ଚାରୁ କୁମାରୀ କାହାଣୀ ।

ଧର୍ମ ଶାସ୍ତ୍ର କହେ – ପରସ୍ପର ଯାକୁ ହୁଅନ୍ତି ସଦୟ

ସୁଖରେ ଚନ୍ଦ୍ରମା ହୁଏ ତା ଉଦୟ ।

ବିପଦେ ବିଷାଦେ ବିଚ୍ଛେଦେ ସହସା

ମନ୍ଥି ମନ୍ଦ ଦଶା ଆସଇ ସୁଦଶା ।

ଗୋଟାଏ ବଡ ଅଜଗର ସାପ କୁଆଡେ ଥିଲା କେଜାଣି, ହଠାତ୍ ଆସି ଧରି ପକାଇଲା ବାଘର ଗୋଟିଏ ଗୋଡ । ବଳବାନ୍ ବାଘ । ଟିକିଏ ମାତ୍ର ଆଘାତ ପାଇଲା କ୍ଷଣି କୁଦି ଉଠିଲା ସେ ହାଉଁକରି । ସାପ ମୁଣ୍ଡରୁ ପୁଳାଏ କାମୁଡି ଧରିଲା ବେଳକୁ ସାପ ଯାଇ ବାଘର ଦେହସାରା ଘେରାଇ ଆଣିଲା ତା ଲାଙ୍ଗୁଡଟାକୁ । ଯେତେବେଳେ ସାପ କଟ କଟ କରି ଭିଡି ଆଣିଲା ଏବେ ଆଉ ବାଘ ବିଚରା ଯାଏ କୁଆଡେ?

ସାପ ଭିଡା, ଭାଲୁ ଆମ୍ପୁଡା, ଦାନ୍ତୁଡା ବାର୍ହା ମାଡ

ହାତୀର ଗୋଡ, ବାଘ ଚାପୁଡା ପିଞ୍ଜଇ ଗୋଡ ହାଡ ।

ମହାବଳ ବାଘଟାଏ ହେଲା ବୋଲି ସେ କ’ଣ ସାପ ଭିଡାରୁ ବଳେଇ ଯାଆନ୍ତା? ଦେଲା ଭିଡି ସେ । ହେଲେ ଗଡାଗଡି, ମଡାମଡି, ପଡାପଡି, ଭିଡାଭିଡି, ତଡାତଡି । ଖଣ୍ଡମଣ୍ଡଳ ସବୁ ଥରି ଥରି ଶେଷରେ ଖାଲ ଢିପ ସବୁ ସମାନ ହେଲା । ତଥାପି ବି ସେମାନେ କେହି କାହାରିଠାରୁ ଛଡାଛଡି ହେଲେନି ଶେଷରେ ସାପ ମଲା, ବାଘ ବି ମଲା, ସେଠାରେ କେବଳ ରକ୍ତଧାର ଛୁଟିବାକୁ ଲାଗିଲା ।

ତାପରେ ସୁରେନ୍ଦ୍ର ଚାଲିଲା ତା ଘୋଡାକୁ ଛୁଟାଇ ଦେଇ ଆହୁରି ଆଗକୁ । ଧୀରେ ଧୀରେ ରାତି ପାହି ଆସିଲା । କାଉ କୋଇଲି ସବୁ ବୋବାଇଲେ । ସୁରେନ୍ଦ୍ରର କିନ୍ତୁ ଆଦୌ ବିଶ୍ରାମ ନ ଥାଏ । କଦମ ପକାଇ ଘୋଡା ଛୁଟିଥାଏ ଠିକ୍ ତୀର ପରି । ବାଟରେ ଘାଟରେ ଯିବା ଆସିବା କରୁଥିବା ଲୋକମାନେ ତା’ର (ସୁରେନ୍ଦ୍ରର) ଚେହେରା ଦେଖି ତାକୁ ଖାଲି ଅଶ୍ଚର୍ଯ୍ୟ ହୋଇ ଅନାଉଥାଆନ୍ତି । ଏମିତି ଏମିତି ଏଠି ସେଠି ରହି ରହି ଶେଷରେ ସୁରେନ୍ଦ୍ର ଯାଇ ପହଁଚିଲା କେନ୍ଦୁଝରରେ ।

କେନ୍ଦୁଝର ରାଜବାଟୀଠାରୁ କୋଶେ ବାଟ ଛାଡି ବୈତରଣୀ ନଦୀ କୂଳରେ ଶୋଭା ପାଉଥାଏ ମେଘମାଳାର ଦୁର୍ଗ । ଶଙ୍ଖ ମଲମଲ ପଥରରେ ତାହା ତିଆରି । ଖରା ଆସିଲେ ଦୂରକୁ ଏହା ଚକ୍ ଚକ୍ କରି ଦେଖାଯାଏ । ଶହେ ସଖୀଙ୍କ ସଙ୍ଗେ ମେଘମାଳା ଅଛି ସେହି ଦୁର୍ଗରେ । ସେଠାରେ କେବଳ ନାରୀ କର୍ମଚାରୀ ଛଡା ପୁରୁଷ କର୍ମଚାରୀ କେହିବି ନ ଥାନ୍ତି । ପ୍ରତି ଚାରିଦିନରେ ରାଜା ଥରେ ଆସନ୍ତି ମେଘମାଳାକୁ ଦେଖିବାକୁ । ରାଣୀ କିନ୍ତୁ ନିତି ଆସନ୍ତି ସଂନ୍ଧ୍ୟା ବେଳେ । ସେ ତାଙ୍କ ଝିଅର ହାନି ଲାଭ ବୁଝନ୍ତି । କନ୍ୟାର କୋଉଥିରେ କିଛି ଅଭାବ ଅସୁବିଧା ଥିଲେ ରାଣୀ ତାଙ୍କୁ ବୁଝା ସଝା କରି ଯାଇ ରାଜାଙ୍କୁ କହନ୍ତି ।

                ସୁନା ପିଞ୍ଜରାରେ ପୋଷା ଶୁଆ ଦୁଧଭାତ ଥୁ ଥୁ କଲା ଭଳି ମେଘମାଳା ବି ଅତି ଅଲ୍ୟଳି ହୋଇ ବଢୁଥାଏ । ସେ ଯେତେବେଳେ ଯାହା ଚାହେଁ, ରାଜା ଖବର ପାଇଲା ମାତ୍ରେ ତାହା ତାକୁ ଯୋଗାଇ ଦିଅନ୍ତି । ଦିନକୁ ସାତପ୍ରକାର ପହରଣ ସେ ପିନ୍ଧେ, ସାତଥର ଗାଧାଏ । ଉପବନ ବିହାର କରେ । ସଖୀମାନେ ତାର କଳାବିଦ୍ୟାର ଚର୍ଚ୍ଚା କରନ୍ତି । ତାଙ୍କ ସଙ୍ଗେ ବସି ସେ ମେଘମାଳା ଖୁବ୍ ଆମୋଦ ପ୍ରମୋଦ ବି କରେ । ଖେଳ କୌତୁକରେ ମାତେ । ମନ ହେଲେ ବଣକୁ ଶିକାର କରିବାକୁ ଯାଏ । ଘୋଡା ଚଢେ, ନଈ ପହଁରେ । ସେ ସବୁକିଛି କରିପାରେ । ସେ ଯୁଦ୍ଧ ବିଦ୍ୟା ବି କିଛି କିଛି ଶିଖିଛି । ସେ ପାଠ ବି ପଢିଛି ଭଲ ଶିକ୍ଷକଙ୍କ ପାଖରେ । ଶାସ୍ତ୍ର, ପୁରାଣ ସବୁଥିରେ ଅଛି ତା’ର ଦକ୍ଷତା ।

                ଠିକ୍ ବର୍ଷକ ପୂର୍ବେ ସେହି ମେଘମାଳା ଦିନେ ତା ସଖୀମାନଙ୍କ ସଙ୍ଗେ ଯାଇଥିଲା ବନ ବିହାର କରିବାକୁ । ନାନା ସ୍ଥାନ ବୁଲି ନାନା ପ୍ରକାର ଦୃଶ୍ୟ ଦେଖି ସେ ଯାଇ ପହଁଚିଲା ଗୋଟିଏ ଗିରି ଦୁର୍ଗ ପାଖରେ । ଏସବୁ ଦେଖି ଭାରି ଖୁସି ଲାଗିଲା ତାକୁ । ସେ ଗିରି ଦୁର୍ଗ ଦୁଆରେ ଯୋଡିଏ ପଥରର ସିଂହ ବସିଥିଲା । ସେହି ଦୁଇ ସିଂହଙ୍କ ଆଖିରେ ଲାଗିଥିଲା ସୂର୍ଯ୍ୟମୁଖୀ କାଚ । ଟିକେ ଖରାତେଜ ଲାଗିଲା ମାତ୍ରେ ସେ କାଚରୁ ନିଆଁ ପରି ଯୋଡିଏ ସରୁଆ ଶିଖା ବାହାରି ଅନେକ ଦୂରଯାଏଁ ପଡେ । ସେହି ଶିଖାଟି ଦିନରେ ଲାଗିଲେ ଦିହ ଫୋଟକା ହୋଇଯାଏ । ଲୁଗାପଟା, କତା, କାଗଜ ଇତ୍ୟାଦିରେ ଲାଗିଲେ ସେସବୁ ଜଳି ଉଠେ । ଏହି ସବୁ ଦୃଶ୍ୟ ଦେଖି ତାକୁ ବଡ ଆଶ୍ଚର୍ଯ୍ୟ ଲାଗିଲା । ତେଣୁ ସେ ଭାରି ଇଛା କଲା ସେ ଗିରି ଦୁର୍ଗ ଭିତରଟା ବୁଲି ଦେଖିବାକୁ ।

କେତେ କାଳରୁ ସେହି ଦୁର୍ଗରେ କେହି ଚଳ ପ୍ରଚଳ ହେଉ ନଥିରୁ ତାର କାନ୍ଥ ବାଡରେ ଗଛ ଲତା ମାଡି ତାହା ଜଙ୍ଗଲିଆ ହୋଇଗଲାଣି । ସ୍ଥାନେ ସ୍ଥାନେ କଂଟା ଝଂଟା, ଅଳିଆ ଅସନା, ନାନାଜାତି ବିଷଧର ସାପ, ବିଛା, କଙ୍କଡାବିଛା ବୁଲୁଥାନ୍ତି ସାଲୁବାଲୁ ହୋଇ । ତା ଭିତରକୁ ଯିବାପାଇଁ ସାହାସୀ ଲୋକବି ତା ଛାତି ପତାଇବନି । ପାଦେ ପକାଇ ଆର ପାଦ ପକାଇଲା ବେଳକୁ ଯେମିତି ବିପଦ ଆସିବ । ସଖୀମାନେ ତା ପାଖରୁ ହଟି ଆସିବାକୁ କହିଲେ । ମେଘମାଳା କହିଲା – “ସେ କଥା ଆଉ ହୋଇ ପାରିବନି । ଦୁର୍ଗ ଭିତରେ କ’ଣ ଅଛି ମୋତେ ନିଶ୍ଚୟ ଦେଖିବାକୁ ପଡିବ ।”

ଏବେ ସଖୀମାନଙ୍କର ଆଉ ଚାରା କ’ଣ? ଚାକିରୀ ଝକମାରୀ କଥା । ମୁନିବର ମନ ମନାଇ ନ ପାରିଲେ ସବୁ ଶେଷ । ମନ ମାନିଥିବା ଯାଏଁ ସବୁ ଭଲ । ଟିକିଏ ବିଗିଡିଗଲେ ଜାଣ ସବୁ ଶେଷ । ତେଣୁ ସମସ୍ତ ସଖୀମାନେ ଶେଷରେ ବାଧ୍ୟ ହେଲେ ମେଘମାଳା କଥା ମାନି ସେ ଦୁର୍ଗ ଭିତର ବୁଲି ଦେଖିବା ପାଇଁ ।

ବାଟ ଖୋଜି ଖୋଜି ଯାଇ ସେମାନେ ପହଁଚିଲେ ଏକ ତୋରଣ ପାଖରେ । ଲୁହା କବାଟ, ଯନ୍ତ୍ର କିଳଣୀ ସାହାଯ୍ୟରେ ଖଞ୍ଜା ହୋଇଛି ଅଦ୍ଭୁତ କୌଶଳରେ । ମାତ୍ର ତା ଭିତରପଟ ବନ୍ଦ । ମେଘମାଳା ଆଦେଶ ଦେଲା ତା ସଖୀମାନଙ୍କୁ କବାଟ ପେଲିବା ପାଇଁ । ସମସ୍ତେ ମେଘମାଳା କଥା ମାନିଲେ, ଖୁବ୍ ଜୋର୍ରେ ଏକାବେଳକେ ସମସ୍ତେ ମିଶି ସେହି ଲୁହା କବାଟକୁ ଠେଲାପେଲା କଲେ, ମାତ୍ର ସେ ଶକ୍ତ ଦରୋଜା ଇଁଚେ ମାତ୍ର ବି ସେଠାରୁ ହଟିଲାନି କି ରଡ୍ ରଡ୍, ଚଡ୍ ଚଡ୍ ବି ଡାକିଲାନି । ସମସ୍ତେ ସେହି ଲୁହା କବାଟକୁ ପେଲି ପେଲି ଝାଳନାଳ ଏକଖଣ୍ଡ ହେବା ଦେଖି ଶେଷରେ ସେ ମେଘମାଳା ନିଜେ ଗଲା ଚେଷ୍ଟା କରିବାକୁ ।

ଆଶ୍ଚର୍ଯ୍ୟ କଥା, ଏତେ ବଡ ଅଭେଦ୍ୟ ବଜ୍ର ପରି ଲୁହା କବାଟ ଯୋଡାକ ମେଘମାଳାର ହାତ ବାଜିବା ମାତ୍ରେ ଆପଣା ମନକୁ ମେଲା ହୋଇଗଲା ଧଡ୍ ପଡ୍ ହୋଇ । ଛାତରେ ଓହଳିଥିବା ଚେମଣୀ ଚଢେଇଗୁଡାକ ଖାଲି କିଚିରୀ ମିଚିରୀ ଶବ୍ଦ କରି ଉଠିଲେ । ଏହି କୁମାରୀମାନେ ଦୁର୍ଗ ଭିତରକୁ ପଶିବା ଦେଖି ଚେମଣୀ ଚଢେଇଗୁଡାକ ଦଉଡିଲେ ସେହି କୁମାରୀମାନଙ୍କୁ କାମୁଡିବାକୁ ।

କାମୁଡି ପକାଇଲେ ମଧ୍ୟ । ସଖିମାନଙ୍କ ମଧ୍ୟରୁ କାହାର ନାକ, କାହାର କାନ, କାହାର ତାଳୁ ଖଣ୍ଡିଆ ହେଲା । କିଏ କହିଲା ମାଲୋ, କିଏ କହିଲା ବୋପାଲୋ, କିଏ କହିଲା ମରିଗିଲି, ପୁଣି କିଏ କହିଲା ରକ୍ତ ବୋହିଲା । ଏମିତି ଦଣ୍ଡକ ପାଇଁ ସେହିଠାରେ ହିଁ ଗୋଳ ଚହଳ ଲାଗିଲା । କେହି ଆଉ ସେ ଦୁର୍ଗ ଭିତରକୁ ଖୋଜେ ମାତ୍ର ଆଗେଇବା ପାଇଁ ସାହସ କଲେନି ।

ମେଘମାଳା ଦେଖିଲା ଚେମଣୀ ମାନଙ୍କୁ ଏଠାରୁ ନ ହଟାଇଲେ ଆଉ ଏ ଦୁର୍ଗ ଭିତରକୁ ଯାଇ ହେବନି । ତେଣୁ ସେ ଗୋଟିଏ ତୀର ମୁନରେ ନିଆଁ ହୁଳା ଜଳାଇ ତାକୁ ଛାଡିଦେଲା ଉପରଆଡେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ