ସମ୍ରାଟ ଅଶୋକ

ଅଶୋକ ଭାବ ବିଭୋର ହୋଇ କହିଲେ “ରାଜକୁମାରୀ ବିଦିଶା, ମୁଁ ଆପଣଙ୍କୁ କେଉଁ ଭାଷାରେ କୃତଜ୍ଞତା ଜଣାଇବି, ତାହା ଭାବି ପାରୁନାହିଁ ।”

ବିଦିଶା ଏଥିରେ ବାରଣ କରିବାକୁ ଯାଇ କହିଲେ, “ମୁଁ ରାଜକୁମାରୀ ନୁହେଁ, ଯୁବରାଜ ।”

ତା’ପରେ ଅଶୋକ କହିଲେ “କୌଣସି ରାଜକୁମାରୀ ଠାରୁ ମଧ୍ୟ ଶ୍ରେୟ । ମୋର ପ୍ରାଣରକ୍ଷାକାରୀ ଦେବୀ ଆପଣ ।”

“ଯୁବରାଜ, ଗୋଟିଏ ବିଷୟ ପ୍ରତି ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବା ମୁଁ ମୋର କର୍ତ୍ତବ୍ୟ ମନେକରୁଛି । ମୁଁ ଆପଣଙ୍କର ପ୍ରାଣରକ୍ଷାକାରୀ ନୁହେଁ । ଶାକ୍ୟମୁନି ବୁଦ୍ଧଦେବଙ୍କ ଭକ୍ତଙ୍କର ପରିଚର୍ଯ୍ୟା କରି ମୁଁ ଫେରୁଥିଲି । ତେଣୁ ଏଥିରୁ ଏହା ପ୍ରମାଣିତ ହେଉଛି ଯେ, ସେହି ପରମ କାରୁଣିକ ଆପଣଙ୍କୁ ରକ୍ଷା କରିଛନ୍ତି ।” ବିଦିଶା ଏତିକି କହି ସେଠାରୁ ଚାଲିଗଲେ ।

ଏଣେ ଅଶୋକଙ୍କର ଦୃଷ୍ଟି ପୁନଶ୍ଚ ପ୍ରକୃତିର ଶୋଭା ସମ୍ଭାରରେ କେନ୍ଦ୍ରୀଭୂତ ହେଲା । କେତେ ବିରାଟ ଏ ବିଶ୍ୱ । କେତେ ବିଚିତ୍ରତା ଭରି ରହିଛି ତା’ର ଅନନ୍ତ ବ୍ୟାପ୍ତିରେ । କେତେ କରୁଣା, ପ୍ରଶାନ୍ତି । ଯେଉଁ ରାଜଭବନରେ ସେ ଜୀବନରେ ଏତେ ବର୍ଷ ବିତାଇ ସାରିଲେଣି, ସେଠାରେ ଈର୍ଷା, ଦ୍ୱେଷ, ପରଶ୍ରୀକାତରତା, ପ୍ରତିଶୋଧ, ପ୍ରତିଦ୍ୱନ୍ଦିତାକୁ ବାଦ୍ ଦେଲେ ଆଉ କ’ଣ ବା ଅଛି? ଏହିପରି ଭାବେ ତାଙ୍କ ମନରେ କିଛି କ୍ଷଣ ପାଇଁ, ଭାବାନ୍ତର ଜାଗିଉଠିଲା । ଧୀରେ ଧୀରେ ସେ ତମ୍ବୁ ନିକଟକୁ ଫେରି ଆସିଲେ । ସେହି ଦିନଟି ସେଠାରେ ବିଶ୍ରାମ ନେବା କଥା ଦେହରକ୍ଷୀଙ୍କୁ ଜଣାଇବା ପରେ ସେ କହିଲେ, “ଆସନ୍ତା କାଲି ଆମେ ଯାତ୍ରା କରିବା । ମୋତେ ଏକାନ୍ତରେ ରହିବା ପାଇଁ ସୁଯୋଗ ଦେବ । ଆଜି ଦିନଟି ତୁମେ ମାନେ ମନଫୁର୍ତ୍ତିରେ ବିତାଅ, କିନ୍ତୁ ମନେରଖ, ଯେପରି ଏହି ଗ୍ରାମବାସୀମାନଙ୍କର କୌଣସି ବି କ୍ଷତି ନ ହୁଏ ।

ଏହାପରେ ଅଶୋକ ସିପ୍ରାନଦୀରେ ସ୍ନାନ କରିବା ପାଇଁ ଗଲେ । ମନୋରମ ଘାଟୀ ଓ ପାର୍ବତ୍ୟାଂଚଳରେ ସେ ତାଙ୍କ ମନଇଚ୍ଛା ଭ୍ରମଣ କଲେ ।”

ଦେହରକ୍ଷୀଗଣ ସାରାଦିନ ଅଶୋକଙ୍କ ଠାରୁ ଦୂରେଇ ରହିଲେ । ସେହି ଗ୍ରାମର ସୀମାନ୍ତ ଅଂଚଳରେ ସେମାନେ ତିନିଜଣ ନର୍ତ୍ତକୀଙ୍କୁ ଭେଟିଲେ । ସେତେବେଳେ ସେମାନଙ୍କ ସହିତ କେତେଜଣ ବାଦ୍ୟକାର ମଧ୍ୟ ଥାଆନ୍ତି । ସେହି ସୁନ୍ଦରୀ ନର୍ତ୍ତକୀମାନେ ଅପୂର୍ବ ନୃତ୍ୟ ରସ ପରିବେଷଣ କରି ସେମାନଙ୍କର ମନୋରଞ୍ଜନ କଲେ । ନୃତ୍ୟ – ଗୀତ ସମାପ୍ତ ହେବା ପରେ ସୈନିକଗଣ ସେହି ନର୍ତ୍ତକୀମାନଙ୍କୁ ସେମାନଙ୍କ ସହିତ ଭୋଜନ କରିବା ପାଇଁ ଆମନ୍ତ୍ରଣ କଲେ । ଏକଥା ଶୁଣି ସେମାନେ ଅତି ଆନନ୍ଦରେ କହି ଉଠିଲେ, “ଏହାଠାରୁ ଆମେ ଅଧିକ କିଛି ବି ଚାହୁଁନାହୁଁ । ଦରକାର ପଡିଲେ ଆମେ ଆପଣମାନଙ୍କୁ ରୋଷେଇରେ ମଧ୍ୟ ସାହାଯ୍ୟ କରିବୁ ।”

ସୈନିକମାନେ ଆନନ୍ଦରେ ଏହି ପ୍ରସ୍ତାବରେ ରାଜି ହୋଇଗଲେ । ସେହିଦିନ ସଂନ୍ଧ୍ୟା ସମୟରେ ଅଶୋକଙ୍କୁ ଭେଟିବା ପାଇଁ ଶାକ୍ୟନାୟକ ଆସିଲେ ଏବଂ ରାତ୍ରିଭୋଜନ ପାଇଁ ତାଙ୍କୁ ଆମନ୍ତ୍ରଣ ଜଣାଇଲେ । ଅଶୋକ ସେହି ପ୍ରସ୍ତାବ ଶୁଣି କ୍ଷଣିକ ପାଇଁ ଆଗେ ଚିନ୍ତା କଲେ । ପ୍ରଧାନମନ୍ତ୍ରୀ ଓ ସେନାଧ୍ୟକ୍ଷଙ୍କ ଚେତାବନୀ ତାଙ୍କର ସ୍ମରଣକୁ ଆସିଲା । ସେମାନେ କହିଥିଲେ, କୌଣସି ପରିସ୍ଥିତିରେ ମଧ୍ୟ କେବେବି ଅପରିଚିତ ଲୋକଙ୍କ ସହିତ ଭୋଜନ କରିବ ନାହିଁ । ଯଦିଓ ସେ ଶାକ୍ୟନାୟକଙ୍କୁ ଏହି ପ୍ରଥମଥର ପାଇଁ ଭେଟୁଛନ୍ତି, ତେବେ ମଧ୍ୟ ତାଙ୍କୁ ସେ ବେଶ୍ ବିଶ୍ୱସନୀୟ ମନେ ହେଲେ । ଏହା ବ୍ୟତୀତ ନିମନ୍ତ୍ରଣ ରକ୍ଷା କରି ସେ ତାଙ୍କ ଗୃହକୁ ଗଲେ, ସେଠାରେ ତାଙ୍କର କନ୍ୟା ବିଦିଶା ସହିତ ଭେଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ସେ ଶାକ୍ୟନାୟକଙ୍କ ପ୍ରସ୍ତାବ ସ୍ୱୀକାର କଲେ ।

ଏହାପରେ ଅଶୋକଙ୍କୁ ଏକ ଅତି ସୁମିଷ୍ଟ, ରୁଚିକର ରାତ୍ରଭୋଜନରେ ଆପ୍ୟାୟିତ କରାଗଲା । ବିଦିଶା ଓ ତାଙ୍କର ମାତା ନିଜ ହାତରେ ଏହା ପ୍ରସ୍ତୁତ କରିଥିଲେ । ଦୀପର ଉଜ୍ଜ୍ୱଳକାନ୍ତିରେ ବିଦିଶାଙ୍କର ପ୍ରଶାନ୍ତ ବଦନ ଅବଲୋକନ କରି, ଅଶୋକଙ୍କ ମନରେ ଚମକ ଖେଳି ଯାଉଥାଏ ।

ଭୋଜନ ସମାପ୍ତ ହେବା ବେଳକୁ ଆକାଶ ମେଘାଚ୍ଛନ୍ନ ହୋଇଥାଏ । ଶାକ୍ୟନାୟକ ଏବଂ ତାଙ୍କର କେତେଜଣ ମିତ୍ର ହସ୍ତରେ ମଶାଲ ଧାରଣ କରି ଅଶୋକଙ୍କୁ ତାଙ୍କ ଶିବିର ନିକଟରେ ଆଣି ପହଁଚାଇ ଦେଲେ ।

ଏହାର ଅଳ୍ପକ୍ଷଣ ପରେ ମୃଦୁ ମୃଦୁ ବର୍ଷା ଆରମ୍ଭ ହୋଇଗଲା । ଅଶୋକ ଶୟନ କରିବାକୁ ଗଲେ । ଅର୍ଦ୍ଧରାତ୍ର ସମୟରେ, ଅଶୋକଙ୍କୁ ଗାଢନିଦ୍ରା ଲାଗି ଯାଇଥାଏ । ହଠାତ୍ କେଉଁଆଡୁ ଏକ କିଳିକିଳା ଚିତ୍କାର ଭାସିଆସି ଅଶୋକଙ୍କ ନିଦ୍ରାଭଗ୍ନ କଲା । ଫଳରେ ସେ ହଠାତ୍ ଚମକି ପଡି ଉଠି ଦେଖନ୍ତି ତ, ଶିବିର ମଧ୍ୟରେ ଦୁଇଟି କୃଷ୍ଣକାୟ ଆକାର ପ୍ରବେଶ କରୁଛନ୍ତି । ଜଣକ ହାତରେ ଏକ ଉଜ୍ଜ୍ୱଳ ତରବାରୀ ଉତ୍ଥିତ ଅବସ୍ଥାରେ ଥାଏ ।

ଅଶୋକ, ନିମିଷକ ମଧ୍ୟରେ ଶଯ୍ୟାରୁ ଡେଇଁ ପଡି ହାତରେ ତରବାରୀ ଧାରଣ କରି, ସେହି ଦୁଇଜଣଙ୍କ ଉପରେ କୁଦିପଡିବା ବେଳକୁ ସେମାନେ ସେଠାରୁ ପଳାୟନ କରିସାରିଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ