ଗୋପାଳ ଭାଣ୍ଡ

                ଗୋପାଳଙ୍କୁ ଯେତେ ବେଳେ ନଅ ବର୍ଷ ବୟସ, ତାଙ୍କର ପିତାଙ୍କର ଦେହାନ୍ତ ହେଲା । ସେଥି ପାଇଁ ସେ ଭଲ ରୂପେ ପଢା ଶୁଣା କରି ପାରିଲେ ନାହିଁ । ବାପା ମଧ୍ୟ ସେମିତି କିଛି ସମ୍ପତ୍ତି ଛାଡି ଯାଇ ନଥିଲେ । ଯାହାକି ଗୋପାଳଙ୍କ ଜୀବନ ଯାପନରେ ସହାୟ ହୋଇ ଥାଆନ୍ତା ।

                 କୌଣସି ବ୍ୟବସାୟ ବାଣିଜ୍ୟ କରିବା ପାଇଁ ମଧ୍ୟ ତାଙ୍କର ଆଗ୍ରହ ନଥିଲା । କିନ୍ତୁ ଗୋପାଳଙ୍କ ମୁଣ୍ଡରେ ବୁଦ୍ଧି ଥିଲା । କଥା କହି ଲୋକଙ୍କୁ ମୋହି ପାରୁ ଥିଲେ । ତାଙ୍କ କଥାରେ ସତେ ଯେମିତି ଯାଦୁ ଶକ୍ତି ଥିଲା । ଲୋକ ମାନେ ମୋହିତ ହୋଇ ଯାଉ ଥିଲେ । ତାଙ୍କର ଧୈର୍ଯ୍ୟ, ସାହସ ଦେଖିଲେ ଯେ କୌଣସି ଲୋକ ସ୍ତବ୍ଧ ହୋଇ ଯିବ । ସେ ଥିଲେ ନିର୍ଭିକ, ସତ୍ୟବାଦୀ, ଅନ୍ୟାୟ ଦେଖିଲେ ପ୍ରତିବାଦ କରୁ ଥିଲେ । ନିଜର ସାମର୍ଥ୍ୟ ନଥିଲେ ସୁଦ୍ଧା ଯେତିକି ପାରିବେ ସେତିକି ସାହାଯ୍ୟ କରୁ ଥିଲେ ।

 ଏଥିରୁ ଅନୁମାନ କରି ହେବ ସେ ଯଦି ଉଚିତ୍ ଶିକ୍ଷା ଲାଭ କରି ଥାନ୍ତେ ତେବେ କ’ଣ କରି ନ ଥାନ୍ତେ । ସେ ସମଗ୍ର ଦେଶରେ ଜଣେ ବିଶିଷ୍ଟ ପଣ୍ଡିତ ରୂପେ ସୁନାମ ଅର୍ଜନ କରି ଥାନ୍ତେ ।

                 ଗୋପାଳଙ୍କର ମା ପୁଅକୁ ପୋଷିବା ପାଇଁ ଅକ୍ଷମ, କେଉଁଠୁ ଅର୍ଥ ଆଣିବେ ଯେ ପୁଅକୁ ପାଠ ପଢାଇବେ, ତଥାପି ଗୋପାଳ ନିଜର ବୁଦ୍ଧି ବଳରେ ଯତ୍କିଂଚିତ୍ ବିଦ୍ୟା ଶିକ୍ଷା କରି ଥିଲେ, ସେହି ଶିକ୍ଷା ବଳରେ ସେ ବିଚକ୍ଷଣତା ପ୍ରଦର୍ଶନ କରି ଥିଲେ ।

                 ଗୋପାଳ ଅତ୍ୟନ୍ତ ଧୂର୍ତ ଥିଲେ । ଏଣୁ ତାଙ୍କୁ କେହି କଥାରେ, ଚତୁରତାରେ, ଶଠତାରେ ଓ ଉପସ୍ଥିତ ବୁଦ୍ଧିରେ ବଳି ଯିବା ବା ଠକି ଦେବା ସହଜ ନଥିଲା । କେହି ମଧ୍ୟ ତାଙ୍କ ଠାରୁ ବୁଦ୍ଧିରେ ବଳି ଯାଇ ନଥିଲେ ।

ଗୋପାଳଙ୍କୁ କିଏ କିଛି କହିଲେ ମୁହେଁ ମୁହେଁ ସେ ଜବାବ୍ ଦେଇ ଦିଅନ୍ତି । କ୍ରମେ କ୍ରମେ ଗୋପାଳଙ୍କର ବୁଦ୍ଧି ଓ ହାସ୍ୟ ରହସ୍ୟ କଥା ରାଜା କୃଷ୍ଣଚନ୍ଦ୍ରଙ୍କ କାନରେ ପଡିଲା । ଗୋପାଳଙ୍କୁ ସେ ଡକାଇ ପଠାଇଲେ । ରାଜ ଦରବାରରେ ଜଣେ ଜଣେ ହାସ୍ୟ ରସିକ ଲୋକଙ୍କର ଆବଶ୍ୟକ ଥାଏ । ରାଜା ଯେତେ ବେଳେ ରାଜ କାର୍ଯ୍ୟରେ କ୍ଳାନ୍ତ ହୋଇ ପଡନ୍ତି ତାଙ୍କର ମନୋରଞ୍ଜନ ନିମନ୍ତେ ଏହି ହାସ୍ୟ ରସିକ ମାନେ ବିଭିନ୍ନ ହାସ୍ୟ କଥା କହି ରାଜାଙ୍କ ଭାରାକ୍ରାନ୍ତ ମନକୁ ହାଲୁକା କରିଥାନ୍ତି ।

ରାଜା ଗୋପାଳଙ୍କର ବୁଦ୍ଧି ଓ କଥା ଚାତୁରୀରେ ମୁଗ୍ଧ ହେଲେ । ଅଳ୍ପ ଦିନରେ ସେ ରାଜାଙ୍କର ପ୍ରିୟ ପାତ୍ର ହୋଇ ଉଠିଲେ । ଅନେକ ଘଟଣାରେ ଅନେକ ବିପଦ ଆପଦରେ କୃଷ୍ଣଚନ୍ଦ୍ରଙ୍କୁ ସେ ରକ୍ଷା କଲେ ।

ଲୋକଙ୍କ ସହିତ ହଠାତ୍ ଆଳାପ କରିବାକୁ ଲୋକଙ୍କୁ ସଙ୍ଗେ ସଙ୍ଗେ ହସାଇ ବାକୁ ଓ କନ୍ଦାଇ ବାକୁ ସେ ଧୂରନ୍ଧର ଥିଲେ । ଗୋପାଳଙ୍କର ଏହି ଚତୁରତା ଯୋଗୁଁ ରାଜା କୃଷ୍ଣଚନ୍ଦ୍ର ପ୍ରଚୁର ଅର୍ଥ ଓ ମୂଲ୍ୟବାନ୍ ପଦାର୍ଥ ଉପହାର ଦେଉ ଥିଲେ । ରାଜାଙ୍କ ଠାରୁ ଆର୍ଥିକ ଅନୁଦାନ ପାଇ ଗୋପାଳଙ୍କର ଦାରିଦ୍ର୍ୟତା ଦୂର ହୋଇ ଯାଇ ଥିଲା । ମାତ୍ର ସେ ମିତବ୍ୟୟୀ ନଥିଲେ । ଥିଲେ ବାଘର ଆହାର, ନଥିଲେ ପବନ ଆହାର ଥିଲା ତାଙ୍କର ପ୍ରକୃତି ।

ଗୋପାଳ ସାଧାରଣତଃ ଗମ୍ଭୀର ପ୍ରକୃତିର ଲୋକ ଥିଲେ । ମାତ୍ର ତାଙ୍କର ଚେହେରା, କଥା ବାର୍ତ୍ତା ଓ ମୁଖ ଭଙ୍ଗିକୁ ଯିଏ ଦେଖିବ ନିଶ୍ଚିତ ହସିବ । ନ ହସି ରହି ପାରିବ ନାହିଁ । ସେ ଲୋକଙ୍କୁ ହସାଇଲେ ସୁଦ୍ଧା ନିଜେ ହସିବେ ନାହିଁ ।

 ବଡ ଲୋକ, ରାଜା, ନବାବ୍, ଜମିଦାର, ଉଚ୍ଚ ବଂଶଜ ଓ ଉଚ୍ଚ ଧରଣର ଲୋକଙ୍କ ମନୋରଞ୍ଜନ କରିବା ଗୋପାଳଙ୍କର ଏକ ମାତ୍ର କର୍ତ୍ତବ୍ୟ ଥିଲା ।

ଗୋପାଳଙ୍କୁ ସମସ୍ତେ ଦେଖି ଖୁସି ହେଉ ଥିଲେ । ଗୋପାଳ ତାଙ୍କ ଜୀବନ କାଳରେ ଯେଉଁ ସବୁ ହାସ୍ୟରସର କଥୋପ କଥନ କରି ଥିଲେ ତାହା ସବୁକୁ ଲୋକ ମାନେ ମନେ ରଖି ଥିଲେ । କଥା ପ୍ରସଙ୍ଗରେ କୁହା କୁହି ହୁଅନ୍ତି । ଲୋକ ମୁହଁରୁ ମୁହଁ ହୋଇ ଗଡି ଆସିଛି ଏହି କାହାଣୀ ଗୁଡିକ ଗୋପାଳ ଭାଣ୍ଡ କାହାଣୀ ରୂପେ ।

 ଗୋପାଳଙ୍କ ବିଷୟରେ ଅସଂଖ୍ୟ କାହାଣୀ ଶୁଣା ଯାଏ । ସେଥି ମଧ୍ୟରୁ କେତୋଟି ହାସ୍ୟ କାହାଣୀ ଏଠାରେ ପରିବେଷଣ କରା ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ