ନନ୍ଦିତା କୁମାରୀ କାହାଣୀ

“ଯେତେ ଅଛନ୍ତି…କଅ…ମୁଣ୍ଡୀ

ସବୁଯାକ ଅସଲ ହୁଣ୍ଡୀ ।

ଘର ଦୂଆର ବାପ ମାଆ

ଛାଡି ବୁଲନ୍ତି ଭାଆଁ ଭାଆଁ ।

କଅ ଲାଗି ହେବ ଚିହ୍ନା ପରୁଚ

କଅ କହିବାରୁ ଚିଡି ମରୁଚ?

ଛି, ଏଡେ ଓଲମିଗୁଡାକ ।

ଠିକ୍ ସେତିକିବେଳକୁ ମହର୍ଷି ବାମଦେବ ଦୂରରୁ ଏ ସଖୀ ଦୁହିଁଙ୍କୁ ଓ କିଶୋର ପ୍ରତାପକୁ ଦେଖି ସବୁ କଥା ଆଗରୁ ଜାଣି ପାରିଥିଲେ । କାରଣ ସେ ଥିଲେ ଜଣେ ତ୍ରିକାଳଜ୍ଞ ଓ ବ୍ରହ୍ମବେତ । ଏହି ଜଗତର ବା କେଉଁ କଥାଟା ଅଜଣା ଅଛି ତାଙ୍କୁ । ସେ ତ ଏହି ଯାତ୍ରାକୁ ଆସିଛନ୍ତି କେବଳ ସେହି ଦୁଃଖିନୀ ମାନଙ୍କୁ ସେମାନଙ୍କ ଜୀବନ ରାଜ୍ୟରେ ଆଲୋକ ପ୍ରଦାନ କରିବାକୁ । ତେଣୁ ସେ ଋଷି ଜଣକ ସମସ୍ତ କଥା ଜାଣିପାରି ନନ୍ଦିତା ଓ ପୁଷ୍ପା ମଧ୍ୟରେ ଦେଖା ଶୁଣା କରାଇ ସାରି ଥିଲେ । ବର୍ତ୍ତମାନ ବନଲତା ଓ ଗୀତା ଏକାଠି ହେବାର ଦେଖି ଋଷି ତୁରନ୍ତ ଏମାନଙ୍କୁ ଡାକିନେଲେ ସେଠିକି । ସେହିଠାରେ ହିଁ ଏହି ଚାରି ସଖୀଙ୍କର ଅନାହତି ଭାବରେ ହଠାତ୍ ମିଳନ ହେଲା । କନ୍ଦାକଟା ଓ କୋଳାକୋଳିର କୌଣସି ସୀମା ରହିଲାନି ।

ଠିକ୍ ସେତିକିବେଳେ କିଶୋର ପ୍ରତାପ ହସି ହସି କହିଲା –

                “ସବୁରି ମୁଣ୍ଡରେ ‘କ’ ର ବସା

                ଆଉ କଥାମାନ ଫସର ଫସା ।”

କିଛି ସମୟ ଏହିପରି ଆନନ୍ଦ କୋଳାହଳ ଭିତରେ କଟିଗଲା । ଚାରିଜଣ ଯାକ ଖାଲି ଚାରି ଜଣଙ୍କୁ କୁଣ୍ଢାଇ କାନ୍ଦିଲେ । କିଏ କେଉଁଠି କିପରି ଭାବରେ ଥିଲା ଏବଂ କିପରି ସେଠାରୁ ଗଲା, ପୁଣି ଏଠାକୁ ସେ କିପରି ଆସିଲା ସବୁକଥାଯାକ ପଚରା ପଚରି ହେଲେ । ଜଣେ କହିଲା – “ଏହି ବାଲିରେ ବସ ।”

ସମସ୍ତେ ତା’ କଥା ମାନି ସେହି ବାଲିରେ ବସିଲେ । ଏଣେ ସମସ୍ତଙ୍କର ତ ମନ ରହିଲା ପରସ୍ପରର କଥା ଶୁଣିବାରେ । କିଶୋର ପ୍ରତାପ ଓ ବାମଦେବ ବାବା ଏହି ପରି ସୁଯୋଗ ଦେଖି ତୁରନ୍ତ ଗଲେ ଗାଧୋଇବାକୁ ।

ଏହି ସମୟରେ ପ୍ରବୀରର ଅନୁଚର ଆସି ସେହି କନ୍ୟାମାନଙ୍କୁ ଦେଖିଲା ଏବଂ ସେହି ପଳାତକୀ କନ୍ୟା ମାନଙ୍କୁ ଠିକ୍ ଭାବରେ ଚିହ୍ନି ପାରି ତୁରନ୍ତ ଯାଇ ସେହି ଖବର କହିଦେଲା ପ୍ରବୀରକୁ । ସେ ଖବର ପାଇ ପ୍ରବୀର କି ଆଉ ଖାଲ ଖମା କିଛି ମାନେ? ବୀରଶୂର ପ୍ରତାପରେ ସେ ଛୁଟି ଆସିଲା । ଗୁଣ୍ଡାଯାକ ମଧ୍ୟ ବି ପେଣ୍ଡା ବାନ୍ଧି ଧପାଲିଲେ । ଏଣେ ଛେଳି ମେଁ ମେଁକୁ ମେଣ୍ଢା ଭେଁ ଭେଁ । ତେଣେ ପୁଣି କଟୁରୀ କହିଲାଣି କେଁ କେଁ । ଝିଅ ଚାରୋଟି ସେହି ଗୁଣ୍ଡା ମାନଙ୍କୁ ଦେଖି ଖାଲି ପୂର୍ବକଥା ମନେ ପକାଇ ନିଜ ନାକ କରୁଛନ୍ତି ସେଁ ସେଁ । କିଶୋର ପ୍ରତାପ ଓ ବାମଦେବ ବାବା ତ ଯାଇଛନ୍ତି ଗାଧୋଇ । ତୁରୀ ବାଜିଲା ପେଁ ପେଁ । ହଠାତ୍ ସମସ୍ତ କନ୍ୟାମାନେ ପଡିଗଲେ ପ୍ରବୀରର ଗୁଣ୍ଡା ମାନଙ୍କ ଘେରରେ ।

ପ୍ରବୀର ହୁକୁମ୍ ଦେଲା ଜଲ୍ଦି ସେ ଚାରିଝିଅଙ୍କୁ ବାନ୍ଧି ପକାଅ । ଗୁଣ୍ଡାଯାକ ମଧ୍ୟ ସଙ୍ଗେ ସଙ୍ଗେ ପ୍ରବୀରର ସେହି ଆଦେଶକୁ ପାଳନ କଲେ । ସେହି ଝିଅମାନେ ଯେତେ କନ୍ଦାକଟା ବା ପାଟିତୁଣ୍ଡ କଲେ ସେସବୁକୁ ଶୁଣୁଛି ବା କିଏ? ଜୋର୍ ଯାର୍ ମୁଲକ ତା’ର । ଅନ୍ୟାୟରେ ଗୁଣ୍ଡାମାନେ ପୁଣି ସେହି ଝିଅମାନଙ୍କୁ ବନ୍ଧାବନ୍ଧି କରି ପକାଇଲେ, ତେଣେ ଲୋକମାନେ ତ ଅଛନ୍ତି ଯାତ୍ରା ଗୋଳରେ । ନିରୋଳା ସ୍ଥାନରେ ତ ଲାଗିଛି ବନ୍ଧାବନ୍ଧି କନ୍ଦାକନ୍ଦି । ଏତେ କଥା ଆଉ ଜାଣୁଛି ବା କିଏ?

ନଦୀ କୂଳରେ ପ୍ରବୀରର ଡଙ୍ଗା ପ୍ରସ୍ତୁତ ଅଛି । ସେହି ପର୍ଯ୍ୟନ୍ତ ଟଣା ଓଟରା କରି ନେଇଗଲେ ଦଫାରଫା ସବୁ ଏକତରଫା ହୋଇଯିବ । ଆଉ ପରବାଏ କ’ଣ? ସେହି ଗୁଣ୍ଡା ମାନେ ଘୋଷାଡି ଓଟାରି ଝିଅମାନଙ୍କୁ ନେଇ ଗଲେ ।

ତ୍ରିକାଳଜ୍ଞ ମହର୍ଷି ଜଣକ ଏଣେ ନିଜ ସ୍ନାନ ସାରି ଧର୍ମ ଦେବତାଙ୍କୁ ଜଳ ଅଞ୍ଜୁଳି ଟେକିଲା ବେଳେ ହଠାତ୍ ଜାଣିପାରିଲେ ଯେ ସେହି କୁମାରୀ ମାନଙ୍କ ଉପରେ ବିପଦ ପଡିଲା । ତେଣୁ ସେ ସଙ୍ଗେ ସଙ୍ଗେ କିଶୋର ପ୍ରତାପକୁ କହିଲେ, ଯୁବରାଜ! ତୁମେ ଯାଇ ଶୀଘ୍ର ଶୁଣାଇଦିଅ –

                କାହା ପାଖେ ଅଛି ଟୁଙ୍ଗୁଣୀ ଠେଙ୍ଗା

                ଶୀଘ୍ର କିମ୍ପା ନ କରୁଛ ବେଙ୍ଗା?

ଏ କଥା ଶୁଣିବା ମାତ୍ରେ କିଶୋର ପ୍ରତାପ ତୁରନ୍ତ ଦଉଡିଲେ ଅଣନିଃଶ୍ୱାସୀ ହୋଇ । ବନ୍ଧା ହୋଇ ଘୋଷଡା ହେଉଥିବା କୁମାରୀ ମାନଙ୍କ ପାଖରେ କିଶୋର ପ୍ରତାପ ଯାଇ ସେହି କଥାଟି କହିଲା ଖୁବ୍ ବଡ ପାଟିରେ । ଗୀତା କିଶୋରର ଏ କଥା ଶୁଣିଲା । ତାର ମଧ୍ୟ ହଠାତ୍ ମନେ ପଡି ଗଲା ସେହି ଠେଙ୍ଗା କଥା । ସେ କି ଆଉ କିଛି କଥା ମାନେ? ଚଟ୍ କରି ଫୁକାରିଦେଲା ସେହି ଠେଙ୍ଗାକୁ ।”

ସେହି କ୍ଷଣି ଉଠିଲା ଟୁଙ୍ଗୁଣୀ ମୁଙ୍ଗୁଣୀ ଠେଙ୍ଗା । କୁଟିଲା କୁଟିଲା ଖାଲି ପାହାର ଉପରେ ପାହାର ଧନାଧନ, ସନାସନ, ଟନାଟନ୍, ଘନାଘନ୍ । ନିସ୍ତୁକ ମାଡ ଖାଇ ଗୁଣ୍ଡାଯାକ କେବଳ ମେଣ୍ଢା ପରି ରଡି ପକାଇଲେ । ପ୍ରବୀରଟା ଅବୀର ପରି ଖାଲି ମେଁ ମେଁ କରୁଥାଏ ସେ ନିର୍ଘାତିଆ ପାହାର ଖାଇ । ପାହାର ଉପରେ ପାହାର । ହାଲ୍ ହକୀୟାତ୍ ରହିଲାନି । କାହାର ନାକ କାହାର କାନ ଫାଟିଲା । କାହାର ଦାନ୍ତ ମଧ୍ୟ ଝଡି ଗଲା। କହାର ପୁଣି ଡେଣା, କାହାର ବି ଅଂଟା ଭାଙ୍ଗିଲା । ଦେଖୁ ଦେଖୁ ଗୁଣ୍ଡାମାନେ ସମସ୍ତେ ଲମ୍ବଜାଲ ହୋଇ ସେହିଠାରେ ହିଁ ଶୋଇଲେ । ତେବେ ବି ସେହି ଗୁଣ୍ଡା ମାନଙ୍କ ଉପରେ ପାହାର ସେମିତି ଚାଲିଥାଏ । ସେମାନଙ୍କର ଏଭଳି ହୋ, ହୋ, ଧୋ, ଧା ଶୁଣି ହଜାର ହଜାର ଲୋକ ସେଠାକୁ ଦଉଡିଲେ ଦେଖିବାକୁ । କିଶୋର ପ୍ରତାପ ସେହି କୁମାରୀ ମାନଙ୍କୁ ଗୁଣ୍ଡା ମାନଙ୍କ ବନ୍ଧନରୁ ମୁକ୍ତ କରି ସେମାନଙ୍କୁ ନେଇ ବସାଇଲା ଖଣ୍ଡେ ଆମ୍ବତୋଟା ଭିତରେ । ଠିକ୍ ଏହି ସମୟରେ ବାମଦେବ ବାବା ଆସି ସେଠାରେ ପହଁଚିଲେ । ସେ କହିଲେ – ‘ଏମାନଙ୍କୁ ଆମେ ଆଗେ ହାତକୁ ଦି’ହାତ କରାଇଦେବା । ତା’ପରେ ଯାଇ ଅନ୍ୟ ଯୋଉ କଥା ।’

କିଶୋର ପ୍ରତାପ ବାମଦେବଙ୍କ ଏହି କଥା ଶୁଣି ମଦନମୋହନଙ୍କ ଆଜ୍ଞାରେ ଯେଉଁ ମୋତି ମାଳ ଆଣିଥିଲା, ତାକୁ ସେହି କନ୍ୟାମାନଙ୍କୁ ଦେଇ କିଶୋର କହିଲା – “ଏହା ପ୍ରଭୁଙ୍କ ଆଜ୍ଞାମାଳ । ଏହାକୁ ତୁମେ ମନାସ କରି ପଠାଇଦିଅ । ପ୍ରକୃତରେ ବିଧାତା ହିଁ ତୁମ ପାଇଁ ବର ଖଞ୍ଜିଛି, ସେହି ମାନଙ୍କ ଗଳାରେ ହିଁ ଏହି ଆଜ୍ଞାମାଳ ଯାଇ ପଡିବ । କୁମାରୀମାନେ ମଧ୍ୟ କିଶୋରଙ୍କ କଥା ମାନି ବରଣମାଳା ଛାଡିଲେ ।

ଏଣେ ସାଧାରଣ ଲୋକେ ଗୋଳମାଳର ସଠିକ୍ କାରଣ ବୁଝି ସେହି ପ୍ରବୀର ଦଳକୁ ବାନ୍ଧି ପକାଇଲେ । ସଭା ବସିଲା । ବାମଦେବ ବାବା ଓ କିଶୋର ପ୍ରତାପ ସେହି କୁମାରୀ ମାନଙ୍କ ପ୍ରକୃତ ପରିଚୟ ଦେଇ ସେମାନଙ୍କ ଦୁଃଖ କଥାଯାକ ସମସ୍ତଙ୍କୁ ଟିକିନିଖି କରି ବୁଝାଇ ଦେଲେ । ସବୁ କଥା ଶୁଣି ସାରି ସମସ୍ତେ କହିଲେ –

“ଯେସାକୁ ତେସା । ହାରାମଯାଦାକୁ ଟାଙ୍ଗିଆ ଭୂଷା ।”

ଏହି ଚାରୋଟି ଅପୂର୍ବ କୁମାରୀଙ୍କୁ ବିଭା ହେବା ପାଇଁ ସେହି ଗୋଦାବରୀ ନଦୀର ସେ ପାଖରେ ଚାରୋଟି ରାଜପୁତ୍ର ବର୍ଷେ ହେଲା ତପସ୍ୟା କରୁଥିଲେ । ଏହି କନ୍ୟା ମାନଙ୍କ ମୋତିମାଳା ଉଡି ଉଡି ଯାଇ ଠିକ୍ ସେହି ରାଜପୁତ୍ର ମାନଙ୍କ ଗଳାରେ ପଡିଲା ।

ଏହାଦ୍ୱାରା ହଠାତ୍ ସେହି ରାଜପୁତ୍ର ମାନଙ୍କର ଧ୍ୟାନ ଭଗ୍ନ ହେଲା । ସେମାନେ ନିଜ ନିଜର ଧ୍ୟାନ ଭାଙ୍ଗି ଦେଖିଲେ – ସେମାନଙ୍କୁ ଏସବୁ ବହୁତ କିଛି ଆଶ୍ଚର୍ଯ୍ୟ ପରି ଲାଗିଲା । ପ୍ରକୃତ କଥାଟା କ’ଣ ବୁଝି ନ ପାରି ସେମାନେ ଖାଲି ଚେଷ୍ଟା କଲେ ନିଜ ନିଜ ଗଳାରେ ଥିବା ମାଳାଗୁଡିକ କାଢି ପକାଇବାକୁ । ମାତ୍ର ସେ ଆଶ୍ଚର୍ଯ୍ୟମାଳ ଆଉ ସେହି ରାଜ ପୁତ୍ର ମାନଙ୍କ ଗଳାରୁ ମୋଟେ ବାହାରିଲାନି । ତେଣୁ ସେମାନେ ଆଶ୍ଚର୍ଯ୍ୟ ହୋଇ କହିଲେ – “ଭଗବାନ! ଏ କି ପରୀକ୍ଷା ଚଳାଇଛ?

ହଠାତ୍ ଶୂନ୍ୟରୁ ଶୁଣାଗଲା – ତୁମ୍ଭମାନଙ୍କ ପରୀକ୍ଷା ଶେଷ ହୋଇ ଯାଇଛି । ଯେଉଁ ମାନଙ୍କ ପାଇଁ ତୁମେ ତପସ୍ୟା କରୁଥିଲ – ସେମାନେ ନଦୀ ଆର ପାରିରେ ରହି ତୁମ ମାନଙ୍କ ପାଇଁ ବରଣମାଳା ପଠାଇଛନ୍ତି । ଏଣୁ ତୁମର ମଧ୍ୟ ଉଚିତ୍ ଗୋଟିଏ ମାଳା ବିନିମୟ କରିବା ।

ଏକଥା ଶୁଣି ରାଜ କୁମାର ମାନେ ସେହି ସଜଫୁଲରେ ଗୋଟିଏ ଗୋଟିଏ ମାଳା ଗୁନ୍ଥି ତା’ର ପଦକ ସ୍ୱରୂପ ନିଜ ନିଜ ନାମ ଗୁଡିକ ଯୁକ୍ତ କଲେ ଏବଂ ତାକୁ କହିଲେ –

ଯଦି ହୋଇଥିବୁ ସତ୍ୟର ମାଳ ଦୋହଲି ଦୋହଲି ଯିବୁ,

ଯେ ଦେଇଛି ମାଳ ମୋ ଗଳାରେ ତୁହି ତାହା ଗଳେ ଲଟକିବୁ ।

ଫୁଲମାଳ ଧୀରେ ଧୀରେ ଉଡିଲା । ରାଜପୁତ୍ରମାନେ ନଦୀ ପାରହୋଇ ତା’ ପଛେ ପଛେ ଚାଲିଲେ । ସେଠାରେ ତ କୁମାରୀ ମାନେ ବସିଥାନ୍ତି । ପୁଣି ସେହି କୁମାରୀ ମାନଙ୍କ ନିକଟରେ ବାମଦେବ ବାବା ଓ କିଶୋର ପ୍ରତାପ ମଧ୍ୟ ଠିଆ ହୋଇଥାନ୍ତି । ଏତିକିବେଳେ କନିକା ରାଜପୁତ୍ର ରାମେଶ୍ୱର ଭଞ୍ଜ ପଠାଇଥିବା ମାଳାଟି ଯାଇ ପଡିଲା ବନଲତା ଗଳାରେ ।

ବନଲତା ଦେଖିଲା ତା ମୋତିମାଳାଟି ଯାହା ଗଳାରେ ପଡିଛି, ସେ ତୁରନ୍ତ ଉଠିଯାଇ ତାକୁ ନମସ୍କାର କଲା । ଆଠଗଡ ରାଜପୁତ୍ର ନାମ ବିକ୍ରମ ଦେବ । ତା’ ମାଳଟି ପଡିଲା ଯାଇ ସିଧା ଗୀତା ଗଳାରେ । ଗୀତା ପଠାଇଥିବା ମାଳା ଯାହା ଗଳାରେ ଥିଲା, ସେ ମଧ୍ୟ ଆସି ତାକୁ ପ୍ରଣାମ କଲା । ଏହି ପ୍ରକାରେ ନନ୍ଦିତାକୁ ପାଇଲା ବଉଦ ରାଜପୁତ୍ର ସୋମେଶ୍ୱର ଏବଂ ପୁଷ୍ପାକୁ ପାଇଲା ଖେମଟି ରାଜପୁତ୍ର ଗୋପୀ ବଲ୍ଲବ । ଏଣିକି ସମସ୍ତେ ଖୁସି ହେଲେ । ସମସ୍ତେ ହାତ ଧରାଧରି ହୋଇ ବାମଦେବ ବାବାଙ୍କ ନିକଟକୁ ଯାଇ ତାଙ୍କୁ ନମସ୍କାର କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ