ତହୁଁ ସେହି ଯୁବକ ଜଣକ ଅତି ନମ୍ର ଭାବରେ କହିଲେ, ‘ମୋର ନାମ ହେଉଛି ‘କଠ’ ।’ ମହାଶୟ ! ମୁଁ ଆପଣଙ୍କ ପାଖରୁ ବିଦ୍ୟା ଗ୍ରହଣ କରି ମୋର ଜନ୍ମକୁ ସାର୍ଥକ କରିବାକୁ ଚାହୁଁଛି । ଆଉ ଆପଣ ଯଦି ମୋର ଏଇ ଅନୁରୋଧଟିକୁ ଗ୍ରହଣ ନ କରନ୍ତି, ତେବେ ମୁଁ ମୋ ଜୀବନର ଲକ୍ଷ୍ୟ ସ୍ଥଳରେ କେବେବି ପହଁଚି ପାରିବି ନାହିଁ । ଏହା ହିଁ ମୋର ଆପଣଙ୍କ ନିକଟକୁ ଆସିବାର ଏକମାତ୍ର କାରଣ ।’ ମୁନି ଭରଦ୍ୱାଜ ସେ ଯୁବକକୁ ଅନାଇ ଟିକିଏ ହସି ଦେଇ କହିଲେ, ‘ବତ୍ସ ! ମୁଁ କେବଳ ଚାରିବେଦ, ପୁରାଣ ତଥା ସ୍ତୃତି ଆଦି ଶାସ୍ତ୍ର ବିଷୟ ଜାଣିଛି । ଏ ସବୁ କଅଣ ତୁମେ ଅଧ୍ୟୟନ କରିବାକୁ ଚାହୁଁଛ କି’?
ସବୁ ଶୁଣି କଠ ବିନମ୍ର ଭାବରେ କହିଲେ, ‘ମହାଭାଗ ! ମୁଁ ଆପଣଙ୍କ ପାଖରୁ ଏ ସମସ୍ତ ବିଦ୍ୟା ଶିଖିବାର ହିଁ ଆଶା ନେଇ ଆସିଛି । ଅତଏବ ଆପଣ ମୋତେ ଆଶୀର୍ବାଦ କରନ୍ତୁ ।’
ଯୁବକ କଠ ଥିଲେ ସୁଦର୍ଶନ, ଭଦ୍ର ଏବଂ ସର୍ବଗୁଣ ସମ୍ପନ୍ନ । ତାଙ୍କର ଏପ୍ରକାର ଗୁରୁଭକ୍ତି ଦେଖି ମୁନି ଭରଦ୍ୱାଜ ଅତ୍ୟନ୍ତ ପ୍ରୀତ ହେଲେ । କ୍ରମେ କଠର ବୁଦ୍ଧି, ଜ୍ଞାନ ତଥା ଗ୍ରହଣଶୀଳତାରେ ସେ ମୁଗ୍ଧ ହୋଇ ପଡିଲେ । ସମୟାନୁସାରେ ସେ କଠ ସମସ୍ତ ବିଦ୍ୟାରେ ନିପୁଣ ହୋଇ ଉଠିଲେ । ଦିନେ କଠ ତାଙ୍କ ଗୁରୁଦେବଙ୍କ ପାଖରେ ଛିଡା ହୋଇଥିବା ବେଳେ ଗୁରୁଦେବ କହିଲେ, ‘ବତ୍ସ ! ତୁମର ଶିକ୍ଷା ଗ୍ରହଣ କାର୍ଯ୍ୟ, ଏବେ ତ ଶେଷ ହୋଇଯାଇଛି । ତେଣୁ ଏବେ ତମେ ଚାହିଁଲେ ତୁମ ଗୃହକୁ ପ୍ରତ୍ୟାବର୍ତ୍ତନ କରିପାର ।’
ତହୁଁ ଶିଷ୍ୟ କଠ ହାତ ଯୋଡି ଗୁରୁଙ୍କୁ ନିଜର କର୍ତ୍ତବ୍ୟ ସମ୍ପାଦନ ସକାଶେ ଗୁରୁଦକ୍ଷିଣା ଦେବା ବିଷୟ ଜଣାଇଲେ ।’ ଏହା ଶୁଣି ଗୁରୁଦେବ କହିଲେ, ‘ଗୁରୁ ଦକ୍ଷିଣା କଅଣ ଦେବ, ତାହା ତ ତୁମ ଉପରେ ହିଁ ନିର୍ଭର କରୁଛି ।’ ଏମନ୍ତ କଥା ଶୁଣି ସେ କଠ କହିଲେ, ‘ମୁଁ ଆପଣଙ୍କ ଇଚ୍ଛାଅନୁସାରେ ଦକ୍ଷିଣା ଦେବାକୁ ଚାହେଁ । କାରଣ ମୁଁ ଜାଣି ପାରିନାହିଁ ଯେ, ଆପଣଙ୍କୁ ସେବା କରି ମୁଁ ସନ୍ତୁଷ୍ଟ କରି ପାରିଛି କି ନାହିଁ । ତେଣୁ ଦୟାକରି ମୋତେ ଆପଣଙ୍କ ଇଚ୍ଛାଟିକୁ ଜଣାଇ ମୋତେ ଆଦେଶ ପାଳନ କରିବାରେ ସାହାଯ୍ୟ କରନ୍ତୁ ।’
ମୁନି ଭରଦ୍ୱାଜ କହିଲେ, ‘ତେବେ ଏହି ଅଳ୍ପ ଦୂରରେ ମହାତପା ନାମକ ଜଣେ ଋଷି ଅଛନ୍ତି । ତାଙ୍କର ଏକମାତ୍ର କନ୍ୟା ରେବତୀ ମୋର ଖୁବ୍ ଆଦରଣୀୟା । ମୁଁ ବି ତାକୁ ମୋର କନ୍ୟା ଭାବେ ମନେ କରେ । ତୁମେ ଯଦି ତା’ର ପାଣିଗ୍ରହଣ କରିପାରିବ, ତେବେ ମୁଁ ସେଥିରେ ଅଧିକ ଆନନ୍ଦିତ ହେବି ।
କଠ କହିଲେ, ‘ଆପଣ ଯେଉଁଥିରେ ସନ୍ତୁଷ୍ଟ, ମୁଁ ତାହା ବିନା ଦ୍ୱିଧାରେ ଗ୍ରହଣ କରି ନେବି । କାରଣ ତାହା ନ ହେଲେ ମୁଁ ଜୀବନରେ କେବେ ବି ଉନ୍ନତି କରିପାରିବି ନାହିଁ । ଅଧିକନ୍ତୁ ଗୁରୁଜନ ତଥା ଗୁରୁଦେବ ମଣିଷର ଜୀବନ ପଥରେ ଆଦର୍ଶ । ତେଣୁ ମୁଁ ଚିନ୍ତା କରେ, ସେମାନଙ୍କ ଆଦର୍ଶ, ନିର୍ଦେଶ ତଥା ଉପଦେଶ ସ୍ୱୀକାର କରି ନେଇ ନ ପାରିଲେ ମଣିଷ ତା’ ଜୀବନର ଲକ୍ଷ୍ୟ ସ୍ଥଳରେ କଦାପି ପହଁଚି ପାରିବ ନାହିଁ । ଅତଏବ ଆପଣଙ୍କ ନିର୍ଦେଶ, ଆପଣଙ୍କ ଖୁସି ମୋ ଜୀବନ ପଥକୁ ଅଧିକ ସୁଗମ କରିବ ।’
କଠର ଏପରି କଥାରେ ଗୁରୁ ମୁନି ଭରଦ୍ୱାଜ ଅତ୍ୟନ୍ତ ଆନନ୍ଦିତ ହୋଇ ତା’ର ମୁଣ୍ଡରେ ଆଶୀର୍ବାଦ ବର୍ଷଣ କଲେ ।
ଗୁରୁଙ୍କୁ ଦେଇଥିବା କଥାନୁସାରେ କଠ ଋଷି ମହାତପାଙ୍କ କନ୍ୟା ରେବତୀକୁ ନିଜର ପତ୍ନୀ ରୂପେ ଗ୍ରହଣ କରି ସେ ଆଶ୍ରମରୁ ବିଦାୟ ନେବା ସମୟରେ ଗୁରୁଦେବଙ୍କୁ ଯାଇ ପଚାରିଲେ, ‘ଗୁରୁଦେବ ! ମୁଁ ଆଜି ଆପଣଙ୍କୁ ଛାଡି ଯାଉଛି ସତ, ହେଲେ ଏ ମୁହୂର୍ତ୍ତରେ ମୋତେ କିଛି ଉପଦେଶ ଦିଅନ୍ତୁ, ଯେଉଁଥିରେ କି ମୁଁ ମୋର ଭବିଷ୍ୟତ ଗଠନ କରିବା କ୍ଷେତ୍ରରେ ସାହାଯ୍ୟ ପାଇବି ।’ ଗୁରୁଦେବ କହିଲେ, ‘ବତ୍ସ ! ମୁଁ ତୁମର ଗୁରୁଭକ୍ତିରେ ଖୁବ୍ ଆନନ୍ଦିତ । ତେବେ ତୁମେ ତୁମର ଗାର୍ହସ୍ଥ୍ୟ ଜୀବନ ମଧ୍ୟରେ ଭଗବାନ ଶଙ୍କରଙ୍କୁ ସନ୍ତୁଷ୍ଟ କରିବ । ତାଙ୍କର କରୁଣା ହେଲେ ହିଁ ତୁମେ ଏ ଜଗତରେ ବଡ ହୋଇ ପାରିବ ।
ସମୟ କ୍ରମେ ସେହି ଗାର୍ହସ୍ଥ୍ୟ ଜୀବନ ମଧ୍ୟରେ କଠ ଭଗବାନ ଶଙ୍କରଙ୍କୁ ତପସ୍ୟା କଲେ । ଭଗବାନ ଶଙ୍କର ପ୍ରସନ୍ନ ହୋଇ କହିଲେ, ‘ବତ୍ସ ! ତୁମେ ଜୀବନରେ ସୁଖୀ ଓ ସନ୍ତୁଷ୍ଟ ହୋଇ ଜୀବନ କାଳ କଟାଇବ । ତେବେ ମୁଁ ତୁମର ଗୁରୁ ଭକ୍ତିରେ ଖୁବ୍ ଆନନ୍ଦିତ । ଆଉ ସେହି ଗୁରୁଭକ୍ତିରେ ଯଦି ମନ ଲଗାଇ ରହି ପାରିବ, ତେବେ ଜୀବନରେ ଜଣେ ଅଜେୟ ବୀର ରୂପେ ନିଶ୍ଚୟ ପରିଚିତ ହେବ ।’
କାଳାନ୍ତରରେ କଠ ଆପଣାର ସାଧନା ବଳରେ ନିଜସ୍ୱ ଆଶ୍ରମ ଗଠନ କରି ରହିବା ପରେ ସେଠାରେ ସେ ‘କଠୋପନିଷଦ’ ଗ୍ରନ୍ଥ ରଚନା କରି ବିଶ୍ୱବିଖ୍ୟାତ ହେଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଚାରିବେଦ, ପୁରାଣ ତଥା ସ୍ତୃତି ଆଦି ଶାସ୍ତ୍ର ରେ ଅନେକ ଅନ୍ଧବିଶ୍ୱାସ, ଭ୍ରମତା, ହିଂସା, ଅବୈଜ୍ଞାନିକତା ଏବଂ ତର୍କହୀନତା ଦେଖିବାକୁ ମିଳେ ତେଣୁ ଏଗୁଡ଼ିକୁ ନପଢି, ଅନ୍ଧ ଭାବରେ ଆଦର୍ଶ ଜ୍ଞାନର ଉତ୍ସ ବୋଲି ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।