ଆପଣଙ୍କ ପାଇଁ ଯାହା ହୀରା, ଆମପାଇଁ ତାହା ପଥର

                ଅନେକ ଦିନ ତଳର କଥା । ସେତେବେଳେ ସନ୍ଥ ପୁରନ୍ଦର ତାଙ୍କର ସରଳତା, ନିର୍ଲୋଭତା ଆଦି ଗୁଣ ଯୋଗୁଁ ବଡ ଚର୍ଚ୍ଚାରେ ଥିଲେ । ଆଶ୍ରମରେ ଅତି ସରଳ ଭାବରେ ଜୀବନଯାପନ କରି ଜନସେବାରେ ବ୍ୟସ୍ତ ରହୁଥିବା ଏଇ ସନ୍ଥ ଜଣକ କେବଳ ଭିକ୍ଷାବୃତ୍ତିରୁ ହିଁ ଚଳୁଥିଲେ ।

                ଥରେ ବିଜୟନଗରମ୍ର ରାଜା କୃଷ୍ଣ ଦେବରାୟ ସନ୍ଥ ପୁରନ୍ଦରଙ୍କୁ ପରୀକ୍ଷା କରିବାକୁ ଚାହିଁଲେ ଯେ ଯାହା ସନ୍ଥଙ୍କ ବିଷୟରେ ଶୁଣାଯାଉଛି ପ୍ରକୃତରେ ତାହା ସତ ନା ମିଛ । ତହୁଁ ସେ ରାଜନ୍ ସନ୍ଥ ପୁରନ୍ଦରଙ୍କୁ ଭିକ୍ଷା ଦେବା ଉଦ୍ଧେଶ୍ୟରେ ଡକାଇ ପଠାଇଲେ ଓ ଭିକ୍ଷାରେ କେବଳ ଚାଉଳ ଦେଇ ତାଙ୍କୁ ବିଦା କରିଦେଲେ । ତତ୍ସହିତ ପ୍ରତିଦିନ ସନ୍ଥଙ୍କୁ ଏହିପରି ଆସି ଭିକ୍ଷା ନେଇ ଯିବାକୁ ବି ରାଜା ଅନୁରୋଧ ଜଣାଇଲେ ।

                ତା’ପରେ ସେ ସନ୍ଥ ପୁରନ୍ଦର ପ୍ରତିଦିନ ଆସି ରାଜାଙ୍କ ଦୁଆରୁ ଭିକ୍ଷା ନେଉଥାନ୍ତି । ହେଲେ ରାଜାଙ୍କ ଆଦେଶାନୁଯାୟୀ ଦ୍ୱିତୀୟ ଦିନଠାରୁ ଭିକ୍ଷା ଚାଉଳ ସହିତ କିଛି ହୀରା, ମାଣିକ୍ୟର ଛୋଟ ଛୋଟ ଖଣ୍ଡ ମିଶାଇ ତାଙ୍କୁ ଦିଆଗଲା । ତାକୁ ନେଇ ସନ୍ଥ ଘରକୁ ଯାଉଥିଲେ ।

                ଘରେ ରାନ୍ଧିବା ଲାଗି ଚାଉଳ ସଫା କଲା ବେଳେ ସନ୍ଥ ପୁରନ୍ଦରଙ୍କ ପତ୍ନୀ ସରସ୍ୱତୀ ଏହା ଦେଖି ଠିକ୍ ଜାଣିପାରିଲେ । ମାତ୍ର ଏଭଳି ମୂଲ୍ୟବାନ ପଦାର୍ଥ ତାଙ୍କର ତ କୌଣସି କାମରେ ଲାଗିବ ନାହିଁ ଭାବି ତାକୁ ଗୋଡି ପଥରଠାରୁ ହୀନ ବୋଲି ସେ ଠିକ୍ କରିନେଲେ ।

                ଏବେ ପତ୍ନୀ ସରସ୍ୱତୀ ତାଙ୍କ ସ୍ୱାମୀଙ୍କୁ କହିଲେ, “ପ୍ରଥମ ଦିନ ତ ଠିକ୍ ଥିଲା । ଏବେ ଗତକାଲିଠାରୁ ଚାଉଳରେ ଗୋଡି ଭଳି କ’ଣ ସବୁ ମିଶିଛି କେଜାଣି?”

                ପତି ଏହା ଦେଖି ମୁରୁକି ହସିଲେ ଓ ତାକୁ ନେଇ ଅଳିଆ ଗଦାରେ ଫିଙ୍ଗିଦେଲେ । ଏହିଭଳି ସାତଦିନ କାଳ ହୀରା କଣିକାକୁ ଚାଉଳରୁ ବାଛି ସେ ଅଳିଆ ଗଦାରେ ଫିଙ୍ଗିବାର କ୍ରମ ଚାଲିଲା ।

                ଦିନକର କଥା ରାଜା ଓ ମନ୍ତ୍ରୀ ଛଦ୍ମବେଶରେ ସେ ସନ୍ଥଙ୍କ କୁଡିଆରେ ଯାଇ ପହଁଚିଗଲେ । ସେତେବେଳକୁ ସରସ୍ୱତୀ ଦେବୀ ଚାଉଳରୁ ହୀରା ବାଛି ସଫା କରୁଛନ୍ତି । ତା’ର ଠିକ୍ ପରେ ପରେ ବାଛିଥିବା ହୀରାକୁ ସେ ଅଳିଆ ଗଦାରେ ଫିଙ୍ଗିବାକୁ ବାହାରିଲେ ।

                ଏସବୁ ଦେଖି ଛଦ୍ମବେଶରେ ଥାଇ ରାଜା କୃଷ୍ଣ ଦେବରାୟ ପଚାରିଲେ “ଭଉଣୀ! ଇଏ ତୁମେ କ’ଣ କରୁଛ?”

ତହୁଁ ସେ ସରସ୍ୱତୀ ଦେବୀ କହିଲେ, “କିଛିଦିନ ହେଲା କୌଣସି ଗୃହସ୍ଥ ୟା’ଙ୍କୁ ଭିକ୍ଷା ଚାଉଳରେ ଗୋଡି ମିଶାଇ ଦେଉଛନ୍ତି । ମୁଁ ତାହାକୁ ବାଛି ଅଳିଆ ଗଦାରେ ଫିଙ୍ଗି ଦେଉଛି । ଭିକ୍ଷା ଦେବାବାଲାର ମନ ଦୁଃଖ ହେବ ବୋଲି ଜାଣି ସେ ଘରବାଲା ଏହି ମିଶାଚାଉଳ ଦେଉଥିଲେ ବି ପ୍ରତିଦିନ ସନ୍ଥ ତାଙ୍କ ଘରୁ ଭିକ୍ଷା ଆଣୁଛନ୍ତି ।”

                ଏଥର ଛଦ୍ମବେଶୀ ରାଜା କହିଲେ, “ଏଗୁଡିକ ଗୋଡି ନୁହେଁ ହୀରା । ଆପଣ ଏହାକୁ ଗୋଡି ବୋଲି କହି କାହିଁକି ଫିଙ୍ଗି ଦେଉଛନ୍ତି?”

                ସବୁ କଥା ଶୁଣି ସରସ୍ୱତୀ ଦେବୀ କହିଲେ, “ଆପଣଙ୍କ ପାଇଁ ଏହା ହୀରା ହୋଇଥିବ, ମାତ୍ର ଆମ ପାଇଁ ତ ଏହା ଗୋଡି ପଥର ସହିତ ସମାନ । ଏହା ଯଦି ଆପଣଙ୍କ ପାଇଁ ମୂଲ୍ୟବାନ ତେବେ ଏଗୁଡିକ ସାଉଁଟି ନେଇ ଯାଆନ୍ତୁ ।”

                ସନ୍ଥ ପତ୍ନୀଙ୍କ ଠାରୁ ଏଭଳି କଥାଶୁଣି ରାଜା ବିସ୍ମିତ ହୋଇଗଲେ । ତା’ପରେ ସେ ରାଜା ନିଜର ପରିଚୟ ପ୍ରଦାନ କରି ନତମସ୍ତକ ହୋଇ ସେଠାରୁ ଚାଲିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ