କୃଷ୍ଣ କ୍ରମେ ବଡ ହେଉଥା’ନ୍ତି ଓ ତାଙ୍କର ଦୁଷ୍ଟାମୀ ମଧ୍ୟ ବଢି ଚାଲିଥାଏ । ତାଙ୍କର ଚଂଚଳ ସ୍ୱଭାବ, ଚାପଲ୍ୟ ଓ ଦୁଷ୍ଟାମୀ ଯୋଗୁଁ ଗୋପପୁରର ଲୋକ ଅନେକ ହଇରାଣ ହରକତ ହେଲେ । କିନ୍ତୁ ତାଙ୍କ ଭିତରେ ଏପରି ଏକ ଶକ୍ତି ଥିଲା ଯାହା ଯୋଗୁଁ ସମସ୍ତେ ହଇରାଣ ହୋଇଥିବାର କଷ୍ଟ ଭୁଲିଯାଇ ପୁଣି କୃଷ୍ଣଙ୍କ ସହିତ ଖେଳନ୍ତି । ଏସବୁ ସତ୍ତ୍ୱେ ତାଙ୍କର ଏକ ଦୁର୍ବାର ଆକର୍ଷଣ ବି ଥିଲା । ସେ ଆକର୍ଷଣକୁ ଏଡେଇ ଯିବା ଭାରି କଷ୍ଟକର ଥିଲା । ତଥାପିବି ସେ ଗୋପୀମାନେ ଥରେ ଥରେ ଏକତ୍ରିତ ହୋଇ ମାତା ଯଶୋଦାଙ୍କ ପାଖକୁ କୃଷ୍ଣଙ୍କର ଦୁଷ୍ଟାମୀ ବିଷୟରେ ଅଭିଯୋଗ କରିବାକୁ ଗଲେ ।
ସେମାନଙ୍କ ମଧ୍ୟରୁ ଚମ୍ପା ନାମକ ଜଣେ ଗୋପୀ କହିଲା, “ନନ୍ଦରାଣୀ, ତୁମରି ପୁଅ କ’ଣ ଏ ସଂସାରରେ ଖାଲି ଏକା ଗେହ୍ଲା? ଅନ୍ୟ ପିଲାମାନେ ବି ତାଙ୍କ ମା’ ମାନଙ୍କର ଗେହ୍ଲାପୁଅ । କିନ୍ତୁ ସେମାନେ ଦୁଷ୍ଟାମୀ କରିବାକୁ ଟିକିଏ ଭୟ ପାଇଲେ ତୁମ ପୁଅ ସମସ୍ତିଙ୍କୁ ନିର୍ଭୟ ଦେଇ ସାଙ୍ଗରେ ଧରି ସମସ୍ତିଙ୍କ ଘରେ ପଶୁଛି, ଦୁଧ, ଦହି, ଲହୁଣୀ ଆଦି ସେ ଚୋରି କରୁଛି, ପୁଣି ହାଣ୍ଡି ସବୁ ବାଡେଇ ଫୋପାଡି ଦେଇ ଚାଲି ଆସୁଛି । ଏତେ କ୍ଷତି କିଏ କେତେ ସହିବ? ପିଲା ବୋଲି ତ ମୁଁ କିଛି କହୁ ନଥିଲି ହେଲେ ସେ ଆଜିକାଲି ଏତେ ଉତ୍ପାତ କରୁଛି ଯେ ମୁଁ ଆଉ ତାକୁ ସମ୍ଭାଳି ପାରୁନାହିଁ, ତେବେ ତୁମ ପୁଅକୁ ଟିକିଏ ଆକଟରେ ରଖ, ଆମ ଉପରେ ଟିକିଏ ଦୟା କର ।”
ଏବେ ଚମ୍ପାର କଥା ଶେଷ ନ ହେଉଣୁ ମାଳତୀ ନାମକ ଅନ୍ୟ ଏକ ଗୋପୀ ଆସି ନିଜର ଗୁହାରୀ ଜଣାଇଲା । ସେ କହିଲା “ଆଗୋ ନନ୍ଦରାଣୀ, ତୁମର ଗେହ୍ଲା କହ୍ନୈୟା ଆଜି ଆମ ଘରେ ପଶି ଦହି, ଦୁଧ, ଲବଣୀ ସବୁ ଖାଇ ହାଣ୍ଡି ମାଠିଆ ଭାଙ୍ଗି ପଳାଇଛି । ଆମେ ତ ଆଉ ତୁମପରି ଧନୀ ନୁହଁ । ଗରୀବର ସମ୍ବଳ ଟିକକ ଗଲା ଆଉ ଆମେ ଏବେ ଉପାସ ରହିବୁ । ନା ଖାଇବାକୁ କିଛି ବଳିଛି ନା ବିକିବାକୁ କିଛି ଅଛି ।”
ତା’ପରେ ରମା ନାମ୍ନୀ ଅନ୍ୟ ଏକ ଗୋପୀ କାନ୍ଦି କାନ୍ଦି ଆସି କହିଲା, “ମାଗୋ, ଏଡେ ଟିକିଏ ଛୁଆ କିପରି ଏତେ କଥା ସେ କରୁଛି । ଘରେ ପଶି ହାଣ୍ଡି ମାଠିଆ ଭାଙ୍ଗିବାରୁ ମୁଁ ଲହୁଣୀଯାକ ନେଇ ଶିକାରେ ଟଙ୍ଗାଇଥିଲି । ଆଉ ତମର କୀର୍ତ୍ତିମାନ ପୁତ୍ର ସଙ୍ଗୀସଖା ନେଇ ଜଣକ ପରେ ଜଣେ ଚଢି ସବୁ ଭାଙ୍ଗି ସାରିଲେଣି । ଦିନକୁ ଦିନ ତା’ର ଦୁଷ୍ଟାମୀ ଏଭଳି ଭାବରେ ବଢୁଛି ଯେ ଆମେମାନେ ଦିନେ ନା ଦିନେ ଏଇ ଗୋକୁଳ ଛାଡି ଅନ୍ୟତ୍ର ପଳାଇବା ।”
ଏଇ ସମୟରେ ରତ୍ନା ନାମ୍ନୀ ଅନ୍ୟ ଏକ ଗୋପୀ ସେଠାକୁ ଆସି ଯଶୋଦାଙ୍କୁ କହିଲା, “ନନ୍ଦରାଣୀ, ତମ ପୁଅ ରାଜପୁତ୍ର ବୋଲି ଆମେ ତା’ର କିଛି କରିପାରୁ ନାହୁଁ । ହେଲେ ତମେ ମା’ ବାପ ହୋଇ ଯଦି ନିଜ ପୁଅକୁ ଟିକେ ଆକଟରେ ନ ରଖିବ ତେବେ ଆମେ କ’ଣ ବା କରିବୁ । ଆଜି ଆମ ଘରେ ମୁଁ ତାଲା ଦେଇ ଯାଇଥିଲି, କିନ୍ତୁ କୃଷ୍ଣ ତା’ର ସାଙ୍ଗ ସାଥି ଧରି ଆସି ଯାହା ସବୁ ଲହୁଣୀ ଥିଲା, ଖାଇ ଯାଇଛି ପୁଣି ସବୁ ହାଣ୍ଡି ଭାଙ୍ଗି ବିଲେଇମାନଙ୍କୁ ଖୁଆଇଛି । ସେତିକିରେ ସେ ଶାନ୍ତ ନ ହୋଇ ଯିବାବେଳେ ବାଛୁରୀମାନଙ୍କୁ ଖୋଲି ଦେଇଛି ଯେ ବାଛୁରୀମାନେ ସବୁ ଦୁଧ ଗାଈଠାରୁ ପିଇ ଯାଇଛନ୍ତି । ଏବେ ଆମେ ଆଉ କ’ଣ କରିବୁ? ଯିବାବେଳେ ତମ ପୁଅ କହିଗଲା, “ବାଛୁରୀମାନଙ୍କୁ କାହିଁକି ଏତେ କଷ୍ଟ ଦେଉଛ? ଦେଖ ସେମାନେ ଗାଈମାନଙ୍କଠାରୁ ଦୁଧ ପିଇବା ବେଳେ କେତେ ଆନନ୍ଦ ହେଉଛନ୍ତି, ଆଉ ଗାଈମାନେ ମଧ୍ୟ କେତେ ଆନନ୍ଦ ହେଉଛନ୍ତି, ତୁମକୁ କ’ଣ ଏସବୁ ଭଲ ଲାଗୁନାହିଁ? ତୁମ ପିଲାଙ୍କୁ କେହି ବାନ୍ଧି ରଖିଲେ ତୁମକୁ କିପରି ଲାଗିବ? ଏବେ ତମେ ଓଳିଏ ଦୁଧ ଦୁହିଁବ ଓ ଆଉ ଓଳିଏ ବାଛୁରୀକୁ ଛାଡିଦେବ । ମୋ କଥା ନ ରଖିଲେ ମୁଁ ନିଶ୍ଚୟ ଲୁଚି ଲୁଚି ଆସି ବାଛୁରୀମାନଙ୍କୁ ଫିଟାଇଦେବି ।” ସେ ପୁଣି ଏକଥା ଧମକ ଦେଇ ଯାଇଛି । ନନ୍ଦରାଣୀ ଏତେ ଉତ୍ପାତ ସହିବା ଆମ ପାଇଁ ବଡ କଷ୍ଟକର, ଏଥର ଆମେ ସବୁ ଗୋକୁଳ ଛାଡି ଯାଉଛୁ । ତମେ ଏଠି ତମ ଗେହ୍ଲା ପୁଅ କହ୍ନୈୟାକୁ ଧରିଥାଅ । ଏହାର ଶୀଘ୍ର କିଛିଗୋଟେ ପ୍ରତିକାର କର, କାରଣ ଦିନକୁ ଦିନ କୃଷ୍ଣର ଉତ୍ପାତ ବଢୁଛି, ଆମେ ତ ଗରିବ ଲୋକ ଏଣୁ ଆମ ପକ୍ଷେ କ୍ରମେ ଏହା ଅସହ୍ୟ ହୋଇ ଉଠୁଛି ।”