୍ତି । ଯୋଦ୍ଧା ଓ କଣ୍ଠୀରବ ଉଭୟେ ବିସ୍ମୟରେ ଅଭିଭୂତ ହେଲେ । କଣ୍ଠୀରବ ହାତମାରି ଦେଖିଲେ ବେକରେ ଚୋଟ ଦାଗଟିଏ ମଧ୍ୟ ହୋଇନାହିଁ ।

ଯୋଦ୍ଧା ରାଗିଯାଇ ଚିତ୍କାର କଲା, “ଇଏ ଠକାମୀ, ପୁରା ଠକାମୀ” । ତା’ପରେ ପୁଣି ଥରେ ସେ ଚୋଟ ହାଣିବାକୁ ପ୍ରସ୍ତୁତ ହେଲା । କଣ୍ଠୀରବ ମଧ୍ୟ ରାଗରେ ତଲବାର ଧରି ପ୍ରସ୍ତୁତ ରହିଲେ । ଠିକ୍ ସେତିକିବେଳେ ଗିରିଦୁର୍ଗର ରାଜା ଓ ରାଜକୁମାରୀ ସେଠାରେ ଆସି ପହଁଚିଲେ ଓ ସେମାନଙ୍କୁ ଦ୍ୱନ୍ଦ୍ୱଯୁଦ୍ଧରୁ କ୍ଷାନ୍ତ ହେବାକୁ କହିଲେ । ତା’ପରେ ରାଜକୁମାରୀ ତାଙ୍କ ପିତାଙ୍କୁ କହିଲେ, କିପରି କଣ୍ଠୀରବ ତାଙ୍କ ଜୀବନ ରକ୍ଷା କଲେ ଓ ମୁଦ୍ରିକା ନେବାକୁ ସ୍ୱୀକାର କଲେ ନାହିଁ ଏବଂ ସେ ସ୍ନାନ କରିବାକୁ ଯିବା ସମୟରେ ସେ ତାଙ୍କ ପୋଷାକରେ ସେ ଯାଦୁ ମୁଦ୍ରିକାଟିକୁ ରଖିଦେଇ ଆସିଥିଲେ ।

ସତ୍ୟରକ୍ଷା କରିଥିବା କଣ୍ଠୀରବଙ୍କୁ ଯୋଦ୍ଧା ଓ ରାଜା ସମସ୍ତେ ପ୍ରଶଂସା କଲେ । ଯୋଦ୍ଧା କହିଲେ, “ଆମେ ଦୁହେଁ ନିଜ ନିଜ ଧର୍ମ ରକ୍ଷା କରିଛୁ । ମୋର ସାଧୁବାଦ ଗ୍ରହଣ କର । କଣ୍ଠୀରବଙ୍କର ଧର୍ମ ପ୍ରତି ନିଷ୍ଠା ଓ ସାହସ ଦେଖି ରାଜା ମଧ୍ୟ ବହୁତ ଖୁସି ହେଲେ ଓ ରାଜକୁମାରୀଙ୍କର ବିବାହ ତାଙ୍କ ସହିତ କରିଦେଲେ । ରାଜକୁମାରୀ ଏକମାତ୍ର ସନ୍ତାନ ହୋଇଥିବାରୁ କଣ୍ଠୀରବହିଁ ପରେ ସେ ରାଜ୍ୟର ରାଜା ହେଲେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ