ବୀର ହନୁମାନ

ଏଣେ ସମୟ ବିତିଯାଉଥାଏ । ହେଲେ ମହୀରାବଣର ତ କାହିଁ କୋଉଠି ମଧ୍ୟ ଦେଖାନାହିଁ । ରାବଣ ଆନନ୍ଦରେ ନିଜ ମହଲର ବାହାରକୁ ଆସି ଶ୍ରୀରାମଙ୍କ ଦଳର ବାନର ସୈନ୍ୟ ଓ ତାଙ୍କ ସେନାପତିମାନଙ୍କୁ ଶୋକାତୁର ଦେଖି ବଡ ଖୁସି ହେଉଥାଏ । ଦେଖିଲା ବିଭୀଷଣ ମଧ୍ୟ ସେଠାରେ ଠିଆ ହୋଇଛନ୍ତି । ଏସବୁ ଦେଖି ରାବଣ ହଠାତ୍ ରଡି କରି କହିଲା, “ଆରେ ବିଭୀଷଣ ତୁ କାହାର ପ୍ରତୀକ୍ଷାରେ ଅଛୁ? ଆଉ ତ ଖୁବ୍ ଅଳ୍ପ ସମୟ ମଧ୍ୟରେ ମହୀରାବଣ ପାତାଳରେ ଦେବୀଙ୍କ ପାଖରେ ବଳୀ ପକାଇବା ପରେ ପ୍ରସାଦ ସ୍ୱରୂପ ରାମଲକ୍ଷ୍ମଣଙ୍କ ମୁଣ୍ଡ ନେଇ ଆସିବ ସେମାନେ କ’ଣ ପରା ତୋତେ ଲଙ୍କାରେ ରାଜା କରାଇବା ପାଇଁ ଘୋଷଣା କରିଛନ୍ତି । ଯେତେ ଯାହାହେଲେ ବି ସେମାନେ ହେଲେ ମଣିଷ, ଆମର ଖାଦ୍ୟ । ସେମାନଙ୍କର ପୁଣି କେତେ ବା ଶକ୍ତି? ତୋର ତୋ ତ୍ରିପୁର ବିଜୟୀ ଭାଇ ଉପରେ ବିଶ୍ୱାସ ରହିଲା ନାହିଁ ଯେ ତୁ ଶେଷକୁ ଏ ଦୁଇ ଜଣ ଭୀକାରୀଙ୍କର ଶରଣ ନେଲୁ । ବୋକା, ମୂର୍ଖ, ନିର୍ଲଜ ଆଉ କେଉଁ ମୁହଁରେ ତୁ ସେଠାରେ ପଡିରହିଛୁ? ଏଥର ଚାଲିଆସ୍ ମୋ ପାଖକୁ, ଡରନା, ଯାହାହେଲେ ମଧ୍ୟ ତୁ ମୋ ସାନଭାଇ ତ । ତୋତେ ମୁଁ ମୋ ମନ୍ତ୍ରୀପଦରେ ରଖିବି । ତେଣୁ ଫେରିଆସ୍ ।”

ରାବଣର ଏସବୁ କଥା ବିଭୀଷଣଙ୍କୁ ବଡ ବିଭତ୍ସ ଲାଗିଲା । ଏଣୁ ସେ ତାଙ୍କର କାନ ବନ୍ଦ କରିଦେଲେ । ଆଖିରୁ ତାଙ୍କର ଅବିରଳ ଧାରାରେ ଅଶ୍ରୁପାତ ହେବାକୁ ଲାଗିଲା; ବିଭୀଷଣଙ୍କୁ ଏପରି ଅବସ୍ଥାରେ ଦେଖି ସୁଗ୍ରୀବ ବଡ ଦୁଃଖି ହେଲେ । ସେମାନଙ୍କୁ ଦୁଃଖି ଦେଖି ଅନ୍ୟ କେତେକ ବାନର ମଧ୍ୟ ବିଳାପ କରିବାକୁ ଲାଗିଲେ । ଏହାପରେ ଚତୁର୍ଦ୍ଦିଗରେ ଦୁଃଖ ଓ ଶୋକ ଭରିଗଲା ।

ବାନରମାନଙ୍କ ଏପରି ଅବସ୍ଥା ଦେଖି ରାବଣ ଅଟ୍ଟହାସ୍ୟ କରି କହିଲା, “ଅପେକ୍ଷା କରି ବସିଥାଅ ଏହାର ଶେଷ ପରିଣତି ବି ଦେଖିବ ।” ତା’ପରେ ସେ ଅସୁରୀମାନଙ୍କୁ ଡାକି କହିଲା, “ତୁମେମାନେ ଯାଇ ଶୀଘ୍ର ସୀତାକୁ ଖବର ଦିଅକି ଆଉ ଅଳ୍ପ ସମୟ ମଧ୍ୟରେ ରାମ ଲକ୍ଷ୍ମଣଙ୍କର ମୁଣ୍ଡ ଆସିଯିବ । ଶରୀର କିନ୍ତୁ ପାତାଳରେ ପଡି ରହିବ । ସେଥିପାଇଁ ସେ ନିଜକୁ ପ୍ରସ୍ତୁତ କରି ରଖୁ । ରାକ୍ଷସୀମାନେ ଭାବିଲେ, ବୋଧହୁଏ ରାବଣର ମତିଭ୍ରମ ହୋଇ ଗଲାଣି । ସେମାନେ ରାବଣକୁ ନମସ୍କାର କରି ସେହି ସ୍ଥାନ ତ୍ୟାଗ କରି ଚାଲିଗଲେ । ତା’ପରେ ରାବଣ ନିଜ ମହଲ ଭିତରକୁ ଫେରିଆସି ଝରକା ପାଖରେ ଦେଖିଲା ଆକାଶରେ ଏକ ବିନ୍ଦୁ ଲଙ୍କା ଦିଗରେ ଅଗ୍ରସର ହେଉଛି ।”

ଏହାପରେ ରାବଣ ଖୁସି ହୋଇ ସେଠାରୁ ଉଠିଯାଇ ତାଳି ମାରି କେତେକ ରାକ୍ଷସଙ୍କୁ ଡାକି କହିଲା, “ଦେଖ, ଏବେ ମହୀରାବଣ ଆସିଗଲା । ସେ ନିଶ୍ଚୟ ରାମଲକ୍ଷ୍ମଣଙ୍କ ଶିର ନେଇ ଆସୁଛି । ଶୀଘ୍ର ସୁବର୍ଣ୍ଣ ଥାଳୀ ନେଇ ଆସ । ସେଥିରେ ତାକୁ ରଖି ଦେବ ।” ରାବଣ ଦେଖିଲା ତା’ର ଗୁପ୍ତଚର ଓ ସୈନିକ ମାନେ ଚୁପ୍ ହୋଇ ରହୁଛନ୍ତି; ତା’ କଥାରେ ସେମାନେ କୌଣସି ବି ଉତ୍ସାହ ପ୍ରକାଶ କରୁନାହାଁନ୍ତି । ସେ ବାରମ୍ବାର ବାହାରକୁ ଯାଇ ଦେଖି ପୁଣି ଫେରି ଆସୁଥାଏ । କିନ୍ତୁ ଅଳ୍ପସମୟ ମଧ୍ୟରେ ସତ୍ୟ ଉପଲବ୍ଧି କରି ସେ ନିଜେ ନିଜେ ଚୁପ୍ ହୋଇଗଲା ।

ସାଗର ଉପରେ ଥିବା ଆକାଶ ଉପରେ ବୃଦ୍ଧ ଜାମ୍ବବାନ୍ ମଧ୍ୟ ଦୃଷ୍ଟି ରଖିଥିଲେ । ସେ ଏତେଦୂରରୁ ମଧ୍ୟ ଚିହ୍ନିପାରିଲେ ଯେ ସେ ବିନ୍ଦୁଟି କିଏ । ଅଙ୍ଗଦ ମଧ୍ୟ ଖୁସି ହୋଇଗଲେ । ତା’ପରେ ସେ ଠିଆ ହୋଇ ଦୁଇହାତ ଉଠାଇ ବାନରମାନଙ୍କୁ ଆହ୍ୱାନ କରି କହିଲେ, “ଦେଖ, ହନୁମାନ ପ୍ରଭୂ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଧରି ଆସୁଛନ୍ତି ଏବେ ସମସ୍ତେ ଚିନ୍ତାଦୁଃଖ ଓ ଶୋକ ତ୍ୟାଗ କର ।”

ତା’ପରେ ଅଙ୍ଗଦ ବିଜୟ ଧ୍ୱନି କରି କହିଲେ, “ଆମର ହନୁମାନ ଆସିଗଲେ । ତାଙ୍କ ସ୍କନ୍ଧ ଉପରେ ପ୍ରଭୂ ଶ୍ରୀରାମ ଓ ଲକ୍ଷ୍ମଣ ବସିଛନ୍ତି । ଚାଲ ସେମାନଙ୍କୁ ଆମେ ଏଥର ସ୍ୱାଗତ କରିବା ।” ହନୁମାନ କ୍ରମେ ନିକଟତର ହେବାରୁ ସେମାନଙ୍କୁ ପରିଷ୍କାର ଦେଖି ହେଲା । ବାନରସେନା ଖୁସିରେ ଜୟଜୟକାର କଲେ । ଏଣେ ଲଙ୍କା ନଗରୀରେ ଥିବା ରାକ୍ଷସଙ୍କ ଉତ୍ସାହ ସ୍ତିମିତ ହୋଇଗଲା ।

ବାନରସେନାଙ୍କ ବିଜୟଧ୍ୱନି ଶୁଣି ରାବଣକୁ ଲାଗିଲା ସତେ ଯେପରି ତା’ଉପରେ ହଠାତ୍ ଭୀଷଣ ବଜ୍ରପାତ ହେଲା । ସେ ପଥର ପରି ହୋଇଗଲା । ତା’ପରେ ସେ ଗୁପ୍ତଚରଙ୍କଠାରୁ ଖବର ପାଇଲା ଯେ ରାମଲକ୍ଷ୍ମଣ କୁଶଳରେ ଅଛନ୍ତି । ତେବେ ମହୀରାବଣର ଅବସ୍ଥା କ’ଣ ହେଲା ତାକୁ କ’ଣ ବଧ କରାଗଲା? ଏହିସବୁ ବିଷୟ ଭାବି ସେ ଅତ୍ୟନ୍ତ ବ୍ୟସ୍ତ ବିବ୍ରତ ହେଲା । ତା’ର ଭବିଷ୍ୟତ ତାକୁ ଏବେ ଅନ୍ଧକାରମୟ ଦିଶିଲା । ଫଳରେ ସେ ବେହୋସ ହୋଇଗଲା । କିଛି ସମୟ ପରେ ତା’ର ଚେତା ଫେରିଲା । ସେ କ୍ରୋଧ ଓ ଦ୍ୱେଷରେ ଥରିଥରି ହାତ ମୁଠା କରି ଦାନ୍ତ ରଗଡି କହିଲା “ଓଃ କାହିଁ ସେହି ଲକ୍ଷ୍ମଣ ଯିଏ କି ମୋର ଇନ୍ଦ୍ରଜିତ ପରି ପୁଅକୁ ମାରି ଦେଲା । ମୁଁ ତାକୁ କେବେ ମଧ୍ୟ ଛାଡିବି ନାହିଁ । ଏବେ ଯଦି ସେ ମୋ ସମ୍ମୁଖକୁ ଆସନ୍ତା ତ ମୁଁ ତାର ଦେହକୁ ଚୂର୍ଣ୍ଣବିଚୂର୍ଣ୍ଣ କରି ସେସବକୁ ମୁଁ ବାୟୁମଣ୍ଡଳରେ ମିଶାଇ ଦିଅନ୍ତି ।” ଏହି ପରି ନାନା ପ୍ରକାର ଆସ୍ଫାଳନ କରି ସେ ରାଗରେ କମ୍ପୁଥାଏ ଓ ଗର୍ଜ୍ଜୁ ବି ଥାଏ । ରାବଣର ଏଭଳି ଅବସ୍ଥା ଦେଖି ମନ୍ଦୋଦରୀ ବହୁତ କାନ୍ଦିଲା । କିନ୍ତୁ ରାବଣ କାହାରି ଆଡକୁ ନଚାହିଁ ସେହିପରି କହିବାକୁ ଲାଗିଲା ସେ କହିଲା, “ସେ ଦୁଇ ଭାଇ ତ ବଣରେ ଫଳମୂଳ ଖାଇ ରହିଥିଲେ ତାଙ୍କର ପୁଣି ଏତେ ଶକ୍ତି ଆସିଲା ବା କୁଆଡୁ? ମୁଁ ନିଜେହିଁ ସେହି ଦୁଇ ଭିକାରୀଙ୍କୁ ମାରିଦେଇ ପାରିବି ଓ ଦୁଇଜଣଙ୍କ ଶିର ନେଇ ସୀତାକୁ ଭେଟି ଦେବି । ମହୀରାବଣ କେବଳ ମୋ ମନରେ ଆଶା ଦେଇ ଏତେ ଗୁଡାଏ ସମୟ ଅଯଥାରେ ନଷ୍ଟ କଲା । ସେ ଦୁଇଟା ଭୀରୁ ବୋଲି ସେମାନଙ୍କୁ ଏମାନେ ଏତେ ସହଜରେ ମାରିଦେଲେ । ମାତ୍ର ମୁଁ ସମଗ୍ର ରାକ୍ଷସକୁଳ ପାଇଁ ପ୍ରତିଶୋଧ ନେବି । ପ୍ରଥମେ ଇନ୍ଦ୍ରଜିତ ବଧକାରୀ ଲକ୍ଷ୍ମଣକୁ ମୁଁ ବଧ କରିବି ତା’ପରେ ଯାଇ ରାମ ଓ ଅନ୍ୟମାନେ କୁଆଡେ ଗଲା ସିଏ?” ଏହିପରି ନାନା କଥା ସେ ପାଗଳ ପରି କହିଚାଲିଲା ।

ଏଣେ ବାନର ସେନାମାନେ ତ ଯୁଦ୍ଧପାଇଁ ପ୍ରସ୍ତୁତ ଥିଲେ । ଚାରିଦିଗରୁ ଯୁଦ୍ଧର ଆହ୍ୱାନ ପାଇଁ ବାନରମାନଙ୍କର ସିଂହନାଦ ଶୁଭୁଥିଲା । ସେ ଶବ୍ଦ ଶୁଣି ରାବଣ ଆହୁରି ରାଗୁଥିଲା ତା ଆଖିରୁ ଅଶ୍ରୁ ଶୁଖି ଯାଇଥିଲା । ସେ କେବଳ କ୍ରୋଧରେ ଗର୍ଜ୍ଜନ କରୁଥିଲା । ସେ ତୁରନ୍ତ ନିଜର ଯୁଦ୍ଧ ପୋଷାକ ଓ କବଚ ଆଦି ପିନ୍ଧିଲା ତା’ପରେ ଧନୁର୍ବାଣ ଧରି ରଥ ଉପରକୁ ସେ ଗଲା । ତା’ପଛରେ ଚତୁରଙ୍ଗ ଦଳ ଚାଲିଲେ । ସମସ୍ତ ସୈନ୍ୟମାନଙ୍କୁ ଧରି ସେ ବୀରଦର୍ପରେ ଯୁଦ୍ଧ ଯାତ୍ରା କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ