ଜନୈକ ସୈନିକ କହିଲେ, “ମହାଶୟ, ଆମର ଦୁର୍ଭାଗ୍ୟ ସମୟ ଆଗତ ହୋଇଛି । ଆମେ ସୂର୍ଯ୍ୟଗିରିର ଅଧିବାସୀ । ଆମ ପଡୋଶୀ ରାଜ୍ୟ ମକରଗିରି ଆମ ରାଜ୍ୟ ଉପରେ ଆକ୍ରମଣ କରିଛନ୍ତି । ଏକ ସପ୍ତାହ ଧରି ଯୁଦ୍ଧ ଚାଲିଲାଣି, ହଜାର ହଜାର ସଂଖ୍ୟାରେ ସୈନିକ ନିହତ ହେଉଛନ୍ତି । ଆମର ପରାଜୟ ସୁନିଶ୍ଚିତ, ତେଣୁ ରାଜକୁମାରୀଙ୍କ ପ୍ରାଣରକ୍ଷା ଉଦ୍ଧେଶ୍ୟରେ ଗୁପ୍ତପଥ ଦେଇ ଆମେ ସବୁ ବାହାରି ଆସିଛୁ । ଏହି ଅରଣ୍ୟରେ ଆମେ ଏବେ ଆତ୍ମଗୋପନ କରିବୁ ।”
ମୋହନକୃଷ୍ଣ ଆପଣାର ପରିଚୟ ଦେଇ କହିଲେ, “ମୋତେ ମହାରାଜାଙ୍କ ପାଖକୁ ନେଇଚାଲ । ଯଥାଶୀଘ୍ର ମୁଁ ତାଙ୍କ ସହିତ ଯୁଦ୍ଧ ତନ୍ତ୍ର ବିଷୟରେ ଆଲୋଚନା କରିବି । ଯୁଦ୍ଧରେ ବିଜୟର ଉପାୟ ମୋତେ ଠିକ୍ ଜଣା ଅଛି ।”
ରାଜକୁମାରୀଙ୍କ ଅନୁମତି ନେଇ ସୈନିକମାନେ ସେହିଠାରୁ ରାଜଧାନୀ ଫେରିଗଲେ । ଜଣେ ସୈନିକଙ୍କ ଘୋଡା ପଛରେ ବସି ମୋହନକୃଷ୍ଣ ସେମାନଙ୍କୁ ଅନୁସରଣ କଲେ । ପ୍ରଭାତ ପୂର୍ବରୁ ସେମାନେ ରାଜଧାନୀରେ ଆସି ପହଁଚିଗଲେ । ଗୁପ୍ତଦ୍ୱାର ଦେଇ ସେମାନେ ଦୁର୍ଗଭିତରକୁ ପ୍ରବେଶ କଲେ ।
ରାଜା ସେତେବେଳେ ଚିନ୍ତାଗ୍ରସ୍ତ ହୋଇ ତାଙ୍କ ଆସନରେ ଉପବିଷ୍ଟ ଥାଆନ୍ତି । ରାଜକୁମାରୀ ତାଙ୍କ ସମ୍ମୁଖରେ ଉପସ୍ଥିତ ହୁଅନ୍ତେ ରାଜା ନିଜ କନ୍ୟାକୁ ଦେଖି ଚକିତ ହୋଇଗଲେ । କିଛି ପଚାରିବା ପୂର୍ବରୁ ରାଜକୁମାରୀ ସବିସ୍ତାର ସମସ୍ତବୃତ୍ତାନ୍ତ ଜଣାଇଲେ । ରାଜକୁମାରୀ କହିଲେ “ଏହି ଯୁବକ ଦାବି କରୁଛନ୍ତି ଯେ ଯୁଦ୍ଧରେ ବିଜୟୀ ହେବାର ମାର୍ଗ ତାଙ୍କୁ ଜଣାଅଛି । ଆପଣଙ୍କ ଅନୁମତି ମାତ୍ରେ ସେ ଭିତରକୁ ଆସିବେ, ବାହାରେ ସେ ଆପଣଙ୍କର ଆଜ୍ଞାର ପ୍ରତୀକ୍ଷା କରୁଛନ୍ତି ।”
ସମସ୍ତ କଥା ଶୁଣିବା ପରେ ରାଜା କହିଲେ, “ଏକ ସାଧାରଣ ନାଗରିକ ମୋ ସହିତ ଯୁଦ୍ଧତନ୍ତ୍ରର କି ଆଲୋଚନା କରିବ! ବିଜୟ ମାର୍ଗ ତାକୁ ଜ୍ଞାତ । ଏପରି ତାର ଦାବୀ ଅସମ୍ଭବ । କିନ୍ତୁ ତୁମ କଥାରୁ ମୁଁ ଅନୁମାନ କରୁଛି, ସେ ନିଶ୍ଚୟ ବୀର ପୁରୁଷ । ମହାବୀର ହୋଇ ନ ଥିଲେ ତୁମମାନଙ୍କୁ ରାକ୍ଷସ କବଳରୁ ସେ କିପରି ରକ୍ଷାକରି ଥାଆନ୍ତା ।” ଏହା କହି ସେ ମୋହନକୃଷ୍ଣଙ୍କୁ ଭିତରକୁ ଆସିବାକୁ ଅନୁମତି ପ୍ରଦାନ କଲେ ।
ରାଜା ମୋହନକୃଷ୍ଣଙ୍କୁ ନିରେଖି ଚାହିଁ କହିଲେ, “ଶୁଣିଲି, ତୁମେ ଏକ ଯୁଦ୍ଧ-ତନ୍ତ୍ର ଜଣାଇବାକୁ ଚାହୁଁଛ? ଏବେ ତାହା ପ୍ରକାଶ କର ।”
ରାଜକୁମାରୀଙ୍କ ସୌନ୍ଦର୍ଯ୍ୟରେ ବିମୁଗ୍ଧ ମୋହନକୃଷ୍ଣ, ତାଙ୍କୁ ବିବାହ କରିବାର ପ୍ରବଳଇଚ୍ଛା ପୋଷଣ କରୁଥାନ୍ତି, କିନ୍ତୁ ସଙ୍କୋଚ ବଶତଃ ସେ କଥା ନ କହି ପ୍ରଥମେ ସେ ବିଚିତ୍ର ବଂଶୀର ମହିମା ବର୍ଣ୍ଣନା କଲେ । କହିଲେ, “ମହାରାଜ, ଯୁଦ୍ଧରେ ମୋର ବିଜୟ ସୁନିଶ୍ଚିତ । ମାତ୍ର ଏହାର ପ୍ରତିଦାନରେ ଆପଣ ମୋର ଗୋଟିଏ ଇଚ୍ଛା ପୁରଣ କରିବେ । ଆପଣ ବଚନ ଦିଅନ୍ତୁ, ମୋର ସେହି ଇଚ୍ଛା ପୂରଣ ଯେପରି ଅନ୍ୟଥା ନହୁଏ ।”
କ୍ଷଣକ ପାଇଁ ମୌନରହି ରାଜା ପ୍ରସନ୍ନଚିତରେ କହିଲେ, “ମୋହନକୃଷ୍ଣ, ଶତ୍ରୁ ଉପରେ ତୁମର ବିଜୟ, ଆମ ସମସ୍ତଙ୍କର ବିଜୟ । ଏହି ବିଜୟ ଦ୍ୱାରା ଏହି ସୂର୍ଯ୍ୟଗିରି ରାଜ୍ୟ, ଏହାର ନାଗରିକ, ମୋର ପରିବାର ସମସ୍ତେ ରକ୍ଷା ପାଇବେ । ନିଜ କୁଳଦେବତାଙ୍କ ନାମରେ ମୁଁ ଶପଥ ନେଉଛି ତୁମର ଇଚ୍ଛା ମୁଁ ଅବଶ୍ୟ ପୁରଣ କରିବି ।”
ପରଦିନ ଯୁଦ୍ଧର ପ୍ରାରମ୍ଭରେ ମୋହନକୃଷ୍ଣ ଯୁଦ୍ଧ ଭୂମିରେ ଏକ ରଥ ଉପରେ ଉପବିଷ୍ଟ ହୋଇ ସେହି ମହିମାମୟ ବଂଶୀ ବାଦନ ଆରମ୍ଭ କଲେ । ସୂର୍ଯ୍ୟଗିରିର ମହାରାଜା, ସେନାପତି, ସୈନିକଗଣ, ତାଙ୍କ କଥା ଅନୁଯାୟୀ ନିଜ କାନରେ ଭଲକରି ତୁଳା ଦେଇ ଥାନ୍ତି ତେଣୁ ବଂଶୀବାଦନର ପ୍ରଭାବ ତାଙ୍କ ଉପରେ ପଡୁ ନଥାଏ । ପରନ୍ତୁ ମକରଗିରିର ରାଜା, ସୈନିକ, ସେନାପତି, ସମସ୍ତେ ଶୋଇ ପଡିଲେ । ଏହି ସୁଯୋଗରେ ସୂର୍ଯ୍ୟଗିରିର ସୈନ୍ୟମାନେ ଶତ୍ରୁସଂହାର କଲେ । ସୂର୍ଯ୍ୟଗିରିର ମହାରାଜ ମକରଗିରିର ମହାରାଜାଙ୍କୁ ବନ୍ଦି କରି କାରାଗାରରେ ନିକ୍ଷେପ କଲେ ।
ସେହିଦିନ ସାୟଂକାଳରେ ମୋହନକୃଷ୍ଣଙ୍କ ସମ୍ମାନାର୍ଥେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହେଲା । ମହାରାଜା, ପଣ୍ଡିତଗଣ, ମନ୍ତ୍ରୀବୃନ୍ଦ ସମସ୍ତେ ତାଙ୍କର ପ୍ରଶଂସାରେ ଶତମୁଖର ହୋଇଉଠିଲେ । ତାଙ୍କୁ ମହାବୀର, ରକ୍ଷାକାରୀ ନାମରେ ସମସ୍ତେ ସମ୍ବୋଧନ କଲେ । ମାତ୍ର ଜଣେ ସେନାପତି ନୀରବରେ ଏସବୁ ଲକ୍ଷ୍ୟ କରୁଥାନ୍ତି । ସତେକି ଏହା ଏକ ପ୍ରହସନ । ମୋହନକୃଷ୍ଣ ତାଙ୍କର ଏପରି ଭାବାନ୍ତର ଦେଖି ବିଚଳିତ ହୋଇ ପଡିଲେ । ତାଙ୍କର ମନ ଓ ବିବେକ ଆନ୍ଦୋଳିତ ହେଲା । ରାଜା ସର୍ବସମ୍ମୁଖରେ ନିଜ ଶପଥ-ବୃତ୍ତାନ୍ତ କହିଲେ । ମୋହନକୃଷ୍ଣଙ୍କୁ ପଚାରିଲେ, “ତୁମର ଏକମାତ୍ର ଅଭିଳାଷ ଏବେ ପ୍ରକାଶ କର । ମୋର ସତ୍ୟ ଅନୁଯାୟୀ ମୁଁ ତାହା ନିଶ୍ଚୟ ପୂରଣ କରିବି ।” ମୋହନକୃଷ୍ଣ ରାଜାଙ୍କୁ ପ୍ରଣାମ କରି କହିଲେ, “ମହାରାଜ, କ୍ଷମା କରନ୍ତୁ । ମୋର ଅଭିଳାଷ ମୁଁ ଆପଣଙ୍କୁ ଆସନ୍ତା କାଲି ଜଣାଇବି ।” ଏହାପରେ ମୋହନକୃଷ୍ଣ ଅତିଥି ଭବନକୁ ଚାଲିଗଲେ । ପରଦିନ ସୂର୍ଯ୍ୟୋଦୟ ପୂର୍ବରୁ ସେ ସେହି ମହିମାମୟ ବଂଶୀଟିକୁ ଦୁଇ ଖଣ୍ଡ କରି ଦୂର୍ଗର ଗଡଖାଇ ଜଳରେ ପକେଇ ଦେଲେ । ସେ ସ୍ଥାନ ତତ୍କ୍ଷଣାତ୍ ପରିତ୍ୟାଗ କରି ନିଜ ଗ୍ରାମକୁ ଫେରି ଆସିଲେ ।
ବେତାଳ କାହାଣୀଟି ଶୁଣେଇବା ପରେ ହଠାତ୍ ଉଚ୍ଚସ୍ୱରରେ ରାଜା ବିକ୍ରମାର୍କଙ୍କୁ ପ୍ରଶ୍ନକଲା, “ରାଜନ୍, ମୋହନକୃଷ୍ଣ ତ ଜଙ୍ଗଲରେ ରାଜକୁମାରୀଙ୍କ ପ୍ରଥମଦର୍ଶନରେ ହିଁ ବିମୋହିତ ହୋଇ ତାଙ୍କୁ ବିବାହ କରିବାର ଅଭିଳାଷ ପୋଷଣ କରିଥିଲା । ଯୁଦ୍ଧର ଆରମ୍ଭରୁ ସେ ରାଜାଙ୍କୁ ସର୍ତ୍ତରଖିଥିଲା, ଯୁଦ୍ଧ ଅନ୍ତେ ତାହାର ଏକ ଇଚ୍ଛା ପୂରଣ କରାଯିବ । କିନ୍ତୁ ଯେତେବେଳେ ରାଜା ତାଙ୍କର ଇଚ୍ଛା ପ୍ରକାଶ କରିବାକୁ ସୁଯୋଗ ଦେଲେ, ସେ ପରଦିନ ଜଣାଇବ ବୋଲି କହି କଥା ଟାଳି ଦେଲା । ପରଦିନ ଇଚ୍ଛା ପୂରଣ ପରିବର୍ତ୍ତେ ସେହି ଦୁଃଷ୍ପ୍ରାପ୍ୟ, ମୋହନ ବଂଶୀଟିକୁ ଦୁଇଖଣ୍ଡ କରି ଫିଙ୍ଗିଦେଇ ନିଜ ଗ୍ରାମକୁ ଫେରିଗଲେ କାହିଁକି? ସଫଳତାର ଶେଷ ମୁହୂର୍ତ୍ତଟିକୁ ସେ କାହିଁକି ସଦୁପଯୋଗ କଲେ ନାହିଁ? ଏହା ଏକ ପ୍ରକାର ମାନସିକ ଜଡତା, ଦୁର୍ବଳତା ନୁହେଁ କି? ରାଜନ୍! ମୋର ସଂଶୟ ଦୂର କରିବାର ସାମର୍ଥ୍ୟ ଥାଇ ମଧ୍ୟ ତୁମେ ଯଦି ନୀରବ ରୁହ ତେବେ ତୁମର ମସ୍ତକ ନିଶ୍ଚୟ ଶତଧା ବିଦୀର୍ଣ୍ଣ ହେବ ।”
ବିକ୍ରମାର୍କ ଚଟାପଟ୍ ଉତ୍ତର ଦେଲେ, “ମୋହନକୃଷ୍ଣ ଗୁରୁକୁଳରେ ପାଠପଢିଥିଲେ ମଧ୍ୟ ଜୀବନର ବାସ୍ତବ ସମସ୍ୟା ସହ ସେ ଅପରିଚିତ ଥିଲେ । ମୁନିଙ୍କ ଆର୍ଶୀବାଦ ଲାଭ କରିବା ପାଇଁ, ଅରଣ୍ୟ ଯାତ୍ରାରୁ ଏହା ସ୍ପଷ୍ଟ ପ୍ରତୀୟ ହେଉଛି । ଜଣେ ଅରଣ୍ୟରେ ଆବିର୍ଭୂତ ହୋଇଥିବା ମହାମୁନି ଏହି ସତ୍ୟ ଜାଣିଥିବାରୁ, ମୋହନକୃଷ୍ଣଙ୍କୁ ପ୍ରଥମରୁ ହିଁ ସେ ସଚେତନ କରି କହିଥିଲେ । ମନୁଷ୍ୟର ଇଚ୍ଛା ତା’ର ଶକ୍ତି, ସାମର୍ଥର ଅନୁରୂପ ହେବା ଆବଶ୍ୟକ । ସୂର୍ଯ୍ୟଗିରିର ରାଜକୁମାରୀଙ୍କ ସଂଦର୍ଶନ ମାତ୍ରେ, ମୋହନକୃଷ୍ଣ ବିବାହର ଆଶାପୋଷଣ କରି ଥିଲେ । ସେ ଚାହିଁଥିଲେ, ଯୁଦ୍ଧ ଆରମ୍ଭ ପୂର୍ବରୁ ରାଜାଙ୍କୁ ସତ୍ୟ କୁହାଇ ନେଇ ଥାନ୍ତେ । କିନ୍ତୁ ସେ ତାହା କରି ନଥିଲେ । କାରଣ ମୁନିଙ୍କର ଚେତାବନୀ ତାଙ୍କର ସ୍ମରଣ ଥିଲା । ଭରପୂର ସଭାରେ, ସମସ୍ତେ ଯେତେବେଳେ ତାଙ୍କର ପ୍ରଶଂସା ଗାନ କରୁଥିଲେ, ଠିକ୍ ସେହି ସମୟରେ ଏକମାତ୍ର ସେନାପତିଙ୍କ ଭାବହୀନ ମୁଖମଣ୍ଡଳ, ଓ ନୀରବତାରୁ ସେ ଅନୁମାନ କରି ନେଲେ ଯେ, ନିଜର ବୀରତ୍ୱ, ଶକ୍ତିସାମର୍ଥ୍ୟ କେଉଁ ସ୍ତରର ଅଟେ । ମନ୍ତ୍ର, ତନ୍ତ୍ର, ସମ୍ମୋହନ ବା କୌଣସି ମାୟାବଳରେ ଶତ୍ରୁ ପକ୍ଷକୁ ନିଦ୍ରାଗ୍ରସ୍ତ କରି ହତ୍ୟା କରିବା ଯୁଦ୍ଧର ଧର୍ମ ନୁହେଁ । ଏକଥା ମଧ୍ୟ ସେ ବୁଝିଥିଲେ । ରାଜକୁମାରୀଙ୍କର ବିବାହ ଯୋଗ୍ୟ ପାତ୍ର ସେ ନୁହଁନ୍ତି । ସେ ଜାଣିପାରିଲେ, ମହିମାନ୍ୱିତ ବଂଶୀ ହୁଏତ ତାଙ୍କର ଅନର୍ଥର କାରଣ ହୋଇ ପାରେ । ନିଜ ଶକ୍ତି ସାମର୍ଥ୍ୟର ଅପହଂଚ କିଛି ଦୁରାଶା ତାଙ୍କୁ ବିପଦ ଗ୍ରସ୍ତ କରାଇପାରେ । ତେଣୁ ସେ ବଂଶୀଟିକୁ ଖଣ୍ଡ ଖଣ୍ଡ କରି ଗଡଖାଇରେ ଫିଙ୍ଗିଦେଲେ । ଏବେ ତୁମେ ସ୍ପଷ୍ଟ ଭାବେ ବୁଝିପାରୁଥିବ, ତାଙ୍କର ଏହି ଆଚରଣ କି ପ୍ରକାର ମାନସିକ ଦୁର୍ବଳତା! ମୋର ଦୃଢବିଶ୍ୱାସ ଯେ ଏହା ଏକ ସମ୍ପୂର୍ଣ୍ଣ ଜ୍ଞାନୀର ଲକ୍ଷଣ ।”
ରାଜାଙ୍କର ମୌନଭଙ୍ଗ ହେବା ମାତ୍ରେ, ଶବସହ ଶବସ୍ଥିତ ସେ ବେତାଳ ତାଙ୍କ କାନ୍ଧରୁ ଖସିଯାଇ ପୁନର୍ବାର ସେ ବୃକ୍ଷଡାଳରେ ଝୁଲି ପଡିଲା ।