ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମଧୁର ଅନୁଭୁତି

ମହୀଧର ଚକ୍ଷୁହୀନ ଅଟନ୍ତି । ତାଙ୍କ ପତ୍ନୀଙ୍କର ମୃତ୍ୟୁପରେ ତାଙ୍କର ଦେଖାଶୁଣା ଦାୟିତ୍ୱ ପୁତ୍ରମାନେ ବହନ କରୁଥାନ୍ତି । ଥରେ ତାଙ୍କର ଘରକୁ ଜଣେ ପ୍ରସିଦ୍ଧ ଚିତ୍ରକର ଆସିଲେ । ସେ ଏକ ସୁନ୍ଦରୀ ରମଣୀର ଚିତ୍ର ଅଙ୍କନ କରିବାକୁ ଚାହୁଁଥିଲେ । କିନ୍ତୁ ମହୀଧରଙ୍କ ତିନିଜଣ ଯାକ ବୋହୂ ସୌନ୍ଦର୍ଯ୍ୟରେ ଏକକୁ ଆରେକବଳି ଥିଲେ । ତେଣୁ ସେ ଚିତ୍ରକର ଦ୍ୱନ୍ଦ୍ୱରେ ପଡିଗଲେ । ଏବେ ସେ କାହାର ଚିତ୍ର ଅଙ୍କନ କରିବେ । ସନ୍ଦେହର ସମାଧାନ ପାଇଁ ବୋହୁ ମାନଙ୍କୁ ସେ ପଚାରିଲେ । ସେମାନେ ସଙ୍କୋଚ ବଶତଃ କିଛି ବି କହିଲେ ନାହିଁ । ସେମାନଙ୍କର ସ୍ୱାମୀମାନଙ୍କର ମତାମତ ଲୋଡିବାରୁ, ସେମାନେ ନିଜନିଜ ପତ୍ନୀମାନଙ୍କ ସପକ୍ଷରେ ରାୟଦେଲେ । ପଡୋଶୀମାନେ ନିଜ ପସନ୍ଦ ଅନୁଯାୟୀ କହୁଥାନ୍ତି ।

ଏଣେ ଚିତ୍ରକର ବି କିଛି ନିର୍ଣ୍ଣୟ ନେଇପାରୁ ନଥାନ୍ତି । ସେଦିନ ରାତିରେ ମହୀଧରଙ୍କ ଶଯ୍ୟା ନିକଟରେ ଚିତ୍ରକରଙ୍କର ଶୟନ ବ୍ୟବସ୍ଥା କରାଯାଇଥାଏ । ଦୁଃଖ ସୁଖ ହେଉ ହେଉ ଚିତ୍ରକର ତାଙ୍କର ସମସ୍ୟାଟିକୁ ବ୍ୟକ୍ତ କଲେ । ତାଙ୍କ ସମସ୍ୟା ବିଷୟରେ ଶୁଣୁ ଶୁଣୁ ମହୀଧର କହିଲେ, “ଏଇ ସମସ୍ୟା କଥା ପାଇଁ ଏତେ କାହିଁକି ବିଚଳିତ? ମୋର ଦ୍ୱିତୀୟ ବୋହୂ ଅସାମାନ୍ୟ ସୁନ୍ଦରୀ । ତା’ର ତୁଳନା ଏ ସାରା ସଂସାରରେ ମୋଟେ ନାହିଁ ।”

ପରଦିନ ଚିତ୍ରକର ସ୍ଥିରକଲେ, ଦ୍ୱିତୀୟ ବୋହୂଟିର ଚିତ୍ର ଆଙ୍କିବେ । ଏଥିରୁ ସମସ୍ତେ ଜାଣିଗଲେ ଯେ ଏହି ନିର୍ଣ୍ଣୟର କାରଣ ମହୀଧର । ସେମାନେ ଚିତ୍ରକରଙ୍କୁ ବ୍ୟଙ୍ଗ କରି କହିଲେ, “ଆମ୍ଭମାନଙ୍କ ମତାମତ ଅପେକ୍ଷା ଏହି ଅନ୍ଧଟିର କଥା ଆପଣଙ୍କୁ ଅଧିକ ସଠିକ୍ ମନେ ହେଲା ।”

“ଆଖିଦେଖା ସୁନ୍ଦରପଣ ଠାରୁ କାଇଁ କେତେଗୁଣ ଅଧିକ ଅନୁଭୁତିରେ ତଉଲା ସୌନ୍ଦର୍ଯ୍ୟ । ଏହି ଅନୁଭୁତିର ଗଭୀରତା ଉପଲବ୍ଧିର ଅବକାଶ, ଜଣେ ଅନ୍ଧଯାହା ଲାଭକରିଥାଏ, ତାହା ଅନ୍ୟମାନେ କେବେବି ପାଇପାରିବେ ନାହିଁ । ସେହି ଚକ୍ଷୁହୀନ ବ୍ୟକ୍ତି ହିଁ ଅନୁଭବ କରିପାରେ ଆତ୍ମସୌନ୍ଦର୍ଯ୍ୟ ଓ ବାହ୍ୟସୌନ୍ଦର୍ଯ୍ୟର ତାରତମ୍ୟ । ବାହ୍ୟ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ତ ଏ ତିନି ବୋହୂଯାକ ଅତ୍ୟନ୍ତ ସୁନ୍ଦରୀ । କିନ୍ତୁ ଦ୍ୱିତୀୟ ବୋହୂଠାରେ ଆତ୍ମସୌନ୍ଦର୍ଯ୍ୟର ମାତ୍ରା ଟିକେ ଅଧିକ ଅଟେ । ଅତଏବ ତା’ର ସୌନ୍ଦର୍ଯ୍ୟ ଅନ୍ୟ ଦୁଇଜଣଙ୍କ ଠାରୁ ନିଶ୍ଚିତ ଭାବେ ଆକର୍ଷଣୀୟ ।” ଏହିପରି ଭାବେ ସେ ଚିତ୍ରକର ପ୍ରାଞ୍ଜଳଭାବେ ସମସ୍ତିଙ୍କୁ ବୁଝାଇ ଦେଲେ ।

ଏହା ଶୁଣି, ସେ ଅନ୍ୟ ଦୁଇଜଣ ବୋହୂ, ଦ୍ୱିତୀୟ ବୋହୂ ଆଡେ ଚାହିଁ ହସିଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ