କୁଜାର ଅଦ୍ଭୁତ ଭେଳିକି

ଆହା… ଆହା… କାହିଁକି ଏଡେ ସାହାସ କରି ଇନ୍ଦ୍ରଦେବତା ସାଙ୍ଗରେ ଯୁଝିବାକୁ ଗଲା । ଗଜା ଯୁଆନ ଟୋକାଟା, ତାହାର ପୁଣି ପରୀ ପରି ଡଉଲ ଡାଉଲ ସୁନ୍ଦରୀ ତିରିଲାଟିର ଏବେ କ’ଣ ହେବ । ଚଣ୍ଡାଳଟା କେଡେ ଦୁରୁବୁଦ୍ଧି କଲା ବା । ମରତ ପୁରର ମଣିଷ ହୋଇ ପୁଣି ସରଗର ଦେବତାଙ୍କ ସାଙ୍ଗରେ ଯାଉଛି ଲଢେଇ କରିବାକୁ! ଇୟେ ଅକାଳ ମରଣର ଡାକରା । ଉଆସର ମାଇପି ମହଲରେ ସେମିତି ଦୁଃଖ ଅବଶୋଷର ସୀମା ନାହିଁ । କିଏ କହିଲା ‘ସେ ନୂଆ ବାହା ହୋଇଥିଲା କି କ’ଣ? ଅକୂଳରେ ଯବାନ ମାଇପଟାକୁ ଭସାଇ ଦେଇଗଲା । ଏବେ ଏଇ ରାଣ୍ଡ ତିରିଲାଟି କ’ଣ କରିବ ଗୋ । ଇମିତି କାନକୁ କାନ କଥାଟା ଲଟେଇ ଯାଇ ଅନ୍ଦର ମହଲରେ ସେଇ ମାଇପିଟି ପାଖରେ ଉଠିଲା । ଇମିତିକା ଦୁଃଖର ଖବର ପାଇ ସେ ଖାଲି କଇଁ କଇଁ ହୋଇ କାନ୍ଦି କାନ୍ଦି ସେଇଠଉଁ ପଡିଉଠି ଦର ଲଙ୍ଗଳା ହୋଇ ପହଁଚିଲା ସଭାମଣ୍ଡପ ଅଗଣାରେ । ନିଜର ଗେରସ୍ତକୁ ଇମିତି ଖଣ୍ଡଖଣ୍ଡ ଅବସ୍ଥାରେ ଦେଖି ସେ ଗଳା ଫଟାଇ ଭୋ ଭୋ ହୋଇ କାନ୍ଦି ସେହି ମୁର୍ଦ୍ଦାର ଉପରେ କଚାଡି ହୋଇ ଘଡିଏ ଝାମ୍ ହୋଇଗଲା । ତା’ପରେ ସେ ଉଠି ତା’ଛାତିରେ ହାତ ବାଡେଇ, ତଳେ ମୁଣ୍ଡ କୋଢି ‘ହାଇରେ ବିଧାତା’ କହି ଅତି ବିକଳରେ ବସି ବାହୁନିଲା । କାନ୍ଦି କାନ୍ଦି ବିକ୍ରମାଦିତ୍ୟଙ୍କୁ ଶୁଣାଇ କହିଲା – “ମହାରାଜା, ସଙ୍ଗେ ସଙ୍ଗେ ସଙ୍ଘାଡି ସଜାଡିଦିଅ, ମୋ ସ୍ୱାମୀଙ୍କୁ ତହିଁରେ ଶୁଆଇ ଦେଲେ ମୁଁ ବି ତାହାଙ୍କ ପାଖରେ ବସି ଏକ ଚିତା ନିଆଁରେ ଏଇ ଜୀବନ ଦେଇଦେବି । ମୁଁ ସତୀ ତିରୀ, ମୋ ଗେରସ୍ତଙ୍କୁ ଛାଡି ମୁଁ ଦଣ୍ଡେ ହେଲେ ମଧ୍ୟ ରହିପାରିବି ନାହିଁ । ଏହି ବିଷୟରେ ହେଳା କଲେ ତୁମର ପାପ ହେବ ରାଜା । ମତେ ଚଂଚଳ ଉଦ୍ଧାର କର ।” କଇଁ କଇଁ ହୋଇ ସେ ଝିଅଟି ଖୁବ୍ ବିକଳରେ ଏହା କହିବାରୁ ରାଜା ବି ଆଉ ସମ୍ଭାଳି ପାରିଲେ ନାହିଁ ।

ସେହି ସଙ୍ଗେ ସଙ୍ଗେ ପାତ୍ରକୁ ଡାକି ରାଜା ଆଜ୍ଞା ଦେଲେ – “ପାତ୍ରେ, ଯାଅ ଏହି ପାଖ ମଶାଣିରେ ସଙ୍ଘାଡି ସଜାଡି ଏହି ବୀର ଯବାନଟିର ହାତଗୋଡ, ଯିଏ ଯେଉଁଠି ରହିବା କଥା, ଖଞ୍ଜି ଶୁଆଇ ଦିଅ, ଆଉ ଏ ସତୀ ସ୍ତ୍ରୀ କହୁଛି ସେ ବି ତା ସ୍ୱାମୀଙ୍କ ଚିତା ଅଗ୍ନିରେ ଝାସ ଦେବ । ସେ ଦିହିଁଙ୍କ ଶବ ସଂସ୍କାର କରି ମତେ ଖବର ଜଣାଅ । ଅଭାଗିନୀର ଶେଷ ନିଃଶ୍ୱାସ ଆମ ଉପରେ ପଡିବ କାହିଁକି?” ଆଜ୍ଞା ପାଇଲା ମାତ୍ରେ ପାତ୍ର ସାଙ୍ଗରେ ଦି’ଜଣ ପାଇକ, କଟା ହାତ ଗୋଡ ସହିତ ସେହି ମୁର୍ଦ୍ଦାର ଆଉ ତାହାର ସ୍ତ୍ରୀକୁ ନେଇ ମଶାଣିକୁ ବାହାରିଗଲେ । ଯେତେ ଦେଖଣାହାରୀ ଥିଲେ, ସମସ୍ତଙ୍କ ଆଖି ଲୁହରେ ଛଳଛଳ, କାହାରି ମୁହଁରେ ପଦେ ହେଲେ ବି କଥା ନାହିଁ । ସୁଉଁ ସୁଉଁ ହୋଇ ବୁଢା ବୁଢୀ କହୁଥାନ୍ତି – “ଦେଖ, ଅକାଳ ମରଣ କେମିତି ଡାକିହାକି ନିଏ ।”

ଘଡିକ ପରେ ପାତ୍ର ଆସି ଝାଡିଝୁଡି ହୋଇ ଛାମୁରେ ଜଣାଇଲା “ମଣିମା, ସବୁ କାମ ଶେଷ । ସଙ୍ଘାଡିରେ ନିଆଁ ଧରିଲା ମାତ୍ରେ ଅନାଉଁ ଅନାଉଁ ଧୁଉଧୁଉ ହୋଇ ଦିହେଁଯାକ ସେହିକ୍ଷଣି ଜଳି ପାଉଁଶ ହୋଇଗଲେ । ଦିହେଁ ଯାକ ଭା’ରି ପୁଣ୍ୟାତ୍ମା ଛାମୁ । ତେଣୁ ସାଙ୍ଗେ ସାଙ୍ଗେ ରୋଷଣୀ ପରି ଜଳି ଉଠିଲେ । ଘଟଣାଟା ଏତେ ଚଂଚଳ ଆରମ୍ଭ ହୋଇ ଏତେ ଚଂଚଳ ଶେଷ ହୋଇଯିବ ବୋଲି ସେ ମହାରାଜାଙ୍କ ଆଦୌ ଧାରଣା ହିଁ ନଥିଲା । ଖାଲି ଗୋଟିଏ ଦୀର୍ଘ ନିଃଶ୍ୱାସ ତାଙ୍କର ଚିନ୍ତିତ ଥିବାର କାରଣ ଜଣାଇ ଦେଉଥିଲା ।

ଦେଖଣାହାରୀ ଯାକ ଯେଝା ଜାଗାରେ ବସି ଆପଣା ଆପଣା ଭିତରେ ମରିଯାଇଥିବା ସେହି ବୀର ଯବାନ ଆଉ ତାହାର ଯୁବତୀ ସ୍ତ୍ରୀ ବିଷୟରେ ଗପସପ କରୁଥିଲେ ।

ଠିକ୍ ଏତିକିବେଳେ ପୁଣି ଗୋଟାଏ ଖୁବ୍ ଆଶ୍ଚର୍ଯ୍ୟ ଘଟଣା ଘଟିଲା । ନିଜ ନିଜ ଆଖି ଆଗରେ ଘଟିବା ସେହି ଅଲୌକିକ ଘଟଣାଟା ସତ କି ମିଛ, ଏ କଥା ବି କେହି ଥୟ କରି ପାରିଲେ ନାହିଁ । କାହାକୁ କହିଲେ ବି କେହି ସେ କଥାକୁ ପରତେ ଯିବେ ନାହିଁ । ସେତେବେଳେ ସମସ୍ତେ ଉଲକା ପାଲଟି ଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ