ଅନେକ ଦିନ ପୂର୍ବେ ତୁର୍କୀ ସହରରେ ବାବର ନାମକ ଜଣେ ଗରୀବ ଲୋକ ଥାଏ । କିନ୍ତୁ ତା’ର ମନ ନାନା ଉଚ୍ଚ ଆକାଂକ୍ଷାରେ ପୂର୍ଣ୍ଣ ଥାଏ । ସେସବୁ ବେଳେ ବେଳେ ସେ ସ୍ୱପ୍ନରେ ଦେଖେ ।
ଦିନେ ବାବର ଗୋଟିଏ ଭୋଜନାଳୟର ଏକ କୋଣରେ ଥିବା ଚୌକି ଉପରେ ବସି ନାନା କଥା ଭାବୁଥାଏ । ସହରର ବଡ ବଡ ଧନୀମାନଙ୍କ ପାଇଁ ସ୍ନାନାଗାର ଥାଏ । ସେଠାରେ ସେବକମାନେ ମାଲିସ୍ କରି ଦିଅନ୍ତି ଓ ନାନା ପ୍ରକାର ସେବା କରନ୍ତି । ବାବରର ମଧ୍ୟ ଇଚ୍ଛା ହେଲା ସେ ଥରେ ସେଠାକୁ ଯା’ନ୍ତା ।
କ୍ରମେ ସେ ସେଠାକୁ ଯିବାର କଳ୍ପନା କଲା । ତା’ପରେ ସେ ଦେଖୁଛି ଯେ ସେ ନିଜେ ଯାଇ ସେଠାରେ ପହଁଚିଛି । ଦୂରରୁ ଦେଖିଲା ଜଣେ ବ୍ୟକ୍ତି ଠିକ୍ ତା’ରି ପରି ବସି ମାଲିସ୍ ହେଉଛି ଓ ସର୍ବତ ଖାଉଛି । ବାବର ଲୁଚିକରି ବସିଥାଏ । ଧନୀ ବ୍ୟକ୍ତିର ଚାକରମାନେ ଚାଲିଯିବା ପରେ ସୁଯୋଗ ଦେଖି ବାବର ତା’ ପାଖକୁ ଗଲା । ସେ ବିଚରା ଟଉଲିଆ ପିନ୍ଧି ବସିଥିଲା । ବାବର ତାକୁ ଜବରଦସ୍ତି ଧରି ପାଣି ଟାଙ୍କିରେ ପକାଇ ଦେଇ ତା’ ଟଉଲିଆକୁ ନିଜେ ପିନ୍ଧି ତା’ ଚଉକି ଉପରେ ବସି ପଡିଲା ।
କିଛି ସମୟ ପରେ ସେବକମାନେ ଲେଉଟି ଆସିଲେ । ସେମାନେ ବହୁତ ଯତ୍ନର ସହିତ ବାବରକୁ ସ୍ନାନ କରାଇଲେ । ତା’ପରେ ସେମାନେ ତାକୁ ବହୁତ ଦାମିକା ପୋଷାକ ପିନ୍ଧାଇ ବାହାରକୁ ନେଇ ଆସିଲେ । ତା’ ହାତରେ ଧନୀ ବାବରର ସୁନା ମୋହର ଭରା ଥଳିଟି ସେ ଧରାଇ ଦେଲେ । ସେଥିରୁ ସେ ତିନୋଟି ମୋହର ସ୍ନାନାଗାରର ସେବକମାନଙ୍କୁ ଦେଲା ।
ବାହାରକୁ ଆସିବା ମାତ୍ରେ ତା’ର ନିଜ ସେବକମାନେ ତାକୁ ଘୋଡା ଉପରେ ବସିବାକୁ କହିଲେ । ତା’କୁ ବହୁତ ଡର ମାଡିଲା । ତଥାପି ଧରା ପଡିଯିବା ଭୟରେ ସେ କାହାକୁ କିଛି ନ କହି ଘୋଡା ଉପରେ ଯାଇ ବସିଲା । ଘୋଡା ନିଜର ପରିଚିତ ରାସ୍ତାରେ ଚାଲିଥାଏ ।
ଏକ ବିରାଟ କୋଠା ପାଖରେ ଯାଇ ସେ ଘୋଡାଟି ଠିଆ ହେଲା । ସେବକମାନେ ଦୌଡି ଆସି ତାକୁ ଘୋଡା ପିଠିରୁ ଓହ୍ଲାଇବାକୁ ସାହାଯ୍ୟ କଲେ । ତା’ପରେ ସେବକମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇ ସେ ମହଲ ଭିତରେ ଚାଲିଥାଏ । ଜଣେ ସେବକ ପଚାରିଲା, “ମାଲିକ, ଆପଣ ନିଜ ମହଲରେ ରହିବେ ନା ମାଲିକାଣୀଙ୍କ ମହଲକୁ ଯିବେ?”
ବାବର କହିଲା “ମୁଁ ଏବେ ମୋ ମହଲରେ ରହିବି ।” ତା’ପରେ ତାକୁ ସେମାନେ ଏକ ସୁସଜ୍ଜିତ ବିରାଟ ଶୟନକକ୍ଷ ମଧ୍ୟକୁ ନେଇଗଲେ । କିଛି ସମୟ ପରେ ଦୁଇଜଣ ସେବକ ଆସି ତାକୁ ପଚାରିଲେ, “ମାଲିକ୍, ଆପଣ ଏଇଠି ଭୋଜନ କରିବେ ନା ମାଲିକାଣୀଙ୍କ ସହିତ ଭୋଜନ କରିବେ?”
ବାବର କହିଲା “ଆଜି ଏହିଠାକୁ ଖାଦ୍ୟ ନେଇ ଆସ ।”