ଡାକୁ ଭୈରବ

ନିଶା ଗରଜୁ ଥାଏ । ତେଣେ ବାହାରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁ ମୃଦୁ ବର୍ଷା । ବଣବୁଦା ଭିତରୁ ସାଇଁ ସାଇଁ ଶବ୍ଦ ଭାସି ଆସୁଥାଏ ତଥା ଶ୍ୱାନଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୋକରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ ।

                କିନ୍ତୁ ରାଜା ବିକ୍ରମାର୍କ ତିଳେମାତ୍ର ମଧ୍ୟ ବିଚଳିତ ବୋଧ ନ କରି ସେହି ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟିଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ସେହି ଶବଟିକୁ ଉତାରି ଆଣିଲେ । ତେବେ ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହି ଉଠିଲା, “ରାଜନ୍! ରାତ୍ରିର ଏହି ନିଃଶବ୍ଦ ଅନ୍ଧକାରରେ ବେଶ୍ ନିର୍ଭୀକ ଭାବେ ତୁମେ ନିଜ କର୍ତ୍ତବ୍ୟରେ ଆଗେଇ ଯାଉଛ । ତୁମର ଶକ୍ତି ସାମର୍ଥ୍ୟ ଦେଖି ମୁଁ ଖୁବ୍ ଆଚମ୍ବିତ ହେଉଛି । ସମ୍ଭବତଃ ତୁମର ଏପରି ଆତ୍ମ-ବିଶ୍ୱାସର କାରଣ ଧର୍ମ ଓ ନ୍ୟାୟ । ଏହାରି ବଳରେ ଶାସନ ପରିଚାଳିତ ହେଉଛି । କିନ୍ତୁ କେତେକ ଶାସକ ନ୍ୟାୟ ଓ ଧର୍ମର ଭିତିରେ ଶାସନ କରୁଥିଲେ ମଧ୍ୟ, କୌଣସି କ୍ଷେତ୍ରରେ ନିଜର ମାନସିକ ବଳହୀନତା ପ୍ରକାଶ କରି ଧର୍ମ ଓ ନ୍ୟାୟର ବିରୁଦ୍ଧାଚରଣ କରିଛନ୍ତି । ଉଦାହରଣ ସ୍ୱରୂପ ମୁଁ ତୁମକୁ ଡାକୁ ଭୈରବର କାହାଣୀ ଶୁଣାଉଛି । ଶୁଣ, ଶୁଣିଲେ ତୁମ ପଥଶ୍ରମ ଲାଘବ ହେବ ।” ଏହାପରେ ସେ ବେତାଳ ଗପିବାରେ ଲାଗିଲା ।

                ବହୁଦିନ ତଳେ ମନ୍ଦାର ପ୍ରଦେଶରେ ମଣିଧ୍ୱଜ ନାମକ ଜଣେ ଶାସକ ଶାସନ କରୁଥିଲେ । ନିଜର ଧୈର୍ଯ୍ୟ, ସାହସ, ବିବେକ ଓ ନ୍ୟାୟପୂର୍ଣ୍ଣ ଶାସନ ନିମନ୍ତେ ସେ ବେଶ୍ ପ୍ରଖ୍ୟାତ ଥିଲେ । ତାଙ୍କର ଶାସନରେ କଠୋର ଦଣ୍ଡବିଧି ପ୍ରଚଳିତ ଥିଲା । ଚୋରର ହାତ କାଟି ଦିଆ ଯାଉଥିଲା । ଡାକୁକୁ ଶୂଳୀ ଦଣ୍ଡ ମିଳୁଥିଲା । ତେବେ ମଧ୍ୟ ଦେଶରେ ଡାକୁ ଉପଦ୍ରବ ସମ୍ପୂର୍ଣ୍ଣ ବନ୍ଦ ହୋଇ ନ ଥାଏ ।

                କାରଣ ମନ୍ଦାର ପ୍ରଦେଶ ଓ ପଡୋଶୀ ରାଜ୍ୟ ଚମ୍ପକ ନଗରୀର ସୀମାବର୍ତ୍ତୀ ଅଂଚଳରେ ଏକ ବିରାଟ ଅରଣ୍ୟ ଥିଲା । ସେହି ଘଂଚ ଅରଣ୍ୟରେ ଆତ୍ମଗୋପନ କରି ଡାକୁମାନେ ପ୍ରଜାମାନଙ୍କୁ ଆକ୍ରମଣ କରୁଥିଲେ । ମଣିଧ୍ୱଜଙ୍କ ସୈନିକମାନେ ବହୁବାର ସେ ଡକାୟତଙ୍କୁ ଧରିବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହେଉଥିଲେ । ଘୋର ଅରଣ୍ୟରେ ସେମାନଙ୍କର ସନ୍ଧାନ କରିବା ଆଦୌ ସମ୍ଭବ ହେଉ ନ ଥିଲା ।

ଏହି ଜଙ୍ଗଲରେ କୁଖ୍ୟାତ ଡାକୁ ଭୈରବ ବାସ କରୁଥିଲା । ତା’ର ପିତା ଡକାୟତ ସର୍ଦ୍ଦାରର ମୃତ୍ୟୁ ପରେ ସେ ବାଲ୍ୟକାଳରୁ ଡାକୁ ସର୍ଦ୍ଦାର ରୂପେ ଦଳରେ ଯୋଗ ଦେଇଥିଲା । ଯାତ୍ରୀମାନଙ୍କୁ ଲୁଣ୍ଠନ କରିବାର କଳା କୌଶଳରେ ସେ ପୁରାପୁରି ଓସ୍ତାଦ୍ ଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ