ନୋବେଲ ପୁରସ୍କାର କମିଟିର ରାତ୍ରିଭୋଜନ ବାତିଲ୍

ମଦର ଟେରେସାଙ୍କର କେବଳ ଏତିକି କଥାରେ ଖୁସି ଶେଷ ହୋଇନଥିଲା । ସେ ତାଙ୍କ ଆଶ୍ରମରେ ଦୀନ ଦରିଦ୍ରଙ୍କ ପ୍ରତି ଭଗବାନଙ୍କର ଏଭଳି ଆଶୀର୍ବାଦ ପାଇଁ ଏକ ପ୍ରାର୍ଥନା ସଭାର ଆୟୋଜନ ତତ୍କ୍ଷଣାତ୍ କରିଦେଲେ । ମଦର ଟେରେସା ନିଜେ ଆଣ୍ଠେଇପଡି ଅନୁଷ୍ଠାନର ସମସ୍ତ ଭାଇ ଭଉଣୀଙ୍କୁ ମଧ୍ୟ ଆଣ୍ଠେଇବା ପାଇଁ କହିଲେ । ପ୍ରାର୍ଥନା କଲେ, “ହେ ଭଗବାନ୍! ଆପଣଙ୍କର ଦୟା ଏହି ଦୁଃସ୍ଥ ଦରିଦ୍ରଙ୍କ ପ୍ରତି ଅସୀମ ଅନୁକମ୍ପା । ସେଥିଲାଗି ଆମେ ଆପଣଙ୍କୁ ଧନ୍ୟବାଦ ଦେଉଛୁ ।”

ଏହିଭଳି ମାତ୍ର ଏକ ମିନିଟ୍ ଈଶ୍ୱରଙ୍କୁ ପ୍ରାର୍ଥନା କରି ମଦର କହିଲେ, “ଚାଲ ଏଥର ଆମେ ଆମର ଦୈନିକ କାର୍ଯ୍ୟରେ ଲାଗିଯିବା ।” ପୃଥିବୀର ସର୍ବଶ୍ରେଷ୍ଠ ପୁରସ୍କାର ପାଇଲା ପରେ ଏହା ଥିଲା ମାଆଙ୍କର ପୁରସ୍କାର ପ୍ରାପ୍ତିର ପ୍ରତିକ୍ରିୟା । ଏହିଠାରେ ପୁରସ୍କାର ପ୍ରାପ୍ତ ଅନ୍ୟ ବ୍ୟକ୍ତିଙ୍କ ସହିତ ମାଆଙ୍କୁ ତୁଳନା କଲେ ପାର୍ଥକ୍ୟ ନିଶ୍ଚୟ ଉପଲବ୍ଧ କରିହେବ । ସତରେ ମାଆ ଥିଲେ କେତେ ମହାନ୍?

ପୁନଶ୍ଚ ଆଉ ଏକ ଘଟଣା ମଦରଙ୍କର ମହନୀୟତା ପ୍ରତିପାଦନ କରେ । ପୁରସ୍କାର ଘୋଷଣାର କିଛି ମାସ ପରେ ଏହାକୁ ଗ୍ରହଣ କରିବା ପାଇଁ ମାଆ ସ୍ୱୀଡେନ ଗସ୍ତ କଲେ । ସେଠାରେ ସମସ୍ତ ନୋବେଲ ପୁରସ୍କାର ଗ୍ରହଣ କରିବାକୁ ଥିବା ବ୍ୟକ୍ତି, ମାନ୍ୟଗଣ୍ୟ ଅତିଥି ଏବଂ ସ୍ୱୀଡେନ୍ର ରାଜା ରାଣୀଙ୍କ ସମାବେଶରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ପରେ ସେଠାରେ ରାତ୍ରିଭୋଜନର ବ୍ୟବସ୍ଥା ଥାଏ । ସେହି ପାରମ୍ପରିକ ବ୍ୟୟବହୁଳ ଭୋଜନରେ ଯୋଗଦେବା ପାଇଁ ମାଆଙ୍କୁ ମଧ୍ୟ ଅନୁରୋଧ କରାଗଲା ।

ସେତେବେଳେ ମଦର ଟେରେସା ଅତ୍ୟନ୍ତ ବିନୟ ଭାବରେ ଆୟୋଜକ ଭାଇମାନଙ୍କୁ କହିଲେ, “ଭାଇ! ସାଧାରଣ ଭାବରେ ଦୁଃସ୍ଥ ଦରିଦ୍ର ବନ୍ଧୁମାନେ ମୋର ଯାହା ଖାଇଛନ୍ତି, ମୁଁ ମଧ୍ୟ ତାହା ଖାଇଥାଏ । ତେଣୁ ମୁଁ ବାହାରେ କେଉଁଠାରେ ହେଲେ ବି ରାତ୍ରିଭୋଜନରେ ଯୋଗ ଦେଇ ନଥାଏ । ସୁତରାଂ ଏଠାରେ ମୁଁ ଯୋଗ ଦେବି କିପରି?” ଏହା କହି ସେ ସେଠାରୁ ରାତ୍ରିଭୋଜନ ତ୍ୟାଗକରି ଚାଲିଆସିଲେ ।

ସେଦିନ ଟେରେସାଙ୍କର ତ୍ୟାଗ ସବୁଦିନ ଲାଗି ଏକ ଆଦର୍ଶ ହୋଇ ରହିଗଲା । ଏପ୍ରକାର କଥାରେ ନୋବେଲ କମିଟିର ରାତ୍ରିଭୋଜନ ସେହିଦିନଠାରୁ ସବୁଦିନ ଲାଗି ବାତିଲ ହୋଇଗଲା । ସେଦିନ ଏଥିରୁ ବଳକା ଥିବା ଅର୍ଥକୁ ମଦର ଟେରେସାଙ୍କ ଅନୁଷ୍ଠାନକୁ ଦାନ କରିଦିଆଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ