ମହାଭାରତ

ଅନ୍ତଃପୁରରେ ଦ୍ରୌପଦୀ, ଗୁରୁଜନମାନଙ୍କୁ ପ୍ରଣାମ କଲେ । କୁନ୍ତୀ କହିଲେ, “ଝିଅ, ତୁମେ ତ ସବୁ ଦେଖୁଛ, ଜାଣୁଛ, ମୁଁ ବା ଆଉ ଅଧିକା କ’ଣ କହିବି? ପତିମାନଙ୍କ ସହିତ ପତ୍ନୀ ରହିବାଟାତ ସ୍ୱାଭାବିକ୍, ତମେ ଆଉ କାନ୍ଦ ନାହିଁ । ଭାଗ୍ୟରେ ଯାହା ଥାଏ ତା’ତ ଅବଶ୍ୟ ଭୋଗିବାକୁହିଁ ହୁଏ । ତୁମର ଅଶ୍ରୁ ଯଦି ରୁଦ୍ରଭାବ ସହ କୌରବମାନଙ୍କ ଉପରେ ପଡେ, ତେବେ ସେମାନେ ତ ଭସ୍ମ ହୋଇଯିବେ । ତୁମକୁ ମୋର ଆଉ ଏକ ଅନୁରୋଧ ସହଦେବର ଟିକେ ଅଧିକ ଯତ୍ନ ନେବ । ପିଲାବେଳରୁ ସେ ଅତି ସୁକୁମାର । ସର୍ବଦା ଭଗବାନଙ୍କୁ ଡାକୁଥିବ । ସତ୍ୟର ବିଜୟ ସୁନିଶ୍ଚିତ ।”

ଏହାପରେ ଦ୍ରୌପଦୀ ଖୋଲାକେଶ ସହିତ କାନ୍ଦି କାନ୍ଦି ସେ ଅନ୍ତଃପୁରରୁ ବାହାରିଲେ । କୁନ୍ତୀ ତାଙ୍କ ସହିତ ପୁଅମାନଙ୍କ ପାଖକୁ ଆସିଲେ । ସେମାନେ ତପସ୍ୱୀ ବେଶ ଧାରଣ କରି ବାହାରିଲେ । ସେମାନଙ୍କୁ ଦେଖି କୁନ୍ତୀଦେବୀ କାନ୍ଦି କାନ୍ଦି କହିଲେ, ତୁମେମାନେ ଧର୍ମ ମାର୍ଗରେ ଚାଲିଛ । ଗୋଟିଏ କଥା ସଦା ସର୍ବଦା ମନେ ରଖିବ ଭଗବାନ୍ ତୁମ ଭାଗ୍ୟରେ କ’ଣ ଲେଖିଛନ୍ତି, ମୁଁ ଜାଣିପାରୁ ନାହିଁ । ବାରମ୍ବାର ତୁମେ ଦୁଃଖ କଷ୍ଟ ପାଉଛ, ମୋର ମଧ୍ୟ କପାଳ ମନ୍ଦ । ତୁମମାନଙ୍କର ଏପରି ଦଶା ଦେଖିବାକୁ ତୁମ ପିତା ଓ ମାଦ୍ରୀ ନାହାଁନ୍ତି । ସେମାନେ ସବୁ ବଡ ଭାଗ୍ୟବାନ । ମୁହିଁ ଏହି ସବୁ ଦେଖି ଦେଖି ପଥର ହୋଇ ରହିଛି ଏଠାରେ ସିନା ରହିଥିବି, କିନ୍ତୁ ମୋର ମନଟା ସବୁବେଳେ ତୁମ ଉପରେହିଁ ଲାଖି ରହିଥିବ, ଏଇଥିରୁ ତୁମେମାନେ ଅନୁମାନ କରିପାରୁଥିବ ଯେ, ମୁଁ ଏଠାରେ କେତେ ଦୁଃଖରେ ଚଳିବି । ଶ୍ରୀକୃଷ୍ଣ ବି ତ କାହିଁ ଏକ୍ଷେତ୍ରରେ ଆମକୁ କିଛି ସାହାଯ୍ୟ କଲେ ନାହିଁ ।”

ବିଦୁର ତାଙ୍କୁ ବୁଝାଇ ଘରକୁ ଫେରାଇନେଲେ । ଦ୍ରୌପଦୀ ଓ ପାଣ୍ଡବମାନେ ମା’ଙ୍କର ପାଦସ୍ପର୍ଶ କରି ପ୍ରଣାମ କଲେ ଓ ବନବାସ ପାଇଁ ବାହାରିଗଲେ । ଯୁଧିଷ୍ଠିର ନିଜ ମୁହଁକୁ ଲୁଗାରେ ଢାଙ୍କି ଦେଇ ଚାଲିଥା’ନ୍ତି । ଅର୍ଜୁନ ହାତରେ ବାଲି ମୁଠାଏ ଧରି ବିଂଚି ବିଂଚି ଚାଲିଥା’ନ୍ତି । ନକୁଳ ନିଜ ଦେହ ଉପରେ ପାଉଁଶ ବୋଳି ହୋଇଥିଲେ । ସହଦେବ ତାଙ୍କ ଶରୀର ଉପରେ ଧୂଳି ବୋଳି ହୋଇଥିଲେ । ରାଜପୁରୋହିତ ଧୌମ୍ୟ ସେମାନଙ୍କ ସହିତ ସାମବେଦ ଗାନ କରି କରି ସମ୍ମୁଖରେ ଚାଲିଥା’ନ୍ତି ।

ସେଠାରୁ ସେମାନେ ଚାଲିଯିବାପରେ ଧୃତରାଷ୍ଟ୍ର, ବିଦୁରଙ୍କୁ ପଚାରିଲେ, “ପାଣ୍ଡବମାନେ ବନବାସ ଯିବାବେଳର କଥା ବର୍ଣ୍ଣନା କର ।” ବିଦୁର ବର୍ଣ୍ଣନା କରି କହିଲେ କିଏ କି ଭାବରେ ଯାଉଥିଲେ ।

ଧୃତରାଷ୍ଟ୍ର ପ୍ରଶ୍ନ କଲେ, “ଏପରି କାହିଁକି?”

ତହୁଁ ବିଦୁର କହିଲେ “ମୁଁ ବୁଝାଇ ଦେଉଛି ଶୁଣନ୍ତୁ । ଯୁଧିଷ୍ଠିର ବନଗମନ ସମୟରେ ମୁହଁ ଢାଙ୍କିଥିଲେ କାରଣ ଆପଣଙ୍କ ପୁତ୍ରମାନେ ତାଙ୍କ ପ୍ରତି ଯେଉଁ ଅନ୍ୟାୟ ଅବିଚାର କଲେ, ତାହାର ପ୍ରତିବାଦ ସ୍ୱରୂପ ତାଙ୍କ ଚକ୍ଷୁରୁ ଯଦି ରୁଦ୍ରଭାବର ଦୃଷ୍ଟି ପଡେ ତେବେ ଆପଣଙ୍କର ପୁତ୍ରମାନଙ୍କ ସହିତ ହୁଏତ ହସ୍ତୀନାପୁର ମଧ୍ୟ ଧ୍ୱଂସ ହୋଇଯିବ । ଭୀମ ତାଙ୍କର ଭୁଜବଳ ପ୍ରଦର୍ଶିତ କରି ଯାଉଥିଲେ । କାରଣ ସେ ଏକାହିଁ ତାଙ୍କର ଭୁଜବଳ ଯୋଗୁଁ ସମସ୍ତିଙ୍କୁ ବିନାଶ କରିପାରିବେ । ଅର୍ଜୁନ ଧୂଳି ବିଂଚିବା ଅର୍ଥ ସେ ଯେତେବେଳେ ଯୁଦ୍ଧ କରିବେ ଧୂଳିର ସଂଖ୍ୟା ଭଳି ଏକାବେଳେକେ ସେତିକି ସଂଖ୍ୟକ ତୀର ବର୍ଷଣ ସେ କରିପାରିବେ । ନକୁଳ ତ ଦେଖିବାକୁ ସୁନ୍ଦର । ପ୍ରଜାମାନେ ତାଙ୍କର ସୁନ୍ଦର ଚେହେରା ଦେଖି ତାଙ୍କୁ ବନକୁ ପଠାଇଥିବା ଲୋକଙ୍କ ପ୍ରତି କୋଧିତ ନହୁଅନ୍ତୁ ବୋଲି ସେ ତାଙ୍କ ଶରୀରରେ ପାଉଁଶ ବୋଳି ହୋଇଥିଲେ । ସହଦେବ ନିଜ ଦୁଃଖକୁ ଗୋପନ ରଖିବାକୁ ଆପଣା ଶରୀରରେ ମାଟି ବୋଳି ହୋଇଥିଲେ । ଦ୍ରୌପଦୀ ଧଳା ଶାଢୀ ପିନ୍ଧି ଯାଉଥିଲେ । ଏହାର କାରଣ ସେ ଦେଖାଉଥିଲେ ଯେ ଆସନ୍ତା ଚଉଦବର୍ଷ ପରେ କୌରବସ୍ତ୍ରୀମାନଙ୍କର ମଧ୍ୟ ଏହି ଦଶା ହେବ । ପୁରୋହିତ ଧୌମ୍ୟଙ୍କର ହାତରେ କୁଶ ଥିଲା । ତାହାର ଅର୍ଥ ଭବିଷ୍ୟତ ଯୁଦ୍ଧରେ ମୃତ ଲୋକଙ୍କର ଅନ୍ତ୍ୟେଷ୍ଟି କ୍ରିୟା କେବଳ ସେହିଁ ସମ୍ପନ୍ନ କରିବେ । ଏହାକୁ ବୁଝାଇବାକୁ ଯାଇ ସେ ରୌଦ୍ର ସାମବେଦ ପଠନ କରୁଥିଲେ । ରାଜନ୍ ଖାଲି ଆପଣଙ୍କର ପୁତ୍ରପ୍ରେମ ଯୋଗୁଁ ସମଗ୍ର ବଂଶ ପୃଥିବୀ ପୃଷ୍ଠରୁ ଲୋପ ପାଇବେ ।”

ପାଣ୍ଡବମାନେ ଚାଲିଯିବା ପରେ, ଦୁର୍ଯ୍ୟୋଧନ, ଦୁଃଶାସନ, କର୍ଣ୍ଣ, ଶକୁନି ଇତ୍ୟାଦି ମିଳି ଦ୍ରୋଣଙ୍କ ନିକଟକୁ ଯାଇ କହିଲେ, “ପାଣ୍ଡବମାନେ ଛାଡିଯାଇଥିବା ରାଜ୍ୟର ଶାସନ କ୍ଷମତା ଏବେ ଆପଣ ନିଜ ହାତକୁ ନିଅନ୍ତୁ । ଆପଣଙ୍କର ତ ରାଜ୍ୟଶାସନ କରିବାର ଦକ୍ଷତା ବି ଅଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ