ପିତୃଙ୍କର ଶ୍ରାଦ୍ଧ ଭୋଜି

କିଛିଦିନ ଗତ ହୋଇଗଲା । ମରାଠା ରାଜାଙ୍କର ପିତୃଶ୍ରାଦ୍ଧ ଦିବସ ପ୍ରବେଶ । ରାଜା ବହୁତ ରାଜାମାନଙ୍କୁ ପିତୃଶ୍ରାଦ୍ଧ ଦିବସ ଦିନ ନିମନ୍ତ୍ରଣ କଲେ । ନିଜର ପୁତ୍ରମାନଙ୍କୁ ଡକାଇ କହିଲେ ପିତୃଙ୍କର ଶ୍ରାଦ୍ଧଯୋଗୁଁ ମୁଁ ବଡ ଭୋଜି ଆୟୋଜନ କରୁଛି । ତୁମ୍ଭେମାନେ ଯାଇ ବନରୁ ମୃଗମାରି ଆଣ । ପିତାଙ୍କର ଆଦେଶ ପାଇ ପୁତ୍ରମାନେ ସସୈନ୍ୟେ ଘୋର ବନକୁ ମୃଗୟାର୍ଥେ ଗମନ କଲେ । ଜଙ୍ଗଲସାରା ଭ୍ରମି ଭ୍ରମି ଥକି ପଡିଲେ । ମାତ୍ର ଗୋଟିଏ ହେଲେ ମୃଗ ଦେଖିବା ନିମିତ୍ତ ପାଇଲେ ନାହିଁ । ରାଜପୁତ୍ରମାନଙ୍କୁ ଆଶ୍ଚର୍ଯ୍ୟ ପରି ଲାଗିଲା । ରାଜପୁତ୍ରମାନେ ବ୍ୟସ୍ତ ହୋଇ ଫେରୁଥିବା ବେଳେ ଏକ ରାଜପ୍ରାସାଦ ତାଙ୍କର ଦୃଷ୍ଟିରେ ପଡିଲା । ପୁତ୍ରମାନେ ସେ ନଗରକୁ ଯିବାପାଇଁ ଚିନ୍ତା କରନ୍ତେ ବେତାଳମାନେ ତାଙ୍କର ମନକଥା ଜାଣି ବିକ୍ରମାଦିତ୍ୟଙ୍କ ନିକଟରେ ପହଁଚିଲେ, କହିଲେ ରାଜପୁତ୍ରମାନେ ମୃଗ ନପାଇ ଏ ସ୍ଥାନକୁ ଆସୁଅଛନ୍ତି । ବେତାଳଙ୍କଠାରୁ ସନ୍ଦେଶ ପାଇ ବିକ୍ରମାଦିତ୍ୟ ଏକ ସନ୍ନ୍ୟାଶୀ ବେଶ ଧାରଣ କଲେ । ବ୍ୟାଘ୍ରଚର୍ମ ଉପରେ ବସି ମାଳା ଧରି ନାମ ଜପିଲେ । ବେତାଳମାନେ ସେ ପୁରର ଜଗୁଆଳି ହେଲେ ।

        ରାଜପୁତ୍ରମାନେ ଭ୍ରମି ଭ୍ରମି ସେ ନଗର ପାଖରେ ପ୍ରବେଶିଲେ । ପରସ୍ପର କହିଲେ ଆଗରୁ ଏପରି ପୁରତ ଏଠାରେ ନଥିଲା । ଏ ପୁର କାହାର ଆମେ ଜାଣିବା କିପରି । ଏତକ କହି ଅନାଇ ଦିଅନ୍ତେ ଅଡା ଭିତରେ ସମସ୍ତ ପଶୁ ପକ୍ଷୀ ଥିବାର ଦେଖିଲେ ଏବଂ ଜଣେ ତପି ଯୋଗାସନରେ ବସିଥିବାର ମଧ୍ୟ ଦେଖିପାରିଲେ ମାତ୍ର ତପିଙ୍କୁ ଚିହ୍ନିବା ଶକ୍ତି କାହାର । ସମସ୍ତେ ଯତି ନିକଟକୁ ଯାଇ ପ୍ରଣାମ କଲେ । ତପସ୍ୱୀ ଜଣକ ରାଜପୁତ୍ରଙ୍କୁ କଲ୍ୟାଣ କଲେ । ରାଜପୁତ୍ରମାନେ ପ୍ରଶ୍ନକଲେ ହେ ତପି ଗୋସାଇଁ ଆଗରୁ ଆମ୍ଭେତ ତୁମ୍ଭଙ୍କୁ ଏ ସ୍ଥାନରେ ଦେଖି ନଥିଲୁ । ତପି କହିଲେ କିଛିଦିନ ପରେ ଆମ୍ଭେ ଏ ପଶୁମାନଙ୍କୁ ବଳିଦେବୁ । ଏକ ମୁଖକୁ ଆରେକ ଅନାଇ କହିଲେ ଏଡେ ସୁନ୍ଦର ପୁର ଓ ଏତେ ପଶୁପକ୍ଷୀ ଦେଖି ଚକିତ ହୋଇଗଲେ । ରାଜପୁତ୍ରମାନେ ଏ ତପସ୍ୱୀ ସାମାନ୍ୟ ତପସ୍ୱୀ ନୁହଁନ୍ତି । ମୃଗ ବ୍ୟାଘ୍ର ଗଣ୍ଡା ଗୟଳ ଆଦି ପଶୁମାନଙ୍କୁ ଏକାଠି ରଖିଛନ୍ତି । କୁବେର ସମ୍ପଦରୁ ବଳି ସମ୍ପଦ ଏ ତପସ୍ୱୀଙ୍କର । ଏପରି ଚିନ୍ତା କରି ଭାଇମାନେ ତପସ୍ୱୀଙ୍କ ନିକଟରେ କରଯୋଡି ବସିଲେ । ତପସ୍ୱୀଙ୍କୁ କହିଲେ ହେ ମହାଭାଗ ଆସନ୍ତା କାଲି ଆମ୍ଭର ପିତୃଶ୍ରାଦ୍ଧ ହେବ । ଆମ୍ଭର ପିତା ଅନେକ ବନ୍ଧୁ ବାନ୍ଧବଙ୍କୁ ନିମନ୍ତ୍ରଣ କରିଛନ୍ତି । ଶ୍ରାଦ୍ଧ ନିମିତ୍ତ ମୃଗମାଂସ ଦରକାର । ଆମ୍ଭେ ଶିକାର କରି ମୃଗ ନନେଲେ ଘୋର ଲଜ୍ଜା ପାଇବୁ । ଆମ୍ଭମାନଙ୍କ ଉପରେ ସୁଦୟା କରନ୍ତୁ । ରାଜପୁତ୍ରମାନଙ୍କ ବିନୟ ବଚନ ଶ୍ରବଣ କରି କପଟି ତପସ୍ୱୀ କହିଲେ ମୋର ଦାସତ୍ୱ ସ୍ୱୀକାର କଲେ ମୃଗଟିଏ ଦେବି ନେଇ ପିତୃଶ୍ରାଦ୍ଧ କରିବ । ରାଜପୁତ୍ରମାନେ ଆପଣା ମନମଧ୍ୟରେ ବିଚାର କଲେ ଏଠାରେ ତ କେହି ଜନ ନାହାଁନ୍ତି ଆମ୍ଭେମାନେ ତାଙ୍କର ଦାସତ୍ୱ ସ୍ୱୀକାର କରିବା ଲୋକେ ଜାଣିଲେ ଲଜ୍ଜା ପାଇବା । ମୃଗ ଗୋଟିଏ ନେଇ ନିଜର ବଡିମାର ଟେକ ରଖ ।


ଗପ ସାରଣୀ

ତାଲିକାଭୁକ୍ତ ଗପ