ମହାକପି ଜାତକ

       ବୋଧିସତ୍ୱ ସେପରି ରହି ମାଙ୍କଡମାନଙ୍କୁ କହିଲେ – “ଭାଇମାନେ ! ତୁମେମାନେ ଜଣେ ଜଣେ ହୋଇ ଆସ । ମୋ ପିଠି ଉପର ଦେଇ ବେତକୁ ଧରି ନଈର ଆରପଟକୁ ଚଂଚଳ ଚାଲିଯାଅ ।”

       ତାଙ୍କ କଥା ମାନି ମାଙ୍କଡମାନେ ସେଇପରି କଲେ ଓ ନଦୀର ଆରପଟେ ଯାଇ ପହଁଚିଗଲେ । ସବା ଶେଷରେ ଗୋଟିଏ ମାଙ୍କଡ ଆସିଲା । ତାର ନାମ ଦେବଦତ୍ତ । ବୋଧିସତ୍ୱଙ୍କ ଉପରେ ତା’ର ଗତ ଜନ୍ମରୁ ରାଗ ଥିଲା । ଦୁଷ୍ଟ ଦେବଦତ୍ତ କ’ଣ କଲା ନା, ହଠାତ୍ ଜୋର୍ରେ ବୋଧିସତ୍ୱଙ୍କ ପିଠିଉପରକୁ କୁଦିପଡିଲା । ସେଥିରେ ବୋଧିସତ୍ୱଙ୍କ ମେରୁହାଡ ଭାଙ୍ଗିଗଲା । ତାଙ୍କୁ ଭୀଷଣ କଷ୍ଟ ହେଲା । ତଥାପି ସେ ଡାଳର ଅଗକୁ ଧରି ରହିଲେ । ଦେବଦତ୍ତ ଯାଇ ନଈର ଆରପାରିରେ ପହଁଚିଗଲା ।

       ରାଜା ବସିରହି ବୋଧିସତ୍ୱଙ୍କ କାର୍ଯ୍ୟ ଦେଖୁଥିଲେ । ମାଙ୍କଡଦଳ କିପରି ତାଙ୍କ ପିଠି ଉପରେ ଚଢି ନଈ ଆରପାରିକୁ ଚାଲିଗଲେ ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ରାଜା ତାଙ୍କ ଅନୁଚରମାନଙ୍କୁ ଏହା ଦେଖାଇ କହିଲେ – “ଦେଖ, ଏଇ ମାଙ୍କଡଟି ନିଜର ପ୍ରାଣ ପାଇଁ ଟିକିଏ ମାତ୍ର ଚିନ୍ତିତ ହେଲା ନାହିଁ । ନିଜେ ସବୁ କଷ୍ଟ ସହି ତା’ଦଳର ମାଙ୍କଡମାନଙ୍କ ଜୀବନ ରକ୍ଷାକଲା । ମାଙ୍କଡ ହେଲେ କ’ଣ ହବ ସେ ଗୋଟାଏ ବଡ କାମ କଲା । ଏଇ ମାଙ୍କଡଟି ଜଣେ ବଡ ମହାତ୍ମା ହେବେ । ମନେହେଉଚି, କେହି ମହାତ୍ମା ମାଙ୍କଡ ଦେହ ଧରି ଜନ୍ମ ନେଇଛନ୍ତି । ଚାଲ, ଆମେ ତାଙ୍କୁ ବଂଚାଇବା ।”

       ରାଜା ନିଜେ ସିପାହୀମାନଙ୍କୁ ନେଇ ନୌକାରେ ବସିଲେ । ବୋଧିସତ୍ୱଙ୍କ ପାଖେ ପହଁଚି ତାଙ୍କୁ ଯତ୍ନରେ ନୌକା ଭିତରକୁ ନେଇ ଆସିଲେ । ବୋଧିସତ୍ୱଙ୍କୁ ରାଜାଙ୍କ ତମ୍ବୁ ଭିତରକୁ ନିଆଗଲା । ରାଜାଙ୍କ ଆଦେଶରେ ସିପାହୀମାନେ ତାଙ୍କୁ ଏକ ଶେଯ ଉପରେ ଶୁଆଇଦେଲେ । ତାଙ୍କର ସେବା -ଶୁଶ୍ରୂଷା କରାଗଲା ।

       ରାଜା ବୋଧିସତ୍ୱଙ୍କ ଶେଯ ପାଖରେ ତଳେ ବସିଲେ । ସେ ତାଙ୍କୁ କହିଲେ – “ ହେ ମହାତ୍ମା ! ଆପଣ ମାଙ୍କଡମାନଙ୍କୁ ବଂଚାଇବା ପାଇଁ କେତେ କଷ୍ଟ ବରଣ କଲେ ତାହା ମୁଁ ଦେଖିଲି । ସେମାନେ ଆପଣଙ୍କର କ’ଣ? କାହିଁକି ଆପଣ ନିଜ ଜୀବନକୁ ତୁଚ୍ଛ କରି ସେମାନଙ୍କୁ ବଂଚାଇଲେ?”


ଗପ ସାରଣୀ

ତାଲିକାଭୁକ୍ତ ଗପ