ବାପ ମା ଛେଉଣ୍ଡ ଝିଅଟିଏ । ତା ନାଆଁଟି ଲଳିତା । ଦେଖିବାକୁ ସେ ଭାରି ସୁନ୍ଦରୀ । ପିଲାଟିଦିନୁ ସେ ଲଳିତା ତ ଜଣେ ବଡଲୋକ ଘରେ ଆଶ୍ରୟ ନେଇଥାଏ । ଏଇ ଦୁଃଖିନୀ ଝିଅଟି ଉପରେ ସେ ଘର ମାଲିକାଣୀଙ୍କର ଆଦୌ କୌଣସି ଦୟା ବି ନଥାଏ । ତେଣୁ ସେ ମାଲିକାଣୀ ଲଳିତାକୁ ଦିନରାତି ଖାଲି ଘର କାମରେ ଖଟାନ୍ତି । ଟିକେ ଦୋଷ ଦେଖିଲେ ଲଳିତାକୁ ସେ ମାଲିକାଣୀ ଜଣକ ନିର୍ଘାତ ପିଟନ୍ତି । ଅଥଚ ଲଳିତାକୁ ସେ ମାଲିକାଣୀ କେବେବି ପେଟପୂରା ଗଣ୍ଡିଏ ଖାଇବାକୁ ଦିଅନ୍ତି ନାହିଁ । ଝିଅଟି ବିଚାରି ଭୋକ ଉପାସରେ ପଡି ସୁଦ୍ଧା କେବେବି ଟିକେ କାନ୍ଦିବାକୁ ସାହସ ପାଏ ନାହିଁ । ଟିକେ କାନ୍ଦିଲେ ସେ ଲଳିତା ଆହୁରି ଅଧିକ ମାଡ ଖାଏ । ଯେତେବେଳେବି ସେ ଲଳିତାର ଟିକେ ମନଦୁଃଖ ହୁଏ, ସେ ପଡିଆକୁ ଯାଇ କାଳିଗାଈ ବେକରେ ହାତ ପକାଇ କେତେ ଗେଲ ହୁଏ । ତାକୁ ନିଜର ସମସ୍ତ ଦୁଃଖ କହି କେବଳ ଆପଣା ମନକୁ ବୁଝାଏ ।
ଏଣେ ସେ ଘରମାଲିକର ତିନିଟି ଝିଅ ମନଫୁଲାଣିଆ ଗୀତ ଗାଇ ବୁଲୁଥାଆନ୍ତି । ସେହି ଝିଅ ମାନଙ୍କ ମଧ୍ୟରୁ କେହିବି କୁଟା ଖଣ୍ଡିକକୁ ଦି’ ଖଣ୍ଡ କରନ୍ତି ନାହିଁ । ସେମାନଙ୍କ ମଧ୍ୟରେ ପ୍ରଥମଟି ଏକ – ଆଖିଆ, ଦ୍ୱିତୀୟଟି ଦୁଇ – ଆଖିଆ, ତୃତୀୟଟି ତିନି – ଆଖିଆ । ସେହି ଝିଅମାନେ ତ ତାଙ୍କ ବାପା-ବୋଉଙ୍କର କଥାରେ ଆଦୌ ନଥାନ୍ତି ।
ଲଳିତା ଯେତେ କାମ କଲେ ମଧ୍ୟ ସେ ମାଲିକାଣୀ ଲଳିତା ଉପରେ ମୋଟେ କେବେବି ଖୁସି ହୁଅନ୍ତି ନାହିଁ । ଓଲଟି ସେ ଲଳିତାକୁ ଅଧିକରୁ ଅଧିକ କଷ୍ଟ ଦେବାପାଇଁ ମାଲିକାଣୀ ବହୁତ କାମ ବରାଦ କରନ୍ତି । ଲଳିତା ସେସବୁ କରି ନପାରିଲେ ଶେଷରେ ମାଡ ଖାଇବାଟା ହିଁ ସାର ହୁଏ ।
ଦିନେ ସେ ଲଳିତାକୁ ବରାଦ ହୋଇଥାଏ ମହଣେ ଗହମ ଚକିରେ ପେଷିବାପାଇଁ । ଏତେ ଗହମ କିପରି ବା ସେ ପେଷିବ? ସେ ଲଳିତା ପଡିଆକୁ ଯାଇ ସେ କାଳିଗାଈର କାନପାଖରେ ଚୁପ୍ ଚୁପ୍ କହି କାନ୍ଦି ପକାଇଲା । ତାପରେ ସେ କାଳିଗାଈଟି କହିଲା, “ତୁ ମୋ କାନଧରି ପିଠି ଉପରେ ଟିକେ ଡେଇଁପଡ । ଦେଖିବୁ ତୋ କାମ ହୋଇଯିବ ।”
ସତକୁ ସତ, ଲଳିତା ସେତିକି କଲାବେଳକୁ ଚକିଟି ଆଖିପିଛୁଳାକେ ସବୁ ଗହମକୁ ପେଷିଦେଇଗଲା ।
ଏତେ ଅଳ୍ପ ସମୟ ମଧ୍ୟରେ ଏତେ ଗହମ ସବୁ ପେଷା ହୋଇଥିବାର ଦେଖିବାପରେ ମଧ୍ୟ ସେ ମାଲିକାଣୀ ଲଳିତା ଉପରେ ଟିକିଏବି ଖୁସି ହୋଇପାରିଲେ ନାହିଁ ।
ଆଉ ଦିନକର କଥା । ମାଲିକାଣୀ ଲଳିତାକୁ ବରାଦ କଲେ – ଦିନକ ଭିତରେ ବାରହାତି ଚଦରଟିଏ ବୁଣିଦେବା ପାଇଁ । ମନଦୁଃଖରେ ଲଳିତା ଯାଇ ସେ କାଳି ଗାଈ ପାଖରେ ଫେରାଦ କଲା । ତାରି ତଥା କାଳିଗାଈର କଥାରେ ଠିକ୍ ପୂର୍ବପରି ଲଳିତା ସେ ଗାଈର କାନ ଧରି ତା ପିଠି ଉପରେ ଡେଇଁପଡିଲା । ଚାହୁଁ ଚାହୁଁ ଆଖିପିଛୁଳାକେ ତନ୍ତରେ ବାରହାତ ଚଦର ବୁଣି ହୋଇଗଲା । ମାଲିକାଣୀ ସେ ଚଦର ପାଇ ଖୁସୀ ହେବେ କ’ଣ, ଓଲଟି ଖାଲି ରକ୍ତଚାଉଳ ଚୋବାଇବାକୁ ହିଁ ଲାଗିଲେ । ଆଜି ମଧ୍ୟ ସେ ମାଲିକାଣୀ କିଛି ବି ସୁଯୋଗ ପାଇଲେ ନାହିଁ ଲଳିତାକୁ ଗାଳିଦେବାକୁ । ସେ ମାଲିକାଣୀ ତ ଖାଲି ସବୁବେଳେ ଓର ଉଣ୍ଡୁଥାଆନ୍ତି କେମିତି ଲଳିତାକୁ କଷ୍ଟ କାମ ବରାଦ ଦେଇ ତାକୁ ହରକତ କରିବାପାଇଁ ।
ଆଉ ଦିନେ ଗୋଟିଏ କାମ ବରାଦ କରିସାରି ମାଲିକାଣୀ ତାଙ୍କର ଏକଆଖିଆ ବଡ ଝିଅକୁ ଡାକି କହିଲେ, “ତୁ ମା’ ଏଇ ଲଳିତା ଉପରେ ଟିକେ ନଜର ରଖ । ତା କାମ ସବୁ ଆଉ କିଏ କରି ଦେଉଛି ମୁଁ ତାହାହିଁ ଜାଣିବାକୁ ଚାହେଁ ।”