ଅନନୁଶୋଚିୟ ଜାତକ

         ଲୋକେ ବିସ୍ମିତ ହୋଇ ପଚାରିଲେ, “ଆମ୍ଭମାନଙ୍କ ସହିତ ତାଙ୍କର କିଛି ସମ୍ବନ୍ଧ ନଥିଲା; ତଥାପି ତାଙ୍କ ମୃତ୍ୟୁରେ ଆମେମାନେ ଦୁଃଖରେ କ୍ରନ୍ଦନ କରୁଛୁ; କିନ୍ତୁ ଆପଣ ପତ୍ନୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ଦୂରେଥାଉ ନିର୍ବିକାର ଚିତରେ ଅନ୍ନ ଭୋଜନ କରୁଅଛନ୍ତି । ଏହାଠାରୁ ବଳି ଆଶ୍ଚର୍ଯ୍ୟ କଥା କଅଣ ହୋଇପାରେ?”

         ବୋଧିସତ୍ୱ ଲୋକମାନଙ୍କୁ ସଂସାରର ଅନିତ୍ୟତା ବୁଝାଇବାପାଇଁ କହିଲେ, “ମାନବ ମାତ୍ରେ ମରଣଶୀଳ । ଶରୀର ଦିନେ ନା ଦିନେ ନିଶ୍ଚୟ ବିନଷ୍ଟ ହେବ । କୌଣସି ଉପାୟରେ ଏହାର ଅନ୍ୟଥା କରାଯାଇନପାରେ । ତେବେ ଯାହା ଅବଶ୍ୟମ୍ଭାବୀ, ସେଥିପାଇଁ ଦୁଃଖ କରିବାରେ ଲାଭ କଅଣ? ସେ ମୋର ପତ୍ନୀ ଥିଲେ; ମୁଁ ତାଙ୍କର ପତି ଥିଲି । ସେ ମୃତ୍ୟୁଲାଭ କରିବା ସଂଗେ ସଂଗେ ସଂସାରର ସମସ୍ତ ସମ୍ବନ୍ଧ ତୁଟାଇ ଯାଇଅଛନ୍ତି । ଆଗେ ମୋର ମରଣ ହୋଇଥିଲେ ମୁଁ ମଧ୍ୟ ସେହିପରି ତାଙ୍କ ସହିତ ସକଳ ସମ୍ପର୍କ ତୁଟାଇ ଦେଇ ପରଲୋକକୁ ଚାଲିଯାଇଥାନ୍ତି । ତେଣୁ ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି କ୍ରନ୍ଦନ ବା ବିଳାପ କରିବାର କୌଣସି ପ୍ରୟୋଜନ ମୁଁ ଦେଖିପାରୁ ନାହିଁ । ମନୁଷ୍ୟ ଅଳ୍ପକାଳପାଇଁ ପୃଥିବୀକୁ ଆସିଥାଏ, ସମୟ ଉପସ୍ଥିତ ହେଲେ ସେ ଇହଲୋକ ତ୍ୟାଗକରି ଯାଏ । କେବଳ ବିଷୟାସକ୍ତ ମାନବ ମାୟାରେ ପଡି ମୃତବ୍ୟକ୍ତି ପାଇଁ ଶୋକ କରିଥାଏ ।”

         ବୋଧିସତ୍ୱଙ୍କର ଏପ୍ରକାର ଉପଦେଶ ବାଣୀ ଶ୍ରବଣ କରି ଲୋକେ ତାଙ୍କର ପ୍ରଶଂସା ପୂର୍ବକ କହିଲେ, “ଏହାଙ୍କ ପରି ଜୀବନ୍ମୁକ୍ତ ବ୍ୟକ୍ତିହିଁ ଧନ୍ୟ । ଯଥାର୍ଥରେ ସେ ମୃତ୍ୟୁକୁ ଜୟ କରିଅଛନ୍ତି । ଯେଉଁ ମୃତ୍ୟୁର ନାମ ସ୍ମରଣରେ ସାଧାରଣ ଲୋକେ କମ୍ପି ଉଠନ୍ତି, ତାକୁ ଏ ମହାତ୍ମା ଯେକୌଣସି ମୁହୂର୍ତରେ ଭେଟିବାପାଇଁ ପ୍ରସ୍ତୁତ । ଧନ୍ୟ ଏ ମହାପୁରୁଷ” ।

         ଲୋକେ ସନ୍ନ୍ୟାସିନୀଙ୍କର ଶବକୁ ଯଥାବିଧି ସତ୍କାର କଲେ । ବୋଧିସତ୍ୱ ପୁନରାୟ ହିମାଳୟକୁ ଯାଇ ଧର୍ମାଚରଣ କରିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ