କଥାଟି ଅନେକ ଦିନ ତଳର, ସେତେବେଳେ ତ ଆଉ ଇଣ୍ଡିଆ ସ୍ୱାଧୀନ ହୋଇ ନ ଥାଏ । ଆମ ଓଡିଶାକୁ ଲାଗି ପଶ୍ଚିମବଙ୍ଗଳା । ସେହି ରାଜ୍ୟର ଛୋଟ ଗାଁଟିଏ । ଗାଁ ପାଶ୍ୱର୍ରେ ବହି ଯାଇଥିବା ନଦୀ ଯୋଗୁଁ ତା’ର ମାଟି ବି ବେଶ୍ ଉର୍ବର । ଶସ୍ୟଶାମଳା ଫସଲ କ୍ଷେତ ଓ ବାଡିବଗିଚାରେ ଭରା ସେହି ଗାଁଟି ସତେ ଯେମିତି ଖାଲି ହସି ଉଠୁଥାଏ ।
ସେଇ ଗାଁର ବୁଢୀଟିଏ, ତା’ର ତ ଆଗକୁ କି ପଛକୁ କେହି ବି ନ ଥାନ୍ତି । ଗାଁ ଲୋକଙ୍କ ଘରେ କାମଧନ୍ଦା କରି ଏକା ଏକା ସେ ନିଃସଙ୍ଗ ଜୀବନ ଯାପନ କରୁଥାଏ, ସତେ ଅବା ଦୁଃଖିନୀଟାଏ । ତା’ର ସମ୍ପତ୍ତିବାଡି କହିଲେ ଘରବାଡି ଖଣ୍ଡିକ, ସେଥିରେ ପଣସଗଛଟିଏ । ପ୍ରତି ବର୍ଷ ସେଥିରେ ପାଦଠୁଁ ମୁଣ୍ଡଯାଏଁ ପଣସ ଫଳି ଭର୍ତ୍ତି ହୋଇଯାଏ । ତାକୁ ବିକି ସେ କିଛି ପଇସା ପାଏ, ଯାହାକି ତା’ର ଚଳଣିରେ ସାହା ହୁଏ ।
ଚୋର, ବଦମାସ ଲୋକ ତ ସବୁଠି ଥାଆନ୍ତି । ସେମାନଙ୍କ ଆଖିକୁ କାହାର କ’ଣ କେଉଁଠି ଅଛି ଆଗ ଦେଖାଯାଏ । ଦିନେ ସେଇ ଗାଁର ଗୋଟିଏ ଚୋରର ଲୋଲୁପ ଦୃଷ୍ଟି ପଡିଲା ସେଇ ପଣସ ଗଛ ଉପରେ । ପ୍ରତିଦିନ ଗୋଟିଏ ଲେଖାଏଁ ପାଚିଲା ପଣସ ଚୋରି କରି ସେ ମଜାରେ ଖାଇବାକୁ ଲାଗିଗଲା । ବେଳେବେଳେ ଅଧିକ ପଣସ ନେଇ ହାଟରେ ବି ସେ ବିକ୍ରି କଲା । ମାତ୍ର ଏକଥା କେହି ମଧ୍ୟ ଦେଖିପାରନ୍ତି ନାହିଁ ।
ଏଣେ ବୁଢୀଟି ସକାଳୁ ସକାଳୁ ଗଛରେ ପଣସ ନ ଥିବା ଦେଖି ଢେର୍ କାନ୍ଦେ, ମୁଣ୍ଡ ବାଡାଏ, ଭଗବାନଙ୍କୁ ନିଜ ଦୁଃଖ ଜଣାଏ । ଦିନେ କି ଦୁଇଦିନ ନୁହେଁ, ପ୍ରତିଦିନ ଏକଥା ଚାଲିଛି । ତାଛଡା ଆଉ କ’ଣ ବା ସିଏ କରିଥାନ୍ତା?
ଦିନକର କଥା । ଚୋରଟି ଗଛରୁ ସବୁ ପଣସ କାଟିନେଇ ଲଣ୍ଡା କରିଦେଲା । ଏ କଥା ଦେଖି ବୁଢୀର ଚେତା ହଜିଗଲା । ତା’ପରେ ତା’ର ଚେତା ଫେରିବାରୁ ସେଇ ଗଛ ମୂଳରେ ବସି ସେ ଅନେକ କାନ୍ଦିଲା । ଏସବୁ ଦେଖି ଆଖପାଖର ଲୋକ ଆସି ସେଠାରେ ରୁଣ୍ଡ ହୋଇଗଲେ । ବୁଢୀ ଏବେ ଭଗବାନ୍ଙ୍କ ଉପରୁ ବିଶ୍ୱାସ ତୁଟାଇ ଦେଇ ଭଗବାନ୍ ଆଉ ନାହାଁନ୍ତି ବୋଲି ଖାଲି କହୁଥାଏ ।
ଠିକ୍ ଏତିକିବେଳେ କିଏ ଜଣେ କହିଲେ, “ମାଉସୀ! ପାଖ ସହରରେ ଜଣେ ଭଦ୍ରବ୍ୟକ୍ତି ରହୁଛନ୍ତି । ଭାରି ଭଲ ଲୋକ ସିଏ । ସେ ପୁଣି କୁଆଡେ ବିଚାରପତି ଚାକିରି କରିଛନ୍ତି । ଗରିବଗୁରୁବାଙ୍କ ପାଇଁ ସେ ମା’ ବାପା ଭଳି, ସମସ୍ତଙ୍କୁ ସେ ଭାରି ସାହାଯ୍ୟ କରନ୍ତି । ଏମିତିକି ତାଙ୍କୁ ଗୋରା ସାହେବମାନେ ବି ଅତ୍ୟନ୍ତ ଡରନ୍ତି । ତାଙ୍କୁ ତୁମେ ତୁମର ଦୁଃଖ ଜଣାଇଲେ ସିଏ ଅବା ଟିକେ ବୁଝନ୍ତେ?”