କନକ ଉପତ୍ୟକାର କାହାଣୀ

ରାଜୁ କେଇପାଦ ଅଗ୍ରସର ହୋଇ ଦେଖିଲା ଆଗରେ ଗୋଟିଏ ଗିରିସଙ୍କଟ । ତିନି ଦିଗରେ ଉତୁଙ୍ଗ ଗିରିଶୃଙ୍ଗମାନଙ୍କୁ ମେଘ ଆବୃତ କରିଥାଏ – ଯେମିତି ଚାଦର ଘୋଡାଘୋଡି ହୋଇ କେତେଜଣ ପ୍ରାଜ୍ଞ କୂଳବୃଦ୍ଧ ବୈଠକରେ ବସିଥାନ୍ତି ।

ରାଜୁ ଡେଇଁ ପଡି ଗିରିସଙ୍କଟର ଦ୍ୱାର ଦେଶରେ ଯାଇ ପହଁଚିଲା ଓ ତା’ପରେ ବୁଲିପଡି ଅନାଇଲା । କିନ୍ତୁ ସେତେବେଳେ ତା’ ପଟଭୂମିକୁ ସ୍ଥୁଳ ଧରଣର କୁହୁଡି ବେଶ୍ ଆଚ୍ଛାଦନ କରିସାରିଥାଏ । ଆଗକୁ ବି ମାତ୍ର ଦୁଇ ତିନିହାତ ପର୍ଯ୍ୟନ୍ତ ଯାହା ଦେଖି ହେଉଥାଏ । ଭୀଷଣ ଶୀତଳ ପବନ ଆସି ଧକ୍କା ଦେଉଥାଏ; ପାଦତଳେ ମୃଦୁ ଜଳ ସ୍ରୋତ; ତା’ ଭିତରେ ଅସଂଖ୍ୟ ଛୋଟ ଛୋଟ ପଥରଖଣ୍ଡ ।

ହଠାତ୍ କେତେ ମୁହୂର୍ତ୍ତ ବ୍ୟାପି ବିଦ୍ୟୁତ୍ ସ୍ଫୁରଣ ତା’ ଆଖି ଝଲସାଇ ଦେଲା । ତା’ପରେ ପ୍ରଚଣ୍ଡ ବଜ୍ରଧ୍ୱନି ଶୁଭିଲା, ସତେ ଅବା ଉପରର ଗୋଟାଏ ପର୍ବତ ଶୀଖର ଚୁର୍ମାର୍ ହୋଇଗଲା! ଅଙ୍ଗୁର ଆକାରର ବର୍ଷାଜଳ ପର୍ବତ ଉପରୁ ଛିଟକି ଆସୁଥିଲେ ।

ରାଜୁ ଅଟକିଗଲା । କିନ୍ତୁ ପର ମୁହୂର୍ତ୍ତରେ ଦେଖିଲା, ଉଭୟ ଦିଗର ପର୍ବତ ଭିତରୁ, ଅଜସ୍ର ରନ୍ଧ୍ରଦେଇ ପାଣି ବହି ଆସୁଛି । ଚାହୁଁ ଚାହୁଁ ପାଣି ତା’ ଆଣ୍ଠୁ ସ୍ପର୍ଶ କଲା । ରାଜୁ ବୁଝିଲା, ସେଭଳି ଗତିରେ ପାଣି ଜମିଲେ ସମଗ୍ର ଗିରିସଙ୍କଟ ଜଳମଗ୍ନ ହେବାକୁ ଆଉ ବେଶି ସମୟ ଲାଗିବ ନାହିଁ ।

ପୁଣି ଥରେ ବିଦ୍ୟୁତ୍ ଯୋଗୁଁ ଦିଗ ବିଦିଗ ଝଲସିଗଲା । ରାଜୁ ଚଟାପଟ ଶିଳାଖଣ୍ଡ ଭଳି ଦିଶୁଥିବା କୌଣସି ବସ୍ତୁ ଉପରେ ଚଢି ବସିଲା । ହଠାତ୍ ସେ ବସ୍ତୁ ଡେଇଁପଡି ପ୍ରବଳ ବେଗରେ ଦୌଡିବାକୁ ଲାଗିଲା ।

ଶିଳାଖଣ୍ଡ ମନେ ହୋଇଥିବା ବସ୍ତୁଟି ଯେ କୌଣସି ପ୍ରାଣୀ, ରାଜୁ ଏହା ହୃଦୟଙ୍ଗମ କଲା । ସେଭଳି ଅପ୍ରତ୍ୟାଶିତ ଅଭିଜ୍ଞତାରେ ସେ ତ୍ରସ୍ତ ହେବା ସ୍ୱାଭାବିକ । କିନ୍ତୁ ତିଳେ ମଧ୍ୟ ଭୟକୁ ପ୍ରଶ୍ରୟ ଦେବନାହିଁ ବୋଲି ସେ ଦୃଢ ସଂକଳ୍ପ କରିଥିଲା । ତା’ର ସେହି ସଂକଳ୍ପରେ ସେ ଅଟଳ ରହିଲା ।

ତେଣିକି ବିଦ୍ୟୁତ୍ ସ୍ଫୁରଣ ଅବିରତ ହେଲା । ରାଜୁ ଥରେ ତା’ ବାହନର ରୂପ ଦେଖିବାକୁ ଚେଷ୍ଟା କଲା । ଜୀବଟି ସୁନାଭଳି ଝଟକୁଥିଲା । ତାହା ଯେ ବିଶାଳ ତଥା ବଳବାନ୍ ଏକଥା ବୁଝି ହେଉଥିଲା । ରାଜୁ ତାକୁ ଜାବୁଡି ଧରିଥାଏ; କାରଣ ତାକୁ ଛାଡିଦେଲେ କେଉଁଠି ଛିଟିକି ପଡିବ ସେକଥା ଜାଣିବାର କୌଣସି ଉପାୟ ନଥିଲା ।

ଅନ୍ଧକାର ଭିତରୁ ନିଷ୍କ୍ରାନ୍ତ ହୋଇ କ୍ରମେ ଜୀବଟି ତାକୁ ଗୋଟାଏ ଅପ୍ରାକୃତିକ ଆଲୁଅ ଭିତରକୁ ନେଇ ଆସିଲା । ରାଜୁ ସେ ଜୀବଟିକୁ ଆଉ ଟିକିଏ ଭଲ ଭାବରେ ଦେଖିପାରିବା ପୂର୍ବରୁ ସମ୍ମୁଖରେ ଏକ ଆଗ୍ନେୟ ପ୍ରାଚୀର ପଡିଲା । ଚତୁର୍ଦ୍ଦିଗର ଶୀତଳ ଅନ୍ଧାର ଭିତରେ ତାହା ଦାଉ ଦାଉ ହୋଇ ଜଳୁଥାଏ ।

“ରୁହ, ରୁହ!” ଏହା କହି ରାଜୁ ତା’ ବାହନକୁ ଅନୁରୋଧ କରୁଥିଲା କି ନିର୍ଦ୍ଧେଶ ଦେଉଥିଲା ସେକଥା ସେ ନିଜେ ମଧ୍ୟ ଠିକ୍ସେ ବୁଝିପାରୁ ନଥାଏ । ଅଗ୍ନି ଝଲକରେ ସେ ଦେଖିଲା, ବାହନଟି ଏକ ସିଂହ ।

କିନ୍ତୁ ସିଂହ ବିଜୁଳି ଗତିରେ ଛୁଟୁଥିଲା – ସିଧା ଆଗ୍ନେୟ ପ୍ରାଚୀର ଆଡେ ।

ରାଜୁ ଚିତ୍କାର କରି କହିଲା “ରୁହ!” କିନ୍ତୁ ଫଳ କିଛି ହେଲେବି ହେଲା ନାହିଁ । ସତେ ଅବା ସେ ଅଗ୍ନି ତା’ର ବିଶେଷ ଆକର୍ଷଣ, ସେମିତି ଆଗ୍ରହରେ ସିଂହ ଧାବମାନ ହେଉଥାଏ । ସେ ପ୍ରାଚୀର ଭିତରେ ପଶିଲାବେଳେ ରାଜୁ ଆଖି ବନ୍ଦ କଲା । ଉତ୍ତାପ ଅନୁଭବ କରିବା ପରିବର୍ତ୍ତେ ମୁହୂର୍ତ୍ତକ ପାଇଁ ତାର ମନେହେଲା ସେ ଯେପରି ବାଟୁଳି ବନି ଶୂନ୍ୟରେ ଉଡୁଛି । ପର ମୁହୂର୍ତ୍ତରେ ଦେଖିବା ବେଳକୁ ସେ ଗୋଟାଏ ଜଳାଶୟରେ ସନ୍ତରଣ କରୁଛି ।

ସିଂହ ଆଗ୍ନେୟ ପ୍ରାଚୀର ଟପିବା ମୁହୂର୍ତ୍ତରେ ତାକୁ ଜଳାଶୟରେ ପକାଇ ଦେଇଥିଲା । ଜଳାଶୟର ମତ ଲହରୀ ସବୁ ଦେହରେ ସେ ଲେଲିହାନ ଅଗ୍ନି ସ୍ତମ୍ବମାନ ପ୍ରତିଫଳିତ ହୋଇ ପରିସ୍ଥିତିକୁ ଭୀଷଣ ସୁନ୍ଦର କରିଥିଲା । ରାଜୁ ଶୀତଳ ସୁବର୍ଣ୍ଣର ଲହରୀ ରାଶି ଉପରେ ହାତ ବାଡେଇ ବାଡେଇ କୂଳ ଆଡେ ଅଗ୍ରସର ହେଲା ।

ଗୋଟିଏ ବିଶାଳ ଗଛ ପାଣି ଉପରକୁ ନଇଁ ଆସିଥାଏ । ରାଜୁ ତା’ର ଶାଖା ପ୍ରଶାଖା ଆୟତ୍ତ କରି ତା’ ଉପରକୁ ଉଠିଗଲା । ସ୍ଥଳ ଭାଗରେ ଗଛଟିର ମୂଳ ଅଂଶରେ ଗୋଟିଏ କୋଟର । ରାଜୁ ଟିକିଏ ଉଷୁମ୍ ଲୋଡୁଥିଲା । କୋଟର ଭିତରେ ସେତକ ମିଳିବ ବୋଲି ଆଶା କରି ସେ ତା’ ଭିତରକୁ ପଶିଗଲା ।

କିନ୍ତୁ ଇଏ କ’ଣ? ସେ ତଳକୁ ତଳକୁ ଖସି ଚାଲିଥାଏ! କେତେ ସମୟ ପର୍ଯ୍ୟନ୍ତ, ସେ କିଛିବି ଜାଣିପାରିଲା ନାହିଁ । ତଳେ ଗୋଡ ଲାଗିଲାବେଳକୁ ସରୋବର କିମ୍ବା ଗଛର ଚିହ୍ନବର୍ଣ୍ଣ ନାହିଁ । ଚତୁର୍ଦ୍ଦିଗରେ ମନୋରମ ଉଦ୍ୟାନ । ମଝିରେ ଏକ ମନ୍ଦିର ।

ଗୋଟିଏ ଗଛ କୋଟର ଭିତର ଦେଇ ଜଣେ ଆସି ଏକ ପୁରାପୁରି ନୂଆ ମୂଲକରେ ବା କିପରି ପହଁଚି ଯାଇପାରେ? ରାଜୁ ମନେ ମନେ ଆଶ୍ଚର୍ଯ୍ୟ ହୋଇ ଭାବୁଥାଏ ।

“କାହିଁକି? ସେଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି?” ଏପରି କଥା ପଚାରି ପ୍ରଶ୍ନକର୍ତ୍ତା ରାଜୁକୁ ଚମକାଇ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ