ଗ୍ରହଣ ଛୁଟା

                “ସାବାସ୍ ବେଟା ।” ଏତିକି କହି ବୁଢା ତାକୁ ସ୍ନେହାଶିର୍ବାଦ ଦେଲେ । ପରଦିନହିଁ ଶଭରୀ ଯାଇ ସିଧା ରାଜଧାନୀରେ ପହଁଚିଲା ତା’ପରେ ଅନ୍ତଃପୁରକୁ ଯାଇ ସେ କହିଲା, “ମୁଁ ରାଜକୁମାରୀଙ୍କର ପ୍ରଶ୍ନର ଉତ୍ତର ଦେବି ।”

                ରାଜକୁମାରୀଙ୍କ ପରିଚାରିକା କହିଲା, “ନ କହି ପାରିଲେ ଦଶା କ’ଣ ହେବ ଜାଣିଛ ତ?”

                ଶଭରୀ ନିର୍ଭୟରେ କହିଲା “ମୃତ୍ୟୁ । କୁମ୍ଭୀର ମୁହଁରେ ଯିବି । ଏଇତ?” ତା’ପରେ ଦୁଇଜଣ ଦାସୀ ତା’ର ଆଖିରେ ପଟି ବାନ୍ଧି ତାକୁ ନେଇ ଅନ୍ତଃପୁରରେ ଛାଡିଲେ ଓ ପଟି ଖୋଲିଦେଲେ । ଶଭରୀ ଦେଖିଲା ସମ୍ମୁଖରେ ସିଂହାସନରେ ଆସୀନା ରାଜକୁମାରୀ ଅଳକ ନନ୍ଦା । ସେ ଅତି ସୁନ୍ଦରୀ ଥିଲେ । କିନ୍ତୁ ତାଙ୍କ ଚେହେରା ଚିନ୍ତା ଦୁଃଖରେ ଭରା ଥିଲା । ମନେ ହେଉଥିଲା ଯେପରି ସେ ଅତ୍ୟନ୍ତ ବିବଶ ହୋଇ, ବାଧ୍ୟରେ ପଡି ଏସବୁ କାର୍ଯ୍ୟ କରୁଛନ୍ତି ।

                ରାଜକୁମାରୀ ପଚାରିଲେ, “ଆକାଶ ଠାରୁ ବଳି ବଡ କିଏ? ଲହୁଣୀରୁ ବଳି କୋମଳ କ’ଣ? ସମୁଦ୍ରରୁ ବଳି ଗଭୀର କ’ଣ? ଏବେ ଏକ ଉତ୍ତର କୁହ ଯାହା କି ଏହି ତିନୋଟି ପ୍ରଶ୍ନର ଉତ୍ତର ହୋଇଥିବ ।”

                ଶଭରୀ ତତ୍କ୍ଷଣାତ୍ ଉତ୍ତର ଦେଲା, “ସ୍ତ୍ରୀର ହୃଦୟ” କିନ୍ତୁ ତଥାପି ମଧ୍ୟ ଆପଣ ଜଣେ ସ୍ତ୍ରୀ ଲୋକ ହୋଇ ଏ ପ୍ରଶ୍ନ ପଚାରୁଛନ୍ତି ଓ ସେଥିଲାଗି ଦାରୁଣ ଦଣ୍ଡ ବି ରଖିଛନ୍ତି? କେବେ କେଉଁ ଭାବୁକ, ବା ଚିନ୍ତାଶୀଳ ବ୍ୟକ୍ତି ଏସବୁ ଆରମ୍ଭ କରିଥିଲେ ଓ ଉତ୍ତର ମଧ୍ୟ ଲେଖି ଦେଇଥିଲେ; କିନ୍ତୁ ଏପରି ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ଆପଣ ନିଜ ଜୀବନକୁ ବ୍ୟର୍ଥ ଓ ନଷ୍ଟ କରିବା ସଙ୍ଗେସଙ୍ଗେ ନିରୀହ ପ୍ରାଣୀହତ୍ୟା କାହିଁକି କରୁଛନ୍ତି?”

                ଅଳକାନନ୍ଦା ଚିନ୍ତିତ ହୋଇ କହିଲେ, “ମୁଁ ଯଦି ସ୍ୱାଧିନ ହୋଇଥା’ନ୍ତି ତେବେ ମୁଁ ତୁମକୁ ଏ ପ୍ରଶ୍ନ ଆଦୌ କେବେବି କରିନଥା’ନ୍ତି । ଜଣେ ଦୁଷ୍ଟ ଲୋକ ମୋ ଦ୍ୱାରା ଏ ପ୍ରଶ୍ନ କରାଉଛି । ଯାହା ଉତ୍ତର ଦେଲେ ବି ସେ ନେଇ ଉକ୍ତ ବ୍ୟକ୍ତିକୁ କୁମ୍ଭୀର ମୁହଁରେ ଦେଉଛି । ତମେ ବୋଧହୁଏ ଜାଣ ନାହିଁ ଯେ ମୁଁ ମୋ ମନ ଭିତରେ ଏପରି ଦୁଷ୍କର୍ମ ପାଇଁ କେତେ ଯେ କଷ୍ଟ ପାଉଛି । କିନ୍ତୁ ମୁଁ ବା ଏବେ କ’ଣ କରିବି । ମୋର ବିବଶତା ଉପରେ ସେ ଦୁଷ୍ଟ ଲାଭ ଉଠାଉଛି ।”

                ଶଭରୀ କହିଲା “ସେ ଯେତେ ବଳବାନ ହେଲେ ମଧ୍ୟ ଏବେହିଁ ମୁଁ ତାକୁ ମାରି ଦେଇପାରେ ।”

                ରାଜକୁମାରୀ କହିଲେ “ତମେ ତ ଉଭୟ ବୀର ଓ ବିବେକୀ ବୋଲି ମନେ ହେଉଛି । ମାତ୍ର ତାକୁ ମାରିବା ପାଇଁ ବହୁତ ବିଳମ୍ବ ମଧ୍ୟ ହୋଇ ଗଲାଣି । ଏବେ ତ ମାତ୍ର ଗୋଟିଏ ଦିନ ହାତରେ ଅଛି ।” ତା’ପରେ ସେ ଓ ତାଙ୍କ ପିତା କି ଭୟଙ୍କର ବିପତ୍ତିରେ ପଡିଛନ୍ତି; ସେହି କଥା ସବୁ ସେ ଶଭରୀକୁ କହିଲେ । ସେ ଘଟଣାଟି ଏହି ପ୍ରକାରର ।

                ମାସେ ପୂର୍ବରୁ ଅଳକାନନ୍ଦା, ତାଙ୍କ ପିତାଙ୍କ ସହିତ ନୌକାବିହାର କରିବାକୁ ଯାଇଥିଲେ । ସେତେବେଳେ ସେନାପତି ବୀରବର୍ମା ମଧ୍ୟ ତାଙ୍କ ସହିତ ଥିଲେ । ସେମାନେ ସମୁଦ୍ର ଭିତରକୁ ବହୁଦୂର ଯିବା ପରେ ଜଣାପଡିଲା ଯେ ସେହି ନୌକାରେ ଥିବା ନାବିକମାନେ ହେଲେ ତାହାରି ଲୋକ । ସେମାନଙ୍କୁ କହି ସେ ନୌକାକୁ ଗୋଟାଏ ଦ୍ୱୀପକୁ ନେଇଯାଇ ସେଠାରେ ରାଜାଙ୍କୁ ବନ୍ଦୀ କଲା ଓ ସେଠାରୁ ଫେରି ଆସି ମିଛରେ ପ୍ରଚାର କଲା ଯେ ନୌକାବୁଡିରେ ରାଜାଙ୍କର କୌଣସି ପତା ମିଳୁ ନାହିଁ । ସେ କୌଣସିମତେ ରାଜକୁମାରୀଙ୍କୁ ବଂଚାଇ ନେଇ ଆସିଛନ୍ତି । ଏବେ ଗୋଟାଏ ଫନ୍ଦି କରି ସମସ୍ତିଙ୍କୁ ସେ ପ୍ରଶ୍ନ ପଚାରି କୁମ୍ଭୀର ମୁହଁରେ ଦେଉଛି ଶେଷକୁ ସେ କହିବ “ମୁହିଁ ପ୍ରକୃତ ଉତ୍ତର ଦେଇ ପାରିବି ।” ତା’ପରେ ସେ ଅଳକାନନ୍ଦାଙ୍କୁ ବିବାହ କରି ଏ ରାଜ୍ୟର ଅଧୀଶ୍ୱର ହେବ । ଲୋକମାନେ ତ ତାକୁହିଁ ବିଶ୍ୱାସ କରିବେ ଯେ କେବଳ ବୀରବର୍ମା ଯଥାର୍ଥ ଉତ୍ତର ଦେଇପାରିଥିବାରୁ, ରାଜକୁମାରୀଙ୍କୁ ବିବାହ କରିବାର ଯୋଗ୍ୟତା କେବଳ ତା’ରହିଁ ଅଛି ।

                ଏସବୁ କହିବା ପରେ ଅଳକାନନ୍ଦା କହିଲେ “ନିଦ ନ ହେବାରୁ କାଲି ରାତିରେ ମୁଁ ବଗିଚାକୁ ଗଲି । ସେଠାରେ କିଛି କଥାବାର୍ତ୍ତା ମୁଁ ବୁଦା ପଛରେ ଥାଇ ଶୁଣିଲି ।”

                ସେନାପତି ନଗେନ୍ଦ୍ରକୁ କହିଲେ, “କାଲି ସକାଳୁ ଲାଲ୍ ପଥରର ଗୁମ୍ଫା ପାଖକୁ ଯାଅ । ତାକୁ କେବଳ କହିବ “ଗ୍ରହଣ ଛଟା” ତେବେ ସେ ରାଜାଙ୍କୁ ଛାଡିଦେବ । ତା’ପରେ ତମେ ତାଙ୍କୁ ନୌକାରେ ବସାଇ ଆଣିବ ଓ ମଝି ସମୁଦ୍ରରେ ପକାଇ ଦେବ । ପଅରି ଦିନ ଶୁଭ ଦିନ ଅଛି ମୁଁ ମନ୍ଦିରରେ ରାଜକୁମାରୀଙ୍କୁ ସେହିଦିନ ବିବାହ କରିବି । ତା’ପରେ ମୁଁ ତ ରାଜା ହୋଇଯିବି । ତୁମକୁ ମନ୍ତ୍ରୀ ବା ସେନାପତି ପଦ ମୁଁ ନିଶ୍ଚୟ ଦେବି ।”

                ତା’ପରେ ସେ ରାଜକୁମାରୀ କହିଲେ, “ସେତେବେଳେ ମୋତେ ଜଣାପଡିଲା ଯେ ସେ ଆମ ସହିତ କି କି ପ୍ରକାର ଚାଲ୍ ଖେଳୁଛି । ରାଜାଙ୍କୁ ମଧ୍ୟ ମାରିବ ଓ ମୋତେ ମଧ୍ୟ ସେ ବିବାହ କରିବ । ଏବେ ତୁମେ କୁହ ମୁଁ ଏଭଳି ବିପତ୍ତିରୁ କିପରି ଉଦ୍ଧାର ପାଇବି?” ସବୁକଥା ଶୁଣିସାରି ଶଭରୀ କହିଲା, “ଏପରି ରାଜ ଦ୍ରୋହୀକୁ ମୁଁ ମୋ ଜୀବନରେ କେବେବି ସୁଧା ଦେଖିନାହିଁ ।”

                ଅଳକାନନ୍ଦା କହିଲେ “ବୀରବର୍ମା ନରରୂପୀ ଏକ ରାକ୍ଷସ । ସଂଧ୍ୟା ହେଉ ହେଉ ସେ ତୁମକୁ କୁମ୍ଭୀର ମୁହଁରେ ପକାଇବାକୁ ଏଠାକୁ ଆସିବ । ମୁଁ ତାକୁ କହିବି ଯେ ମୁଁ ତୁମକୁ ଯେତେବେଳେ କହିଲି ଯେ ତୁମର ଉତ୍ତର ଠିକ୍ ନୁହେଁ, ଠିକ୍ ସେତିକିବେଳେ ହଠାତ୍ ତୁମେ ଝରକା ବାଟେ ଡେଇଁ ଏଠାରୁ ପଳାଇଲ ।”

                ଶଭରୀ ପ୍ରକୃତରେ ଝରକା ବାଟ ଦେଇ ଡେଇଁ ବଗିଚାରେ ପଡିଲା ଓ ସେଠାରୁ ସେ ସିଧା ସମୁଦ୍ର ତଟରେ ଯାଇ ହାଜର୍ ହେଲା । ଜଣେ କେଉଟକୁ କିଛି ଟଙ୍କା ଦେଇ ସେହି ଦ୍ୱୀପରେ ସେ ଯାଇ ପହଁଚିଲା । ସେଠାରେ ସେ ପହଁଚିବା ମାତ୍ରେ ଜଣେ ନିଶୁଆ ବଡ ଉଚ୍ଚା ଲୋକ ଆସି ତାକୁ କହିଲା, “ତୁମେ କିଏ? କୌଣସି ଜଳଦସ୍ୟୁ ନୁହେଁ ତ?”

                ଏଣେ ଶଭରୀ ନିର୍ଭୟ ଭାବରେ କହିଲା, “ଗ୍ରହଣଛଟା ” ଏକଥା ଶୁଣି ସେ କହିଲା, “କ’ଣ ହେଲା? ଏ ସଂକେତ ତ ମୁଁ ଓ ନଗେନ୍ଦ୍ର ଛଡା ଆଉ କେହି ବି ଜାଣେନାହିଁ ।”

                ଶଭରୀ ଉଚ୍ଚ ସ୍ୱରରେ କହିଲା, “ଏଠାକୁ ଆସିବା ବାଟରେ ମୋର ଢାଲ ଓ ତରବାରୀ ସମୁଦ୍ରରେ କୁଆଡେ ଗଳିପଡିଲା ନହେଲେ ମୁଁ ତୋ ମୁଣ୍ଡ କାଟି ଦିଅନ୍ତି । ସେ କେବଳ ନଗେନ୍ଦ୍ର ନୁହେଁ, ନଗେନ୍ଦ୍ର ସିଂହ । ସେ ଏ ରାଜ୍ୟର ରାଜା ହେବାକୁ ଯାଉଛି । ସେ ଏକଥା ଶୁଣିଲେ ତୁମକୁ କାଟି ଏଇ ସମୁଦ୍ରରେ ଫିଙ୍ଗି ଦେବ ।”

                ପହରାବାଲା ପ୍ରଶ୍ନକଲା “ଯାହାଟାବି କହୁଛ, ଖୋଲି କରି କୁହ, କଥା କ’ଣ?”

                ଶଭରୀ କହିଲା “ତେବେ ଶୁଣ । ଶ୍ରୀ ନଗେନ୍ଦ୍ର ସିଂହ କାଲି ରାତିରେ ସେନାପତି ବୀରବର୍ମାର ଖାଦ୍ୟରେ ବାରପ୍ରକାରର ବିଷ ମିଶାଇ ଦେଇଛି । ବାର ଘଂଟା ପରେ ପରିଣତି ଦେଖାଦେବ । ତା’ପରେ ସେ ଏଠାକୁ ଆସି ରାଜାଙ୍କୁ ନେଇ – “ଏତିକି କଥା କହିବାପରେ ସେ ପହରାବାଲା ହଠାତ୍ ବାନ୍ତି କରି ମାଟି ଉପରେ ଗଡିପଡିଲା । ତାକୁ ଶଭରୀ ଭଲ କରି ବାନ୍ଧି ଦେଇ, ଅନ୍ୟ ପହରାବାଲାକୁ ଧମକ ଦେଇ ରାଜାଙ୍କୁ ମୁକ୍ତ କରି ଆଣିଲା ।”

                ଫେରିବା ବାଟରେ ହତବମ୍ବ ରାଜା ସଚେତନ ହୋଇ ପଚାରିଲେ, “ତୁମେ କିପରି ଜାଣିଲ ଯେ ସେ ବୀରବର୍ମା ବୋଲି?”

                ତା’ପରେ ସେ ଶଭରୀ କହିଲା, “ମହାରାଜ, କାଲି ମୁଁ ଅନୁମାନ କରି ଜାଣି ପାରିଲି ଯେ ସେ ଏହି ଦ୍ୱୀପକୁ ନିଶ୍ଚୟ ଆସିଥିବ । ତା’ଛଡା ତାକୁ ମୁଁ ସଙ୍କେତ କହିବାରୁ ସେ କହିଲା “ମୁଁ ଓ ନଗେନ୍ଦ୍ର ଛଡା ଏକଥା ଆଉ କେହିବି ଜାଣେ ନାହିଁ । ଏହିଥିରୁ ମୁଁ ବୁଝିଗଲି ଯେ, ସେହିଁ ବୀରବର୍ମା । ବିଷ ପ୍ରୟୋଗ କଥା ତ ମୁଁ ମିଛରେ କହିଲି । ସେ ମୋକଥା ଭାବିବା ମାତ୍ରେ ଭୟରେ ମୂର୍ଚ୍ଛା ହୋଇଗଲା । କେବଳ ବିଷ ଖାଇଛି ବୋଲି ଭାବିବା ମାତ୍ରେ ।”

                ଏଥିଉତାରେ ସେ ରାଜା ଶଭରୀକୁ ବହୁତ ପ୍ରଶଂସା କଲେ ଓ ପରଦିନ ରାଜସଭାରେ ରାଜା କହିଲେ, “ଏହି ବୀରଯୁବକ ଶଭରୀ ଯୋଗୁହିଁ ଆମ ରାଜ୍ୟ ଉପରେ ଥିବା ଗ୍ରହଣ ଆଜି ସବୁଦିନ ଲାଗି ଛାଡି ଗଲା । କେବଳ ସେହିଁ ରାଜକୁମାରୀଙ୍କୁ ବିବାହ କରିବେ ଓ ଏ ରାଜ୍ୟର ଭବିଷ୍ୟତ ରାଜା ହେବେ ।” ସଭାସଦବର୍ଗ ବହୁତ ଖୁସି ହୋଇ ରାଜାଙ୍କର ଏଭଳି ଘୋଷଣାକୁ ସମର୍ଥନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ