ସତ୍ୟବ୍ରତ ନାମକ ଜଣେ ସୁପ୍ରସିଦ୍ଧ ପଣ୍ଡିତ ଥିଲେ । ସେ ସର୍ବଦା ସତ୍ ପଥରେ ଚାଲୁଥିଲେ । ସୁତରାଂ ଜଣେ ବଡ ବିଦ୍ୱାନ ହୋଇ ମଧ୍ୟ ଅଭାବଗ୍ରସ୍ତ ଥିଲେ ।
ଥରେ ସତ୍ୟବ୍ରତ ଧନ ଅର୍ଜନ କରିବା ଲକ୍ଷ୍ୟରେ ନିଜ ରାଜ୍ୟ ଛାଡି ଅନ୍ୟ ରାଜ୍ୟକୁ ବାହାରିଲେ । ସେହି ରାଜ୍ୟରେ ପହଂଚି ଦେଖିଲେ, ଏକ ବିରାଟ ଅଟ୍ଟାଳିକା ସମ୍ମୁଖରେ ଅନେକ ଲୋକ ଧାଡି ବାନ୍ଧି ଠିଆ ହୋଇଛନ୍ତି । ପଚାରି ବୁଝିଲେ, ସେହି ପ୍ରାସାଦଟି ଶେଠ୍ ଲକ୍ଷ୍ମୀ ନାରାୟଣଙ୍କର । ତାଙ୍କଠାରୁ ଟଙ୍କା ଧାର ନେବା ଲାଗି ଲୋକମାନେ ଧାଡି ବାନ୍ଧିଛନ୍ତି ।
ଶେଠ୍ ଜଣକ ବଡ ଉଦାର ବ୍ୟକ୍ତି ଥିଲେ । ଯିଏ ତାଙ୍କଠାରୁ ଟଙ୍କା ଧାର ନେବ, ସିଏ ଏ ଜନ୍ମରେ ଶୁଝି ନ ପାରିଲେ ବି ଆର ଜନ୍ମରେ ଶୁଝିଲେ ଚଳିବ । ଏହା ଶୁଣି ସତ୍ୟବ୍ରତ ଭାରି ଖୁସି ହୋଇଗଲେ । ତେଣୁ ସେ କିଛି ଟଙ୍କା ଧାର ନେବା ଲାଗି ଧାଡିରେ ଠିଆ ହୋଇଗଲେ ।
ଶେଠ୍ ଜଣକ ଟଙ୍କା ଧାର ଦେଉଥାନ୍ତି ଜଣକ ପରେ ଜଣକୁ । ଯେତେବେଳେ ସତ୍ୟବ୍ରତଙ୍କର ପାଳି ପଡିଲା, ଶେଠ୍ ଜଣକ ପଚାରିଲେ, “ତୁମର କେତେ ଟଙ୍କା ଦରକାର?”
ଏବେ ପଣ୍ଡିତ ସତ୍ୟବ୍ରତ ଚିନ୍ତାରେ ପଡିଗଲେ । ଶେଠ୍ ତ ତାଙ୍କୁ ଚିହ୍ନି ନାହାନ୍ତି, ଏଣେ ଟଙ୍କା ତ ଅଧିକ ଦରକାର । ସୁତରାଂ କେତେ ଟଙ୍କା ମାଗିବେ ଏକଥା ବିଚାରି ସେ ଏକ ଲକ୍ଷ ଟଙ୍କା ମାଗିବସିଲେ ଅତି ସଂକୋଚରେ ।
ଏଥର ଶେଠ୍ ଜଣକ କହିଲେ, “ଏଇ କାଗଜରେ ଦସ୍ତଖତ କରି ଏକ ଲକ୍ଷ ଟଙ୍କା ନିଅ । ପରିଶୋଧ ଅବଧି ଆର ଜନ୍ମ ପର୍ଯ୍ୟନ୍ତ ରହିଲା ।”