“ଦୀନ ଦୁଃଖୀରଙ୍କୀ ସେବା ଯେ’କରନ୍ତି ସେମାନେ ସାକ୍ଷାତ୍ ଈଶ୍ୱର ବୋଲି
ଯୁବକକୁ ଥରେ ଆଣ୍ଡୃଜ୍ ସାହେବ ଦୃଷ୍ଟାନ୍ତ ଛଳରେ କହିଲେ ଖୋଲି ।
ନାରାୟଣ ଆଉ କେଉଁଠି ନାହାଁନ୍ତି ନରଦେହେ ବିଦ୍ୟମାନ ସେ ଭବେ
ଦୁଃଖୀର ଦୁଃଖ ଯେ’ ନାଶ କରିଥାନ୍ତି ତାଙ୍କୁ ଏକା ଭଗବାନ ମୁଁ ଭାବେ ।”
ଆଣ୍ଡୃଜ୍ ସାହେବ ଜଣେ ଯୁବକଙ୍କୁ ବୁଝାଇବାକୁ ଯାଇ କହିଲେ, “ମହତ୍ ବ୍ୟକ୍ତିଙ୍କ ସଦ୍ଗୁଣାବଳୀ ହିଁ ତାଙ୍କର ମହତ୍ୱ ବଢାଇଥାଏ, ସମ୍ପଦ ନୁହେଁ । ମାନବ ଜାତିର ସାମଗ୍ରିକ କଲ୍ୟାଣ ଉଦ୍ଧେଶ୍ୟରେ ଯେଉଁମାନେ ନିଜ ଜୀବନକୁ ତିଳ ତିଳ କରି ଉତ୍ସର୍ଗ କରିଯାଇଛନ୍ତି ସେହିମାନେ ହିଁ ଯଥାର୍ଥରେ ‘ମହାତ୍ମା’ ପଦବାଚ୍ୟ ହୋଇପାରିଛନ୍ତି ।”
ଯେତେବେଳେ ଦୀନବନ୍ଧୁ ଆଣ୍ଡୃଜ୍ଙ୍କୁ ଯୁବକ ଜଣକ ଭେଟି ପଚାରିଲେ, “ମହାଶୟ! ମୋତେ ଆପଣ ଭଗବାନଙ୍କ ଦର୍ଶନ କରାଇ ପାରିବେ?”
ସେତେବେଳେ ଏହି ପ୍ରଶ୍ନ ଶୁଣି ଆଣ୍ଡୃଜ୍ ସାହେବ ବିଚଳିତ ହୋଇପଡିଲେ । ଯୁବକର ପାଦଠାରୁ ମୁଣ୍ଡଯାଏଁ ଭଲଭାବରେ ନିରୀକ୍ଷଣ କଲେ । କିଛି ସମୟ ଚିନ୍ତାକରି ସେ କହିଲେ, “ଠିକ୍ ଅଛି, ଏବେ ନୁହେଁ କାଲି ଆସନ୍ତୁ । ମୁଁ ଆପଣଙ୍କୁ ଈଶ୍ୱର ଦର୍ଶନ କରାଇ ଦେବି ।”