ପିଙ୍ଗଳ ଅବନ୍ତୀ ନଗରୀକୁ ଲେଉଟି ଆସି ନିଜ ମା’ର ଦୟନୀୟ ଅବସ୍ଥା ଦେଖିଲା । କାଳବିଳମ୍ବ ନକରି ସେ ଭଲ୍ଲୁକକେତୁ ସାହାଯ୍ୟରେ ରାଜକୋଷରେ ଥିବା ନିଜର ଧନରତ୍ନ ତଥା ରାଜପ୍ରାସାଦରୁ ତା’ର ଅପହୃତ ଯାଦୁଥଳି ଉଦ୍ଧାର କରି ଆଣିଲା । ଭଲ୍ଲୁକକେତୁକୁ ପଠାଇ ଦୁଇ ବନ୍ଦୀ ଭାଇଙ୍କୁ ମଧ୍ୟ କାରାଗାରରୁ ସେ ନେଇ ଆସିଲା । ଭଲ୍ଲୁକକେତୁର ପ୍ରେତ ବାହିନୀକୁ ଲଗାଇ ସେ ନଦୀ କୂଳରେ ନିଜ ପାଇଁ ଗୋଟିଏ ବିରାଟ ମହଲ ନିର୍ମାଣ କାମ ଆରମ୍ଭ କଲା । ତା’ପରେ…
ଅନ୍ଧାର ଘୋଟି ଆସିବା ସଙ୍ଗେ ସଙ୍ଗେ ନଦୀ କୂଳରେ ଭଲ୍ଲୁକକେତୁର ପ୍ରେତପିଶାଚ ବାହିନୀ ମହଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେଲେ । ସେମାନଙ୍କ ସଂଖ୍ୟା ପ୍ରାୟ ହଜାରେ ଥିଲା । ଅଦ୍ଭୁତ କ୍ଷୀପ୍ରତା ସହକାରେ ସେମାନେ କାମ କରୁଥାନ୍ତି । ଆଖି ପଲକରେ ଗୋଟାଏ ଗୋଟାଏ ପ୍ରାଚୀର, କୋଠରୀ ତିଆରି ହୋଇ ଯାଉଥାଏ ।
ସେମାନେ କିନ୍ତୁ ନୀରବରେ କାମ କରୁ ନଥିଲେ । ପାଟିଗୋଳ ହୋ ହଲ୍ଲା କରୁଥିଲେ । ସେଥିରେ ଆକୃଷ୍ଟ ହୋଇ ନଗରୀର କେତେଜଣ ପ୍ରହରୀ କଥା କ’ଣ ବୁଝିବା ସକାଶେ ସେଠାରେ ଆସି ପହଁଚିଗଲେ । ଭଲ୍ଲୁକକେତୁର ଅନୁଚରମାନେ ସଙ୍ଗେ ସଙ୍ଗେ ସେମାନଙ୍କୁ ଧରିନେଇ କାମରେ ଲଗାଇଦେଲେ । ଯିଏ ଟିକିଏ ଆପତ୍ତି କଲା, ତାକୁ ସେମାନେ ପିଟି ପକାଇଲେ!
ସୂର୍ଯ୍ୟୋଦୟ ବେଳକୁ ପିଙ୍ଗଳ ମା ଓ ଭାଇ ଦୁହିଁଙ୍କୁ ଧରି ମହଲରେ ପ୍ରବେଶ କଲା । ମହଲର ଚାକଚକ୍ୟ ଓ ବିଶାଳତା ଦେଖି ପିଙ୍ଗଳ ଯେତିକି ଆନନ୍ଦିତ ହେଲା, ତା’ ମା ଓ ଭାଇ ଦୁଇଜଣ ସେତିକି ବିସ୍ମିତ ହେଲେ ।
ଭଲ୍ଲୁକକେତୁର ଅନୁଚରମାନଙ୍କ ଭିତରୁ ପିଙ୍ଗଳ ପଚାଶ ଜଣଙ୍କୁ ରଖିଲା । ଆଉ ବାକି ସମସ୍ତଙ୍କୁ ସେ ଭଲ୍ଲୁକପର୍ବତକୁ ପଠାଇଦେଲା । ସେ ପଚାଶଜଣ ପ୍ରହରୀ ରୂପେ ପ୍ରାସାଦକୁ ଜଗି ରହିଲେ । ନିଜେ ଭଲ୍ଲୁକକେତୁ ପ୍ରାସାଦ ସାମ୍ନାରେ ଖଣ୍ଡିଏ ପଥର ପକାଇ ତହିଁ ଉପରେ ମୁଖ୍ୟ ପ୍ରହରୀ ରୂପେ ରହିଥାଏ ।
ସକାଳ ହେବା ମାତ୍ରେ ତେଣେ ରାଜପ୍ରାସାଦରେ ହୁଲସ୍ତୁଲ୍ ପଡିଥାଏ । ନଗରରକ୍ଷୀମାନଙ୍କର ଯିଏ ସର୍ଦ୍ଦାର୍; ସିଏ କୌଣସି ମତେ ଭଲ୍ଲୁକକେତୁ କବଳରୁ ଖସି ପଳାଇଥାଏ । ସେ ଯାଇ ମନ୍ତ୍ରୀଙ୍କୁ କହିଲା, “ହଜୁର! ନଈ କୂଳରେ ରାତାରାତି ଗୋଟାଏ ଅଦ୍ଭୁତ ମହଲ ଠିଆ ହୋଇ ଗଲାଣି । ତା’ର ଯିଏ ମାଲିକ, ତା’ର ଅନୁଚରମାନେ ହେଲେ ପ୍ରେତ ପିଶାଚ । ଆମର ଥୋକେ ପ୍ରହରୀଙ୍କୁ ସେମାନେ ବନ୍ଦୀ କରିଛନ୍ତି ।”
ମନ୍ତ୍ରୀ ଅଟ୍ଟହାସ୍ୟ କରି କହିଲେ, “କିରେ ଟୋକା! ରାତିରେ କେତେ କଳସ ମଦ ପିଇଛୁ?”
ପ୍ରହରୀ ସର୍ଦ୍ଦାର ଗମ୍ଭୀର ଭାବରେ କହିଲା “ମନ୍ତ୍ରୀବର! ଖାଲି ଥରେ ଆପଣଙ୍କ କୋଠାର ଛାତ ଉପରକୁ ଉଠି ଯାଆନ୍ତୁ ଓ ନଈକୂଳ ଆଡେ ଦୃଷ୍ଟି ଦିଅନ୍ତୁ ।”
ମନ୍ତ୍ରୀ ତା’ କଥାକୁ ତଥାପି ବି ଅବିଶ୍ୱାସ କରିବା ସତ୍ତ୍ୱେ ଥରେ ଛାତ ଉପରକୁ ଉଠିଗଲେ । ତାଙ୍କ ଆଖିରେ ସଙ୍ଗେ ସଙ୍ଗେ ପିଙ୍ଗଳର ସେହି ଚମତ୍କାର ମହଲ ପଡିଲା ।
“ଇଏତ ବଡ ତାଜୁବ୍ କଥା!” ମନ୍ତ୍ରୀ ନିଜକୁ ନିଜେ ଏତିକି କହିଛନ୍ତି, ଆଉ ଜଣେ ପ୍ରହରୀ ଦୌଡି ଆସି କହିଲା, “ହଜୁର୍! ଅବସ୍ଥା ଭାରି ସାଂଘାତିକ । ରାଜକୋଷରୁ କିଛି ଗାଏବ୍ ହୋଇ ଯାଇଛି!”
ମନ୍ତ୍ରୀ ପାଟି କରି କହିଲେ “କ’ଣ ହେଲା, ରାଜକୋଷରୁ ପୁଣି ଚୋରି! କୋଷାଧ୍ୟକ୍ଷ ଓ ରାଜକୋଷର ପ୍ରହରୀମାନଙ୍କୁ ସଙ୍ଗେ ସଙ୍ଗେ କାରାଗାରରେ ଭର୍ତ୍ତି କରିବ, ତାପରେ ଯାଇ ତଦନ୍ତ ହେବ!”
ପ୍ରହରୀ କହିଲା “ହଜୁର୍! ସେମାନଙ୍କର ଏଥିରେ କୌଣସି ଦୋଷ ନାହିଁ । କୋଷାଗାରର ତାଲା ଯେମିତି ଥିଲା ଠିକ୍ ସେମିତି ଅଛି । କୌଣସି ଦିଗରୁ କେହି କାନ୍ଥ ମଧ୍ୟ ଖୋଳି ନାହିଁ । ତଥାପି ସମ୍ପତ୍ତି ଉଡି ଯାଇଛି । ଏହା ଭୌତିକ କାରବାର ଆଜ୍ଞା!”
“ଭୌତିକ କାରବାର? ତୋତେ ଯଥା ଶୀଘ୍ର ଭୂତ ବନାଇ ଛାଡିବି । ଚାଲ୍ ଏବେ ରାଜାଙ୍କ ପାଖକୁ!” ମନ୍ତ୍ରୀ ଏହା କହି ନିଜ ପୋଷାକ ବଦଳାଇ ସଙ୍ଗେ ସଙ୍ଗେ ରାଜପ୍ରାସାଦ ଅଭିମୁଖେ ବାହାରି ପଡିଲେ । କିନ୍ତୁ ସେ ଦାଣ୍ଡକୁ ବାହାରିଛନ୍ତି, ଆଉ ଜଣେ ପ୍ରହରୀ ଦୌଡି ଆସି କହିଲା, “ହଜୁର୍! ବଡ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଯାଇଛି । ଜୀବଦତ ଓ ଲକ୍ଷଦତ ନାମକ ଯେଉଁ ଦୁଇ ଭାଇଙ୍କୁ ବନ୍ଦୀ କରା ଯାଇଥିଲା, ସେ ଦୁହେଁ ପଳାଇଛନ୍ତି । ମାତ୍ର ତାଜୁବ୍ କଥା, କାରାଗାରର ଚାବି କେହିବି ଖୋଲି ନାହିଁ ।”
ଏଥର ମନ୍ତ୍ରୀ ଆଉ ସେ କଥାଟି ଉଡାଇ ଦେଇ ପାରିଲେ ନାହିଁ । ନଈ କୂଳରେ ରାତିରାତି ମହଲ ନିର୍ମାଣ, ରାଜକୋଷରୁ ସମ୍ପତ୍ତି ଚୋରି ଓ ସେ ଦୁଇ ବନ୍ଦୀଙ୍କ ପଳାୟନ, ଏସବୁ ପରସ୍ପର ସମ୍ପର୍କିତ ବୋଲି ତାଙ୍କର କାହିଁ ଧାରଣା ହେଲା ।