ଦଲିଲ୍ର ବ୍ୟାଖ୍ୟା

ଏଥର ସେ ଭୂପତି ମନରେ ଆଉ କୌଣସି ମଧ୍ୟ ସଙ୍କୋଚ ରହିଲା ନାହିଁ । ସେ ଯାଇ ସାହୁକାର ପାଖରୁ ଲକ୍ଷେ ଟଙ୍କା କରଜ ଆଣିଲା । ଯେହେତୁ ସେ ସାହୁକାର ଜାଣିଥିଲେ ଯେ ଭୂପତିର ବହୁତ ଜମିଜମା । ତେଣୁ ସେ ମଧ୍ୟ ଏତେ ଟଙ୍କା ଦେବାକୁ ଆଉ ସଙ୍କୋଚ କଲେ ନାହିଁ ।

ତା’ପରେ ଭୂପତି ତା’ ବେପାର ଆରମ୍ଭ କଲା । ସହରରୁ ନାନା ପଦାର୍ଥ ଆଣି ଗାଁ ପାଖ ବଜାରରେ ସେ ବିକ୍ରି କରେ । ଗାଁ ଆଖପାଖରେ ମିଳୁଥିବା ସପ ମଶିଣା ଇତ୍ୟାଦି ମଧ୍ୟ ସହରକୁ ସେ ଚାଲାଣ କରେ । ବେପାରରେ ବର୍ଷ ଶେଷରେ ତା’ର ଲାଭ ପନ୍ଦର ହଜାର ଟଙ୍କା ରହିଲା । ସହରରେ ସେ ରହିବା ଭିତରେ ଫୁର୍ତିରେ ମନଇର୍ଚ୍ଛା ଖର୍ଚ୍ଚ କରିବା ସତ୍ତ୍ୱେ ମଧ୍ୟ ସେ ଏତିକି ଲାଭ କରିପାରିଲା । ଏହା କିଛି ମନ୍ଦ ନୁହେଁ ବୋଲି ସେ ବୁଝିଲା ।

ସେହି ପନ୍ଦର ହଜାରରୁ ସେ ଦଶବାର ହଜାର ପରିଶୋଧ କରିଦେଇ ପାରନ୍ତା । କାରଣ ତା’ ଘର ଖର୍ଚ୍ଚ ପାଇଁ ଯାହା ପ୍ରୟୋଜନ, ତାହାଠୁଁ ଢେର୍ ବହୁତ ଅଧିକ ତାକୁ ଜମିଜମାରୁ ମିଳୁଥିଲା । କିନ୍ତୁ ସେ ତା’ ଋଣ ପରିଶୋଧ କଲା ନାହିଁ । ଚାରିଆଡେ, ସେ ଖାଲି କହି ବୁଲିଲା କି ତା’ର ବେପାରରେ କ୍ଷତି ହେଉଛି!

ଦୁଇବର୍ଷ ପରେ ସାହୁକାର ତାକୁ ତାଗ୍ଦା କଲେ । ଏଣୁ ସେ ଭୂପତି କହିଲା, “ମୋର ତ ବେପାରରେ ସବୁ କିଛି ବୁଡିଗଲାଣି । ଏଭଳି ଏକ ପରିସ୍ଥିତିରେ ମୁଁ କିପରି ଟଙ୍କା ପରିଶୋଧ କରିବି? ସହରର ବେପାରୀମାନେ ମୋତେ ଠକିଦେଲେ!”

ଏକଥା ଶୁଣି ସାହୁକାର କହିଲେ “ଦେଖ ଭୂପତି, ସେକଥା କହିଲେ କ’ଣ ହେବ? ମୁଁ ବି ତ ପୁଣି ବେପାର କରୁଛି! ମୋତେ ମୋ ଟଙ୍କା ନଦେଲେ କିପରି ଚଳିବ? ମୋ ବେପାର ବୁଡିଯିବ ଯେ!”

ତହୁଁ ଭୂପତି ଜବାବ୍ ଦେଲା “ତାହେଲେ ମୁଁ କ’ଣ କରିବି!”

ସାହୁକାର କହିଲେ “ତାହେଲେ ତମେ ତମ ଜମିରୁ କିଛି ବିକ୍ରି କରିଦିଅ!”

ଏହା ଶୁଣି ଭୂପତି ହସିଲା । ତା’ପରେ ସେ କହିଲା “ତାହା ତ କଦାପି ସମ୍ଭବପର ନୁହେଁ ।” ଏତିକି କହି ଭୂପତି ସାହୁକାରଙ୍କୁ ତା’ ବାପାଙ୍କ ଦଲିଲ୍ ଦେଖାଇ ଦେଲା । ସାହୁକାର ବର୍ତ୍ତମାନ ବୁଝିଲେ ଭୂପତି ତାଙ୍କୁ ଠକିବାର ଯୋଜନା କରିହିଁ ଟଙ୍କା କରଜ ନେଇଛି । କିନ୍ତୁ ସେ ତ ଆଉ ମୁଣ୍ଡରେ ହାତଦେଇ ବସିବା ଲୋକ ନୁହଁନ୍ତି । ତେଣୁ ସେ ଜମିଦାରଙ୍କ ପାଖରେ ଯାଇ ପହଁଚିଲେ । ଏଥିରେ ଯେଉଁ ସମୟର କଥା କୁହାଯାଉଛି, ସେ ସମୟରେ ଜମିଦାର ଏକ ଦିଗରେ ଯେପରି ସମସ୍ତଙ୍କ ମାଲିକ ଥିଲେ, ଠିକ୍ ସେହିପରି ଅନ୍ୟଦିଗରେ ବିଚାରକ ମଧ୍ୟ ଥିଲେ ।

ଜମିଦାର ସାହୁକାରଙ୍କ ଅଭିଯୋଗ ପାଇବା ପରେ ପ୍ରଥମେ ସେ ସହରକୁ ତାଙ୍କ ଲୋକ ପଠାଇ ଯେଉଁ ବେପାରୀମାନଙ୍କ ସହ ଭୂପତି କାରବାର କରେ, ସେମାନଙ୍କ ବିଷୟରେ ଖବର ନେଲେ । ସେମାନେ ସମସ୍ତେ ପ୍ରତିଷ୍ଠିତ ବ୍ୟବସାୟୀ । ସେମାନେ ତ କାହାକୁ ବି ଠକିବା ଲୋକ ନୁହଁନ୍ତି ।

ଜମିଦାର ସେଉଠୁ ଭୂପତି, ତା ମାମୁଁ ଜୟବାବୁ ଓ ସାହୁକାରକୁ ଏକତ୍ର ଡକାଇଲେ । ସେମାନେ ଆସିବାରୁ ଜମିଦାର ଭୂପତିକୁ ପଚାରିଲେ, “ତମେ ସାହୁକାରଙ୍କଠାରୁ ଏକ ଲକ୍ଷ ଟଙ୍କା କରଜ କରିଛ?”

ଭୂପତି କହିଲା “ହଁ, ଆଜ୍ଞା । ସେ ତ ସେଥିପାଇଁ ରସିଦ୍ ଲେଖାଇ ନେଇଛନ୍ତି, ଆଉ ମୁଁ ନାହିଁ କିପରି କରିବି?”

ତା’କଥା ଶୁଣି ଜମିଦାର ହସିଲେ ଓ କହିଲେ, “ବୁଝିଲି । ରସିଦ୍ ଲେଖାଇ ନେଇ ନଥିଲେ ତମେ ନାହିଁ କରନ୍ତ!”


ଗପ ସାରଣୀ

ତାଲିକାଭୁକ୍ତ ଗପ