ଦେବକନ୍ୟା

ସେହିଦିନଠାରୁ ଚନ୍ଦ୍ରକାନ୍ତ ଜମି ସବୁରେ ନାନା ପ୍ରକାର ମଞ୍ଜି ଲଗାଇଲା, ଗୋଟାଏ ପଟରେ ଫଳ ଗଛ, ଗୋଟାଏ ପଟରେ ଫୁଲ ଚାରା । ସବୁ ଗଛ ସୁନ୍ଦର ହୋଇ ବଢିଲେ ଓ ଜମିଟି ଫୁଲ ଫଳରେ ଭରାହୋଇ ଅତି ଚମତ୍କାର ହୋଇ ଉଠିଲା ।

ଦିନେ ଚନ୍ଦ୍ରକାନ୍ତ ତା କୁଟୀର ଭିତରେ ଶୋଇଛି, ଅର୍ଦ୍ଧରାତ୍ରି ସମୟରେ ସୁଲଳିତ ସଂଙ୍ଗୀତର ସ୍ୱର ଆସି ତା’ କାନରେ ବାଜିଲା, ଏଥିରୁ ସେ ଠିକ୍ ଜାଣିପାରିଲା ଯେ, ଦେବକନ୍ୟା ଆସିଛନ୍ତି । ବାହାରକୁ ଆସି ଦେଖିଲା ଦେବକନ୍ୟା ଗୀତ ଗାଇ ଗାଇ ସୁନ୍ଦର ବାସ୍ନାଥିବା ଫୁଲ ଗୁଡିକ ତୋଳୁଛନ୍ତି । ସେ ତାଙ୍କ ନିକଟକୁ ଗଲା । ଦେବକନ୍ୟା କହିଲେ, “ଦେଖିଲ ତ? ପରିଶ୍ରମର ଫଳ କିପରି?”

ଚନ୍ଦ୍ରକାନ୍ତ କୃତଜ୍ଞତା ଜଣାଇ କହିଲା “ହେ ଦେବୀ, ସବୁ ତୁମରି ବରଦାନର ଫଳ ।”

ଦେବକନ୍ୟା କହିଲେ, “ସେପରି କୁହନାହିଁ । ତୁମ ଜମି ପଡିଆ ପଡିଥିଲା ବୋଲି ମୋର ବରଦାନର ଆବଶ୍ୟକତା ପଡିଲା । ପ୍ରଧାନ କଥା ତୁମର ପରିଶ୍ରମ, ଶ୍ରଦ୍ଧା ଓ ଦୃଢସଂକଳ୍ପ ।”

ଆଜିକାଲି ଦେବକନ୍ୟା ପ୍ରତ୍ୟେକ ଦିନ ରାତ୍ରିରେ ଆସି ଫୁଲ ତୋଳନ୍ତି । ଏଣେ ସେ ଜମିରେ ସୁନ୍ଦର ଫସଲ ହେଲା । ଧାନ ପ୍ରଭୃତି ଶସ୍ୟ ବିକ୍ରିକରି ଚନ୍ଦ୍ରକାନ୍ତ ଅପାର ଧନସମ୍ପଦ ଲାଭ କଲା । ତା’ପରେ ସେ ସୁନ୍ଦର କୋଠାଟିଏ ତୋଳାଇଲା । ପରେ ଭାବିଲା ଫୁଲ ଏତେ ଗୁଡାଏ ଜମିରେ ଲଗାଇ କି ଲାଭ? ଫସଲ କଲେ ଟଙ୍କା ବେଶି ହେବା ଲୋଭରେ ଫୁଲଗଛ ସବୁ ସେ କାଟି ପକାଇଲା । ସେଦିନ ରାତ୍ରିରେ ଦେବକନ୍ୟା ଫୁଲ ତୋଳିବାକୁ ଆସି ବଡ ଦୁଃଖିତ ହେଲେ । ଏସବୁ ଘର ଭିତରେ ଥାଇ ଚନ୍ଦ୍ରକାନ୍ତ ଦେଖୁଥାଏ । କିନ୍ତୁ ନ ଦେଖିବା ଭଳି ରହିଗଲା, ଆଉ ବାହାରକୁ ଆସିଲା ନାହିଁ ।

ଏବେ ସେ ଚନ୍ଦ୍ରକାନ୍ତ ହାତରେ ବହୁତ ଧନ ହେବାରୁ ସେ ମୂଲିଆ ରଖାଇ କାମ କରାଇଲା । ନିଜେ ଖାଲିଟାରେ ଅଳସୁଆମୀ କରି ଶୋଇରହେ, ନହେଲେ ବେଳେ ବେଳେ ପଶା ଖେଳିବାକୁ ଚାଲିଯାଏ ।

ଦିନେ ରାତିରେ ଦେବକନ୍ୟାଙ୍କ ସହିତ ତା’ର ଦେଖା ହେଲା । ସେ କହିଲେ, “ଏଠାରେ ଅନ୍ୟଲୋକ ଚଳପ୍ରଚଳ ହେବାରୁ ମୋର ଆସିବାରେ ବାଧା ସୃଷ୍ଟି ହେଉଛି । ଯେତିକି ଫୁଲଗଛ ଅଛି ସେତକ ତୁମେ ନିଜେ ଦେଖାଶୁଣା କର । ତେବେ ମୁଁ ନିଜ ଇଚ୍ଛାରେ ଏଠାକୁ ଆସି ଫୁଲ ତୋଳି ପାରିବି, ଆନନ୍ଦରେ ଗୀତଗାଇ ବୁଲି ପାରିବି ।”

                ଚନ୍ଦ୍ରକାନ୍ତ ତାଙ୍କ କଥା ଶୁଣି ଖୁବ୍ ରାଗିଯାଇ କହିଲା, “ମୋ ହାତରେ ଏତେ ସମୟ ନାହିଁ । ପୁଣି ମୋର ଏତେ ଶକ୍ତି ମଧ୍ୟ ନାହିଁ । ତେଣୁ ମୂଲିଆମାନେ ନିଶ୍ଚୟ କାମ କରିବେ । ଅବଶ୍ୟ ରାତ୍ରି ସମୟରେ ମୁଁ ସେମାନଙ୍କୁ ଏଠାରେ ରହିବାକୁ ଦେବିନାହିଁ । ଫଳରେ ଏ ସ୍ଥାନ ଆଗପରି ନିରୋଳା ହୋଇ ରହିବ ।”

                ଏହା ଶୁଣି ଦେବକନ୍ୟା ନୀରବ ରହିଲେ ଓ ନିଜ ରାସ୍ତାରେ ଚାଲିଗଲେ ।

                ପରଦିନ ସେହିବାଟେ ଜଣେ ରାଜକର୍ମଚାରୀ ଯାଉଥିଲେ । ତାଙ୍କୁ ଚନ୍ଦ୍ରକାନ୍ତ ଘରକୁ ନିମନ୍ତ୍ରଣ କଲା ଓ ଭଲ ଖାଇବାକୁ ଦେଲା । କଥା କହୁ କହୁ ସେ ରାଜକର୍ମଚାରୀ କହିଲା, “ମହାରାଜା ଏକ ଭୟଙ୍କର ରୋଗରେ ପୀଡିତ । ଅନେକ ବଡ ବଡ ବୈଦ୍ୟ ଚିକିତ୍ସା କଲେ, କିନ୍ତୁ ଫଳ କିଛି ମଧ୍ୟ ହେଲା ନାହିଁ । ଥରେ ଜଣେ ସନ୍ନ୍ୟାସୀ ଆସି ରାଜାଙ୍କ ଦେହ ପରୀକ୍ଷା କରି କହିଲେ ଯେ ଏହି ରୋଗ ପାଇଁ ହିମାଳୟରେ ଫୁଟୁଥିବା ଏକ ଫୁଲର ରସ ଯଦି ଦିଆଯାଇ ପାରନ୍ତା ତେବେ ରାଜା ନିଶ୍ଚୟ ଭଲ ହୋଇଯିବେ । କିନ୍ତୁ ଏତେ ଦୂରରୁ ସେ ଫୁଲ ଆଣୁଆଣୁ ତାହା ବାଟରେ ନଷ୍ଟ ହୋଇଯିବ । ତେଣୁ ଏହି କଥାର ସମାଧାନ ହେଲା ଯେ ସେହି ଗଛ ଏଠାରେ ହିଁ କରାଯିବ । ସେହି ଫୁଲର ମଞ୍ଜି ସନ୍ନ୍ୟାସୀ ହିମାଳୟ ଯାଇ ପଠାଇଲେ । କିନ୍ତୁ ଏଠାକାର ଜଳବାୟୁରେ ସେଥିରୁ ମୋଟେ ଗଛ ହେଉନାହିଁ । ହେଲେ ମଧ୍ୟ ପୋକ ଲାଗିଯାଇ ଗଛ ମରିଯାଉଛି । ଏବେ ରାଜା ବାଧ୍ୟ ହୋଇ କହିଛନ୍ତି ଯେ ଯିଏ ତାଙ୍କର ଦେହ ଭଲ କରିଦେବ, ସେ ତାକୁ ଅଧା ରାଜ୍ୟ ଦେବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ