ବହ୍ନି ଦ୍ୱୀପ

                ସବୁ ଶୁଣି ସେ ରାକ୍ଷସ ଉଗ୍ରାକ୍ଷ ସ୍ତବ୍ଧ ହୋଇ ପିଲାକୁ ଲକ୍ଷ୍ୟ କରି କହିଲା, “ବୁଝିଲି । ତୁ ତେବେ ରଜାର ଗୋଠ ଜଗୁଆଳିର ପୁଅ! ତୋ’ ନାମ ଯୁବରାଜ ରଖି ମୋତେ ଧରାଇ ଦେଲେ! ସେମାନେ କେଡେ ଦଗାବାଜ୍! ଏଥର ମୁଁ ସେମାନଙ୍କୁ ଭଲକି ପାନେ ଦେବି । ସେମାନେ କାହା ସହିତ ଖେଳ ଖେଳୁଛନ୍ତି ଜାଣି ନାହାଁନ୍ତି ବୋଧେ? ବୋଧେ ଭୁଲିଯାଇଛନ୍ତି ମୁଁ କିଏ!”

                ରାକ୍ଷସ ଉଗ୍ରାକ୍ଷ ସେ ପିଲାକୁ କାନ୍ଧରେ ବସାଇ ପୁଣି ପ୍ରାସାଦ ଆଡେ ଫେରି ଚାଲିଲା । ଦୁର୍ଗ ସାମ୍ନାରେ ଥିବା ମଇଦାନ୍ ଭିତରେ କେତେଜଣ ଘୋଡାସବାର୍ ଠିଆ ହୋଇଥିବାର ସେ ଦେଖିଲା । କିନ୍ତୁ ଆଉ ଟିକିଏ ଅଗ୍ରସର ହୋଇ ସେ ଦେଖିଲା, ସେ ଘୋଡାସବାରମାନଙ୍କ ଭିତରେ ସେନାପତି ଅମରପାଳ ବି ଅଛି । ଖାଲି ସେତିକି ନୁହେଁ, ଅମରପାଳ ସହ ଗୋଟିଏ ଚକ୍ମକ୍ ପୋଷାକ ପିନ୍ଧିଥିବା ବାଳକ ବି ଅଛି । ଚିତ୍ରସେନ ତା’ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ କି ବୋଲି ତା’ ମନରେ ଯେଉଁ ପ୍ରଶ୍ନ ଉଠିଥିଲା, ସେ ପ୍ରଶ୍ନ ଦୂର ହୋଇଗଲା । ତା’ପରେ ସେ ଭାବିଲା ଏ ବାଳକଟି ନିଶ୍ଚୟ ରାଜକୁମାର ହୋଇଥିବ!

                ଅମରପାଳ କହିଲା, “ରାକ୍ଷସରାଜ! ପୁଣି ଥରେ ଆମ ଦାସୀମାନେ ତମକୁ ଠକି ଦେବାକୁ ଚେଷ୍ଟା କରୁଥିଲେ । କିଛି ମନେ କରିବ ନାହିଁ । ବର୍ତ୍ତମାନ ଏ ଅସଲ ରାଜକୁମାରକୁ ନେଇ ଯାଇପାର ।”

                “ସବୁ ଦୋଷ ଦାସୀମାନଙ୍କର?” ଉଗ୍ରାକ୍ଷ କ୍ରୋଧ ଦମନ କରି ହସି ଦେଲା । କହିଲା ଏଥର ତମେ ଯେ ପୁଣି ମୋତେ ଭୁଲାଇବାର ଚେଷ୍ଟା କରୁନାହଁ, ସେକଥା କିଏ କହିବ?”

                “ନା, ଉଗ୍ରାକ୍ଷ, ଏ ବାଳକ ରାଜା ଚିତ୍ରସେନଙ୍କ ପ୍ରଥମ ପୁତ୍ର ରାଜକୁମାର ଅମିତସେନ ।” ଅମରପାଳ ଏକଥା କହିଲା, କିନ୍ତୁ ତା’ କଣ୍ଠସ୍ୱରରେ ଥିଲା ବିରକ୍ତି ଓ ଅସନ୍ତୋଷ ।

                 ଉଗ୍ରାକ୍ଷ ସେ ପିଲାକୁ ଭଲ କରି ଲକ୍ଷ୍ୟ କଲା । ଏଥର ତା’ର ମନେ ହେଲା, ଇଏ ସତ ରାଜକୁମାର । ସେ କହିଲା, “ଦୁଇ ଦୁଇଥର ମୋତେ ଖଟାଇଲ, ନିଜେ ବି ନିଜର ବଦ୍ନାମ କଲ । ମୋର ମିତ୍ର ହେବା ସତ୍ତ୍ୱେ ରାଜା ଚିତ୍ରସେନ ଯେ କାହିଁକି ଏପରି କଲେ, ସେକଥା ମୁଁ ମୋଟେ ବୁଝିପାରୁ ନାହିଁ ।”

                ତାଙ୍କ କଥା ଶୁଣି ଅମରପାଳ କହିଲା “ରାକ୍ଷସ! ତମେ ମଣିଷ ବାପମା’ଙ୍କ ବେଦନା କଥା କ’ଣ ବା ବୁଝିବ? ବର୍ତ୍ତମାନ ରାଣୀ କାନ୍ତିମତି ଚେତା ହରାଇ ଅନ୍ତଃପୁରରେ ପଡିଛନ୍ତି । ରାଜା ଶୋକରେ ମୃହ୍ୟମାନ ହୋଇ ନିଜ କକ୍ଷରୁ ବାହାରୁ ନାହାଁନ୍ତି । ରାଜା ଦିନେ ନଭାବି ନଚିନ୍ତି ତମକୁ କଥା ଦେଇ ପକାଇଥିଲେ । ଆଜି ତାଙ୍କୁ ତା’ର ପରିଣାମ ଭୋଗିବାକୁ ପଡୁଛି । ତମର ଭାବ ଅଛି ନା ଆବେଗ ଅଛି ଯେ ତମେ ସେସବୁ ବୁଝିବ? ହେଉ, ଏଥର ଯାଅ ।”

ଉଗ୍ରାକ୍ଷ କହିଲା, “ଅବଶ୍ୟ ଅବଶ୍ୟ । ମୋ କାମ ହୋଇ ଯାଇଛି ।” ତା’ପରେ ରାଜକୁମାରକୁ କାନ୍ଧରେ ବସାଇ ସେ କହିଲା, “ମୁଁ ଆଉ ଦିନେ ଆସି ରାଜାଙ୍କ ସହ ସାକ୍ଷାତ କରିବି ।”

“ଦେଖ ରାକ୍ଷସ, ରାଜକୁମାରଙ୍କୁ ଯେପରି କୌଣସି କଷ୍ଟ ନ ହୁଏ । ଅତି ସାବଧାନରେ ତାଙ୍କୁ ପାଳିପୋଷି ବଡ କରିବ । ବୁଝିଲ? ଅମରପାଳ ଏହା କଠୋର କଣ୍ଠରେ କହିଲା ।

ଅମରପାଳ ଖୁବ୍ ଉତ୍ତେଜିତ ବୋଲି ବୁଝିପାରି ଉଗ୍ରାକ୍ଷ କହିଲା, “ଆଜିଠାରୁ ଇଏ ଆଉ ରାଜା ଚିତ୍ରସେନଙ୍କ ପୁତ୍ର ଅମିତସେନ ନୁହେଁ; ମୋ ପୁଅ ଉଗ୍ରଦତ । କଣ ବୁଝିଲ ତ?”


ଗପ ସାରଣୀ

ତାଲିକାଭୁକ୍ତ ଗପ