କନକ ଉପତ୍ୟକାର କାହାଣୀ

କିନ୍ତୁ ରାଜୁ କଥା ସମ୍ପୂର୍ଣ୍ଣ ଅଲଗା । ସେ ଧ୍ୱଂସାବଶେଷ ପ୍ରତି ତା’ର ପ୍ରବଳ ଆକର୍ଷଣ ଥାଏ । ସେ ଏକାକୀ ସେଠାରେ ଯାଇ ଦୀର୍ଘ ସମୟ ଧରି ବିଚରଣ କରୁଥାଏ । ହୁଏତ ସେ ଦିନେ ବାଘ କବଳରେ ପଡିଥାନ୍ତା; କିନ୍ତୁ ଠିକ୍ ସମୟରେ ସେ ଗୁମ୍ଫା ଭିତରେ ଲୁଚି ଯାଇ ପାରିଥିଲା । ଦିନେ ହୁଏତ ବିଷଧର ସର୍ପଟିଏ ତାକୁ ଚୋଟ ମାରିଥାନ୍ତା; କିନ୍ତୁ ଠିକ୍ ସମୟରେ ସେ ନିଜ ପାଦଟି ଅପସାରଣ କରି ନେଇଥିଲା ।

ରାଜୁ ତ ପିଲାବେଳେ ତା’ ମା’କୁ ହରାଇଥିଲା; ଆଉ ତା’ ବାପା ଜଣେ ଦକ୍ଷ ସ୍ଥପତି ଥିଲେ । ସେ ସଦା ସର୍ବଦା ନିଜ କାମରେ ବ୍ୟସ୍ତ ଥା’ନ୍ତି ।

ସେଦିନ ସୂର୍ଯ୍ୟାସ୍ତ ସମୟରେ ସବୁ କିପରି ଅସ୍ୱାଭାବିକ ଭାବରେ ସ୍ତବ୍ଧ ଲାଗୁଥାଏ । ଆକାଶ ଘନ ଗେରୁଆ ଓ ବିଷାଦପୂର୍ଣ୍ଣ ଦିଶୁଥାଏ । ସାରା ଉପତ୍ୟକାରୁ ସବୁ ପବନ ଯେପରି କେହି ଶୋଷି ନେଇ ଯାଇଥିଲା; ଲୋକେ ଅସ୍ୱସ୍ତି ଅନୁଭବ କରୁଥିଲେ ।

ହଠାତ୍ ଅରଣ୍ୟର ସହସ୍ର ପଶୁପକ୍ଷୀ ରଡି ଆରମ୍ଭ କରିଦେଲେ । ତା’ପରେ ପ୍ରଚଣ୍ଡ ଉତ୍ତପ୍ତ ପବନ ଆସିଲା । କ୍ଷେତବାଡି ପଥଘାଟରେ ଲୋକେ ସନ୍ତ୍ରସ୍ତ ଭାବରେ ଦୌଡିବାକୁ ଲାଗିଲେ । ପର୍ବତମାଳା ଭିତରୁ କର୍ଣ୍ଣ-ବିଦାରକ ଶବ୍ଦ ଶୁଭିଲା । ପରେ ପରେ ଘରଦ୍ୱାର ଦୋହଲିବାକୁ ଲାଗିଲେ । ଅବଶ୍ୟ ସେ ଭୂମିକମ୍ପ ବେଶିକ୍ଷଣ ସ୍ଥାୟୀ ହେଲା ନାହିଁ କି ବିଶେଷ କିଛି ଅନିଷ୍ଟ କଲା ନାହିଁ, କିନ୍ତୁ ପର୍ବତର ମଧ୍ୟଭାଗରୁ ପରିତ୍ୟକ୍ତ ପୁରୁଣା ପ୍ରାସାଦର ଏକ ଅଂଶ ଛିଟିକି ଆସି ନୂଆ ପ୍ରାସାଦର ଶିଖର ଭାଙ୍ଗି ଦେଲା ।

ରାଜା ସଙ୍ଗେ ସଙ୍ଗେ ଅତିଜ୍ଞାନୀ ମଣ୍ଡଳିର ବୈଠକ ଡକାଇଲେ । “ଯଦି ପ୍ରାସାଦର ଶିଖର ଭୂତଳଶାୟୀ ହେଲା, ତେବେ ତାକୁ ନିର୍ମାଣ କରିଥିବା ମିସ୍ତ୍ରୀମାନଙ୍କ ମୁଣ୍ଡ ମଧ୍ୟ ଭୂତଳଶାୟୀ ହେବା ଦରକାର!” ସେ ଗର୍ଜନ କରି କହିଲେ ଓ ପଚାରିଲେ, “ଠିକ୍ ନୁହେଁ?”

ମନ୍ତ୍ରୀ କ୍ଷମାପ୍ରାର୍ଥୀ ହେବାଭଳି କହିଲେ “ହେ ରାଜକୂଳ-ଶାର୍ଦ୍ଦୁଳ, ସେମାନେ ଦୁଇପୁରୁଷ ତଳର ମିସ୍ତ୍ରୀ!”

ରାଜା ଗମ୍ଭୀର ହୋଇ ପ୍ରଶ୍ନ କଲେ “ହଇହେ ମନ୍ତ୍ରୀ! ଆମ୍ଭେ କ’ଣ ବୋକା?”

“ମହାରାଜ, ଆପଣ ଅତିଜ୍ଞାନୀ ମଣ୍ଡଳିର ସ୍ରଷ୍ଟା । ଆପଣ ତେଣୁ ଅତି-ଅତି ଜ୍ଞାନୀ । ଆମ ସମସ୍ତିଙ୍କ ଜ୍ଞାନର ପରିମାଣ ଉଇହୁଙ୍କା ଭଳି ହେଲେ ଆପଣଙ୍କର ଜ୍ଞାନ ପର୍ବତପ୍ରମାଣ!”

“ଠିକ୍ । ଦୁଇପୁରୁଷ ତଳେ ମରିଯାଇ ମିସ୍ତ୍ରୀମାନେ ଆମ୍ଭକୁ ଠକି ପାରିବେ ନାହିଁ । ଜଣେ ମରିଗଲେ ତା’ର ଋଣ ପରିଶୋଧ କିଏ କରେ?” ଏ ପ୍ରଶ୍ନ କଲାବେଳେ ରାଜାଙ୍କ ବେନି ନୟନ ଖଦ୍ୟୋତ ଭଳି ଚମକୁ ଥିଲା । ତାଙ୍କ ଯୁକ୍ତି ଅନୁସାରେ, ରାଜୁର ପଣିଜେଜେବାପା ନୂଆ ପ୍ରାସାଦର ମୁଖ୍ୟ ମିସ୍ତ୍ରୀ ହୋଇଥିବାରୁ ତାଙ୍କ ଉତ୍ତରାଧିକାରୀ ରୂପେ ରାଜୁର ବାପା ଗିରଫ୍ ହେଲେ ।

“ମୁଣ୍ଡ କାଟ!” ଏହା ହେଲା ରାଜାଙ୍କ ସଂକ୍ଷିପ୍ତ ହୁକୁମ୍ ।


ଗପ ସାରଣୀ

ତାଲିକାଭୁକ୍ତ ଗପ