ଚାରୁ କୁମାରୀ କାହାଣୀ ।

ତହୁଁ ମେଘମାଳା କହିଲା – “ଲାଭ ନ ହେଲେ ନାହିଁ । ମୁଁ ଚାରୁ ସାଙ୍ଗରେ ସଙ୍ଗାତ ବସିବି ।”

ମଣିଷ କହିଲେ – “ପଥର ପ୍ରତିମା ସଙ୍ଗେ ସଙ୍ଗାତ ହେଲେ ତୁମକୁ କି ଆନନ୍ଦ ମିଳିବ ଜେମାଦେଈ?”

ମେଘମାଳା କହିଲା – ସଙ୍ଗାତ ବସିବାଟା ତ ଆନନ୍ଦ । ସେଥିରୁ ଆଉ କିଛି ମିଳୁ କି ନ ମିଳୁ, ଅନ୍ତତଃ ମୋ ମନର ଆଶାଟା ମେଂଟିଯିବ ତ?

ତାପରେ ମଣିଷ କହିଲେ – ଯାହା ତୋ ଇଚ୍ଛା ମା? ମୋତେ ଯେତେବେଳେ ମଉସା ବୋଲି କହି ସାରିଲୁଣି, ସେତେବେଳେ ମୁଁ ତୋତେ ଦେଖୁଛି ମୋ କନ୍ୟା ଦୃଷ୍ଟିରେ । ତୋ ଇଚ୍ଛାରେ ତ ମୁଁ ଆଉ ତୋତେ ବାଧା ଦେଇ ପାରିବିନି । ଯଦି ଶ୍ରଦ୍ଧା ହେଉଛି ତେବେ ତୁ ଯାଇ ତା ସଙ୍ଗେ ସଙ୍ଗାତ ବସ ।

ଏ କଥା ଶୁଣି ମେଘମାଳା ଧର୍ମଦେବତାଙ୍କୁ ନମସ୍କାର କରି କହିଲା – “ପ୍ରଭୁ ଧର୍ମ ନିରଞ୍ଜନ! ତୁମକୁ ସାକ୍ଷୀ ରଖି ମୁଁ ଶପଥ କରୁଛି, ସଙ୍ଗାତ ମୋର ନିଜରୂପ ନ ପାଇବା ପର୍ଯ୍ୟନ୍ତ ମୁଁ କେବେବି ବିବାହ କରିବିନି ।

ତେବେ ମୂର୍ତ୍ତିଟା ଥର ଥର ହୋଇ କମ୍ପି ଉଠିଲା । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ତା’ପରେ ଭୂମିକମ୍ପର ସୂଚନା ଦେଖାଗଲା । ଥରଥର ହୋଇ ଥରି ଉଠିଲା ଦୁର୍ଗ ପ୍ରାଚୀର ଇତ୍ୟାଦି ସବୁ । ଜୀବନ୍ତ ମଣିଷ ହାତ ପରି ଲମ୍ବି ଆସିଲା ସେହି ମୂର୍ତ୍ତିର ହାତଟା ମେଘମାଳା ହାତ ପାଖକୁ । ମେଘମାଳା ବି ତା ହାତ ବଢାଇ ଦେଲା । ଦୁହେଁ ହାତ ମିଳାଇ ସଙ୍ଗାତ ବସିବା ପରେ ପଥର ହାତଟା ପୁଣି ଲେଉଟି ଗଲା ଯଥା ସ୍ଥାନକୁ । ଦୁର୍ଗ ଭିତରେ କିଏ ଜଣେ ଯେପରି ଅଟ୍ଟହାସ୍ୟ କରି ଉଠିଲା । ସେ ବିକଟାଳ ହସର ଲହରୀରେ ସମସ୍ତେ କାତର ହୋଇ ଠିଆ ହୋଇଥାନ୍ତି, ଠିକ୍ ଏତିକିବେଳେ ଶୁଣାଗଲା ଏକ ଶୂନ୍ୟ ବାଣୀ ।

“ରାଜକୁମାରୀ ମେଘମାଳା! ଖୁବ୍ ଦୁଃସାହସ କରିଛୁ ତୁ । ସଙ୍ଗାତକୁ ମୁକ୍ତ ନକରିବା ଯାଏଁ ଅବିବାହିତ ରହିବୁ କାହିଁକି? ମୋତେ ବିବାହ କର । ଏହି କ୍ଷଣି ସଙ୍ଗାତ ତୋର ବଂଚି ଉଠିବ ।”

ମେଘମାଳା ପଚାରିଲା – “ତୁମେ କିଏ?”

ଉତ୍ତର ଆସିଲା – “ମସ୍ତକ ଶୂନ୍ୟ ପ୍ରେତଃ । ମୁଁ କେବଳ ଚାରୁ କୁମାରୀକୁ ପାଇବା ପାଇଁ ଗୋଟାଏ ରାଜବଂଶକୁ ନିପାତ କରିଛି । ରାଜା ବି ନିପାତ ହୋଇଥାନ୍ତେ । ତାଙ୍କୁ କେବଳ ମୁଁ ବଂଚାଇ ରଖିଛି କନ୍ୟା କର୍ତ୍ତା ହେବାପାଇଁ । ଦିନ ଆସିବ, ପାଷାଣୀ ଚାରୁ କୁମାରୀ ନିଶ୍ଚେ ରାଜି ହେବ ମୋତେ ବିଭା ହେବାକୁ ।

ମେଘମାଳା କହିଲା – “ଦୁଃସାହସ ତ କିଛି କମ୍ ନୁହେଁ ତୁମର ମୁଣ୍ଡହୀନ ପ୍ରେତ! ମନୁଷ୍ୟ ପୁଣି ଓଡିଆଣୀ ଝିଅର ଶକ୍ତି ଏତେ କମ୍ ବୋଲି ଜମା ଭାବନା । ସେମାନେ ଚାହାଁନ୍ତି –

ନିଜ ବଚନର                                             ଅଟଳତା ରଖି

                       ବିଶ୍ୱେ ହେବେ ଶତ କନ୍ୟା

ଭସାଇ ନ ନେବ                                         କଦାପି ତାହାଙ୍କୁ

                       କାହାରି ଧମକ ବନ୍ୟା ।

ଶରୀର ତେଜିବେ                                         ପଣ ନ ତେଜିବେ

                       ନ ଟଳାଇ ଦମ୍ଭ ଗର୍ବ

କେତନ ଟେକିବେ                                        ଗଗନ ପବନେ

                       ପୋତି ବିଶ୍ୱେ କୀର୍ତି ସ୍ତମ୍ବ ।

ପୁଣି ପ୍ରେତଟା ଅଟ୍ଟହାସ୍ୟ କରି ଉଠିଲା । ତା’ପରେ ସବୁ ଚୁପ୍ । ମେଘମାଳା ସେତେବେଳକୁ ରାଗରେ ନାଲି ପଡି ଯାଇଥାଏ । ସେ ମୁଣ୍ଡହୀନ ପ୍ରେତ ପ୍ରତି ତା’ର ଏପରି ଘୃଣା ଭାବ ଆସି ଯାଇ ଥାଏ ଯେ, ସେ କଥା ବଚନରେ କହିଲେ ଆଦୌ ସରିବନି ।

                ତା’ର ଏଭଳି ଅବସ୍ଥା ଦେଖି ସଖୀମାନେ ମେଘମାଳାକୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କଲେ । ମାତ୍ର ମେଘମାଳା ସେ କଥା ପ୍ରତି କର୍ଣ୍ଣପାତ ନକରି କହିଲା – “ଚାଲ ଏଥର ଆମେ ଉଆସକୁ ଫେରିଯିବା । ମଉସା ବି ଆମ ସଙ୍ଗରେ ଯିବେ । ମୁଁ ପ୍ରତିଜ୍ଞା କରୁଛି, ସଙ୍ଗାତକୁ ନିଶ୍ଚେ ଜୀବଦାନ ଦିଆଯିବ । ଦିହେଁ ଯାକ ଏକ ସମୟରେ ଗୋଟିଏ ବରକୁ ବିଭା ହେବୁ । ଏହା ଯଦି ନ ହୁଏ, ତେବେ ମୁଁ ନିଶ୍ଚୟ ଆତ୍ମହତ୍ୟା କରିବି ।”

ତା’ପରେ ସମସ୍ତେ ଫେରିଗଲେ ମେଘମାଳା ନିବାସକୁ । ଚାରୁର ବାପା ବି ସେମାନଙ୍କ ସଙ୍ଗରେ ଗଲେ । ମେଘମାଳାକୁ ସେ ଏତେ ମାତ୍ରାରେ ଭଲ ପାଇ ଯାଇଥିଲେ ଯେ, ତାକୁ ଛାଡି ରହିବାକୁ ତାଙ୍କ ମନ ଆଦୌ ରାଜି ହେଲାନି ।


ଗପ ସାରଣୀ

ତାଲିକାଭୁକ୍ତ ଗପ