ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯେମିତି ପୂର୍ବେ ସେମିତି ପରେ

ଅନେକ ଦିନ ତଳର କଥା । ମଣି ପାଟକ ରାଜ୍ୟରେ ଜଣେ ଦରିଦ୍ର ବ୍ରାହ୍ମଣ ବାସ କରୁଥିଲେ । ତାଙ୍କ ପରିବାରରେ ସ୍ୱାମୀ, ସ୍ତ୍ରୀ ଓ ପୁତ୍ର ବ୍ୟତୀତ ଅନ୍ୟକେହି ନଥିଲେ । ବ୍ରାହ୍ମଣ ଜଣକ ଜଣେ ଭାରି ଈଶ୍ୱରଭକ୍ତ ଥିଲେ । ପ୍ରତିଦିନ ଭକ୍ତିର ସହିତ ଈଶ୍ୱର ଉପାସନା କରି ସେ ସାତ୍ୱିକ ଜୀବନ ଯାପନ କରୁଥିଲେ । ତାଙ୍କର ଏ ଦରିଦ୍ର ଅବସ୍ଥା ସାଙ୍ଗକୁ ଈଶ୍ୱରଙ୍କ ପ୍ରତି ଭକ୍ତି କାରଣ ଯୋଗୁଁ ତାଙ୍କ ସ୍ତ୍ରୀ ତାଙ୍କୁ ଅନେକ ସମୟରେ ଥଟ୍ଟା ଓ ପରିହାସ ମଧ୍ୟ କରୁଥିଲେ । ସ୍ତ୍ରୀଙ୍କ ଆଗରେ ନିଜ ଭକ୍ତିର ପରାକାଷ୍ଠା ଦେଖାଇବା ପାଇଁ ବ୍ରାହ୍ମଣ ଖୁବ୍ ବ୍ୟାକୁଳ ଭାବେ ଈଶ୍ୱରଙ୍କ ଦର୍ଶନ ନିମିତ ପ୍ରାର୍ଥନା କଲେ ।

         ବ୍ରାହ୍ମଣର ପ୍ରାର୍ଥନାରେ ଈଶ୍ୱର ସନ୍ତୁଷ୍ଟ ହୋଇ ଦିନେ ତାଙ୍କୁ ଦର୍ଶନ ଦେଲେ । ଈଶ୍ୱର ଆସିଥିବାର ଦେଖି ବ୍ରାହ୍ମଣର ସ୍ତ୍ରୀ ଓ ପୁତ୍ର ଉଠି ପଡିଲେ । ଈଶ୍ୱର ହସିଦେଇ କହିଲେ – ବ୍ରାହ୍ମଣ! ତୁମ ଭକ୍ତିରେ ମୁଁ ସନ୍ତୁଷ୍ଟ । ମୁଁ ତୁମକୁ ତିନିଟି ବର ଦେବାକୁ ପ୍ରସ୍ତୁତ ଅଛି । ତମର ଯାହାଇଚ୍ଛା ତାହା ମାଗିନିଅ । ବିବେକୀ ବ୍ରାହ୍ମଣ ତିନିଜଣଙ୍କ ପାଇଁ ତିନିଟି ବର ମାଗିବାକୁ ଇଚ୍ଛା ପ୍ରକାଶ କଲେ । ବ୍ରାହ୍ମଣ ନିଜ ସ୍ତ୍ରୀଙ୍କ ପାଇଁ ବର ମାଗିବାକୁ ଇଚ୍ଛା ପ୍ରକାଶ କଲେ । ବିଲୁଆ ଆଖୁ କିଆରୀରେ ପଶି କାହାକୁ ଆଗ ଖାଇବ ବୋଲି ଯେପରି ପାଗଳ ପ୍ରାୟ ହୋଇଗଲାପରି ଠିକ୍ ସେହିଭଳି ଅବସ୍ଥା ବ୍ରାହ୍ମଣ ସ୍ତ୍ରୀର ହେଲା । କି ବର ମାଗିବେ କ’ଣ ମାଗିବେ ଭାବି ଭାବି ସେ ଘୋର ଚିନ୍ତାରେ ପଡିଗଲେ ।

         ଧନମାଗିଲେ ସରିଯିବ, ଜନ ମାଗିଲେ ମରିଯିବ, ସୁଖ ମାଗିଲେ ଫେରିଯିବ । ହଠାତ୍ ବ୍ରାହ୍ମଣଙ୍କର ସ୍ତ୍ରୀଙ୍କର ଯୌବନାବସ୍ଥା କଥା ମନେ ପଡିଲା । “ସତରେ ସେତେବେଳେ ମୁଁ କେତେ ସୁନ୍ଦରୀ ନଥିଲି ।” ଯୌବନର ସେ ମୁହୂର୍ତ୍ତସବୁ ସ୍ୱର୍ଣ୍ଣିମ ସ୍ମୃତି ହୋଇ ତାଙ୍କ ସ୍ମୃତି କୋଷରେ ସଜୀବ ଥିଲା । କାଳ ବିଳମ୍ବ ନକରି ସେ ଈଶ୍ୱରଙ୍କୁ କହିଲେ – ହେ ଈଶ୍ୱର ! ଏ ବୁଢୀ ବୟସ ମତେ ଆଉ ଭଲ ଲାଗୁନାହିଁ । ଏବେ ମୋତେ ଗୋଟିଏ ସୁନ୍ଦରୀ ଯୁବତୀ କରିଦିଅ । ଈଶ୍ୱର ଅସ୍ତୁ କହିବା ମାତ୍ରକେ ବ୍ରାହ୍ମଣୀ ଗୋଟିଏ ସୁନ୍ଦରୀ ଯୁବତୀ ରୂପ ଧାରଣ କଲେ ।

         ଏଥର ବ୍ରାହ୍ମଣ ପାଳି । ବ୍ରାହ୍ମଣ ତାଙ୍କର ବୃଦ୍ଧା ସ୍ତ୍ରୀଙ୍କର ଏପ୍ରକାର ମତିଭ୍ରମ ଦେଖି ରାଗି ଗଲେ ଏବଂ କାଳ ବିଳମ୍ବ ନକରି ଈଶ୍ୱରଙ୍କୁ ଏକ ଅଜବ ବର ମାଗି ସ୍ତ୍ରୀଙ୍କ ଉପରେ ଥିବା ରାଗ ଶୁଝାଇବାକୁ ଚିନ୍ତା କରି କହିଲେ – ହେ ପ୍ରଭୁ ! ଯୋଉ ସ୍ତ୍ରୀ ତା’ ସ୍ୱାମୀ, ପୁତ୍ର ଓ ସଂସାରକୁ ଅଧାବାଟରେ ଛାଡି ନିଜେ ଯୁବତୀ ହେବାକୁ ଚାହୁଁଛି ସେଭଳି ସ୍ତ୍ରୀ ମୋର ଦରକାର ନାହିଁ । ମତେ ଏହି ବର ଦିଅ ଯେପରି ଭାବେ ଏଇ ସୁନ୍ଦରୀ ଯୁବତୀ ଯେପରି ଏକ ଘୁଷୁରୀ ରୂପ ଧାରଣ କରିବ । ସଙ୍ଗେ ସଙ୍ଗେ ସୁନ୍ଦରୀ ଯୁବତୀ ରୂପ ଧାରଣ କରିଥିବା ବ୍ରାହ୍ମଣୀ ଏକ କଦାକାର ଘୁଷୁରୀ ରୂପ ଧାରଣ କଲା । ଏହା ମଧ୍ୟରେ ଦୁଇଟି ବର ଶେଷ ହୋଇ ଯାଇଥାଏ, ବାକି ରହିଲା ଗୋଟିଏ ବର, ତାହା ପୁଣି ବ୍ରାହ୍ମଣର ପୁଅ ମାଗିବେ । ନିଜ ମାଆକୁ ଘୁଷୁରୀ ରୂପରେ ଦେଖି ବ୍ରାହ୍ମଣ ପୁତ୍ର ଖୁବ୍ ଜୋର୍ରେ କାନ୍ଦିବାକୁ ଲାଗିଲା ଓ କହିଲା – ହେ ପ୍ରଭୁ ! ମୋ ମାଆକୁ ମୋତେ ଫେରାଇ ଦିଅ । ଈଶ୍ୱର ଅସ୍ତୁ କହିବା ମାତ୍ରେ ଘୁଷୁରୀଟି ପୂର୍ବପରି ବ୍ରାହ୍ମଣୀ ରୂପ ଧାରଣ କଲା । ଯେମିତି ପୂର୍ବେ ସେମିତି ପରେ। ବ୍ରାହ୍ମଣ ତିନିଟି ବରପାଇ ମଧ୍ୟ ତା’ର କିଛି ଉପକାର ହେଲା ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ