ସ୍ୱପ୍ନ ସୁନ୍ଦରୀ ତାନ୍ତ୍ରିକ ବ୍ୟାଘ୍ରଦୀପ

ଏକଥା ଜାଣିବା ପରେ ଯୁବରାଜ ମହେନ୍ଦ୍ର ବର୍ମା ଆଉ ଧୈର୍ଯ୍ୟ ଧରି ଯମା ରହିପାରିଲେ ନାହିଁ । ତାଙ୍କର ମନେ ହେଲା ଯେ, ଗତ ରାତ୍ରରେ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ସେ ସ୍ୱପ୍ନର କିଛି ନା କିଛି ସତ୍ୟତା ଏହିଠାରେ ରହି ଥାଇପାରେ । ସେଥିପାଇଁ ଯୁବରାଜ ମହେନ୍ଦ୍ର ବର୍ମା ନିଜର ଅଶ୍ୱ ଉପରେ ବସି ସେ ପାହାଡିଆ ଅଂଚଳକୁ ଚାଲିଗଲେ ।

କିଛି ବାଟ ଅତିକ୍ରମ କରିବା ପରେ ଯୁବରାଜ ଆପଣା ସ୍ଥାନରେ ଯାଇ ପହଁଚିଗଲେ । ସେଠାରେ ବହୁ ସ୍ଥାନ ଖୋଜିବା ପରେ ସେ ସ୍ୱପ୍ନରେ ଦେଖିଥିବା ଅଂଚଳ ଉପରେ ଦୃଷ୍ଟିପାତ କଲେ । ସେହିପରି ଗୁମ୍ଫା ସମ୍ମୁଖରେ ବଟବୃକ୍ଷ । ସେଠାରେ ସେ ଦେଖିଲେ ଗୁମ୍ଫାର ଦ୍ୱାରଦେଶରେ ଏକ ପ୍ରସ୍ତର ଓ ସେହି ପ୍ରସ୍ତର ଉପରେ ଗୋଟିଏ ବ୍ୟାଘ୍ର ବସିଅଛି । ଆଉ ସେହି ବ୍ୟାଘ୍ରର କଣ୍ଠରେ ଏକ ରତ୍ନହାର ମଧ୍ୟ ଝୁଲୁଅଛି । ଯୁବରାଜ ଏବେ ଚିନ୍ତାକଲେ ଯେ, ସେହି ରତ୍ନ ହାରଟି ନିଶ୍ଚୟ ସେହି ତାନ୍ତ୍ରିକର ହୋଇପାରେ । କାରଣ ଠିକ୍ ସେହିପରି ରତ୍ନହାର ଗୋଟିଏ ରାତିରେ ଦେଖିଥିବା ସ୍ୱପ୍ନରେ ତାନ୍ତ୍ରିକ ପିନ୍ଧିଥିବାର ସେ ଦେଖିଥିଲେ ।

ଏହାପରେ ଅଶ୍ୱର ପାଦ ଶବ୍ଦ ଟପ୍ ଟପ୍ ଶୁଣିବା ପରେ ବ୍ୟାଘ୍ରଟି ଜାଣିଲା ଯେ, ବର୍ତ୍ତମାନ ଗୁମ୍ଫା ମଧ୍ୟକୁ କେହି ନା କେହି ମନୁଷ୍ୟ ଆସୁଅଛି । ସେଥିପାଇଁ ବ୍ୟାଘ୍ର ଯୋଜନା ପ୍ରସ୍ତୁତ କରିବା ସମୟରେ ଯୁବରାଜ ମହେନ୍ଦ୍ର ବର୍ମାଙ୍କର ଶରାଘାତରେ ସେ ବ୍ୟାଘ୍ରଟି ନିଜ ପ୍ରାଣ ହରାଇଲା । ତା’ପରେ ଯୁବରାଜ ତା’ କଣ୍ଠରୁ ରତ୍ନମାଳାଟିକୁ ସଂଗ୍ରହ କରି ଗୁମ୍ଫା ମଧ୍ୟରେ ପ୍ରବେଶ କରି ଦେଖନ୍ତି ଯେ, ଗୋଟିଏ ବ୍ୟାଘ୍ର ଛାଲ ଉପରେ ତାନ୍ତ୍ରିକର ସମ୍ମୁଖରେ ସେ ଦେବକୀ ନାମ୍ନୀ କୃଷକର ସୁନ୍ଦରୀ କନ୍ୟା ବସିଅଛି । ତାନ୍ତ୍ରିକ ବ୍ୟାଘ୍ରଦୀପ କହୁଛି – ଦେଖ ଦେବକୀ,… ମୁଁ ମୋର ରତ୍ନହାର ଦ୍ୱାରା ଅସାଧ୍ୟକୁ ସାଧନ କରିପାରେ ସତ, କିନ୍ତୁ ସେହି ରତ୍ନ ହାରର ସାହାଯ୍ୟ ନେଇ, ମୁଁ ତୁମକୁ ନିଜର କରିବାର ଉଦ୍ଧେଶ୍ୟ ମୋଟେ ରଖିନାହିଁ । ସେଇଥି ପାଇଁ ତ ମୁଁ ମୋର ରତ୍ନ ହାରଟିକୁ ଗୁମ୍ଫାର ଦ୍ୱାରଦେଶରେ ଥିବା ବ୍ୟାଘ୍ରର କଣ୍ଠରେ ପକାଇ ତୁମ ସହିତ ଏ ସ୍ଥାନକୁ ଆସିଅଛି ।

ତୁମର ଜାଣିରଖିବା ଉଚିତ୍ ଯେ, ସେହି ରତ୍ନହାରଟି ମୋ ନିକଟରେ ଥିବା ପର୍ଯ୍ୟନ୍ତ ମୁଁ ଦୁର୍ଦ୍ଦାନ୍ତ, ଭୀଷଣ ମଣିଷ ଭାବରେ ଗଣନା ହୋଇଥାଏ । ଯେତେବେଳେ ସେ ହାରଟି ମୋ ପାଖରେ ନଥାଏ, ମୁଁ ବି ତୁମପରି ଜଣେ ସାଧାରଣ ମଣିଷ ଭାବରେ ପରିଚିତ । ବର୍ତ୍ତମାନ ମୋର ଅନୁରୋଧକ୍ରମେ ତମେ ଯଦି ସ୍ୱଇଚ୍ଛାରେ ରାଜି ହୋଇଯିବ, ତା’ହେଲେ, ମୁଁ ତୁମକୁ ଅଗ୍ନିକୁ ସାକ୍ଷୀରଖି ବିବାହ କରିବି । ଏପରି ବାକ୍ୟରେ ଯଦି ତମେ ସମ୍ମତି ପ୍ରକାଶ ନକର ତେବେ ତମେ ତମର ମନର ଭୟ ଦୂର କରି ତମ କଥା ମୋତେ କୁହ, କାରଣ ମୁଁ ତୁମକୁ ସସମ୍ମାନେ ତମ ଗୃହରେ ନେଇ ଛାଡିଦେଇ ଆସିବି ।

ତାନ୍ତ୍ରିକ ବ୍ୟାଘ୍ରଦୀପର ସମସ୍ତକଥା ଶୁଣିସାରିବାପରେ ସେ ଦେବକୀ ଅତ୍ୟନ୍ତ ବିନୟ ସହକାରେ କହିଲା ଯେ, ଦେଖନ୍ତୁ… ବ୍ୟାଘ୍ରଦୀପ, ତମେ ଯଦି ତମର ସମସ୍ତ ତାନ୍ତ୍ରିକ ବିଦ୍ୟାକୁ ତ୍ୟାଗ କରି ସାଧାରଣ ମଣିଷ ଭାବରେ ଆଚରଣ କରିବ, ତେବେ ଯାଇ ତମର ଏ ପ୍ରସ୍ତାବରେ ମୋର ଆଉ କୌଣସି ଆପତ୍ତି ରହିବ ନାହିଁ ।

ସେ ସମୟରେ ଯୁବରାଜ ମହେନ୍ଦ୍ର ବର୍ମା ତ ସେଇଠାରେ ହିଁ ଥିଲେ, ଏବଂ ଏ ସମସ୍ତ କଥା ସେ ଶୁଣିଥିଲେ । ତେଣୁ ହଠାତ୍ ସେ କହି ଉଠିଲେ, – “ହେ ଦେବକୀ, ସେହି ତାନ୍ତ୍ରିକ ବ୍ୟାଘ୍ର ଦୀପର କୌଣସି ପ୍ରସ୍ତାବରେ ତମେ କଦାପି ରାଜି ହୋଇଯାଅ ନାହିଁ । ଏତେ ଶୀଘ୍ର ତମେ ତମର ଶେଷ ନିଷ୍ପତି ନେଇଯାଅ ନାହିଁ । ଅପେକ୍ଷା କର, କାରଣ ତୁମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି । ତାକୁ ଆୟତ କରିବା ଇଚ୍ଛା ରଖି ସେପରି ପ୍ରସ୍ତାବରେ ସମ୍ମତି ଦେଇ ତମେ ଏତେବଡ ଭୁଲ୍ କର ନାହିଁ । କାରଣ ମୁଁ ତୁମ ରାଜ୍ୟର ଯୁବରାଜ ମହେନ୍ଦ୍ର ବର୍ମା । ତମେ ମତେ ବିବାହ କଲେ, ରାଜ୍ୟର ରାଜରାଣୀ ହେବାର ସୌଭାଗ୍ୟ ପାଇବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ