ଚନ୍ଦ୍ରବର୍ମା ଖୁବ୍ ଧ୍ୟାନ ଦେଇ ରାଜା ଶିବସିଂହଙ୍କ କଥା ଶୁଣୁଥାନ୍ତି ଏବଂ ତାଙ୍କ ହାବଭାବ ଲକ୍ଷ୍ୟ କରୁଥାନ୍ତି । ଚନ୍ଦ୍ରବର୍ମାଙ୍କର ଦୃଢ ଧାରଣା ହେଲା, ରାଜା ତାଙ୍କୁ ପୁରା ସତ କହୁ ନାହାଁନ୍ତି । ଧୂସର ଦୁର୍ଗ ପାଖରେ ଥିବା ସମୁଦ୍ର ଭିତରେ କୌଣସି ବିଚିତ୍ର ପ୍ରାଣୀ ଅଛନ୍ତି ଏବଂ ସେମାନଙ୍କୁ ସଂଗ୍ରହ କରିବା ନିମନ୍ତେ ରାଜାଙ୍କର ଧୂସର ଦୁର୍ଗ ପ୍ରତି ଏଡେ ଆଗ୍ରହ, ଏକଥା ସେ ଏତେ ସହଜରେ ବିଶ୍ୱାସ କରିପାରିଲେ ନାହିଁ । ଧୂସର ଦୁର୍ଗର ଧନସମ୍ପଦ ପ୍ରତିହିଁ ରାଜାଙ୍କର ଲୋଭ । କିନ୍ତୁ ଯେହେତୁ ସେ ନିଜେ ତାକୁ ଆଣିବାକୁ ସକ୍ଷମ ନୁହଁନ୍ତି, ତେଣୁ ସେ ଚନ୍ଦ୍ରବର୍ମାଙ୍କ ଉପରେ ନିର୍ଭର କରୁଛନ୍ତି । ଚନ୍ଦ୍ରବର୍ମାଙ୍କୁ କିଛି ତନ୍ତ୍ର ମନ୍ତ୍ର ଜଣା ଅଛି ବୋଲି ତାଙ୍କର ବିଶ୍ୱାସ ।
ଚନ୍ଦ୍ରବର୍ମା ମନେ ମନେ ଭାବିଲେ, ଯଦି ଧୂସର ଦୁର୍ଗର ଧନରାଶି ତାଙ୍କ ନିଜ ହାତରେ ପଡେ, ତେବେ ସେ ତାକୁ କଦାପି ମଧ୍ୟ ଶିବସିଂହକୁ ଦେବେ ନାହିଁ । ସ୍ୱାର୍ଥସିଦ୍ଧି ପାଇଁ ରାଜା କପଟ କରୁଛି । ତା’ର ଫଳ ସେ ଏବେ ଠିକ୍ ଭୋଗିବ ।
ଚନ୍ଦ୍ରବର୍ମା କାର୍ଯ୍ୟ ସିଦ୍ଧି ସକାଶେ ମନେ ମନେ ଦୃଢ ନିଶ୍ଚୟ କଲେ । ସେ ଗମ୍ଭୀର ଭାବରେ କହିଲେ, “ରାଜା! ମୁଁ ମୋ ମନ୍ତ୍ର ତନ୍ତ୍ର ବଳରେ କାର୍ଯ୍ୟସିଦ୍ଧି ସକାଶେ ଯତ୍ପରୋନାସ୍ତି ଚେଷ୍ଟା କରିବି । ମୁଁ ଧୂସର ଦୁର୍ଗ ଉଦ୍ଧେଶ୍ୟରେ ଅଭିଯାନ କରିବି । ମୋ ସହ ଗୋଟିଏ ଛୋଟ ସୈନ୍ୟ ବାହିନୀ ଦିଅନ୍ତୁ । ସେ ବାହିନୀରେ ଦେବଳ ନାମଧାରୀ ଜଣେ ଯୁବକ ରହିବା ଅନିବାର୍ଯ୍ୟ ।
ରାଜା ଶିବସିଂହ ଓ ମନ୍ତ୍ରୀ ପରସ୍ପର ଦୃଷ୍ଟି ବିନିମୟ କଲେ । ରାଜା ଅଳ୍ପ ସମୟ ସକାଶେ ଆଖି ବନ୍ଦ କରି କହିଲେ, “ଦେବଳର ବୃଦ୍ଧ ପିତା ବଣରେ ବୁଲୁଛି । ତୁମ ସହ ତା’ର ଦେଖା ହୋଇଛି କି?”
“କ’ଣ କହିଲେ? ବଣରେ ବୁଲୁଥିବା ବୁଢା?” ଏହା କହି ଚନ୍ଦ୍ରବର୍ମା ନିଜ କର ପ୍ରସାରିତ କରି ଦେଖିଲେ, ସତେ ଅବା ସେ କିଛି ପଢି ପାରୁଛନ୍ତି । ତା’ପରେ କହିଲେ, “ବୁଝିଲି । ସେ ବଣ ଭିତରେ ଗୋଟିଏ କୁଡିଆରେ ରହେ । ମୋର ପ୍ରସ୍ତାବ, ବୁଢାର ଚଳିବା ପାଇଁ ସବୁ ସୁବିଧା କରି ଦିଆଯାଉ । ସେ ଯଦି ଇଚ୍ଛା ପ୍ରକାଶ କରିବ, ତେବେ ତାକୁ ରାଜଧାନୀରେ ରହିବାକୁ ଦିଆଯାଉ । ମୋ ଅଭିମାନର ସଫଳତା ବୁଢା ଓ ତା’ ପୁଅ ଦେବଳ ଉପରେ ବହୁ ପରିମାଣରେ ନିର୍ଭର କରୁଛି ।”
ରାଜା ମୃଦୁ କଣ୍ଠରେ କହିଲେ, “ତମର ଯେପରି ଇଚ୍ଛା, ସେପରି କର । ଦେବଳକୁ ସାଥିରେ ନେଇଯାଇ ପାର ।” ତା’ପରେ ଟିକିଏ ଭାବି ସେ ପୁଣି କହିଲେ, “ସାଥିରେ ହଜାରେ ସୈନ୍ୟ ଦେଲେ ଚଳିବ?”
ରାଜାଙ୍କ ପ୍ରଶ୍ନ ଶୁଣି ଚନ୍ଦ୍ରବର୍ମା ହସିଲେ ଓ କହିଲେ, “ରାଜା! ମୁଁ କ’ଣ କାହା ସହ ଯୁଦ୍ଧ କରିବାକୁ ଯାଉଛି? ଯଦି ଲଢିବାକୁ ହେବ, ତେବେ ଅଦୃଶ୍ୟ ଭାବରେ ଯେଉଁ ଶକ୍ତିମାନେ ମୋତେ ବାଧା ଦେବାର ଚେଷ୍ଟା କରିବେ, ସେମାନଙ୍କ ବିରୁଦ୍ଧରେ ଲଢିବି । ସେ ଲଢେଇରେ ମୋର ମନ୍ତ୍ର ଶକ୍ତିହିଁ ମୋତେ ସାହାଯ୍ୟ କରି ପାରିବ, ତୁମ ସୈନ୍ୟ ଶକ୍ତି ନୁହେଁ । ମୋର ମାତ୍ର ଦଶଜଣ ଅନୁଚର ଲୋଡା । ସେମାନେ ଖାଦ୍ୟ ଦ୍ରବ୍ୟ ବହନ କରୁଥିବା ଗଧଙ୍କ ଦାୟିତ୍ୱ ନେବେ । ସେ ଅନୁଚରମାନେ ସୈନିକ ହୋଇଥିବେ, ସେମିତି କଥା ବି ନାହିଁ । ବଳବାନ ଓ ପରିଶ୍ରମୀ ହେଲେ ହେଲା ।”
ରାଜା କହିଲେ “ବେଶ୍ । ମୁଁ ମୋ ଅନୁଚରମାନଙ୍କ ଭିତରୁ ଦଶଜଣ ସାହସୀ ଓ ବିଶ୍ୱାସୀ ଲୋକ ବାଛି ତୁମକୁ ଦେବି । ସେମାନଙ୍କ ସାଥିରେ ପଚାଶ ଜଣ ସୈନିକ ବି ରହିବେ । ତୁମେ ମୋ ରାଜ୍ୟର ସୀମା ପାରି ହୋଇ ପଶ୍ଚିମ ଘାଟି ମୁଲକରେ ପ୍ରବେଶ କରିବା ମାତ୍ରେ ସେଠାକାର ସାମନ୍ତ ବୀରମଲ୍ଲ ତମର ସବୁ ପ୍ରକାର ସହାୟତା କରିବ । ମୁଁ ତା’ ପାଖକୁ ଖବର ପଠାଉଛି । ତୁମର କୌଣସି ଅସୁବିଧା ହେବ ନାହିଁ ।”
ବୀରମଲ୍ଲର ନାମ କାନରେ ପଡିବା ମାତ୍ରେ ଚନ୍ଦ୍ରବର୍ମା ନିଜ ସେନାପତି ଧୀରମଲ୍ଲ କଥା ମନେ ପକାଇଲେ । ସେ ଦୀର୍ଘନିଃଶ୍ୱାସ ଛାଡି ଭାବିଲେ, ବର୍ତ୍ତମାନ ଧୀରମଲ୍ଲ ଏବଂ ତାଙ୍କ ବିଶ୍ୱାସୀ ଅନୁଚର ସୁବାହୁ କ’ଣ କରୁଥିବେ?
ଚନ୍ଦ୍ରବର୍ମା ଟିକିଏ ନୀରବ ରହି କହିଲେ, “ଆପଣ ଯେପରି ଭଲ ଭାବୁଛନ୍ତି, ସେହିପରି ବ୍ୟବସ୍ଥା କରନ୍ତୁ । ଆଗାମୀ କାଲି ସୂର୍ଯ୍ୟୋଦୟ ବେଳେ ଆମର ଯାତ୍ରାରମ୍ଭ । ଧୂସର ଦୁର୍ଗରେ ପହଁଚିବା ନିମନ୍ତେ ମୋତେ ଭୟଙ୍କର ଜଙ୍ଗଲ, ପାହାଡ ଓ ମରୁଭୂମି ଅତିକ୍ରମ କରିବାକୁ ହେବ । ସବୁ ଖାଦ୍ୟଦ୍ରବ୍ୟ ବର୍ତ୍ତମାନଠୁଁ ନେଇଯିବା ସମ୍ଭବ ନୁହେଁ । ପୁଣି ମରୁଭୂମି ଭିତରେ ଓଟର ଆବଶ୍ୟକତା ହେବ । ଆପଣ ବୀରମଲ୍ଲ ପାଖକୁ ଖବର ଦିଅନ୍ତୁ, ସେ ଏସବୁ ବ୍ୟବସ୍ଥା କରିବେ ।”
ରାଜା ଶିବସିଂହ କହିଲେ “ତମେ ଏସବୁ ବ୍ୟବସ୍ଥା ବିଷୟରେ ମୋଟେ ଚିନ୍ତା କର ନାହିଁ । ସବୁ ଠିକ୍ ହୋଇଯିବ ।”
ସକାଳ ହେଲା । ଧୂସର ଦୁର୍ଗ ଅଭିମୁଖେ ଚନ୍ଦ୍ରବର୍ମାଙ୍କ ଯାତ୍ରାରମ୍ଭ ହେଲା । ରାଜା, ମନ୍ତ୍ରୀମଣ୍ଡଳ ଅମାତ୍ୟବର୍ଗ ଓ ସାଧାରଣ ଲୋକେ ଚନ୍ଦ୍ରବର୍ମାଙ୍କୁ ବିଦାୟ ଦେଲେ ।
ଚନ୍ଦ୍ରବର୍ମା ଦଳବଳ ଧରି ଅଗ୍ରସର ହେଲେ । ତାଙ୍କ ସାଥିରେ ଦେବଳ ବି ଥାଏ । ପୂର୍ବ ରାତିରେ ତାକୁ କାରଗାରରୁ ମୁକ୍ତ କରାଯାଇଥିଲା ।
ଚନ୍ଦ୍ରବର୍ମା ବଣ ଭିତର ଦେଇ ଅନେକ ଦୂର ଅଗ୍ରସର ହେଲେ । ବୁଢା ଦେଇଥିବା ନକ୍ସା ତାଙ୍କ ହାତରେ ଥାଏ । କିନ୍ତୁ ତାହା ଯଥେଷ୍ଟ କାମରେ ଆସିବା ପରି ଲାଗୁ ନଥାଏ ।
ବଣ ଜଙ୍ଗଲ ଓ ପର୍ବତ ଛଡା ଚନ୍ଦ୍ରବର୍ମାଙ୍କ ଆଖିରେ ଆଉ କିଛି ମଧ୍ୟ ପଡୁ ନଥାଏ । କାହିଁ କୁଆଡେ ମଣିଷ ଦେଖାଯାଉ ନଥାନ୍ତି । ସେ ପଶ୍ଚିମ ଦିଗକୁ ମାଡି ଚାଲିଥାନ୍ତି, କିନ୍ତୁ ଠିକ୍ ବାଟରେ ଯାଉଛନ୍ତି ନା ଭୁଲ୍ ବାଟରେ, ସେକଥା ସେ ଆଦୌ ବୁଝିପାରୁ ନଥାନ୍ତି । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତହିଁ ତାଙ୍କର ଏକମାତ୍ର ଦିଗଦର୍ଶକ ।
ବାଟରେ କେତେଦିନ ଚାଲିଗଲା । ଦିନେ ସୂର୍ଯ୍ୟୋଦୟ ବେଳେ ସେ ଗୋଟିଏ ଉଚ୍ଚ ପାହାଡ ଚଢିଲା । ଆଗରେ କିଛି ଦେଖି ସେ ଆନନ୍ଦରେ ତାଳି ମାରି କହିଲା, “ଦେଖ ଦେଖ – ଅଳ୍ପ ଦୂରରେ କ’ଣ ଦିଶୁଛି? ମୋର ମନେ ହୁଏ, ଏହାହିଁ ଧୂସର ଦୁର୍ଗ ।”
ଦେବଳର ଏଭଳି ଉଲ୍ଲାସପୂର୍ଣ୍ଣ କଥା ଶୁଣି ଚନ୍ଦ୍ରବର୍ମା ଓ ଆଉ କେତେଜଣ ଦୌଡି ଯାଇ ତା’ପାଖରେ ପହଁଚିଲେ । ଅଦୂରରେ ଗୋଟିଏ ନଅର ଦେଖାଗଲା । ଚାରି ଦିଗରେ ଜନମାନବଙ୍କ ଦେଖା ନାହିଁ । ସବୁ ଶୂନ୍ୟ । ବଣ ବୁଦାରେ ସବୁ ଦିଗ ଭର୍ତ୍ତି । ପରିସ୍ଥିତି ବଡ ଭୟଙ୍କର ମନେ ହେଉଥିଲା ।
“ନା, ଇଏ ଧୂସର ଦୁର୍ଗ ନୁହେଁ । ତଥାପି ମଧ୍ୟ ଆମେ ଏହା ଭିତରେ ପଶିବା ଆବଶ୍ୟକ । ହୁଏତ କିଛି ମୂଲ୍ୟବାନ ଇଙ୍ଗିତ ମିଳିବ ।” ଚନ୍ଦ୍ରବର୍ମା ଏହା କହି ସମସ୍ତଙ୍କୁ ଧରି ସେଆଡେ ସେ ଅଗ୍ରସର ହେଲେ । ସମସ୍ତେ ସେ ପରିତ୍ୟକ୍ତ ନଅର ପାଖରେ ଯାଇ ପହଁଚିଲେ ।
ତିନୋଟି ସିଂହ ଶାବକ ଫାଟକ ପାଖରେ ଖେଳୁଥିଲେ । ହଠାତ୍ ମଣିଷମାନଙ୍କୁ ଦେଖି ସେମାନେ ଫାଟକ ସେପାରିକୁ, ନଅର ଭିତରେ ଯାଇ ପଶିଗଲେ । ସେପଟୁ ଗୋଟାଏ ବଡ ସିଂହର ଭୀଷଣ ଗର୍ଜନ ଶୁଭିଲା ।
ଚନ୍ଦ୍ରବର୍ମା ତାଙ୍କ ଅନୁଚରମାନଙ୍କ ଆଡକୁ ଫେରିପଡି କହିଲେ, “ବିନା କାରଣରେ ବାଘ ସିଂହ ସହ ଲଢି ଆମର ଶକ୍ତି କ୍ଷୟ କରିବା ମୋଟେ ଠିକ୍ ହେବ ନାହିଁ । ଚାଲ, ଏଠାରେ ଭିତରେ ପଶିବାର ଚେଷ୍ଟା ନକରି ଆଉ କିଛି ଦୂରକୁ ଯିବା ।”
ସେମାନେ ନଅର ପ୍ରାଚୀର କଡ ଦେଇ କିଛି ଦୂର ଅଗ୍ରସର ହେବା ପରେ ଦେଖିଲେ ଠାଏଁ ପ୍ରାଚୀର ଧୂଳିସାତ ହୋଇଛି । ଗୋଟିଏ ଫଳକ ଦେହରେ ଲେଖା ହୋଇଛି: ଦିନେ ଏହା ଗୋଟିଏ ସମୃଦ୍ଧ ସହର ଥିଲା । ଏହାର ନାମ ଥିଲା କରବୀରପୁର । ଉତ୍ତର ଦିଗରୁ ବର୍ବର ଜାତୀୟ ଦଳେ ଲୋକ ଆସି ଏହା ଲୁଣ୍ଠନ କରି ସେମାନଙ୍କ ଧୂସର ଦୁର୍ଗକୁ ଏଠାକାର ସବୁ ସମ୍ପଦ ନେଇଗଲେ । ସେହି ଦିନରୁ ଏହା ପରିତ୍ୟକ୍ତ ।”
ଚନ୍ଦ୍ରବର୍ମା ନିଜ ଅନୁଚରମାନଙ୍କୁ କହିଲେ, “ବର୍ତ୍ତମାନ କିଛି ତଥ୍ୟ ମିଳିଲା । ଉତ୍ତରକୁ ଚାଲ ।”