ସେ ପିଲାଟି ତ ଗୁରୁଜନଙ୍କ କଥା ଭାରି ମାନେ । ତେଣୁ ସେ ତା’ମାଆଙ୍କ କଥା ମାନି ଧାଇଁଗଲା ପଡିଶା ଘରକୁ । ଦେଖିଲା, ଚୁଲିରେ ନିଆଁ ଡହ ଡହ ହେଉଛି । ସେ ନିଆଁ ଟିକେ ମାଗିବାରୁ ପଡୋଶୀ ଘରର ସ୍ତ୍ରୀଲୋକ କହିଲେ, “ତୁ ଏ ନିଆଁରଡ କେମିତି ନେବୁ? ତୋର ହାତ ପୋଡିଯିବନି?”
ଏକଥା ଶୁଣି ସେ ପିଲାଟି ତା’ ମନରେ କ’ଣ ଭାବିଲା କେଜାଣି, ତତ୍କ୍ଷଣାତ୍ ଦାଣ୍ଡକୁ ଧାଇଁ ଯାଇ ବାଲି ଆଞ୍ଜୁଳାଏ ହାତରେ ଧରି ଆସି କହିଲା, “ମାଉସୀ! ଏ ବାଲି ଉପରେ ନିଆଁ ରଖିଦିଅ ଯେ, ମୋର ଆଉ କିଛି ବି ହେବ ନାହିଁ ।”
ସତକୁ ସତ ପଡୋଶୀ ମହିଳା ବାଲି ଉପରେ ନିଆଁ ରଡ ରଖିଦେଲେ ସିନା ହେଲେ ଘଡିଏ ବସି ସେ ପିଲାଟିର ସରସା ବୁଦ୍ଧି କଥା ଭାବିଲେ ଓ ତାକୁ ପ୍ରଶଂସା ନକରି ଆଦୌ ରହିପାରିଲେ ନାହିଁ । ଏକଥା ଯିଏ ବି ଦେଖିଲା କି ଶୁଣିଲା ତା’ର ବୁଦ୍ଧିକୁ ସେ ଖୁବ୍ ତାରିଫ୍ କଲା । ସମସ୍ତେ କହିଲେ, “ସତରେ, ପିଲାଟି ବଡ ହେଲେ ବଡ ବୁଦ୍ଧିଆ ମଣିଷଟିଏ ହେବ ।”
ତା’ପରେ ସେ ପିଲାଟିର ନାଁ ପାଠଶାଳାରେ ଲେଖାଇ ଦିଆଗଲା । ପାଠରେ ତାର ଭାରି ନଜର । ଅବଧାନେ ତାକୁ ଯାହା ବି ପଢାଇ ଦିଅନ୍ତି ସେ ସବୁ କିଛି ମନେ ରଖିଦିଏ । ପାଠପଢାରେ ସେ ଜମା ହେଳା କରେନି କି ପାଠଶାଳା ଯିବାରେ ସେ କୌଣସି ଦିନ ବି ବନ୍ଦ କରେନି । ପ୍ରତିଦିନ ଠିକ୍ ସମୟରେ ସେ ଯାଇ ପାଠଶାଳାରେ ପହଁଚିଯାଏ ।
ଦିନକର କଥା । ପିଲାଟି ସାଙ୍ଗସାଥୀ ମେଳରେ ପାଠଶାଳାକୁ ଯାଉଥାଏ । ହଠାତ୍ ଅଦିନିଆ ବର୍ଷା କାହୁଁ ଆସି କଚାଡି ଦେଲା । ବର୍ଷାରେ ଭିଜିଯିବାରୁ ସାଙ୍ଗସାଥୀମାନେ ଅଧାବାଟରୁ ଯେ ଝା ଘରକୁ ଯିଏ ଫେରିଗଲେ । ମାତ୍ର ଏ ପିଲାଟି ଓଦାସରସର ହୋଇ ଯାଇ ସ୍କୁଲରେ ପହଁଚିଗଲା । ବାଟରେ ଥରେ କି ଦି’ଥର ଗୋଡ ଖସିଯିବାରୁ ସେ ପଡିଯାଇଥାଏ । ଫଳରେ ପିନ୍ଧିଥିବା ପୋଷାକ ତା’ର କାଦୁଅ ହୋଇଯାଇଥାଏ ।
ସେଦିନ ପିଲାଟିର ପାଠପଢାରେ ଆଗ୍ରହ ଦେଖି ଗୁରୁଜୀ କହୁ କହୁ କହି ପକାଇଲେ, “ଏଇ ପିଲାଟି ତା’ଜୀବନରେ ନିଶ୍ଚୟ ଜଣେ ବଡ ଲୋକ ହେବ ।”
ସେଇ ପିଲାଟି ଆଉ ଥରେ କ’ଣ କଲା ନା, ତା’ର ସାଙ୍ଗସାଥୀଙ୍କୁ ଏକାଠି କରି ଗାଁ ରାସ୍ତାଘାଟ ସଫେଇ କଲା । ରାସ୍ତାରେ ଥିବା ଖାଲଖମା ପୋତି ପକାଇଲା । ଫଳରେ ଗାଁର ପରିବେଶ ହସିଉଠିଲା । ଲୋକମାନେ ରାସ୍ତାରେ ଯିବା ଆସିବାରେ ଆଉ ଅସୁବିଧା ଭୋଗ କଲେ ନାହିଁ । ଗାଁର ନାଳନର୍ଦ୍ଦମା ପୋତି ସଫା କରିଦେବାରୁ ମଶା ମାଛି ବଂଶ ବି ଲୋପ ପାଇଲା । ଯାହଦ୍ୱାରାକି ସେ ଗାଁଟି ରୋଗମୁକ୍ତ ହୋଇଗଲା ।
ଗାଁ ଲୋକଙ୍କ ମୁଣ୍ଡକୁ ଯେଉଁ ବୁଦ୍ଧି ଜୁଟୁ ନ ଥିଲା, ସାନ ପିଲାଟିଏ ତାହା କରିଦେବାରୁ ସମସ୍ତେ ତାକୁ ଧନ୍ୟବାଦ ଦେଲେ । ପିଲାଟିର ଏଭଳି କାର୍ଯ୍ୟରେ ଖୁସି ହୋଇ ପାଠଶାଳାର ଗୁରୁଜୀ ଏକ ସଭା ଡକାଇ ଗାଁଲୋକ ଓ ପିଲାମାନଙ୍କୁ କହିଲେ, “ଦେଖିଲ ପିଲେ, ଏଇ ପିଲାଟି ଭଳି ଯିଏ ସବୁ ଭଲ କାମ କରିବ ସେ ନିଶ୍ଚୟ ତା’ ଜୀବନରେ ବଡ ମଣିଷ ହୋଇପାରିବ ।”
ସତକୁ ସତ ସେଇ ପିଲାଟି ବଡ ହେଲା ପରେ ମଧୁବାରିଷ୍ଟର ନାମରେ ଖ୍ୟାତି ଅର୍ଜନ କଲା ।