କୃଷ୍ଣାବତାର

କ୍ରମେ ଏ କଥା ସବୁ ଯାଦବ ଜାଣିଗଲେ । ସବୁ କଥା ଜାଣିଲା ପରେ ସମସ୍ତେ ବହୁତ ଆଶ୍ଚର୍ଯ୍ୟ, ଦୁଃଖିତ ଓ ଭୟଭୀତ ବି ହେଲେ । ଉଗ୍ରସେନ ସେମାନଙ୍କୁ ସେ ଲୌହମୂଷଳଟିକୁ ଘସି ଘସି ଶେଷ କରି ଦେବାକୁ ପ୍ରସ୍ତାବ ଦେଲେ । ସେହିକଥା ହେଲା । ମୂଷଳଟିକୁ ଘଷିବା ଦ୍ୱାରା ତହିଁରୁ ଯେଉଁ ଗୁଣ୍ଡ ବାହାରିଲା ତାହା ସମୁଦ୍ରରେ ଭାସି ଭାସି ଏକ ଦ୍ୱୀପ ତଟରେ ଲାଗିଲା । ଅବଶିଷ୍ଟ ଛୋଟ ଲୁହା ଖଣ୍ଡଟି ସମୁଦ୍ର ଭିତରକୁ ସେମାନେ ଫିଙ୍ଗି ଦେଲେ । ସେଇଟିକୁ ଗୋଟିଏ ମାଛ ଖାଇଦେଲା । ସେହି ମାଛଟିକୁ ଜଣେ ଧୀବର ଧରିଲା; ତା’ ପେଟ ଭିତରୁ ସେ ଲୁହାଟି  ପାଇଲା ଓ ସେଇଟିକୁ ସେ ଜଣେ ଶବରକୁ ବିକିଲା । ଶିକାର କରିବାକୁ ସୁବିଧା ହେବ ବୋଲି ଭାବି ଶବର ସେଇଟିକୁ ନିଜ ତୀର ଅଗରେ ଲଗାଇଲା ।

କିଛିଦିନ ମଧ୍ୟରେ ଦ୍ୱାରକାରେ ଭୟଙ୍କର ଉତ୍ପାତ ଦେଖାଦେଲା । ସେମାନେ ତାଙ୍କର ପ୍ରାଣକର୍ତ୍ତା ଶ୍ରୀକୃଷ୍ଣଙ୍କୁ କହିଲେ, “ଆପଣହିଁ ଯାଦବବଂଶକୁ ରକ୍ଷା କରିଛନ୍ତି, ଏବେ ମଧ୍ୟ ରକ୍ଷା କରନ୍ତୁ ।”

ତା’ପରେ ଶ୍ରୀକୃଷ୍ଣ ସମସ୍ତ ଯାଦବଙ୍କୁ ସୁଧର୍ମ-ଭବନକୁ ନିମନ୍ତ୍ରଣ କରି କହିଲେ, “ବଂଧୁଗଣ, ଦ୍ୱାରକାରେ ଏବେ ଯେଉଁ ସବୁ ଭୟଙ୍କର ଉତ୍ପାତ ଦେଖା ଯାଉଛି ସେସବୁ କେବଳ ମୁନିମାନଙ୍କ ଅଭିଶାପ ଫଳରୁ ହିଁ ହେଉଛି । ତେଣୁ ଆମେମାନେ ଏଠାରେ ବେଶି ସମୟ ରହିବା ଆଉ ଉଚିତ୍ ହେବନାହିଁ । ସ୍ତ୍ରୀ, ବାଳକ ଓ ବୃଦ୍ଧମାନଙ୍କୁ ଆମେ ଶଙ୍ଖଦ୍ୱାର ପଠାଇଦେବା, ବାକି ଆମେ ସମସ୍ତେ ପ୍ରଭାସତୀର୍ଥକୁ ଯାଇ ବ୍ରତ, ଉପବାସ ତଥା ଦେବତାମାନଙ୍କୁ ପୂଜା କରିବା । ବ୍ରାହ୍ମଣଙ୍କୁ ଦାନ ଦେବା ଏବଂ ସେମାନେ ଶାନ୍ତି ପାଇଁ କିଛି କର୍ମ କରିବେ । ତଦ୍ୱାରା ଆମର ଖରାପ ସମୟ କଟିଯିବ ଓ ଶୁଭ ସମୟ ଆସିବ ।”

ଶ୍ରୀକୃଷ୍ଣଙ୍କ କଥା ଅନୁସାରେ ସ୍ତ୍ରୀ, ବାଳକ ଓ ବୃଦ୍ଧ ସବୁ ଶଙ୍ଖଦ୍ୱାରକୁ ଗଲେ । ବାକିତକ ଯାଦବ ନୌକାରେ ବସି ପ୍ରଭାସତୀର୍ଥରେ ଯାଇ ପହଁଚିଲେ, କିନ୍ତୁ ମୁନିଋଷିଙ୍କ ଅଭିଶାପରୁ ହେଉ ବା ଦୈବୀମାୟା ଯୋଗୁଁ ହେଉ ସେମାନେ ଶୁଭ କାମ କରିବା ପରିବର୍ତ୍ତେ କାଦମ୍ବରୀ ରସ ପିଇ ଜ୍ଞାନଶୂନ୍ୟ ଅବସ୍ଥାରେ ପରସ୍ପର ସହିତ ଯୁଦ୍ଧ କଲେ । ସେତେବେଳେ ବନ୍ଧୁ, ମିତ୍ର, ପିତା ଓ ପୁତ୍ର ଏମିତି କେହି ବି କାହାକୁ ଚିହ୍ନି ପାରିଲେ ନାହିଁ । ସେହି ପ୍ରମତ୍ତ ଅବସ୍ଥାରେ ଚିହ୍ନିବାର ଅବସର ବା କାହିଁ । ଉନ୍ମାଦ ଅବସ୍ଥାରେ ଥାଇ ସେମାନେ ପରସ୍ପରକୁ ସଂହାର କରିବାକୁ ଲାଗିଲେ । ଶ୍ରୀକୃଷ୍ଣ ଓ ବଳରାମ ସେମାନଙ୍କୁ ଯେତେ ବାରଣ କରିବାକୁ ଚେଷ୍ଟା କଲେ ବି ସେମାନେ କାହାରି କୌଣସି କଥା ମଧ୍ୟ ଶୁଣିଲେ ନାହିଁ । ସମଗ୍ର ଯାଦବବଂଶ ମୁନିଙ୍କ ଅଭିଶାପରେ ଏହିପରି ଭାବେ ଧ୍ୱଂସ ହେଲା । ଶ୍ରୀକୃଷ୍ଣ ସ୍ୱସ୍ତିର ଏକ ନିଶ୍ୱାସ ମାରି କହିଲେ, “ଓଃ, ଏବେ ପୃଥିବୀର ଭାର ଉଶ୍ୱାସ ହେଲା ।”

ଇତିମଧ୍ୟରେ ବଳରାମ ସମୁଦ୍ର ତଟରେ ଯୋଗସମାଧିରେ ବସିଲେ । ତାଙ୍କ ନାସାପଟରୁ ତାଙ୍କର ପ୍ରାଣରୂପୀ ଦୁଇଟି ସର୍ପ ନିର୍ଗତ ହେଲେ । କାହିଁକିନା ସେ ଥିଲେ ଶେଷନାଗଙ୍କ ଅବତାର । ସେ ସେଥିପାଇଁ ସେହିପରି ଭାବରେ ହିଁ ପ୍ରାଣତ୍ୟାଗ କଲେ । ଏସବୁ ଦେଖି ଶ୍ରୀକୃଷ୍ଣ ଧୀରେ ଧୀରେ ଯାଇ କ୍ଳାନ୍ତି ବିନୋଦନ ପାଇଁ ଏକ ସୁନ୍ଦର ବୃକ୍ଷଛାୟାରେ ଉପବେଶନ କଲେ । ସେ ବୃକ୍ଷକୁ ଆଉଜି ବସିଥା’ନ୍ତି । ତାଙ୍କ ବାମପଟର ପାଦ ଦକ୍ଷିଣ ଜଙ୍ଘ ଉପରେ ଦେଇ ତାହା ତଳକୁ ଲମ୍ବିଥାଏ । ତାଙ୍କର ସୁନ୍ଦର ଗୋଲାପି ରଙ୍ଗର ପାଦ ବହଳ ଘାସ ଭିତରୁ ଅତି ସୁନ୍ଦର ଦେଖାଯାଉଥାଏ । ଦୂରରୁ ପୂର୍ବୋକ୍ତ ଶବର ଭଗବାନ ଶ୍ରୀକୃଷ୍ଣଙ୍କୁ ହରିଣର ଗୋଲାପୀ ରଙ୍ଗର କାନ ଭାବି ତୀର ନିକ୍ଷେପ କଲା । ତା’ପରେ ସେ ସେଠାରେ ପହଁଚି ଦେଖିଲା ଯେ ସ୍ୱୟଂ ଶ୍ରୀକୃଷ୍ଣ ବସିଛନ୍ତି ଓ ଲୌହ ମୂଷଳର ଅବଶିଷ୍ଟାଂଶ ଯାହା ତା’ର ତୀରରେ ଲଗା ହୋଇଥିଲା ତାହା ତାଙ୍କରି ବାମପାଦ ଭିତରେ ଗଳି ଯାଇଛି । ଫଳରେ ଅଜସ୍ର ରକ୍ତଧାର ବୋହି ଯାଉଛି । ଏହାଦେଖି ସେ ଶବର କାନ୍ଦି କାନ୍ଦି ହାତ ଯୋଡି କହିଲା, “ମୋର ବଡ ଭୁଲ୍ ହୋଇଗଲା, କୁହନ୍ତୁ ମୁଁ ଏବେ କ’ଣ କରିବି?”

ଶ୍ରୀକୃଷ୍ଣ ସେ ଶବରକୁ କହିଲେ, “ତମେ ଆଦୌ ଚିନ୍ତା କରନାହିଁ । ମୋର ଇଚ୍ଛା ବିନା କେବେ ବି କ’ଣ କିଛି ହୋଇପାରେ? ମୁଁ ତୁମକୁ ପୂର୍ବଜନ୍ମରେ ସେପରି କିଛି ବର ଦେଇଥିଲି ଯାହା କି ଏ ଜନ୍ମରେ ସିଦ୍ଧ ହେଲା । ଏଣୁ ଏଥିରେ ତୁମର କୌଣସି ଦୋଷ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ